ତ୍ରାଣକର୍ତ୍ତା ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା

ଶ୍ରୀ ଗୌରକୃଷ୍ଣ ନାୟକ

୧୯୮୨ ମସିହାର କଥା । ଶ୍ରୀଶ୍ରୀବଡଦା’ ସପରିବାର ଆସିଥାନ୍ତି ପୁରୀ । ସଙ୍ଗରେ ଥାଆନ୍ତି ପୂଜନୀୟା ମା’, ପୂଜନୀୟା ରାଙ୍ଗା ମା’, ଶ୍ରୀଶ୍ରୀଦାଦା ଏବଂ ପରିବାରର ଅନ୍ୟ ସମସ୍ତ ସଦସ୍ୟ । ମୁଁ ଆସିଥାଏ ବାପା (ଗିରିଧାରୀ ନାୟକ ସ.ପ୍ର.ଋ.)ଙ୍କ ସାଙ୍ଗରେ ପୁରୀ । ଆଗରୁ ଶ୍ରୀଶ୍ରୀବଡଦା ଏବଂ ଶ୍ରୀଶ୍ରୀଦାଦାଙ୍କ ସାନ୍ନିଧ୍ୟରେ ଆସିଥାଏ, କିନ୍ତୁ ସଙ୍ଗ କରିବାର ସୁଯୋଗ ପାଇ ନ ଥାଏ । ପୁରୀରେ କିଛିଦିନ ରହିବା ଭିତରେ ଠାକୁରବାଡିକୁ ନିତିଦିନ ଯା’ଆସ ଫଳରେ ଶ୍ରୀଶ୍ରୀବଡଦା ଓ ଶ୍ରୀଶ୍ରୀଦାଦାଙ୍କ ଅପାର ସ୍ନେହ ପାଇବାକୁ ଲାଗିଲି ।

ଦିନକର କଥା । ଭୁବନେଶ୍ୱରର ମିତ୍ରଦା (ନିରଜ କୁମାର ମିତ୍ର, ସ.ପ୍ର.ଋ.) ତାଙ୍କ ଜିପ୍ ନେଇ ପୁରୀ ଆସିଥାନ୍ତି । ଶ୍ରୀଶ୍ରୀ ଦାଦା ତାଙ୍କ ଜିପ୍ ନେଇ ବାହାରିଲେ ପୁରୀ ସମୁଦ୍ରକୂଳ ଅଂଚଳରେ ଥିବା ବାଲିଗୁଆଳିକୁ । ମତେ ବି ଦୟାକରି ସାଥିରେ ନେଇଗଲେ ସେ । ସମୁଦ୍ରକୂଳରେ ଜିପ୍ ଅଟକିଲା, ଆମ ସାଙ୍ଗରେ ଆଉ କେତେଜଣ ବି ଯାଇଥାନ୍ତି । ବୟସ ମତେ ସେତେବେଳେ ପାଖାପାଖି ୫ ବର୍ଷ । ଜିପରୁ ଓହ୍ଲାଇ ଶ୍ରୀଶ୍ରୀଦାଦା ମିତ୍ରଦା’ଙ୍କ ସହ ଜିପ୍ ପାଖରେ ଠିଆହୋଇ କଥା ହେଉଥାନ୍ତି । ପାଖରେ ଥାଆନ୍ତି ସ୍ୱର୍ଗତଃ  ଯତୀନ୍ଦ୍ର ମୋହନ ବସୁୁ (ଯତୀନ୍ ଦା’) । ମୁଁ ସେଇ ପାଖରେ ଖେଳାଖେଳି କରୁଥାଏ । ଝାଉଁବଣରୁ କଳା ସାପଟିଏ ବାହାରି ଆସିଲା । ସାପଟା ବାଲି ଉପରେ ଅଙ୍କାବଙ୍କା ହୋଇ ମାଡି ଚାଲୁଥାଏ । ସାପଟା ମୋ ପାଖଦେଇ ଯିବାବେଳେ ହଠାତ୍ ଇଚ୍ଛାହେଲା ସାପଟାକୁ ଧରିପକାନ୍ତି କି ? ମୋଠାରୁ ସାପର ଦୂରତା ଯେତିକି ଥିଲା, ତା’ଠାରୁ ଦୁଇଗୁଣ ଦୂରତ୍ୱରେ ଠିଆ ହୋଇଥାଆନ୍ତି ଶ୍ରୀଶ୍ରୀଦାଦା । ମୁଁ ସାପଆଡକୁ ଆଗାଉଥାଏ, ଗୋଟିଏ ଦୁଇଟି ପାଦ ଆଗେଇଛି କି ନାହିଁ, ହଠାତ୍ ଶ୍ରୀଶ୍ରୀଦାଦା ବିଜୁଳିବେଗରେ ଝପଟି ଆସିଲେ ଆଉ ମୋତେ କୋଳକୁ ଉଠାଇନେଲେ । ମୁଁ କିଛି ବୁଝି ପାରୁ ନ ଥାଏ । କେଇଟା ସେକେଣ୍ଡ ଭିତରେ ଏତେସବୁ ଘଟଣା ଘଟିଗଲା । ପରେ ଶ୍ରୀଶ୍ରୀଦାଦାଙ୍କଠାରୁ ମୁଁ ଶୁଣିଲି ଯେ ସେଇ କଳାସାପଟା ଥିଲା ବିଷାକ୍ତ ରଣା ସାପ । ଯଦି ସେଦିନ ମୁଁ ସାପଟାକୁ ଧରି ପକାଇଥାଆନ୍ତି ତେବେ ଅବସ୍ଥା ଯେ କ’ଣ ହୋଇଥାଆନ୍ତା ତାହା କଳ୍ପନାତୀତ । ଏବେ ବି ସେ ସମୟର ସ୍ମୃତି ମନେପଡିଲେ ମୋ ଦେହ ଥରିଉଠୁଛି ।

୧୯୯୭-୯୮ ମସିହାର କଥା । ମୁଁ ସେତେବେଳେ ଶ୍ରୀଶ୍ରୀବଡଦା’ଙ୍କ ନିର୍ଦ୍ଦେଶରେ ଦେଓଘରରେ ଆସି ରହୁଥାଏ । ଭୁବନେଶ୍ୱରର ଗରୁଭ୍ରାତା ଅନନ୍ତ ଚରଣ ସ୍ୱାଇଁ ଭାଇ ଆସି ଆଶ୍ରମରେ ପହଂଚିଲେ । ଦେଓଘର ଟାଉନକୁ ଆମେ ଦୁହେଁ ଗଲୁ ଫଟୋ ଡେଭଲପ୍ କରିବା ପାଇଁ । ‘ରେନ୍ବୋ ଫଟୋ ଲ୍ୟାବ’କୁ ଯିବା ବାଟରେ କଥା ପ୍ରସଙ୍ଗରେ ସେ ମତେ କହିଲେ, ତମ ମା’ଙ୍କର କିଛିଗୋଟେ ଆକ୍ସିଡେଂଟ ହୋଇଛି । ଏ କଥା ଶୁଣିବା ପରେ ମୋ ମନ ଅସ୍ଥିର ହେଲା । ସେଇଠୁ ତରବରରେ କାମସାରି ରିକ୍ସା ଖଣ୍ଡେଧରି ଆଶ୍ରମରେ ପହଂଚିଲି । ସେତେବେଳେ ବର୍ତ୍ତମାନର ଶ୍ରୀଶ୍ରୀଆଚାର୍ଯ୍ୟଦେବ  ଆଶ୍ରମ ଲାଇବ୍ରେରୀ ପରିସରରେ ଥିବା ଗ୍ରୀନହାଉସରେ ବସୁଥାନ୍ତି । ସେଠି ପହଂଚି ସଙ୍ଗେ ସଙ୍ଗେ ତାଙ୍କୁ ନିବେଦନ କଲି- ମୋର ମା’ର ଆକ୍ସିଡେଂଟ ହୋଇଛି । ମୋଠାରୁ ଖବର ଶୁଣି ସେ ନିର୍ଦ୍ଦେଶ ଦେଲେ- ‘‘ତୁ ସଙ୍ଗେ ସଙ୍ଗେ ଯାଇ ବାବା (ଶ୍ରୀଶ୍ରୀଦାଦା)ଙ୍କୁ କହ ।’’

ସନ୍ଧ୍ୟା ସମୟ । ଶ୍ରୀଶ୍ରୀଦାଦା ନାଟମଣ୍ଡପରେ ବସିଥାଆନ୍ତି । ମୁଁ ତାଙ୍କ ପାଖରେ ପହଂଚି ନିବେଦନ କଲି- ‘‘ଆଜ୍ଞା ମୋ ମା’ର ଆକ୍ସିଡେଂଟ ହୋଇଛି ।’’ ଶ୍ରୀଶ୍ରୀଦାଦା କହିଲେ- ‘‘କିଛୁ ହବେନା, ତୁ ଠିକ୍ ଠିକ୍ ଭଲଭାବେ ଖବର ନେ।’’ ଭାବିଥିଲି ଶ୍ରୀଶ୍ରୀଦାଦା ମତେ ଭୁବନେଶ୍ୱର ଯିବାପାଇଁ ଆଦେଶ ଦେଇଦେବେ । ମୋର ମନ ବ୍ୟାକୁଳ ହେଉଥାଏ- କେମିତି ଭୁବନେଶ୍ୱର ଆସି ମା’ଙ୍କୁ ଦେଖିବି । ଶ୍ରୀଶ୍ରୀଦାଦାଙ୍କ କଥା ଶୁଣିବା ପରେ ସ୍ୱତଃ ପାଟିରୁ ବାହାରିଆସିଲା- ‘‘ଦାଦା, ଆମି ଯାବୋ ?’’ ଶ୍ରୀଶ୍ରୀଦାଦା ସଙ୍ଗେ ସଙ୍ଗେ କହିଲେ- ‘‘ଠିକ ମତନ୍ ଟ୍ରିଟମେଂଟ ଚଲେଛେ, ଯାୱା ଦରକାର ନାହିଁ । ଭାଲୋ ରକମ ଖବର ନେ ।’’

ମନଟା ଆଉଟୁପାଉଟୁ ହେଉଥାଏ । ମା’କୁ ଦେଖିବାକୁ ଯିବାପାଇଁ ଶ୍ରୀଶ୍ରୀଦାଦା ମନା କରୁଛନ୍ତି! ମନକଥା ମନରେ ମାରିଲି । ଘରକୁ ଫୋନକରି ବୁଝିଲି- ମା’ ଦେହ ଭଲ ଅଛି ଓ ସେ ଶ୍ରୀଘ୍ର ଶୀଘ୍ର ସୁସ୍ଥ ହୋଇଉଠୁଛନ୍ତି । ପରେ ମୋର ଏକ ଅବିସ୍ମରଣୀୟ ଉପଲବ୍ଧି ହେଲା । ମୋ ମା’ଙ୍କ ବେକରେ ପନିକି ବାଜି ଗଭୀର କ୍ଷତ ହୋଇଥିଲେ ବି ସେ ଖୁବ ଶୀଘ୍ର ସୁସ୍ଥ ହୋଇଗଲେ । ମୁଁ ଜାଣିବାକୁ ପାଇଲି ଯେ ଯେଉଁଦିନ ଶ୍ରୀଶ୍ରୀଦାଦା ମତେ ଭୁବନେଶ୍ୱର ଆସିବାକୁ ବାରଣ କଲେ ସେତେବେଳେ ମୋ ମା’ଙ୍କର ଅବସ୍ଥା ବହୁତ ଖରାପ ଥିଲା ଓ ସେ ମୋତେ ଦେଖିବାକୁ ବ୍ୟ‌ାକୁଳ ହୋଇ ଖୋଜୁଥିଲେ । ଯଦି ମୁଁ ସେତେବେଳେ ମା’କୁ ଦେଖିବାକୁ ଭୁବନେଶ୍ୱର ଆସିଥାନ୍ତି, ତେବେ ହୁଏତ ମା’ ମତେ ଦେଖି ତୃପ୍ତ ହୋଇଯାଇଥାଆନ୍ତେ ଏବଂ କିଛି ବଡ଼ ଅଘଟଣ ଘଟିଯାଇଥାଆନ୍ତା । ହୁଏତ ସବୁଦିନ ପାଇଁ ମା’କୁ ହରାଇଥାଆନ୍ତି, ଯାହାକୁ ଶ୍ରୀଶ୍ରୀଦାଦା ତାଣକର୍ତ୍ତା ସାଜି ରୋକିଦେଲେ।

ଜୀବନରେ ତାଙ୍କର ନିର୍ଦ୍ଦେଶ ପାଳନ କଲେ ଯେ କେଡ଼େ କେଡ଼େ ବିପଦ ଟଳିଯାଏ ତାହା ମୁଁ ଉପଲବ୍ଧି କଲି।  ଏହି ବିରଳ ଅନୁଭୂତି ସ୍ମୃତିରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଥିବ।

( ଲେଖକ ଶ୍ରୀ ଗୌରକୃଷ୍ଣ ନାୟକ(ସପ୍ରଋ) ସପରିବାର ସତସଙ୍ଗ ଆଶ୍ରମର ଅନ୍ତେବାସୀ ଏବଂ  ଶ୍ରୀଶ୍ରୀଠାକୁରଙ୍କର ନିୟତ କର୍ମୀ।  ସେ ବହୁ ଭାବେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ସେବାର ସୁଯୋଗ ଲାଭ କରିଛନ୍ତି )

You might also like