କେବଳ ମଣିଷକୁ ନୁହେଁ; ବୃକ୍ଷଲତା, ପଶୁପକ୍ଷୀ, ସଜୀବ-ନିର୍ଜୀବ ସମସ୍ତଙ୍କୁ ଭଲ ପାଉଥିଲେ ଠାକୁର
ସେ କେବଳ ମଣିଷକୁ ଭଲ ପାଉ ନଥିଲେ, ସମଗ୍ର ଜୀବସତ୍ତା ପ୍ରତି ଥିଲା ତାଙ୍କର ଅନାବିଳ ମମତା । ବୃକ୍ଷଲତା, ପଶୁପକ୍ଷୀଙ୍କୁ ସାମାନ୍ୟ କଷ୍ଟ ହେଲେ ବି ବିଚଳିତ ହୋଇ ଉଠୁଥିଲେ ସେ, କଷ୍ଟ ଲାଘବ ନ ହେଲା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିପାରୁ ନ ଥିଲେ। କାଷ୍ଠପାଷାଣ ଭଳି ନିର୍ଜୀବ ବସ୍ତୁଟିଏର ଦୁଃଖକୁ ବି ସେ ଅନୁଭବ କରିପାରୁ ଥିଲେ। ତେଣୁ ତ ସେ ପରମପିତା, ପରମ ପ୍ରେମମୟ। କରୁଣାମୟଙ୍କର କରୁଣାର ପରଶ କେବଳ ମଣିଷ ନୁହେଁ, ଜୀବଜନ୍ତୁ-ବୃକ୍ଷଲତା-ସଜୀବ-ନିର୍ଜୀବ ନିର୍ବିଶେଷରେ ସମସ୍ତେ ପାଇଛନ୍ତି। ଶ୍ରୀଶ୍ରୀଠାକୁରଙ୍କ ଜୀବନର ଏଭଳି କିଛି ଘଟଣା…
‘‘ଦିନକର କଥା। ଶ୍ରୀଶ୍ରୀଠାକୁର କ’ଣ ଗୋଟାଏ ପଢ଼ିବେ ବୋଲି ଚଷମା ଖୋଜିଲେ। ସେବକ ବଙ୍କିମଚନ୍ଦ୍ର ଚଷମା ଆଣି ଠାକୁରଙ୍କ ଆଖିରେ ଲଗାଇ ଦେଖିଲେ ଚଷମାର ଫ୍ରେମଟି ଭଙ୍ଗା। ଏହାକୁ ଠାକୁର ଅନେକ ଦିନ ଧରି ବ୍ୟବହାର କରୁଛନ୍ତି। ଭକ୍ତ ବଙ୍କିମ ପ୍ରଶ୍ନ କଲେ, ‘ଠାକୁର! ଚଷମାର ଫ୍ରେମ୍ ତ ଭାଙ୍ଗିଗଲାଣି। ଗୋଟିଏ ନୂଆ ଫ୍ରେମ୍ କଲେ କେମିତି ହୁଅନ୍ତା?’ ‘ଠାକୁର ଗମ୍ଭୀର ଭାବରେ ବଙ୍କିମ ରାୟଙ୍କ ଆଡ଼େ ଚାହିଁ କହିଲେ, ‘ଦେଖ ବଙ୍କିମ୍, ଏହି ଚଷମାର ଫ୍ରେମ୍ ସହ ମୋର ଦୀର୍ଘଦିନର ସମ୍ପର୍କ। ତାକୁ ବଦଳାଇ ଦେଇପାରିବି ନାହିଁ।’ ଏହିକଥା ଯେଉଁମାନେ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଗୋଟିଏ ଚଷମାର ଫ୍ରେମ୍ ସହ ଏତେ ନିବିଡ଼ ସମ୍ପର୍କ ଯେ ତାକୁ ବଦଳାଇ ଦେଇପାରିବେ ନାହିଁ। ଯାହା ସହିତ ତାଙ୍କର ସମ୍ପର୍କ ଗଢ଼ିଉଠିଛି, ସେ ଯେତେ ନଗଣ୍ୟ ହେଉପଛେ ତାକୁ ସେ ଛାଡ଼ି ଦେଇପାରିବେ ନାହିଁ। ଠାକୁର କହୁଥିଲେ ଗୋଟିଏ ବି ମଣିଷ ପାଇଁ ବି ଗୋଟିଏ ସାମ୍ରାଜ୍ୟ ମଧ୍ୟ ତ୍ୟାଗ କରିଦେଇପାରେ।’’
‘‘ଆଜିର ଦୁନିଆରେ ମଣିଷ ଯେତେବେଳେ ସାମାନ୍ୟ ସ୍ୱାର୍ଥର ବଶବର୍ତ୍ତୀ ହୋଇ ଆପଣାରଜନ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଇପାରୁଛି, ସେପରି ସ୍ଥଳେ ଗୋଟିଏ ପିମ୍ପୁଡ଼ିର ବ୍ୟଥା ମଧ୍ୟ ନିରସନ କରୁଥିଲେ ଶ୍ରୀଶ୍ରୀଠାକୁର।
ଶ୍ରୀଶ୍ରୀଠାକୁର ଥରେ ସବୁଦିନ ପରି ଶ୍ରୀଶ୍ରୀବଡ଼ମା’ଙ୍କର ଗୃହଅଙ୍ଗନକୁ ପ୍ରବେଶ କରୁ କରୁ ହଠାତ୍ ଅଟକିଗଲେ। ଶ୍ରୀମୁଖଟି ବିଷାଦଗ୍ରସ୍ତ ହୋଇଗଲା। ସେ ଆଉ ଗୃହମଧ୍ୟକୁ ପ୍ରବେଶ ନ କରି ସେଠାରୁ ଫେରିଗଲେ। ତା’ର କାରଣ ଗୋଟିଏ ଗବଗଛ ବଡ଼ମାଙ୍କ ଅଗଣାରେ ଥିଲା। ସେଦିନ ହଠାତ୍ କେହି ଗଛଟିକୁ କାଟିଦେଇଛି। ସବୁଦିନ ପରି ସେଦିନ ସେ ଗଛଟିକୁ ନ ଦେଖି ଠାକୁର ବ୍ୟଥିତ ହେଲେ। ସେଦିନ ତାଙ୍କର ଭୋଗ ବି ହେଲା ନାହିଁ। ବେଶ୍ କିଛିଦିନ ସେହି ଗବଗଛର ବିରହରେ ଶ୍ରୀଶ୍ରୀଠାକୁର ବ୍ୟଥାଜର୍ଜରିତ ହୋଇ ରହିଲେ।’’
‘‘ଥରେ ଶ୍ରୀଶ୍ରୀଠାକୁର ଦେଓଘର ଆଶ୍ରମରେ ପଦଚାଳନା କରୁଥିଲେ। ସାଙ୍ଗରେ ଥିଲେ କତିପୟ ଭକ୍ତ। ସେମାନଙ୍କ ମଧ୍ୟରେ ଭକ୍ତ ବଙ୍କିମ ରାୟ ମଧ୍ୟ ଥିଲେ। ହଠାତ୍ ଚାଲୁଚାଲୁ ଶ୍ରୀଶ୍ରୀଠାକୁରଙ୍କର ପାଦ ଗୋଟିଏ ଗଛର ବଡ଼ ଚେରମଝିରେ ରହିଗଲା। ଠାକୁର ପଡ଼ିଯାଇଥାନ୍ତେ। ଭକ୍ତମାନେ ତାଙ୍କୁ ଧରି ପକାଇଲେ। କିଛି ସମୟପରେ ଦେଖାଗଲା ଭକ୍ତ ବଙ୍କିମ ଚନ୍ଦ୍ର ଗୋଟିଏ କୋଦାଳ ଆଣି ସେହି ଚେରକୁ ହାଣିଦେବାକୁ ଚେଷ୍ଟାକରୁଛନ୍ତି। ତାହା ଠାକୁରଙ୍କର ନଜରରେ ପଡ଼ିଲା। ଶ୍ରୀଶ୍ରୀଠାକୁର ଚିତ୍କାର କଲେ, ‘କ’ଣ କରୁଛ?’ ବଙ୍କିମ ଚନ୍ଦ୍ର କହିଲେ ତାହା ହାଣି ନ ଦେଲେ କାଲି ମଧ୍ୟ ସେହି ଜାଗାରେ ପାଦ ଅଟକିଯିବ। ବ୍ୟଥାତୁର ହୃଦୟରେ ଶ୍ରୀଶ୍ରୀଠାକୁର କହିଲେ, ‘ତୁମେ ତ ସର୍ବନାଶ କରୁଛ। ଯେଉଁ ଚେର ଯୋଗୁଁ ଗଛଟି ବଞ୍ଚିରହିଛି ତାହା ତୁମେ ହାଣିଦେଲେ ଗଛଟି ବଞ୍ଚିପାରିବ ତ!’’
‘‘ସମଗ୍ର ଜୀବସତ୍ତା ଅନ୍ତର ଦେଇ ସେ ଭଲ ପାଉଥିଲେ, ଯାହା ଲୋକଦୃଷ୍ଟିରେ ନିର୍ଜୀବ, ତାହାକୁ ମଧ୍ୟ। … ସେଦିନ ଭକ୍ତ ହାଉଜରମ୍ୟାନ୍ କାରରେ କଲିକତାରୁ ଆସୁଥାଆନ୍ତି। ଠାକୁର ଅନାଇ ରହିଛନ୍ତି ତାଙ୍କର ଆସିବା ପଥକୁ। ପ୍ରବଳ ଖରା ହେଉଛି। ହାଉଜରମ୍ୟାନ୍ ଆସି ପହଞ୍ଚିଗଲେ ଏବଂ ଦେଖିଲେ ଠାକୁର ଏତେବେଳଯାଏ ବସି ରହିଛନ୍ତି। ତେଣୁ ହଠାତ୍ ଗାଡ଼ିଟିକୁ ରଖିଦେଇ ଶ୍ରୀଶ୍ରୀଠାକୁରଙ୍କ ପାଖକୁ ଆସି ପ୍ରଣାମ କଲେ। ମାତ୍ର ଆଶ୍ଚର୍ଯ୍ୟ କଥା। ଯେଉଁ ଭକ୍ତର ଅପେକ୍ଷାରେ ଠାକୁର ଉତ୍କଣ୍ଠାର ସହ ବସି ରହିଥିଲେ ସେ ଆସି ପ୍ରଣାମ କରୁଛନ୍ତି ଅଥଚ ଠାକୁର ଚାହିଁ ରହିଛନ୍ତି ସେହି କାର ଆଡ଼େ। ଠାକୁର ବ୍ୟସ୍ତ ହୋଇ କହୁଛନ୍ତି— ‘ଯେଉଁ ଗାଡ଼ି ତୁମକୁ ଏତେ ବାଟ ବହନ କରି ନେଇଆସିଲା ତାକୁ ଖରାରେ ରଖିଦେଇ ଆସିଛ। ଯାଅ ଶୀଘ୍ର, ସେହି ଗାଡ଼ିଟିକୁ ହାୱା କର।’’ ଭକ୍ତ ତାହା ହିଁ କଲେ। ଗାଡ଼ିଟିଏ ପ୍ରତି ଏପରି ଥିଲା ଶ୍ରୀଶ୍ରୀଠାକୁରଙ୍କ ଅନାବିଳ ମମତା।
‘‘ଶ୍ରୀଶ୍ରୀଠାକୁରଙ୍କ ଅଜାଣତରେ ଗୋଟିଏ ଗଛର ଡାଳ କେହି କାଟି ଦେଇଛି। ଠାକୁର ବ୍ୟସ୍ତ ହୋଇପଡ଼ିଲେ। ଭାଙ୍ଗି ଯାଇଥିବା ଡାଳଟିକୁ ବୈଜ୍ଞାନିକ ପଦ୍ଧତିରେ ମୂଳଡାଳ ସହ ଯୋଡ଼ି ଠାକୁରଙ୍କ ନିର୍ଦ୍ଦେଶରେ ବାନ୍ଧି ଦିଆଗଲା। କିଛିଦିନ ପରେ ଏହି ଭାଙ୍ଗି ଯାଇଥିବା ଡାଳରେ ଯେତେବେଳେ ନୂତନ କିଶଳୟ ଦେଖାଗଲା ଠାକୁରଙ୍କ ହୃଦୟ ଆନନ୍ଦରେ ଭରପୂର ହୋଇଗଲା।
ଦେଖାଯାଇଛି ପାବନାର ହିମାୟିତପୁର ଆଶ୍ରମରୁ ଆରମ୍ଭ କରି ଦେଓଘର ପର୍ଯ୍ୟନ୍ତ ଯେତେବେଳେ ଆଶ୍ରମର ବିଭିନ୍ନ ନିର୍ମାଣ କାର୍ଯ୍ୟ ହେଉଥିଲା ଏହି ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ କାଟି ଦିଆଯାଉ ନ ଥିଲା। ସେ ଗଛକୁ ରଖି ନିର୍ମାଣ କାର୍ଯ୍ୟ ହେଉଥିଲା।’’
‘‘ପ୍ରାଣୀଙ୍କ ପ୍ରତି ଠାକୁର ଥିଲେ ଅତ୍ୟନ୍ତ ସଦୟ। ଥରେ ଗୋଟିଏ ମାଙ୍କଡ଼ ଗଛରୁ ଡିଆଁଡ଼େଇଁ ଅବସ୍ଥାରେ ତଳେ ପଡ଼ିଗଲା। ତା’ର ଗୋଡ଼ ଭାଙ୍ଗିଗଲା। ସେ ଆର୍ତ୍ତଚିତ୍କାର କଲା। ତା’ର ବ୍ୟଥାରେ ଠାକୁର ଭାଙ୍ଗିପଡ଼ିଲେ ଦୁଃଖରେ। ତାଙ୍କର ନିର୍ଦ୍ଦେଶମତେ ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଗଲେ। ମାତ୍ର ମାଙ୍କଡ଼ଟି ସେମାନଙ୍କୁ କାମୁଡ଼ିବାକୁ ଚେଷ୍ଟା କଲା। ଶେଷରେ ଠାକୁରଙ୍କ ନିର୍ଦ୍ଦେଶ ମତେ କଦଳୀରେ ଅଫିମ ଦେଇ ତାକୁ ଖାଇବାକୁ ଦିଆଗଲା। ସେ ଶୋଇପଡ଼ିଲା ଏବଂ ତା’ର ଗୋଡ଼ର ଭାଙ୍ଗିଯାଇଥିବା ହାଡ଼କୁ ଯୋଡ଼ିଦିଆଗଲା। ତା’ପରେ ଠାକୁର ଆଶ୍ୱସ୍ତ ହେଲେ। ସେହିପରି ଗୋରୁଗାଈ, କୁକୁର, ବିଲେଇ ପର୍ଯ୍ୟନ୍ତ ତାଙ୍କର ଦୟାର ପରଶ ପାଉଥିଲେ।’’
‘‘ଥରେ ଆଶ୍ରମରେ ମୂଷା ଉତ୍ପାତ କଲେ। ତେଣୁ ବିରାଡ଼ିମାନଙ୍କୁ ରଖାଗଲା। ଠାକୁରଙ୍କ ପାଖରେ ଖବର ଗଲା ଯେ ବିରାଡ଼ିମାନେ ମୂଷାମାନଙ୍କୁ ମାରିଦେଇଛନ୍ତି। ଠାକୁର ଏଥିରେ ବିବ୍ରତ ହୋଇଉଠିଲେ। ଶ୍ରୀଶ୍ରୀଠାକୁର ଭକ୍ତମାନଙ୍କୁ କହିଲେ, ଏପରି ବ୍ୟବସ୍ଥା କର ଯେଉଁଥିରେ ମୂଷାମାନଙ୍କୁ ବିରାଡ଼ି ଆଉ ଖାଇବ ନାହିଁ, ଅଥଚ ମୂଷାମାନେ ଆଉ ଉତ୍ପାତ କରିବେ ନାହିଁ। ଶେଷରେ ଠାକୁର ତା’ର ସମାଧାନର ବାଟ ବତାଇଲେ। କହିଲେ— ଏହି ବିରାଡ଼ିମାନଙ୍କ ବେକରେ ଘଣ୍ଟି ବାନ୍ଧି ଦିଆଯାଉ। ତାହାହିଁ ହେଲା। ବିରାଡ଼ିମାନଙ୍କ ବେକରେ ଘଣ୍ଟି ବାନ୍ଧି ଦିଆଗଲା। ସେମାନେ ଯେତେବେଳେ ମୁଣ୍ଡ ହଲାଇ ହଲାଇ ଘଣ୍ଟି ବଜାଇ ଯାଉଥିଲେ ଶ୍ରୀଶ୍ରୀଠାକୁର ତାହା ମୁଗ୍ଧନୟନରେ ଦେଖୁଥିଲେ। ଫଳସ୍ୱରୂପ ବିରାଡ଼ିମାନଙ୍କ ଆବାଜ ଶୁଣି ମୂଷାମାନେ ଲୁଚିଯାଉଥିଲେ। ସେମାନେ ଆଉ ମୃତ୍ୟୁମୁଖରେ ପଡ଼ିଲେ ନାହିଁ। ପ୍ରାଣିଜଗତର ଏହି ସାମାନ୍ୟ ଜୀବପାଇଁ ଠାକୁର କିପରି ଚିନ୍ତିତ ହୋଇ ପଡୁଥିଲେ ତାହା ଥିଲା ଅତି ଆଶ୍ଚର୍ଯ୍ୟଜନକ।’’