ଆଶୀର୍ବଚନ
ପୂଜନୀୟ ବିଙ୍କିଦା’
ଜୟଗୁରୁ। ସମସ୍ତଙ୍କୁ ମୁଁ ଆନ୍ତରିକ ଶ୍ରଦ୍ଧା, ପ୍ରୀତି, ଆଉ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ମୋର ମାତୃଭାଷା ନୁହେଁ ! ଆପଣମାନଙ୍କ ସାନ୍ନିଧ୍ୟରେ ହିଁ ଯେତିକି ସମ୍ଭବ ଏହି ଭାଷା ମୁଁ ଆୟତ୍ତ କରିବାକୁ ଚେଷ୍ଟା କରିଛି। ତେଣୁ, ଭାଷାଗତ ତ୍ରୁଟି ଆପଣମାନେ କ୍ଷମାଦୃଷ୍ଟିରେ ଦେଖିବେ।
ସମସ୍ତେ ମୋର ନିଜର ଲୋକ, ସେଥିପାଇଁ ତ୍ରୁଟିପୂର୍ଣ ଭାଷାରେ ମୋର ହୃଦୟର ବିକ୍ଷିପ୍ତ ଭାବଗୁଡ଼ିକ ଆପଣମାନଙ୍କ ସାମ୍ନାରେ କହିବାକୁ ମୋର କୌଣସି ସଂକୋଚ ନାହିଁ। ଅନୁଧାବନଯୋଗ୍ୟତା ଆପଣମାନେ ହିଁ ବିଚାର-ବିବେଚନା କରିବେ।
ପରମାରାଧ୍ୟ ଆଚାର୍ଯ୍ୟଦେବ ଥରେ କଥା-ପ୍ରସଙ୍ଗରେ କହିଥିଲେ—ଆମେ ଯେପରି କେବଳ ଠାକୁରଙ୍କର ହିଁ ହେଉ। ସିଏହିଁ ଯେପରି ଆମମାନଙ୍କର ଉଦ୍ଦେଶ୍ୟ ହୁଅନ୍ତି । ଆଉ କୌଣସି ସ୍ୱାର୍ଥ ଯେପରି ଆମମାନଙ୍କୁ ଗ୍ରାସ କରି ନ ପାରେ । ତାହାହେଲେ ହିଁ ମୂଳରେ ଗଡ଼ବଡ ରହିଯିବ। ସତ୍ୟାନୁସରଣରେ ଯେପରି କୁହାଯାଇଛି— ଅର୍ଥ, ମାନ, ଯଶ, ଇତ୍ୟାଦି ପାଇବା ଆଶାରେ ମତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ, ସାବଧାନ ହୁଅ, ଠକି ଯିବ, ତୁମରି ଠାକୁରତ୍ବ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି, ଫାଙ୍କି ଦେଲେ ତାହାହିଁ ପାଇବ। ଏହିଭଳି ନ ହେଲେ କିଛି ହିଁ ହେବନି। ତାଙ୍କର କଥାଟା ଭଲଭାବରେ ଅନୁଧାବନ କରନ୍ତୁ।
ପ୍ରତ୍ୟେକ କର୍ମ ସହିତ ହିଁ ଯୋଡ଼ି ହୋଇଥାଏ ସେ କର୍ମ କରିବାର ଉଦ୍ଦେଶ୍ୟ ଆଉ ତା’ ସଂପାଦନ କରିବାର କୌଶଳ। ଆମେ ପ୍ରତ୍ୟେକେ ହିଁ ବ୍ୟକ୍ତିଗତଭାବରେ ନିଜ ନିଜ ଜୀବନବର୍ଦ୍ଧନର ଉଦ୍ଦେଶ୍ୟରେ ଆଉ ବଞ୍ଚିବା-ବଢ଼ିବା ପଥରେ ଚାଲିବାର କୌଶଳ ଲାଭ କରିବା ଏବଂ ତାହା ଆୟତ୍ତ କରିବାର ଉଦ୍ଦେଶ୍ୟରେ ହିଁ ପରମଦୟାଲଙ୍କର ଏହି ଜୀବନବୃଦ୍ଧିଦ ଆଦର୍ଶକୁ ଗ୍ରହଣ କରିଛୁ ଏବଂ ତାହାକୁ ପରିପୂରଣ କରିଚାଲିବାର ଅତୁଟ ସଂକଳ୍ପରେ ଆବଦ୍ଧ ହେଇଛୁ, ଏବଂ ତାହା ନିଜ ନିଜ ସିଦ୍ଧାନ୍ତରେ ହିଁ। ଏହାକୁ ହିଁ କୁହାଯାଏ ଦୀକ୍ଷାଗ୍ରହଣ। ସେହି ସଂକଳ୍ପ ରକ୍ଷାର ଅଭ୍ୟାସ ବା ଅନୁଶୀଳନ କରିବା ହିଁ କିନ୍ତୁ ଆମ ପ୍ରତ୍ୟେକଙ୍କ ଜୀବନର ଏକମାତ୍ର କର୍ତ୍ତବ୍ୟ। ଏହା ପରିପାଳନର ପ୍ରଚେଷ୍ଟା ମଧ୍ୟଦେଇ ହିଁ ଆମେ ସମସ୍ତ ସଂଘାତକୁ ନିୟନ୍ତ୍ରିତ କରୁ କରୁ ସମଗ୍ର ବିଶ୍ୱପ୍ରାଣ-ସହିତ ସଂଗତି ଆଉ ସଂହତି ରକ୍ଷା କରି ଚାଲିବାକୁ ସକ୍ଷମ ହେଇଉଠୁ। ଯିଏ ଯେତିକି ଅକପଟ ଆଉ ନିରଳସ ଭାବରେ ଏ ବିଷୟରେ ସଚେଷ୍ଟ ଥାଏ, ସିଏ ସେତିକି ସଫଳ ହୋଇଉଠେ। ଆଉ ଉଦ୍ଦେଶ୍ୟ ଯଦି ନିଜର ଭଲ ରହିବା, ଜୀବନକୁ ସାର୍ଥକ-ସୁନ୍ଦର କରିବା, ପରମାନନ୍ଦେ ଜୀବନଯାପନ କରିବା—ଏହିସବୁ ହିଁ ହୁଏ, ତା’ହେଲେ କିନ୍ତୁ ଏହି ପ୍ରଚେଷ୍ଟା ହିଁ ଆମମାନଙ୍କର ପଥ ଚାଲିବାର ଏକମାତ୍ର ପାଥେୟ। ଯାହା ପାଇବାର କଥା ତାହା ପାଇବାକୁ ଗଲେ କିନ୍ତୁ ନିଜ ଅଭ୍ୟାସ ଆଉ ଅନୁଶୀଳନ ମାଧ୍ୟମରେ ହିଁ ତାହା ନିଜ ଜୀବନରେ ସ୍ବଭାବଗତ କରିନେବାକୁ ପଡ଼ିବ। କୌଣସିକିଛିକୁ ଆୟତ୍ତରେ ଆଣିବାର ଏହା ହିଁ ତ ହେଲା ଏକମାତ୍ର କୌଶଳ। ଆଉ ଏହି ପ୍ରଚେଷ୍ଟା କିନ୍ତୁ ସର୍ବାଙ୍ଗୀଣଭାବରେ ଆନ୍ତରିକ। ବାହ୍ୟିକ କୌଣସି ଉଦ୍ଦେଶ୍ୟ ନେଇ ଚାଲିବାର ପ୍ରଚେଷ୍ଟା କିନ୍ତୁ ବିକ୍ଷେପକୁ ହିଁ ଆମନ୍ତ୍ରଣ କରେ। କୌଣସି ସ୍ୱାର୍ଥସିଦ୍ଧି ପାଇଁ, ଅନ୍ୟମାନଙ୍କଠାରୁ କୃତିତ୍ବ ଲାଭ ଆଶାରେ ବା ଅନ୍ୟଠାରୁ ନିଜକୁ ବଡ଼ କରିବାର ଆକୂତି ନେଇ ଚାଲିବାର ଉଦ୍ଦେଶ୍ୟ ରହିଲେ ତାହାର ମାନେ ହିଁ ହେଲା—ଉଦ୍ଦେଶ୍ୟ ବା ମୂଳ କାରଣରୁ ବିଚ୍ୟୂତ ହେବା। ଆଉ, ତାହା ଯେପରି ନ ହୁଏ, ସେଥିପାଇଁ ହିଁ ପ୍ରୟୋଜନ ଅଚ୍ୟୂତ ଆଗ୍ରହ ଆଉ ଅଦମ୍ୟ ନିଷ୍ଠା ସହିତ ଯିଏ ସବୁକିଛିର କାରଣ, ସେହି ପ୍ରିୟପରମଙ୍କଠାରେ ହିଁ ଯୁକ୍ତ ରହିବା। କେବଳ, ଏକମାତ୍ର ତାଙ୍କୁ ପ୍ରୀତ କରିବାର ଉଦ୍ଦେଶ୍ୟ ନେଇ ଚାଲିବା। ଯଦି ସ୍ୱାର୍ଥର ପ୍ରତିଷ୍ଠା ହିଁ କରିବାକୁ ହୁଏ, ତା’ହେଲେ କୌଣସି କ୍ଷୁଦ୍ର ଗଣ୍ଡିବଦ୍ଧ ଆତ୍ମସ୍ବାର୍ଥ ନ ହୋଇ ତାହା ଯେପରି ତାଙ୍କରି ସ୍ବାର୍ଥ ହୁଏ। ତା’ହେଲେ ହିଁ କ୍ରମାନ୍ବୟେ ତାଙ୍କ ସ୍ୱାର୍ଥ ହିଁ ନିଜର ସ୍ବାର୍ଥ ହୋଇଉଠେ।

ସେଥିରେ ହିଁ ଆମମାନଙ୍କର ଜୀବନ ପ୍ରକୃତଭାବରେ ସର୍ବାର୍ଥସାଧକ ଆଉ ସର୍ବାଙ୍ଗସୁନ୍ଦର ହୋଇଉଠେ। ଏହା ନ କରି, ନିଜେ କପଟତାର ଆଶ୍ରୟ ନେଇ, ବିଜ୍ଞ ଭଳି ଫାଙ୍କି ଚଳନରେ ଚାଲି ଅନ୍ୟମାନଙ୍କ ବେଳରେ ଉପଦେଶ ଦେବାକୁ ଯଦି ଆମେ ତତ୍ପର ହୋଇଉଠୁ, ତା’ହେଲେ ତ ଉଦ୍ଦେଶ୍ୟରୁ ବିଚ୍ୟୁତ ହେବାକୁ ହିଁ ପଡ଼ିବ। ଆଉ ଉଦ୍ଦେଶ୍ୟହୀନ ଚଳନର କୌଣସି ଗତି ହୁଏନା, ଏକ ଦୁର୍ଗତି ଛଡ଼ା।
ଆମମାନଙ୍କ ଭଳି ଭାଗ୍ୟବାନ ମାନବ-ଇତିହାସରେ କେବେ କି କେହି ହୋଇଛି? ଆମେମାନେ ପଥ ପାଇଛୁ, ପାଥେୟ ପାଇଛୁ, ଗନ୍ତବ୍ୟ ଲାଭ କରିଛୁ, ପଥ ଚାଲିବାର କ୍ଲାନ୍ତି ଆଉ ଗ୍ଲାନି ଲାଘବ କରିବାର ସମସ୍ତ ସମ୍ବଳ ଲାଭ କରିଛୁ, ପଥଭ୍ରଷ୍ଟ ହୋଇପଡ଼ିଲେ ସାଡା ଦେଇ ପୁଣି ସଠିକ ପଥର ନିଶାନାରେ ଫେରେଇଆଣିବାର ଆଲୋକବର୍ତିକା ଆମକୁ ମିଳିଛି; ଏହିଭଳି ଯେ କେହି କେବେ କାହାକୁ ଭଲପାଇ ପାରେ— ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଆମେ ପ୍ରତିପ୍ରତ୍ୟେକହିଁ ନିଜ ନିଜ ଜୀବନରେ ବାସ୍ତବଭାବେ ଅନୁଭବ କରିବାର ନିରନ୍ତର ସୁଯୋଗ ପାଇଚାଲିଛୁ; ଦେଖିଥିବା, ଶୁଣିଥିବା ଆଉ ବାସ୍ତବବୋଧରେ ଅନୁଭବ କରିଥିବା କେତେ ଯେ ଘଟଣାର ସାକ୍ଷୀ ଆମେ ହେଇଚାଲିଛୁ ପ୍ରତି ନିୟତ, ତାହାର କୌଣସି ହିସାବ କେ ରଖେ? ଏହାସତ୍ତ୍ୱେ ନିଜର ଚଳନ, ବଳନ, ଆଚରଣ ଏହି ସମସ୍ତ ଯଦି ସେଇ ଅନୁସାରେ ନିୟନ୍ତ୍ରିତ କରି ନ ପାରୁ, ତା’ହେଲେ ଆମଭଳି ଦୁର୍ଭାଗା ଆଉ କିଏ? ତାଙ୍କ ଜୀବନ, ତାଙ୍କ ସ୍ମୃତି-ଚେତନାର ଜୀବନୀୟ ପରଶ ଆମମାନଙ୍କ ଜୀବନକୁ ଦୟା, ପ୍ରେମ, କ୍ଷମା ଆଉ ବଞ୍ଚିବା ବଢିବାର ଉପାୟ ଏବଂ ପ୍ରେରଣାରେ ପରିପୋଷିତ କରିତୋଳୁଛି ପ୍ରତିନିୟତ, ଅବିଚ୍ଛିନ୍ନ ଭାବରେ. ଆମେ କ’ଣ ଏବେ ବି ଆଳସ୍ୟ ଆଉ ଦୁର୍ବଳତା ହାତରେ ପରାଜିତ ହିଁ ହେଇରହିବା ?
ପରିଶେଷରେ ପୁଣି ମୁଁ ବିନୀତ ଭାବରେ କହୁଛି, ଆମେ କେବଳ ତାଙ୍କରି ହୋଇଉଠୁ । ତା’ହେଲେ ହିଁ ଯାହା ପାଇବାର ତାହା ଅଧିଗତ ହେବ. ପରମଦୟାଲଙ୍କର ଅଶେଷ ଅପାର କରୁଣା ଆଉ ଆଚାର୍ଯ୍ୟଦେବଙ୍କର ଅମିୟ ଆଶିଷ ଇଷ୍ଟୀଚଳନର ଜୟଯାତ୍ରାରେ ପ୍ରତ୍ୟେକଙ୍କ ଜୀବନକୁ ସଫଳତାରେ ଅଭିଷିକ୍ତ କରିତୋଳୁ, ଏହାହିଁ ମୋର ଐକାନ୍ତିକ ପ୍ରାର୍ଥନା। ବନ୍ଦେ ପୁରୁଷୋତ୍ତମମ୍ ।
( ଚଳିତ ବର୍ଷ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ‘ସ୍ବସ୍ତିତପା ମହୋତ୍ସବ’ରେ ପୂଜନୀୟ ବିଙ୍କିଦା’ଙ୍କ ପ୍ରଦତ୍ତ ଉଦବୋଧନ)