ଇଷ୍ଟାନୁସରଣ ଓ ଆତ୍ମବିଶ୍ଳେଷଣ
ଶ୍ରୀଶ୍ରୀଠାକୁରଙ୍କ ସହିତ କଥୋପକଥନ
ମଣିଷ ମାତ୍ରେ ହିଁ ନିଜ ମଙ୍ଗଳର ପିଆସୀ ଓ ପ୍ରୟାସୀ । ମଣିଷର ଆକାଂକ୍ଷିତ ମଙ୍ଗଳ ତା’ର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ । ପୁରୁଷୋତ୍ତମ ହିଁ ହେଉଛନ୍ତି ମଣିଷର ଇଷ୍ଟ ଓ ମୂର୍ତ୍ତ ମଙ୍ଗଳର ପ୍ରତୀକ । ତାଙ୍କୁ ନିଃସର୍ତ୍ତଭାବରେ ଅନୁସରଣ କରିବା ଭିତରଦେଇ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର ସମସ୍ତ ବିରୋଧର ଚରମ ସମାଧାନ ହୁଏ । ଏଥିପାଇଁ ଦରକାର ତାଙ୍କରି ପ୍ରଦତ୍ତ ସତନାମକୁ ପ୍ରତ୍ୟାଶାହୀନ ହୋଇ ଆନୁଷ୍ଠାନିକଭାବେ ଗ୍ରହଣକରି ତାଙ୍କୁ ଗୁରୁରୂପେ ବରଣ କରିବା, ଆଉ ସେହି ସତନାମକୁ ବିହିତଭାବରେ ଜପ କରିଚାଲିଲେ ମଣିଷ ଭିତରେ ଦକ୍ଷତା ସଞ୍ଚାର ହୁଏ । ସେଥିପାଇଁ ଏହାକୁ ଦୀକ୍ଷା କୁହାଯାଏ । “କିଛି ନ କରି ଅଲୌକିକଭାବେ ପ୍ରତ୍ୟାଶାପୂରଣ ଧନ୍ଦାପାଇଁ ମଣିଷ ଯଦି ଦୀକ୍ଷା ନିଏ କିଛି ହୁଏନା, ମଣିଷ ଆହୁରି ଅକର୍ମଣ୍ୟ ଓ ଅଳସୁଆ ହୋଇପଡ଼େ । ତା’ଛଡ଼ା ପ୍ରତ୍ୟାଶାପୂରଣାର୍ଥେ ଇଷ୍ଟଙ୍କୁ ଧରିଲେ, ପ୍ରତ୍ୟାଶା ହୁଏ ମୁଖ୍ୟ, ଇଷ୍ଟ ହୁଅନ୍ତି ଗୌଣ, ଇଷ୍ଟ ଯଦି ଗୌଣ ହୁଅନ୍ତି ତାଙ୍କୁ ଅନୁସରଣ କରିବାର ବୁଦ୍ଧି ଗଜାଏନା, ତେଣୁ ମଣିଷର ବି becoming (ବୃଦ୍ଧି) ହୁଏନା । ଏଣୁ ଦୀକ୍ଷା ସମୟରେ ବିଶେଷକରି ମଣିଷ ମଧ୍ୟରେ ଢୁକାଇ ଦେବାକୁ ହେବ ଯେପରି ଇଷ୍ଟଙ୍କର ଅନୁସରଣ ଓ ଅନୁପୂରଣ ହିଁ ମୁଖ୍ୟ।” (ଆ.ପ୍ର: ୪ର୍ଥ, ପୃଷ୍ଠା-୨୨୧)
ସେଦିନ ଶ୍ରୀଶ୍ରୀଠାକୁରଙ୍କୁ କ୍ୟାପେଲ ବ୍ରିଟେନ ନାମକ ଜଣେ ଇଂରେଜ ଯୁବକ ପ୍ରଶ୍ନ କଲେ– “ମଣିଷ ଯଦି ନୈତିକ ଜୀବନଯାପନ କରେ ତାହାଦ୍ୱାରା ତ ଚଳିପାରିବ । ଆଧ୍ୟାତ୍ମିକ ଜୀବନରେ ଗୁରୁ ନ ହେଲେ ନ ଚଳେ । କିନ୍ତୁ ନୈତିକ ଜୀବନରେ ତ ଗୁରୁ ନ ହେଲେ ଚଳିବ। ସାଧାରଣ ନୀତି କଥାଗୁଡ଼ିକ ମଣିଷ ବୁଝେ ଏବଂ ଉତ୍ତମ ନୈତିକ ଚରିତ୍ରସମ୍ପନ୍ନ ମଣିଷ ସମାଜରେ କିଛି କିଛି ମିଳନ୍ତି । ସେମାନଙ୍କର ଚଳନ ଦେଖି ନିଜର ଚଳନ ଠିକ୍ କରାଯାଇପାରେ । ଅଥଚ ବ୍ୟକ୍ତିବିଶେଷ ନିକଟରେ ନିଜକୁ ବିକିଦେବାର ପ୍ରୟୋଜନ ହୁଏନା।” ଏ ପ୍ରସଙ୍ଗରେ ଶ୍ରୀଶ୍ରୀଠାକୁର କହିଲେ– “ବ୍ୟକ୍ତିବିଶେଷର ଔରସରୁ ଜନ୍ମଗ୍ରହଣ କରିଛୁ ବୋଲି ଆମ୍ଭେମାନେ ସେହି ବ୍ୟକ୍ତିଙ୍କୁ ପିତା ବୋଲି ସ୍ୱୀକାର କରୁ । ପ୍ରକୃତିର ବିଧାନ ଏଇପରି, ପିତା ହିସାବରେ ଜଣକୁ ଶ୍ରଦ୍ଧାଭକ୍ତି କରୁ ବୋଲି ପିତୃତୁଲ୍ୟ ଯେଉଁମାନେ ସେମାନଙ୍କୁ ଶ୍ରଦ୍ଧାଭକ୍ତି କରୁ । … ମଣିଷ ନିୟମପାଇଁ ନିୟମ ପାଳନ କରେନା କିନ୍ତୁ ପାଳନ କରେ out of an urge to satisfy the superior beloved (ପ୍ରେଷ୍ଠଙ୍କୁ ଖୁସିି କରିବା ଆକୂତିରୁ) । ତେଣୁ superior beloved ନ ରହିଲେ ନୀତି ପାଳନର ଆଗ୍ରହ କମିଯାଏ । ଏଣୁ ଜଣକୁ ମୁଖ୍ୟ କରି ଧରି ତାଙ୍କର ଅନୁପୂରଣ ଯେଉଁଠାରେ ଯେଭଳି ପ୍ରୟୋଜନ ସେଠାରେ ସେଭଳି ଆହରଣ କରି ଚଳିଲେ କୌଣସି କ୍ଷତି ନାହିଁ । ଏହି ନିଷ୍ଠାଦ୍ୱାରା ମଣିଷର ଯାହାକିଛି ଜ୍ଞାନ ଓ ଅଭିଜ୍ଞତା ଏକ ସୂତ୍ରରେ ଗ୍ରଥିତ ହୋଇ ଏକରେ ସାର୍ଥକତା ଲାଭ କରେ । ଏହି ସାର୍ଥକତା କେନ୍ଦ୍ର ବ୍ୟତିରେକେ, ବହୁ ଜ୍ଞାନ, ଗୁଣ ଓ ଅଭିଜ୍ଞତା ରହିଲେ ବି ସେଗୁଡ଼ିକ Disintegrated lumps (ଅସଂହତ ପିଣ୍ଡସମୂହ) ଭଳି ହୋଇଯାଏ ।” (ଆ.ପ୍ର: ୫ମ, ପୃଷ୍ଠା-୯୯)
ଇଷ୍ଟାନୁସରଣର ମୂଳ ଜିନିଷ ହେଲା ଶ୍ରଦ୍ଧା, ଭକ୍ତି ଓ ଟାଣ (ଅନୁରାଗ) । ଶ୍ରୀଶ୍ରୀରାମକୃଷ୍ଣଦେବ କହିଛନ୍ତି– ମାଆର ସନ୍ତାନ ପ୍ରତି ଟାଣ, ସତୀ ସ୍ତ୍ରୀର ସ୍ୱାମୀ ପ୍ରତି ଟାଣ, ବିଷୟୀର ବିଷୟ ପ୍ରତି ଟାଣ, ଏହି ତିନି ଟାଣ ଏକତ୍ର ହେଲେ ଯେଉଁ ଟାଣ ହୁଏ ଇଷ୍ଟଙ୍କ ପ୍ରତି ଯଦି ସେତିକି ଟାଣ ହୁଏ ତେବେ ତାଙ୍କୁ ଲାଭ କରିହୁଏ । ସେତେବେଳେ ପ୍ରବୃତ୍ତି ନିୟନ୍ତ୍ରଣ ସ୍ୱତଃ ହିଁ ହୁଏ । (ଆ.ପ୍ର:୨୦, ପୃଷ୍ଠା-୨୪୨)
ଇଷ୍ଟାନୁସରଣ ପଥରେ ଆତ୍ମବିଶ୍ଳେଷଣ ନିହାତି ଦରକାର । “ଛୋଟବେଳେ ଆମ୍ଭେମାନେ ଯେତେବେଳେ କଣ୍ଢେଇ ତିଆରି କରୁ ସେତେବେଳେ କଣ୍ଢେଇର କୌଣସି ଅଙ୍ଗ ବିକୃତ ରହିଲେ ମନରେ କଷ୍ଟ ହୁଏ, ତେଣୁ ମନେହୁଏ ଆମ୍ଭେମାନେ ପରମପିତାଙ୍କ କଣ୍ଢେଇ । ଆମ୍ଭମାନଙ୍କ ଭିତରେ କୌଣସି ବିକୃତି ରହିଲେ ପରମପିତାଙ୍କ ପ୍ରାଣରେ ବ୍ୟଥା ଲାଗେ । ତାଙ୍କ ପ୍ରାଣରେ ବ୍ୟଥା ଲାଗିଲେ ତାକୁ ଅନୁଭବ କରି ତା’ର ନିରସନ କରିବା ଉଚିତ ।”(ଆ.ପ୍ର:୧୮, ପୃଷ୍ଠା-୨୪୨)