ଶ୍ରୀଶ୍ରୀଠାକୁରଙ୍କ ଅମିୟ ସାନ୍ନିଧ୍ୟ ଲାଭ କରିଥିବା ଓଡ଼ିଶାର କତିପୟ ପୁଣ୍ୟାତ୍ମା
ଶ୍ରୀ ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ପୁରୁଷୋତ୍ତମ ଯେତେବେଳେ ନରତନୁ ଧାରଣ କରି ଧୂଳିମାଟିର ଦୁନିଆରେ ଲୀଳା କରନ୍ତି, ସେତେବେଳେ ତାଙ୍କୁ, ଚର୍ମଚକ୍ଷୁରେ ଦର୍ଶନ କରିବା ମଧ୍ୟ ବହୁଜନ୍ମର ପୁଣ୍ୟଫଳରୁ ସମ୍ଭବ ହୋଇଥାଏ । ଶ୍ରୀଶ୍ରୀଠାକୁର କହିଛନ୍ତି- Some realisation is guaranteed to those who have come within the sight of the Supreme Soul. ତାଙ୍କ ବ୍ୟକ୍ତିତ୍ୱର ଅମିୟ ସ୍ପର୍ଶ ଲାଭ କରିଥିବା ଓଡ଼ିଶାର କେତେକ ପୁଣ୍ୟାତ୍ମାମାନଙ୍କ ମଧ୍ୟରେ ଯେଉଁ ଦମ୍ପତିଙ୍କ ନାମ ଚିରଭାସ୍ୱର ହୋଇ ରହିଛି ସେମାନେ ହେଲେ ନେତାଜୀ ସୁଭାଷଚନ୍ଦ୍ରଙ୍କ ମାତାପିତା ପୁଣ୍ୟଶ୍ଳୋକା ପ୍ରଭାବତୀ ଦେବୀ ଏବଂ ଶ୍ରୀଯୁକ୍ତ ଜାନକୀନାଥ ବୋଷ । ଉଭୟେ ଥିଲେ ହିମାଇତପୁର ଅମଳରେ ଶ୍ରୀଶ୍ରୀଠାକୁରଙ୍କର ମନ୍ତ୍ରଶିଷ୍ୟ ଏବଂ ଏକାନ୍ତ ଅନୁଗତ ଭକ୍ତ । ସେମାନଙ୍କର ଏକାନ୍ତ ହୃଦୟଉତ୍ସାରିତ ପ୍ରାର୍ଥନା ଏବଂ ସ୍ୱତଃଅନୁରାଗୀ ସେବାସୌକର୍ଯ୍ୟ ଫଳରେ ଶ୍ରୀଶ୍ରୀଠାକୁର ସପରିବାର ଏବଂ ସପାରିଷଦ ୧୯୨୩ ମସହା ଜାନୁୟାରୀ ମାସ ୨ତାରିଖରେ ପୁରୀଧାମକୁ ଆଗମନ କରି ପ୍ରାୟ ୨ମାସ ଅବଧି ଅବସ୍ଥାନ କରିଥିଲେ । ତାଙ୍କର ସେହି ଅନବଦ୍ୟ ନୀଳାଚଳ ଲୀଳାର ଦିବ୍ୟସ୍ମୃତି ପତ୍ରପତ୍ରିକାରେ ବହୁ ପ୍ରଚାରିତ । ପୁରୀ ସହରର ପଥଘାଟ, ମଠମନ୍ଦିର, ଶ୍ରୀମନ୍ଦିର ପ୍ରାଙ୍ଗଣ, ମହୋଦଧିର ବେଳାଭୂମି ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳଗୁଡିକ ଭକ୍ତ ପ୍ରବର କିଶୋରୀ ମୋହନ ଅନନ୍ତନାଥ, ସୁଶୀଲଚନ୍ଦ୍ର ପ୍ରଭୃତି ଭକ୍ତମଣ୍ଡଳୀଙ୍କର ପ୍ରେମୋନ୍ମତ୍ତ ଉଦ୍ଦଣ୍ଡ ସଂକୀର୍ତ୍ତନ ଏବଂ ତକ୍କାନିନାଦରେ ମୁଖରିତ ହୋଇ ଉଠିଥିଲା । ଲୋକମୁଖରେ ପ୍ରଚାରିତ ହୋଇଥିଲା ଯେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଦ୍ୱିତୀୟ ଆବିର୍ଭାବ ଘଟିଛି ।
ଏହି ସମୟରେ ପୁରୀ, କଟକ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଅନେକ ଶିକ୍ଷିତ, ସମ୍ଭ୍ରାନ୍ତ ବ୍ୟକ୍ତି ଶ୍ରୀଶ୍ରୀଠାକୁରଙ୍କର ଅମିୟ ସାନ୍ନିଧ୍ୟ ଲାଭ କରି ଧନ୍ୟ ହୋଇଥିଲେ ଏବଂ ମାନବ ଜୀବନର ନାନା ସମସ୍ୟା ତଥା ଗଭୀର ଆଧ୍ୟାତ୍ମିକ ଜିଜ୍ଞାସାର ଚରମ ସମାଧାନ ଲାଭ କରି ତୃପ୍ତ ହୋଇଥିଲେ । ଅନେକେ ‘ସତମନ୍ତ୍ର’ ମାଧ୍ୟମରେ ତାଙ୍କୁ ଜୀବନର ଆଦର୍ଶ ଭାବରେ ଗ୍ରହଣ କରିଥିଲେ । ବସ୍ତୁତଃ ସେହି ସମୟରୁ ଓଡ଼ିଶାରେ ସତସଙ୍ଗର ଭିତ୍ତି ସ୍ଥାପନ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ଶ୍ରୀଶ୍ରୀଠାକୁରଙ୍କୁ ଉତ୍କଳଭୂମିକୁ ଆମନ୍ତ୍ରଣ କରି ଆଣି ବୋଷଦମ୍ପତି ଯେ କେବଳ ନିଜର ଜୀବନକୁ ଧନ୍ୟ କରିଥିଲେ ତାହା ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟ କରିଥିଲେ । ସେମାନେ ନାନା ସ୍ଥାନରୁ ଆଗତ ପ୍ରାୟ ଦୁଇ ଶତାଧିକ ଭକ୍ତଙ୍କୁ ଯେପରି ବିନମ୍ର ଅମାୟିକ ବଦାନ୍ୟ ସେବା-ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ତାହାର ତୁଳନା ଦୁଷ୍କର । ଫେବୃଆରୀ ମାସ ୧୪ ତାରିଖରେ ଶ୍ରୀଶ୍ରୀଠାକୁର ସପରିବାର ଏବଂ ସଶିଷ୍ୟ ହିମାଇତପୁର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ, କିନ୍ତୁ ତାଙ୍କ ନିଦେ୍ର୍ଦଶରେ ସତୀଶଚନ୍ଦ୍ର ଗୋସ୍ୱାମୀ ଆଉ କିଛିଦିନ ଓଡ଼ିଶାରେ ଭ୍ରମଣ କରି ସତ୍ନାମ ପ୍ରଚାର କରିଥିଲେ ।
ପୁରୀ ଧାମରେ ଶ୍ରୀଶ୍ରୀଠାକୁରଙ୍କ ଅବସ୍ଥାନ ସମୟରେ ଶ୍ରୀ ସୁଶୀଲଚନ୍ଦ୍ର ବସୁ ପ୍ରମୁଖ ଭକ୍ତଗଣ ଶ୍ରୀଶ୍ରୀ ସ୍ୱାମୀ ନିଗମାନନ୍ଦ ପରମହଂସ ଏବଂ ସ୍ୱାମୀ ବିଶୁଦ୍ଧାନନ୍ଦ (ଗନ୍ଧବାବା) ମହୋଦୟଙ୍କ ସହିତ ସାକ୍ଷାତ କରି ଶ୍ରୀଶ୍ରୀଠାକୁରଙ୍କ ଭାବଧାରା ସମ୍ପର୍କରେ ଆଳାପ-ଆଲୋଚନା କରିଥିଲେ ।
ବୋଷ ଦମ୍ପତିଙ୍କ ସୁଯୋଗ୍ୟ ସନ୍ତାନ ବିଶ୍ୱବରେଣ୍ୟ ନେତାଜୀ ସୁଭାଷଚନ୍ଦ୍ର ମଧ୍ୟ ତାଙ୍କର ଜନନୀଦେବୀଙ୍କ ନିଦେ୍ର୍ଦଶକ୍ରମେ ହିମାଇତପୁର ଆଶ୍ରମକୁ ଆସି ଶ୍ରୀଶ୍ରୀଠାକୁରଙ୍କ ଦର୍ଶନ ଲାଭ କରି ଧନ୍ୟ ହୋଇଥିଲେ । ହିମାଇତପୁର ଆଶ୍ରମର ଜନକଲ୍ୟାଣମୁଖୀ କର୍ମଧାରା ପ୍ରାଚୀନ ଭାରତୀୟ ଗୁରୁକୁଳାଶ୍ରମ ଆଦର୍ଶରେ ଅନୁପ୍ରାଣିତ ଅନ୍ତେବାସୀମାନଙ୍କର ପବିତ୍ର ନିରାଡ଼ମ୍ବର ସଂସାରଜୀବନ ସହିତ ଇଷ୍ଟକୈନ୍ଦ୍ରିକ ସନ୍ନ୍ୟାସ ଜୀବନ ସୁଭାଷଚନ୍ଦ୍ରଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ସେ କହିଥିଲେ ଆଶ୍ରମର ଚିତ୍ର ଯଦି ଏପରି ହୁଏ ତେବେ ସମଗ୍ର ଭାରତବର୍ଷରେ ଏପରି ବହୁ ଆଶ୍ରମର ପ୍ରତିଷ୍ଠା ଦେଶର ଉନ୍ନତି ପାଇଁ ଏକାନ୍ତ ପ୍ରୟୋଜନ ।
ଶ୍ରୀଶ୍ରୀଠାକୁରଙ୍କର ହିମାଇତପୁର ଲୀଳାସମୟରେ ଜନୈକ ଓଡ଼ିଆଯୁବକ ଶ୍ରୀ କୁଳମଣି ପଣ୍ଡା କାର୍ଯ୍ୟୋପଲକ୍ଷେ ଆଶ୍ରମରେ ଅବସ୍ଥାନ କରୁଥିଲେ । ଶ୍ରୀଶ୍ରୀଠାକୁର ତାଙ୍କ ନିକଟରେ ଇଚ୍ଛା ବ୍ୟକ୍ତ କରି କହିଥିଲେ- “ଭୁବନେଶ୍ୱରରେ ମୋର ଗୋଟିଏ ବଡ଼ ମନ୍ଦିର କରିବ”, ଭକ୍ତ କୁଳମଣି ଓଡ଼ିଶା ଆସି ଅନେକଙ୍କ ନିକଟରେ ଦୟାଲଙ୍କର ଏହି ଇଚ୍ଛା ବ୍ୟକ୍ତ କରି ମନ୍ଦିର ନିର୍ମାଣ ନିମନ୍ତେ ପ୍ରୟାସ କରିଥିଲେ । ଏକଥା ଶ୍ରୀଶ୍ରୀବଡ଼ଦା ମଧ୍ୟ ସମର୍ଥନ କରି କହିଛନ୍ତି- “ଭୁବନେଶ୍ୱରରେ ମନ୍ଦିର କରିବା ଯେ କେବଳ ମୋର ଇଚ୍ଛା, ତାହା ନୁହେଁ-ସ୍ୱାଧୀନତାପ୍ରାପ୍ତିର ବହୁ ପୂର୍ବରୁ ପାବନାରେ ଥିବା ବେଳେ ଶ୍ରୀଶ୍ରୀଠାକୁର କୁଳମଣିକୁ କହିଥିଲେ, ଆଉ କୁଳମଣି ବି କିଛିଟା ପ୍ରଚେଷ୍ଟା କରିଥିଲା ।’’ (ଭୁବନେଶ୍ୱର ସୋଭେନିର, ୧୯୮୮) । ଦୟାଲଙ୍କର ସେହି ମହତ ଇଚ୍ଛାର ପରିପୂରଣରେ ଭୁବନେଶ୍ୱରରେ ଗଢି ଉଠିଛି ବିଶାଳ, ସୁଦୃଶ୍ୟ ଶ୍ରୀମନ୍ଦିର ଯାହାର ଶିଳାନ୍ୟାସ କରିଥିଲେ ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା (୧୯୭୮) ଏବଂ ଶୁଭ ଉଦ୍ବୋଧନ କରନ୍ତି ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦା (୧୯୯୬) ।
ଆଉ ଜଣେ ଓଡ଼ିଆ ଯୁବକ ଶ୍ରୀ ଚିନ୍ତାମଣି ପଣ୍ଡା ମଧ୍ୟ ହିମାଇତପୁର ଆଶ୍ରମରେ ରନ୍ଧନକାର୍ଯ୍ୟରେ ନିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶା କୃଷି ମହାବିଦ୍ୟାଳୟରେ ପ୍ରାୟତଃ ସହପ୍ରତିଋତ୍ୱିକ୍ ଡଃ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ବିଭାଗରେ ଜଣେ କର୍ମଚାରୀ ଭାବରେ ନିଯୁକ୍ତ ହୋଇଥିଲେ । ଦିନେ ସେ ଲକ୍ଷ୍ମଣ ଭାଇଙ୍କ ଟେବୁଲର କାଚ ତଳେ ଥିବା ଶ୍ରୀଶ୍ରୀଠାକୁରଙ୍କର ଗୋଟିଏ ଫଟୋ ଦେଖି ତାଙ୍କୁ ପ୍ରଶ୍ନ କଲେ- ସାର୍, ଆପଣ କ’ଣ ଏହି ଠାକୁରଙ୍କ ଦୀକ୍ଷା ନେଇଛନ୍ତି ? ଲକ୍ଷ୍ମଣ ଭାଇ ସମ୍ମତି ଜଣାଇ ତାଙ୍କୁ ପଚାରିଲେ,- “ତୁମେ କ’ଣ ଠାକୁରଙ୍କୁ ଜାଣିଛ?” ସେ କହିଲେ- “ଆମେ ପରା ହିମାଇତପୁର ଆଶ୍ରମରେ ରୋଷେଇ କରୁଥିଲୁ । ହେଲେ ସାର୍, ଗୋଟିଏ କଥା ମୁଁ କହିବି-ଏଇ ଠାକୁରଙ୍କର ଜଣେ ମା’ ଥିଲେ । ସେ ଏପରି ଜଣେ ମା’ ଯେ ତାଙ୍କର ଯିଏ ବି ପୁଅ ହେବ, ସେ ନିଶ୍ଚୟ ଠାକୁର ହେବ ।” ମହୀୟସୀ ଜନନୀ ମନୋମୋହିନୀ ଦେବୀଙ୍କର ଏହାଠାରୁ ବଡ଼ ପରିଚୟ ଆଉ କ’ଣ ହୋଇପାରେ– ଯାହା ଚିନ୍ତାମଣିଙ୍କ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କ ନିକଟରେ ମଧ୍ୟ ପ୍ରତିଭାତ ହୋଇଥିଲା ।
୧୯୪୬ ମସିହା ସେପ୍ଟେମ୍ବର ମାସ ୨ତାରିଖରେ ଶ୍ରୀଶ୍ରୀଠାକୁର ନିଜର ଜନ୍ମଭୂମି ହିମାଇତପୁର ତଥା ନିଜ ହାତରେ ଗଢ଼ା ବିରାଟ ସତସଙ୍ଗ ଆଶ୍ରମ ତ୍ୟାଗ କରି ସପରିବାର ଏବଂ ସଶିଷ୍ୟ ଦେଓଘର ଚାଲିଆସିଲେ, ଲକ୍ଷ୍ମୀ-ନାରାୟଣଙ୍କ ଚରଣ ସ୍ପର୍ଶରେ ଦେଓଘରର ଟାଙ୍ଗରା ଭୂଇଁ ହସିଉଠିଲା—ଶ୍ରୀଶ୍ରୀ ବଡ଼ଦାଙ୍କ ନିଳସ ପ୍ରଚେଷ୍ଟାରେ ଗଢ଼ିଉଠିଲା ବିରାଟ ଦେଓଘର ସତସଙ୍ଗ ଆଶ୍ରମ, ଭାରତବର୍ଷର ନାନା ପ୍ରାନ୍ତରୁ ବିଶିଷ୍ଟ ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ ଶ୍ରୀଶ୍ରୀଠାକୁରଙ୍କ ସାନ୍ନିଧ୍ୟରେ ଆସି, ତାଙ୍କ ବ୍ୟକ୍ତିତ୍ୱର ଅମିୟ ସ୍ପର୍ଶ ଲାଭ କରି ଧନ୍ୟ ହେଲେ, ଏହି କ୍ରମରେ ଓଡ଼ିଶାର ଯେଉଁ କତିପୟ ବିଶିଷ୍ଟ ଜ୍ଞାନୀ, ଜିଜ୍ଞାସୁ ବ୍ୟକ୍ତି ତାଙ୍କର ଅମିୟ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ପାଇଥିଲେ ସେମାନଙ୍କ ମଧ୍ୟରେ ପ୍ରଥମେ ହିଁ ଯାହାଙ୍କ ନାମ ଉଲ୍ଲେଖଯୋଗ୍ୟ ଯେ ହେଲେ ବିଶିଷ୍ଟ ରାଜନେତା ତଥା ‘ସମାଜ’ ସଂବାଦପତ୍ରର ସ୍ୱନାମଧନ୍ୟ ସମ୍ପାଦକ ଡଃ ରାଧାନରାଥ ରଥ । ସେ ଦେଓଘର ଆଶ୍ରମକୁ ଯାଇ ଶ୍ରୀଶ୍ରୀଠାକୁରଙ୍କ ସହିତ ବିଭିନ୍ନ ରାଜନୈତିକ, ଆଧ୍ୟାତ୍ମିକ ତଥା ସାମାଜିକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ଧନ୍ୟ ହୋଇଥିଲେ, ଶ୍ରୀଶ୍ରୀଠାକୁର ତାଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ ଏବଂ ଆଶୀର୍ବାଦ ସ୍ୱରୂପ ଗୋଟିଏ ପବିତ୍ର ଦଣ୍ଡ ତାଙ୍କୁ ଉପହାର ଦେଇଥିଲେ ଯାହା ସେ ଶ୍ରଦ୍ଧାର ସହିତ ବ୍ୟବହାର କରୁଥିଲେ । ଆଜୀବନ ତାଙ୍କ ମନରେ ସତସଙ୍ଗ ପ୍ରତି ସମ୍ମାନ, ଶ୍ରଦ୍ଧା ଏବଂ ସହାନୁଭୂତି ଅକ୍ଷୁଣ୍ଣ ରହିଥିଲା ।
ଓଡ଼ିଶାର ଅନ୍ୟତମ ଦକ୍ଷ ରାଜନେତା, ପ୍ରାକ୍ତନ ମନ୍ତ୍ରୀ ତଥା ସଂସ୍କୃତିପ୍ରେମୀ ଶ୍ରୀ ରାଜବଲ୍ଲଭ ମିଶ୍ର ୧୯୬୦ ମସିହା ଏପ୍ରିଲ ୧୩ତାରିଖ ନବବର୍ଷ ଉତ୍ସବକୁ ନିମନ୍ତ୍ରିତ ହୋଇ ଶ୍ରୀଯୁକ୍ତ ଶ୍ରୀହର୍ଷ ମିଶ୍ରଙ୍କ ସହିତ ଦେଓଘର ଆଶ୍ରମକୁ ଯାଇଥିଲେ । ଶ୍ରୀଶ୍ରୀଠାକୁରଙ୍କ ସହିତ ତାଙ୍କର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ସେ ଶ୍ରୀଶ୍ରୀଠାକୁରଙ୍କୁ ପ୍ରଶ୍ନ କରିଥିଲେ- ଶୁଣିଛିି ଯେ ଶକ୍ତିଶାଳୀ ପୁରୁଷମାନେ ଏକାଧିକ ସ୍ତ୍ରୀ ବିବାହ କରିବା ଉଚିତ । ଏଥିରେ ଆପଣଙ୍କର ମତ କ’ଣ? ଶ୍ରୀଶ୍ରୀଠାକୁର ଏକଥାରେ ଆଂଶିକ ଏକମତ ବୋଲି କହିଲେ । ସେ କହିଲେ- ଭାରତବର୍ଷରେ ବହୁସ୍ତ୍ରୀ ବିବାହ ପୁରାତନ କାଳରୁ ପ୍ରଚଳିତ । ମହାରାଜା ଦଶରଥଙ୍କ ଯେପରି ଅନେକ ପତ୍ନୀ ଥିଲେ, ସେହିପରି ମହାଭାରତରେ ଅର୍ଜୁନଙ୍କର ସୁଭଦ୍ରା, ଉଲୁପୀ, ଚିତ୍ରାଙ୍ଗଦା ଆଦି ବହୁ ପତ୍ନୀ ଥିବାର ଉଦାହରଣ ଅଛି । ଏହାପରେ ଶ୍ରୀଶ୍ରୀଠାକୁର ତାଙ୍କୁ ଆଶୀର୍ବାଦସୂଚକ ଦଣ୍ଡ ପ୍ରଦାନ କରିଥିଲେ । ଉତ୍ସବମଣ୍ଡପରେ ଶ୍ରୀଯୁକ୍ତ ମିଶ୍ରଙ୍କ ଅଭିଭାଷଣ ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଥିଲା । ସେ ଲେଖିଛନ୍ତି- ଦେଶର ଦୁର୍ଦ୍ଦିନର ସମାଧାନ କିପରି ହେବ ବୋଲି ମୁଁ ଶ୍ରୀଶ୍ରୀଠାକୁରଙ୍କୁ ପଚାରିଥିଲି । ସେ କହିଥିଲେ- “ସୃଷ୍ଟିର ଶ୍ରେଷ୍ଠଜୀବ ମଣିଷ ଭଲ ହେଲେ ସବୁ ସମ୍ଭବ ହେବ ।’’ ମୁଁ ଆଜି ଏହି ପରିଣତ ବୟସରେ ବୁଝୁଛି, ସେଦିନ ଶ୍ରୀଶ୍ରୀଠାକୁର ଯାହା କହିଥିଲେ, ତାହାହିଁ ସତ୍ୟ ଏବଂ ତାଙ୍କ ପ୍ରତିଷ୍ଠିତ ସତସଙ୍ଗ ଯେ “ମଣିଷତିଆରି କାରଖାନା’ ତାହା ମୋର ହୃଦବୋଧ ହୋଇଛି ।(ଭୁବନେଶ୍ୱର ସୋଭେନିୟର, ୧୯୮୮) ।
ପ୍ରାକ୍ତନ ମନ୍ତ୍ରୀ ଏବଂ ଗଭର୍ଣ୍ଣର ଶ୍ରୀ ନିତ୍ୟାନନ୍ଦ କାନୁନଗୋ ମଧ୍ୟ ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ କରି ତାଙ୍କ ସହିତ ଆଳାପ ଆଲୋଚନା କରି ମୁଗ୍ଧ ହୋଇଥିଲେ । (Benign Lord-Page-66)।
ଓଡ଼ିଶାର ତତ୍କାଳୀନ ବିଶିଷ୍ଟ ଶିକ୍ଷାବିଦ୍ ଏବଂ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା ମଧ୍ୟ ଦେଓଘର ଆଶ୍ରମକୁ ଯାଇ ଶ୍ରୀଶ୍ରୀଠାକୁରଙ୍କ ସହିତ ସାକ୍ଷାତ ଏବଂ ଆଲୋଚନା କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ, ଦିନଟି ଥିଲା ୧୯୫୫ ମସିହା ଅକ୍ଟୋବର ମାସ ୨୯ତାରିଖ । ସେତେବେଳେ ଡଃ ପରିଜା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଅଧିଷ୍ଠିତ ଥିଲେ । ଶ୍ରୀଶ୍ରୀଠାକୁରଙ୍କ ଜନ୍ମୋତ୍ସବରେ ବକ୍ତୃତା ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଶ୍ରୀଶ୍ରୀଠାକୁରଙ୍କ ସହିତ ତାଙ୍କର ଯେଉଁ ଅପୂର୍ବ ଆଲୋଚନା ହୋଇଥିଲା, ତାହାର କିୟଦଂଶ ଏଠାରେ ଉଲ୍ଲେଖନୀୟ ।
କଥା ପ୍ରସଙ୍ଗରେ ଶ୍ରୀଶ୍ରୀଠାକୁର ତାଙ୍କୁ ପ୍ରଶ୍ନ କଲେ- ପରିଜାଦା, ଆପଣ ଟର୍ଚ୍ଚ ଲାଇଟ୍ ଦେଖିଛନ୍ତି? ଡଃ ପରିଜା- ଆଜ୍ଞା ଦେଖିଛି । ଶ୍ରୀଶ୍ରୀଠାକୁର-ମନେ କରନ୍ତୁ, ଦୁଇସେଲିଆ, ତିନିସେଲିଆ, ଦଶ ସେଲିଆ ଟର୍ଚ୍ଚ ଲାଇଟ୍ । ତାଙ୍କର ବେଟାରୀଗୁଡିକ ଯଦି ଆଗଆଡ଼କୁ ଏକମୁହାଁ କରି ନରଖି କେତେଟାର ମୁହଁ ଆଗକୁ କେତେଟାର ମୁହଁ ପଛକୁ କରି ରଖାଯାଏ, ତେବେ କ’ଣ ସେ ଟର୍ଚ୍ଚଲାଇନ୍ର ଆଲୁଅ ଜଳିବ? ଡଃ ପରିଜା- ଆଜ୍ଞା, ସେପରି ରଖିଲେ କିପରି ହେବ? ସବୁ ବେଟାରୀଗୁଡିକ ଯଦି ଏକମୁହାଁ କରି ଟର୍ଚ୍ଚର ବଲବ୍ ଆଡକୁ ରଖାଯାଏ ତେବେ ସେ ଟର୍ଚ୍ଚର ଆଲୁଅ ଜଳିବ । ଶ୍ରୀଶ୍ରୀଠାକୁର କହିଲେ – ଆପଣ ଠିକ୍ କହିଛନ୍ତି, ମନେ କରନ୍ତୁ ଆମର ପ୍ରତ୍ୟେକଙ୍କ ଘର ଗୋଟିଏ ଗୋଟିଏ ଟର୍ଚ୍ଚଲାଇଟ୍ ଏବଂ ଆମେ ଗୋଟିଏ ଗୋଟିଏ ବେଟାରୀ । ପରିବାରର ସବୁ ସଦସ୍ୟ ଯଦି ଜଣେ ଜ୍ଞାନବୃଦ୍ଧଙ୍କୁ ମାନି ଏକମୁଖୀ ହୋଇ ଚାଲନ୍ତି ତେବେ ସେହି ପରିବାର ସର୍ବଦା ଶାନ୍ତି, ସ୍ୱସ୍ତି, ଆନନ୍ଦର ଆଲୋକରେ ଆଲୋକିତ ହୋଇ ରହିବ । ସେହିପରି ମନେ କରନ୍ତୁ, ଏହି ପୃଥିବୀଟା ଗୋଟିଏ ଟର୍ଚ୍ଚଲାଇଟ୍ ଓ ପୃଥିବୀର ସମସ୍ତ ଆବାଳ ବୃଦ୍ଧବନିତା ଗୋଟିଏ ଗୋଟିଏ ବେଟାରୀ । ପୃଥିବୀର ପ୍ରତ୍ୟେକଟି ଦେଶ ଯଦି ପରସ୍ପର ଭାବରେ ବୁଝାମଣା ନକରନ୍ତି, ପରସ୍ପରବିରୋଧିତା ନେଇ ଚାଲନ୍ତି ତେବେ ସେ ସମାଜରେ କଲ୍ୟାଣର ମଙ୍ଗଳଦୀପ ଜଳିବ କି? ଡଃ ପରିଜା ଦୃଢ଼ ଭାବରେ କହିଲେ- ଏହା କେବେହେଲେ ସମ୍ଭବ ନୁହେଁ । ପୃଥିବୀର ସବୁ ମଣିଷ ଯଦି ଜଣେ ଶ୍ରେଷ୍ଠ ମଣିଷକୁ ଆଦର୍ଶ ଭାବରେ ବରଣ କରି ତାଙ୍କର ଅନୁଶାସନ ମାନି ଚାଲନ୍ତି, ତେବେ ପୃଥିବୀରେ ଜାତି-ବର୍ଣ୍ଣ-ସମ୍ପ୍ରଦାୟ ନିର୍ବିଶେଷରେ ହିଂସା-ଦ୍ୱେଷ-ଭେଦଭାବ ଭୁଲି ଶାନ୍ତି ଏବଂ ଆନନ୍ଦର ରାମରାଜ୍ୟ ପ୍ରତିଷ୍ଠିତ ହୋଇପାରିବ। ତାଙ୍କର କଥା ଶୁଣି ଶ୍ରୀଶ୍ରୀଠାକୁର ଆନନ୍ଦରେ ଉଲ୍ଲସିତ ହୋଇ କହିଲେ- ସାବାସ୍ ପରିଜାଦା ! ଦୟାଲ ଖଟରୁ ଓହ୍ଲାଇ ଆସି ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ କହିଲେ- ମୁଁ ତ ସେହି କଥା ହିଁ ସମସ୍ତଙ୍କୁ କହେ– “ଏକ ଆଦେଶରେ ଚାଲନ୍ତି ଯିଏ ତାଙ୍କୁ ହିଁ ନେଇ ସମାଜ ହୁଏ ।’’ ସେଦିନ ଡଃ ପରିଜାଙ୍କ ସହିତ ଶ୍ରୀଶ୍ରୀଠାକୁରଙ୍କର ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଳାପ ଆଲୋଚନା ହୋଇଥିଲା । ତରାଜୁର ମଣିକଣ୍ଟାର ଉଦାହରଣ ଦେଇ ଶ୍ରୀଶ୍ରୀଠାକୁର ତାଙ୍କୁ ଆଦର୍ଶକେନ୍ଦ୍ରିକ ଜୀବନର ଅପରିହାର୍ଯ୍ୟତା ବୁଝାଇ ଦେଇଥିଲେ । (‘ଅମୃତ କାହାଣୀ’, ଶ୍ରୀ ବିକାଶ ରଞ୍ଜନ ଭୌମିକ) ।
ଦେଓଘର ଲୀଳାର ସେହି ଆଦ୍ୟ ଯୁଗରେ ଶ୍ରୀଶ୍ରୀଠାକୁରଙ୍କର କୃପାଧନ୍ୟ ହୋଇଥିଲେ ଓଡ଼ିଶାର ଅନେକ ସ୍ୱନାମଧନ୍ୟ କବି, ସଙ୍ଗୀତଜ୍ଞ ତଥା ବିଶିଷ୍ଟ ସାହିତ୍ୟିିକ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଶ୍ରୀଶ୍ରୀଠାକୁରଙ୍କୁ ଜୀବନରେ ବରଣ କରି ମୁଗ୍ଧ ହୋଇଥିଲେ ଯାହାର ଭାବ ପ୍ରକାଶିତ ହୋଇଛି ତାଙ୍କର କାଳଜୟୀ ସଙ୍ଗୀତ- “ତୁ ଏକା ନାଉରିଆ ଅଥଳ ନୀରେ/ ତୋ ବିନା କେ ସାହାରେ ମୋ ତରୀ ଲଗାଏ ତୀରେ…’’ । ସେହିପରି ମହାନ କବି ଏବଂ ସାହିତ୍ୟିିକ ଡଃ ମାୟାଧର ମାନସିଂହ ଶ୍ରୀଶ୍ରୀଠାକୁରଙ୍କୁ ଗୁରୁରୂପରେ ବରଣ କରି ଧନ୍ୟ ହୋଇଥିଲେ । ପ୍ରଥମେ ବ୍ରହ୍ମପୁରରେ ଶ୍ରୀଶ୍ରୀଠାକୁରଙ୍କର ଆମେରିକାନ ଶିଷ୍ୟ ସ୍ପେନସର ସାହେବଙ୍କ ସହିତ ତାଙ୍କର ସାକ୍ଷାତ ହୁଏ। ତାଙ୍କଠାରୁ ଶ୍ରୀଶ୍ରୀଠାକୁରଙ୍କ କଥା ଶୁଣି ତାଙ୍କର ଅମିୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦୀକ୍ଷା ଗ୍ରହଣ କରିବାକୁ ମନସ୍ଥ କରନ୍ତି । ଥରେ ଗୋଟିଏ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ଫେରିବା ବାଟରେ ଜସିଡି ଷ୍ଟେସନରେ ଓହ୍ଲାଇ ଦେଓଘର ଆଶ୍ରମକୁ ଆସନ୍ତି । ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ-ପ୍ରଣାମ କରିବା ପରେ ଦୟାମୟ ବସୁଙ୍କ ମାଧ୍ୟମରେ ସତନାମ ଗ୍ରହଣ କରନ୍ତି । ସେ ଶ୍ରୀଶ୍ରୀଠାକୁରଙ୍କ ସମ୍ବନ୍ଧରେ ଅନକ ପ୍ରବନ୍ଧ ଏବଂ ସଙ୍ଗୀତ ରଚନା କରିଛନ୍ତି, ଯାହା ଏବେ ବିସ୍ମୃତ । ୧୯୬୫ ମସିହାରେ ଯେତେବେଳେ ସତସଙ୍ଗର ଓଡ଼ିଆ ମୁଖପତ୍ର ‘ଉର୍ଜ୍ଜନା’ ପତ୍ରିକା ପ୍ରଥମ କରି କଟକରୁ ପ୍ରକାଶିତ ହେଲା ସେତେବେଳେ ଡଃ ମାନସିଂହ ତାହାର ପ୍ରଥମ ସମ୍ପାଦକ ଥିଲେ ।
ତତ୍କାଳୀନ ରେଭେନ୍ସା କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଡଃ ଜାନକୀ ବଲ୍ଲଭ ମହାନ୍ତି ଥିଲେ ଓଡ଼ିଶାର ସାରସ୍ୱତ ଜୀବନର ଜଣେ ମୁଖ୍ୟ ପ୍ରତିଭା, ‘ଭରଦ୍ୱାଜ’ର ଛଦ୍ମନାମରେ ସେ ଅନେକ କବିତା, ପ୍ରବନ୍ଧ ଏବଂ ରମ୍ୟରଚନା ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ୧୯୫୮ ମସିହାରେ ସେ ଆମନ୍ତ୍ରିତ ହୋଇ ଦୀପକ ମିଶ୍ରଙ୍କ ସହିତ ଦେଓଘର ଆଶ୍ରମକୁ ଯାଇଥିଲେ । ପ୍ରୟାତ ସହ ପ୍ରତିଋତ୍ୱିକ ପଣ୍ଡିତ ସୁରେଶ ଚନ୍ଦ୍ର ଦେବଶର୍ମା ତାଙ୍କୁ ଶ୍ରୀଶ୍ରୀଠାକୁରଙ୍କ ସହିତ ପରିଚୟ କରାଇଦେଇ କହିଲେ- “ଜାନକୀବାବୁ ଗବେଷଣା କରୁଛନ୍ତି ।’’ ଶ୍ରୀଶ୍ରୀଠାକୁର ତାଙ୍କୁ ଆଶୀର୍ବାଦ କରି କହିଲେ- “ଖୁବ୍ ଭଲ, ଖୁବ୍ ଭଲ- ଗବେଷଣା ଭଲ ଜିନିଷ । ସେଥିରେ ଲାଗିରୁହ ।’’ ସେ ଲେଖିଛନ୍ତି- ‘‘ଆଶ୍ରମରେ ଦୁଇଦିନ ଅବସ୍ଥାନ ପରେ ଅନୁଭବ କଲୁ ଶୃଙ୍ଖଳା ଓ ସଂଯମର ଏକ ପ୍ରଶାନ୍ତ ପରିବେଶ । ବ୍ୟକ୍ତିତ୍ୱର କି ଅଦ୍ଭୂତ ଶକ୍ତି ତାହା ଦେଖି ମୁଁ ବିସ୍ମିତ ହେଲି । ପ୍ରାଚୀନ ଭାରତୀୟ ପରମ୍ପରା ଓ ଧର୍ମଧାରାକୁ ଉଜ୍ଜୀବିତ କରିବା ଲାଗି ଶ୍ରୀଶ୍ରୀଠାକୁରଙ୍କର ଉତ୍କଣ୍ଠା ମୋର ଅନ୍ତରରେ ଗଭୀର ରେଖାପାତ କଲା । ବ୍ୟକ୍ତି ଜୀବନର ଶୃଙ୍ଖଳା ବିନା ରାଜନୈତିକ ଜୀବନର ସାଫଲ୍ୟ ସୁଦୂର ପରାହତ ବୋଲି ଶ୍ରୀଶ୍ରୀଠାକୁରଙ୍କର ବିଶ୍ୱାସ ଥିଲା, ସବୁ ସମ୍ପ୍ରଦାୟର ଅପୂର୍ବ ସମାବେଶ, ଏପରିକି ବିଦେଶୀ ଭକ୍ତଗଣଙ୍କର ଗଭୀର ଶ୍ରଦ୍ଧା ଓ ଭକ୍ତି ଦେଖି ମୁଁ ଅନୁଭବ କଲି– ଜାତୀୟ ସଂହତିର ଅପୂର୍ବ ରୂପରେଖ ଏହି ମହାମାନବଙ୍କ ପୁଣ୍ୟପୀଠରେ ଆଜି ସ୍ୱତଃସ୍ଫୁର୍ତ୍ତ । ଶ୍ରୀଶ୍ରୀବଡ଼ଦା ମୋତେ ପ୍ରଶ୍ନ କରିଥିଲେ- “ଓଡ଼ିଶାରେ ଶ୍ରୀଶ୍ରୀଠାକୁରଙ୍କର ଭାବଧାରା ନେଇ ସାହିତ୍ୟ କ’ଣ ରହିଛି- ଏବଂ ଭକ୍ତି ଭାବଧାରାକୁ ନେଇ ଯାତ୍ରା ଲେଖାଯାଇପାରିବ କିନା ? ମୋର ବନ୍ଧୁ ଦୀପକ ଖୁବ୍ ଭଲ ହୋଇପାରିବ ବୋଲି ଉତ୍ତର ଦେଲେ । ତା’ପରେ ଶ୍ରୀଶ୍ରୀଠାକୁରଙ୍କ ଅନୁମତି ନେଇ ଓଡ଼ିଶା ଫେରି ଆସିଲୁ ।’’ (ଭୁବନେଶ୍ୱର ସୋଭେନିଅର୍,୧୯୮୮)
ଆଉ ଜଣେ ବିଶିଷ୍ଟ ବ୍ୟକ୍ତି- ସ୍ୱନାମଧନ୍ୟ ବାଚସ୍ପତି ଯଦୁମଣି ମଙ୍ଗରାଜଙ୍କ ସୁପୁତ୍ର ଶ୍ରୀଯୁକ୍ତ ବିଜୟକେତନ ମଙ୍ଗରାଜ “ଆକାଶବାଣୀ କଟକ କେନ୍ଦ୍ରର ଜଣେ ଉଚ୍ଚପଦସ୍ଥ ଘୋଷକ କାର୍ଯ୍ୟ କରୁଥିବା ଅବସ୍ଥାରେ ଏକପ୍ରକାର ତାଚ୍ଛଲ୍ୟର ସହିତ ଶ୍ରୀଶ୍ରୀଠାକୁରଙ୍କର ସତନାମ ଗ୍ରହଣ କରିଥିଲେ । କିନ୍ତୁ ଅବସ୍ଥାଚକ୍ରରେ ଶ୍ରୀଶ୍ରୀଠାକୁରଙ୍କର ଅପାର ମହିମାର ପରିଚୟ ପାଇ ତାଙ୍କର ଏକାନ୍ତ ଅନୁଗତ ଭାବରେ ସାରାଜୀବନ ବିତାଇଛନ୍ତି । ଏକଦା ସେ ଶ୍ରୀଶ୍ରୀଠାକୁରଙ୍କ ସହିତ ଯୁକ୍ତିଛଳରେ ପ୍ରଶ୍ନ କରିଥିଲେ- ‘‘ଆପଣ କାହିଁକି ଆନନ୍ଦବଜାରରେ ସମସ୍ତଙ୍କ ପାଇଁ କେବଳ ଭାରତ-ଡାଲିର ବ୍ୟବସ୍ଥା କରିଛନ୍ତି? ଯିଏ ଟଙ୍କା ଦେଇପାରିବ ତାହା ପାଇଁ ଭଲ ଭଲ ଖାଦ୍ୟର ବ୍ୟବସ୍ଥା କଲେ ହୁଅନ୍ତା ନାହିଁ?’’ ଉତ୍ତରରେ ଶ୍ରୀଶ୍ରୀଠାକୁର ତାଙ୍କୁ ସେଦିନ କହିଥିଲେ- “ମୁଁ ଯେଉଁ ବ୍ୟବସ୍ଥା କରିଛି ତାହା ଭାରତର ଚାଳିଶ କୋଟି ଲୋକଙ୍କ କଥା ଭାବି ହିଁ କରିଛି- ଯେପରିକି ଦୁର୍ଦ୍ଦିନ ଆସିବ ନାହିଁ ? ଯେପରିକି ଦୁର୍ଦ୍ଦିନରେ ଚାଳିଶ କୋଟି ଲୋକ ଏହି ଖାଦ୍ୟ ଖାଇ ବଞ୍ଚିପାରିବେ । ଆଉ ତୁ କ’ଣ ଭାବୁଛୁ ତୋ ଜୀବନରେ କେବେହେଲେ ଦୁର୍ଦ୍ଦିନ ଆସିବ ନାହିଁ ?’’ ପରମ ପୁରୁଷଙ୍କର ସେହି କଥାପଦକ ଦିନେ ନିଷ୍ଠୁର ସତ୍ୟ ପରିଣତ ହେଲା । ଥରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ଳେଷପୂର୍ଣ୍ଣ କଟାକ୍ଷ କରିବା ଫଳରେ ଗୋଟିଏ ଫୋନ୍ କଲରେ ତାଙ୍କର ଏତେବଡ଼ ଚାକିରିଟା ହଠାତ୍ ଚାଲିଗଲା। ବହୁ ଦୁସ୍ଥିତିର ସାମ୍ନା କଲେ ସେ । ସେ କାନ୍ଦି କାନ୍ଦି କହନ୍ତି- ବାକି ଜୀବନତକ ସେହି ଭାତ ଡାଲମାକୁ ଆଶ୍ରୟ କରି ହିଁ ମୁଁ ଏବଂ ମୋର ପରିବାର ବଞ୍ଚି ରହିଛୁ । ସମାଜର ନିରାଶ୍ରୟ ଝିଅମାନଙ୍କୁ ନେଇ ସେ “କଳାନିକେତନ” ନାମକ ନାଟ୍ୟ ସଂସ୍ଥା ଗଠନ କରି ସାରା ଜୀବନ କଳା ଏବଂ ସଂସ୍କୃତିର ସେବା କରିଯାଇଛନ୍ତି ଶ୍ରୀଶ୍ରୀଠାକୁରଙ୍କୁ ମୁଣ୍ଡରେ ଧରି ।
ଶ୍ରୀଶ୍ରୀଠାକୁରଙ୍କର କୃପାଧନ୍ୟ ଓଡ଼ିଶାର ଅନ୍ୟ ଜଣେ ସଙ୍ଗୀତ ପ୍ରତିଭା ହେଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ । ସେ ଥିଲେ ଶ୍ରୀଶ୍ରୀଠାକୁରଙ୍କର ଭକ୍ତ ଶିଷ୍ୟ । ଏକଦା ସେ ସସ୍ତ୍ରୀକ ଦେଓଘର ଯାଇ ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ-ପ୍ରଣାମ କଲେ । ଦୟାଲ ତାଙ୍କର ଅପୂର୍ବ ସଙ୍ଗୀତ ପ୍ରତିଭାର ପରିଚୟ ପାଇ ତାଙ୍କୁ “ଦଶାବତାର” ଗାଇ ଶୁଣାଇବାକୁ କହିଲେ । ଲାଇବ୍ରେରିରୁ “ଗୀତଗୋବିନ୍ଦ” ଅଣାହେଲା । ଏହାପରେ ଯାହା ଘଟିଲା ବାଳକୃଷ୍ଣ ଦାଶଙ୍କ ନିଜସ୍ୱ ରଚନାରୁ ତାହା ଉଦ୍ଧୃତ କରୁଛି । “ମୁଁ ଦଶାବତାର ଗାଉଥାଏ, ଦଶଟା ପଦରେ ଯେଉଁ ଯେଉଁ ଅବତାରଙ୍କ ରୂପ ଆସୁଥାଏ, ଠାକୁରଙ୍କ ମୁଖମଣ୍ଡଳରେ ଅନୁରୂପ ପରିବର୍ତ୍ତନ ମଧ୍ୟ ଆସୁଥାଏ । ତାଙ୍କର ଆଖି ଓ କପାଳ ସୁନ୍ଦର ଭାବରେ କୁଞ୍ଚିତ ହୋଇ ବିଭିନ୍ନ ଅବତାରର ଦୃଶ୍ୟରେ ମୋତେ ବିମୋହିତ କରୁଥିଲେ । ଯେତେବେଳେ କଳ୍କୀ ଅବତାର ଗାଇଲି ସେତେବେଳେ ଠାକୁରଙ୍କ ମୁଖମଣ୍ଡଳରେ ଭୟାନକ ଦୃଶ୍ୟ ଦେଖି ମୁଁ ଧୈର୍ଯ୍ୟ ଧରି ରହିପାରିଲିନି। ଠାକୁରଙ୍କ ଆଖିଭିତରୁ ଏକ ଦିବ୍ୟ ଜ୍ୟୋତି ଭାସି ଆସୁଥିଲା, ମୁଁ ଥରିବାକୁ ଲାଗଲି । ଗୀତ ବନ୍ଦ କରି ଠାକୁରଙ୍କୁ ପ୍ରଣାମ କଲି । ଠାକୁର ପୁଣି ଗାଇବାକୁ ନିର୍ଦ୍ଦେଶ ଦେବାରୁ ଅଶ୍ରୁବିଗଳିତ ବାଷ୍ପରୁଦ୍ଧ କଣ୍ଠରେ ଗାଇବାକୁ ଖୁବ୍ କଷ୍ଟ ହେଉଛି ବୋଲି ଜଣାଇଲି। ପୁଣି ପରଦିନ ଠାକୁରଙ୍କ ନିଦେ୍ର୍ଦଶରେ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ “ଗୀତଗୋବିନ୍ଦ” ଗାଇ ଶୁଣାଇଲି, ଠାକୁର ବହୁତ ଆଶୀର୍ବାଦ କଲେ ।’’ (ଭୁବନେଶ୍ୱର ସୋଭେନିଅର, ୧୯୮୮) ।
ସେ ଯୁଗରେ ଓଡ଼ିଶାର ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ଶ୍ରୀଶ୍ରୀଠାକୁରଙ୍କୁ ଜୀବନରେ ଗ୍ରହଣ କରିଥିଲେ- ତାଙ୍କର ନାମ ଡଃ ଉଦୟ ନାଥ ମହାନ୍ତି, କୃଷି ବିଭାଗର ପ୍ରାକ୍ତନ ନିଦେ୍ର୍ଦଶକ ପୁରୀ ଶ୍ରୀମନ୍ଦିର ନିର୍ମାଣ ସମୟରେ ଏକଦା ଆମେ ତାଙ୍କ ବାସଭବନକୁ ଯାଇଥିଲୁ ଅର୍ଘ୍ୟସଂଗ୍ରହ ଉଦେ୍ଦଶ୍ୟରେ ସେତେବେଳେ ସେ ଆମକୁ ତାଙ୍କ ଜୀବନର ଗୋଟିଏ ସୁନ୍ଦର ଅନୁଭୂତି ଶୁଣାଇଥିଲେ, ଏକଦା ସେ ଗୋଟିଏ ସେମିନାରରେ ଯୋଗଦେବା ପାଇଁ ପାଟନା ଯାଇଥିଲେ, ଫେରିବା ବାଟରେ ଜସିଡିରେ ଓହ୍ଲାଇ ଦେଓଘର ଆଶ୍ରମକୁ ଗଲେ ଦର୍ଶନ ପ୍ରଣାମ କରିବା ପାଇଁ ଶ୍ରୀଶ୍ରୀଠାକୁର ସେତେବେଳେ ଭୀଷଣ ଅସୁସ୍ଥ, ବିଛଣାରେ ଶୋଇଥାନ୍ତି । ପ୍ରଣାମ କରିବା ସମୟରେ ଡଃ ମହାନ୍ତି ଚିନ୍ତା କରୁଛନ୍ତି- ଠାକୁରଙ୍କୁ ଏପରି ଅବସ୍ଥାରେ ଦେଖି ଫେରିଯିବାକୁ ମନ ଚାହୁଁନାହିଁ, ହଠାତ୍ ଶ୍ରୀଶ୍ରୀଠାକୁର ଶୋଇବା ଅବସ୍ଥାରୁ ଉଠି ସିଧା ହୋଇ ବସିଲେ ଏବଂ ତାଙ୍କୁ କହିଲେ- “ଏଖାନେ ଆବାର ଆସବେ”, ତାହାହିଁ ଥିଲା ତାଙ୍କର ଶେଷଦର୍ଶନ । ଏହାପରେ ୧୯୬୯ ମସିହା ଜାନୁଆରୀ ମାସ ୨୬ତାରିଖରେ ଶ୍ରୀଶ୍ରୀଠାକୁରଙ୍କର ମହାପ୍ରୟାଣ ହୋଇଗଲା ।
ପରିଶେଷରେ ଜଣେ ପୁଣ୍ୟଶ୍ଳୋକ ମହିଳାଙ୍କ କଥା ନକହିଲେ ଏହି ପ୍ରବନ୍ଧ ଅସମ୍ପୂର୍ଣ୍ଣ ରହିଯିବ । ତାଙ୍କର ନାମ ସୁଶ୍ରୀ ଦେବବାଳା ରାୟ । ସେ ଥିଲେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଶ୍ରୀଯୁକ୍ତ ବୀରକିଶୋର ରାୟଙ୍କ ସୁପୁତ୍ରୀ ଏବଂ କର୍ମଜୀବନରେ ଥିଲେ ଓଡ଼ିଶା ଶିକ୍ଷାବିଭାଗର ଉପନିଦେ୍ର୍ଦଶିକା । ୧୯୬୪ ମସିହାରେ କଟକର ଶୈଳବାଳା ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ସମୟରେ ଗୋଟିଏ ସତସଙ୍ଗରେ ଯୋଗଦାନ କରିଥିଲେ । ବାଗ୍ମୀପ୍ରବର ଜନାର୍ଦ୍ଦନ ମୁଖାର୍ଜୀଙ୍କ ଊର୍ଜୀ ଇଷ୍ଟଯାଜନାରେ ମୁଗ୍ଧ ହୋଇ ସେ ଶ୍ରୀଶ୍ରୀଠାକୁରଙ୍କ ଭାବାଦର୍ଶ ପ୍ରତି ଆକୃଷ୍ଟ ହୋଇଥିଲେ । କିଛିଦିନ ପରେ କଲିକତା ନଗରୀରେ ଥିବା ପୈତୃକ ବାସଭବନରେ ଅବସ୍ଥାନ କରିବା ସମୟରେ ପରିବାରର ପୂର୍ବପରିଚିତ ମଙ୍ଗରାଜ ଭାଇ ନାମକ ଇଷ୍ଟଭ୍ରାତାଙ୍କ ସଂସ୍ପର୍ଶରେ ଆସିଥିଲେ । ମଙ୍ଗରାଜଭାଇ ଦେବବାଳା ମା’ଙ୍କୁ ଦେଓଘର ନେଇ ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ କରାଇଲେ । ଶ୍ରୀଶ୍ରୀଠାକୁର ତାଙ୍କର ପରିଚୟ ପାଇ ଅତ୍ୟନ୍ତ ପ୍ରୀତ ହେଲେ ଏବଂ କହିଲେ- “ଖୁବ୍ ଭାଲୋ ମେୟେ ।’’ ଦେଓଘରରେ ଶ୍ରୀଶ୍ରୀବଡ଼ଦାଙ୍କ ବାସଭବନରେ ସେ ଅବସ୍ଥାନ କରିଥିଲେ, ତତ୍ପରେ ୧୯୬୬ ମସିହା ଜୁନ୍ ମାସ ୨୫ତାରିଖରେ କଟକରେ ଶ୍ରୀଯୁକ୍ତ ହରପ୍ରସନ୍ନ ମଜୁମଦାରଙ୍କ ମାଧ୍ୟମରେ ସତନାମ ଗ୍ରହଣ କରିଥିଲେ । ଦୀକ୍ଷାଗ୍ରହଣ କରିବା ପରେ ସେ ଏକାନ୍ତ ଇଷ୍ଟପ୍ରାଣ ହୋଇ ଉଠିଲେ ଏବଂ ସାରାଜୀବନ ଅବିବାହିତ ରହି ଇଷ୍ଟସର୍ବସ୍ୱ ଜୀବନ ଯାପନ କରିଛନ୍ତି । ଶ୍ରୀଶ୍ରୀବଡ଼ଦା ତାଙ୍କୁ ବହୁତ ସ୍ନେହ କରୁଥିଲେ ଏବଂ ଶ୍ରୀଶ୍ରୀଦାଦା ମଧ୍ୟ ତାଙ୍କୁ ସର୍ବଦା ଶ୍ରଦ୍ଧା କରୁଥିଲେ । ଶ୍ରୀଶ୍ରୀବଡ଼ଦା ବ୍ୟକ୍ତିଗତ ଭାବରେ ପୁରୁଣା ଭୁବନେଶ୍ୱର ଶ୍ରୀରାମନଗରସ୍ଥ ତାଙ୍କର ବସଭବନରେ ପଦାର୍ପଣ କରି ତାଙ୍କ ଜୀବନକୁ ଧନ୍ୟ କରିଛନ୍ତି । ତାଙ୍କ ବାସଭବନରେ ଶ୍ରୀଶ୍ରୀଠାକୁରଙ୍କର ଆଣ୍ଠୁ ପକାଇ ବସିଥିବା ଫଟୋକୁ ସର୍ବତ୍ର ସତସଙ୍ଗରେ ତଥା ପୂଜା ଆସନରେ ରଖିବା ନିମନ୍ତେ ଅନୁମୋଦନ କରିଥିଲେ । ପରିଣତ ବୟସରେ ଇଷ୍ଟପ୍ରାଣା ଦେବବାଳା ମା’ ତାଙ୍କର ବହୁ ମୂଲ୍ୟ ବାସଗୃହ ଖଣ୍ଡିକ ଶ୍ରୀଶ୍ରୀବଡ଼ଦା ହସ୍ପିଟାଲକୁ ଦାନ କରି ଦେଇଛନ୍ତି । ଏହି ମହୀୟସୀ ମହିଳା ଗତ ୨୮ା୮ା୨୦୨୦ ତାରିଖରେ ପାର୍ଥିବ ଶରୀର ତ୍ୟାଗ କରି ପରମପିତାଙ୍କ ଶ୍ରୀଚରଣରେ ସ୍ଥାନ ପାଇଛନ୍ତି ।
ପ୍ରବନ୍ଧ ବର୍ଣ୍ଣିତ ବ୍ୟକ୍ତିମାନଙ୍କ ବ୍ୟତୀତ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟ ବ୍ୟକ୍ତିତ୍ୱର ସ୍ପର୍ଶ ଲାଭ କରି ଧନ୍ୟ ହୋଇଛନ୍ତି, ଯାହାର ସ୍ମୃତି ଲୋକଲୋଚନକୁ ଆସିପାରିନାହିଁ । ସେସବୁ ସ୍ମୃତିର ପୁନରୁଦ୍ଧାର ହେବା ଏକାନ୍ତ ବାଂଛନୀୟ ।
-୫୦୬, ନୟାପଲ୍ଲୀ, ଭୁବନେଶ୍ୱର, ମୋ: ୯୪୩୭୨୮୭୯୬୪