ଯୁଗାଚାର୍ଯ୍ୟ ଶ୍ରୀଶ୍ରୀବଡ଼ଦାଙ୍କ ଜୀବନର କିଛି ମହନୀୟ ମୁହୂର୍ତ୍ତ
ଶ୍ରୀମତୀ ସସ୍ମିତା ପ୍ରଧାନ
ବିଶ୍ଵବ୍ରହ୍ମାଣ୍ଡର ମାଲିକ ସ୍ଵୟଂ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଜ୍ୟେଷ୍ଠାତ୍ମଜ ଯୁଗାଚାର୍ଯ୍ୟ ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା ଥିଲେ ଭଲପାଇବାର ଏକ ବିଶାଳ ସାଗର। ସେଇ ମହାମାନବଙ୍କ ପ୍ରେମର ପରଶରେ କେତେ ଯେ ମଣିଷ, ପଶୁପକ୍ଷୀ, ବୃକ୍ଷଲତା, କୀଟପତଙ୍ଗ ଧନ୍ୟ ହୋଇ ଉଠିଛନ୍ତି, ତାର କଳନା ନାହିଁ । ସେଇ ପରିପ୍ରେକ୍ଷୀରେ କିଛି କଥା ମନ ମଧ୍ୟରେ ଆସେ।
ଶ୍ରୀଶ୍ରୀବଡ଼ଦାଙ୍କ ଜ୍ୟୋଷ୍ଠାତ୍ମଜ ଶ୍ରୀଶ୍ରୀଦାଦାଙ୍କର ବୟସ ସେତେବେଳେ ମାତ୍ର ୧୧ ବର୍ଷ। ସ୍କୁଲ୍ ଛୁଟି ହେବା ପରେ ଘରକୁ ଫେରୁଛନ୍ତି। ରାସ୍ତାର ଠିକ୍ ପାଖରେ ଆଶ୍ରମର କିଛି ମାଙ୍କଡ଼ ବସିଛନ୍ତି। ସେମାନେ ମଣିଷମାନଙ୍କୁ ରାମ୍ପୁଡ଼ାରାମ୍ପୁଡ଼ି କରୁଥିଲେ। ଶ୍ରୀଶ୍ରୀଦାଦା ଭାବୁଛନ୍ତି କ’ଣ କରିବି? ପଛକୁ ଯିବାକୁ ମନ ହେଉ ନାହିଁ କି ଆଗକୁ ଯିବାକୁ ସାହାସ ହେଉ ନାହିଁ। ହଠାତ୍ ପଛପଟୁ କିଏ ଜଣେ ମୁଣ୍ଡକୁ ସାମାନ୍ୟ ଆଘାତ କଲେ, ବୁଲି ଦେଖିଲାବେଳକୁ ଶ୍ରୀଶ୍ରୀବଡ଼ଦା। କେତେବେଳୁ ସେ ଆସ୍ତେ ଆସ୍ତେ ଶ୍ରୀଶ୍ରୀଦାଦାଙ୍କ ପଛରେ ଆସୁଛନ୍ତି। କହିଲେ, କ’ଣ ଭୟ କରୁଛୁ କି? ମୋ ପଛେ ପଛେ ଆସ। ସେମାନଙ୍କୁ କିଛି ନ କହିଲେ ସେମାନେ କିଛି କରିବେନି। ସେଇଦିନଠାରୁ ଶ୍ରୀଶ୍ରୀଦାଦା ଜାଣିଲେ, ବଣର ପଶୁମାନଙ୍କ ଦେହରେ ନ ଲାଗିଲେ ସେମାନେ କିନ୍ତୁ କିଛି କରନ୍ତି ନାହିଁ। ମଣିଷ ତା’ର ସ୍ଵାଭାବିକ ଶତ୍ରୁ ନୁହେଁ। ତା’ ପରଠାରୁ ସେ ଆଉ ପଶୁପକ୍ଷୀଙ୍କୁ ଦେଖି କେବେ ଭୟ ପାଇନାହାନ୍ତି। ଉପଯୁକ୍ତ ମୁହୂର୍ତ୍ତରେ ବାବାଙ୍କର ସେଇ କଥାପଦକରୁ ମନରୁ ସମସ୍ତ ଭୟ ଚିରଦିନପାଇଁ ଚାଲିଗଲା।
ଯେତେବେଳେ ସତସଙ୍ଗ ମେକାନିକାଲ ୱାର୍କ୍ସରେ ସରକାରୀ କାମ ସବୁ ଆରମ୍ଭ ହେଲା, ଶ୍ରୀଶ୍ରୀଦାଦା ସେଠାରେ ଯାଇ ସବୁ କାମ ଦେଖୁଥିଲେ ଓ ଯାହା ସମ୍ଭବ ଶିଖୁଥିଲେ। କାରଖାନାରେ କାମ କରିବା ସମୟରେ ଶ୍ରୀଶ୍ରୀଦାଦାଙ୍କୁ ତାଙ୍କ ପିଉସା କଲିଂବେଲ ତିଆରି କରିବାର କୌଶଳଟା ଶିଖାଇଲେ। ତା’ପରେ ସଙ୍ଗେ ସଙ୍ଗେ ଶ୍ରୀଶ୍ରୀଦାଦା କଲିଂବେଲ୍ ତିଆରି କରିବାରେ ଲାଗିଗଲେ। ପିଉସାଙ୍କ ସହାୟତାରେ କଲିଂବେଲ ତିଆରି କଲେ ଓ ସେଇଟା ନେଇ ଶ୍ରୀଶ୍ରୀବଡ଼ଦାଙ୍କୁ ଦେଖାଇଲେ। ବଡ଼ଦା ମଧ୍ୟ ଦେଖି ଖୁବ୍ ଖୁସି ହେଲେ ଓ କହିଲେ, ଘର ବାହାରେ କଲିଂ ବେଲ୍ ମେସିନଟା ଲଗାଇ, ତା’ର ସ୍ୱିଚଟା ତାଙ୍କ କୋଠରିରେ ଲଗାଇବାକୁ। ଶ୍ରୀଶ୍ରୀବଡ଼ଦା ସେତେବେଳେ ଗୋୟାଲବାଡ଼ିର ଉତ୍ତର ଦିଗରେ ଗୋଟେ ଘରେ ରହୁଥିଲେ। ତା’ପରେ ସମସ୍ତଙ୍କୁ ଜଣାଇଦେଲେ, ବେଲ୍ ଥରେ ବାଜାଇଲେ ବୁଝିବ ମାଆଙ୍କୁ ଡାକୁଛି, ଦୁଇଥର ବଜାଇଲେ ଦିଦିକୁ, ତିନିଥର ବଜାଇଲେ ଶ୍ରୀଶ୍ରୀଦାଦାଙ୍କୁ, ଚାରିଥର ବଜାଇଲେ ଟିନାକୁ, ପାଂଚଥର ବଜାଇଲେ ସୁନୁକୁ ଇତ୍ୟାଦି। ପ୍ରଥମେ ଯେଉଁଦିନ କଲିଂବେଲଟି ବାଜିଲା ସେଦିନ ଦାଦାଙ୍କ ଖୁସି କହିଲେ ନ ସରେ ସତେ ଯେମିତି ଗୋଟେ ବିରାଟ କାମ କରିଦେଇଛନ୍ତି।
ଏମିତି ଉତ୍ସାହ ଓ ପ୍ରେରଣା ଦେଇ ଶ୍ରୀଶ୍ରୀବଡ଼ଦା ଅନେକ କାମ ନିଜ ପିଲାମାନଙ୍କଦ୍ଵାରା କରାଇ ନେଉଥିଲେ। ଶ୍ରୀଶ୍ରୀବଡ଼ଦା କେତେ ଦୁଃଖୀ, ଗରିବ, ଅସହାୟ ଲୋକଙ୍କୁ ନିଜ ପାଖରେ ସ୍ଥାନ ଦେଇଥିଲେ ତା’ର କୌଣସି ହିସାବ କରାଯାଇ ପାରେନା। ଯାହାର ରହିବାର ଖାଇବାର ଅସୁବିଧା ହେଉଥିଲା ଶ୍ରୀଶ୍ରୀବଡ଼ଦା ନିଜ ଘରେ ତାଙ୍କର ବ୍ୟବସ୍ଥା କରି ଦେଉଥିଲେ। କୁଷ୍ଠିଆର ଋତ୍ୱିକ୍ ବିଷ୍ଣୁ ବିଶ୍ବାସଙ୍କ ଭଉଣୀ କିଛିବର୍ଷ ଶ୍ରୀଶ୍ରୀବଡ଼ଦାଙ୍କ ଘରେ ରହି ତପୋବନ ସ୍କୁଲରେ ପଢ଼ି ମାଟ୍ରିକ ପାସ୍ କରି ଯାଇଥିଲେ। ଡା. ଜିତେନ୍ ଚାଟାର୍ଜୀ ଆସି ଠାକୁରଙ୍କ କାମରେ ଯୋଗ ଦେଇଥିଲେ କିନ୍ତୁ ତାଙ୍କ ବିବାହ ହେବା ପର୍ଯ୍ୟନ୍ତ ସେ ଶ୍ରୀଶ୍ରୀବଡ଼ଦାଙ୍କ ଘରେ ଖାଉଥିଲେ। ରହୁଥିଲେ କିନ୍ତୁ ଡିସ୍ପେନସରୀ ପାଖ ଘରେ। ଆହୁରି ଥିଲେ ଅମୂଲ୍ୟଦା ଡା. ଅଧୀର ସରକାରଦା। ସେ ପାଉଁରୁଟି ଓ ବିସ୍କୁଟ ତିଆରି କରୁଥିଲେ। ଶ୍ରୀଶ୍ରୀଦାଦା ମଧ୍ୟ ତାଙ୍କଠାରୁ ବିସ୍କୁଟ ଓ ପାଉଁରୁଟି କରିବା ଶିଖିଥିଲେ। ସେମାନେ ମଧ୍ୟ ଶ୍ରୀଶ୍ରୀବଡ଼ଦାଙ୍କ ଘରେ ଖାଉଥିଲେ। ଥରେ ଜଣେ ଭାଇ ତା’ର ଦୁଇଟି ଝିଅଙ୍କୁ ଧରି ଆସିଲେ ଶ୍ରୀଶ୍ରୀବଡ଼ଦାଙ୍କ ନିକଟକୁ। ଶ୍ରୀଶ୍ରୀବଡ଼ଦା ତାଙ୍କୁ ଗେଷ୍ଟ ହାଉସରେ ରଖିବାର ବ୍ୟବସ୍ଥା କଲେ ଓ ନିଜ ଘରେ ଖାଇବାର ବ୍ୟବସ୍ଥା କଲେ। ତା’ର କିଛିଦିନ ପରେ ତାକୁ ଏକ ଦୋକାନ କରିବାର ବ୍ୟବସ୍ଥା କରିଦେଲେ। ପ୍ରୟୋଜନର ଚାପରେ ପଡ଼ି ଅନେକ ସମୟରେ ଅନେକ ପରିବାର କିଛିଦିନ ଲେଖାଏଁ ଶ୍ରୀଶ୍ରୀବଡ଼ଦାଙ୍କ ଘରେ ରହୁଥିଲେ। ଯେପରି ବଙ୍କିମ ଘଟକଙ୍କ ପରିବାର, ମଙ୍ଗଳ ବସୁଙ୍କ ପରିବାର। ଏମିତି ଭାବରେ ଅନେକ ଲୋକଙ୍କର ଯିବାଆସିବା ସଦାସର୍ବଦା ଚାଲିଥାଏ। ଶ୍ରୀଶ୍ରୀବଡ଼ଦା ନିଜ ହାତରେ ନିଜ ପିଲାମାନଙ୍କର ନଖ କାଟି ଦେଉଥିଲେ ଓ କାନ ପରିଷ୍କାର କରୁଥିଲେ।
୧୫୪୭ ସାଲର କଥା। ଥରେ ମାଡ୍ରାସ ଯିବାର କଥା ହେଲା। ହାଉଜରମ୍ୟାନଦାଙ୍କ ମା’ ଜାହାଜରେ ଆସିଥିଲେ ମାଡ୍ରାସ। ତାଙ୍କୁ ଆଣିବାକୁ ଯିବାର ଥିଲା। ହାଉଜରମ୍ୟାନଦା, ଆଜାଇବ ସିଂ ଏବଂ ଶିବଶଙ୍କରଦାଙ୍କର ଯିବାର ଥିଲା। ସାଙ୍ଗରେ ଶ୍ରୀଶ୍ରୀବଡ଼ଦା, କେଷ୍ଟଦା ଓ ଶ୍ରୀଶ୍ରୀଦାଦା ମଧ୍ୟ ଯିବାର ଠିକ୍ ହେଲା। ସମସ୍ତେ ଯାଇ କଲିକତାର ସ୍ମରଜିତ୍ ଘୋଷଙ୍କ ଘରେ ପହଞ୍ଚିଲେ। ତା’ପରେ ଶ୍ରୀଶ୍ରୀଦାଦା ଓ ହାଉଜରମ୍ୟାନଦା ହାଓଡ଼ା ଷ୍ଟେସନ ଗଲେ ଟିକେଟ କାଟିବାକୁ। ସେଦିନ ରାତିରେ ଟ୍ରେନ୍। ବାଟରେ ଫେରିବା ସମୟରେ ଭୂଷଣ ଚକ୍ରବର୍ତ୍ତୀଙ୍କ ସହିତ ଦେଖା ହେଲା। ଦେଓଘରରୁ ସେ ଆସିଥାଆନ୍ତି। ଶ୍ରୀଶ୍ରୀଠାକୁର ପଠାଇଥାଆନ୍ତି ଶ୍ରୀଶ୍ରୀବଡ଼ଦାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖି। ଶ୍ରୀଶ୍ରୀବଡ଼ଦା ଚିଠି ଖୋଲି ପଢ଼ିଲେ, ସେଥିରେ ଶ୍ରୀଶ୍ରୀଠାକୁର ଚାହିଁଥିଲେ, ଶ୍ରୀଶ୍ରୀବଡ଼ଦାଙ୍କୁ ଦେଓଘର ଫେରି ଯିବାପାଇଁ। କେଷ୍ଟଦାଙ୍କର କିନ୍ତୁ ଇଛାଥାଏ ମାଡ୍ରାସ ଯିବାକୁ, ସେ ଶ୍ରୀଶ୍ରୀଦାଦାଙ୍କୁ ସାଙ୍ଗ କଲେ, ସାଙ୍ଗ ହୋଇ ଯିବାକୁ। ଶ୍ରୀଶ୍ରୀବଡ଼ଦା କହିଲେ ଯାହାର ଇଚ୍ଛା ସେ ଯାଇପାର କିନ୍ତୁ ବାବା ମୋତେ ଫେରିଯିବାକୁ କହିଛନ୍ତି। ଅଧଘଣ୍ଟା ମଧ୍ୟରେ ଷ୍ଟେସନରେ ରହି ଦେଓଘର ଫେରିଯିବାକୁ ହେଲା। କେଷ୍ଟଦା ଓ ଶ୍ରୀଶ୍ରୀଦାଦା ମଧ୍ୟ ସାଙ୍ଗରେ ଫେରି ଆସିଲେ। ଶ୍ରୀଶ୍ରୀବଡ଼ଦାଙ୍କ କିନ୍ତୁ ବହୁତ୍ ଇଚ୍ଛା ଥିଲା ମାଡ୍ରାସ ଯିବାକୁ। କିନ୍ତୁ ଶ୍ରୀଶ୍ରୀଠାକୁରଙ୍କ ଫେରିବାର ନିର୍ଦ୍ଦେଶ ପାଇବା ସଙ୍ଗେ ସଙ୍ଗେ ତାଙ୍କର ନିର୍ଦ୍ଦେଶ ପାଳନ କଲେ। ଏଥିରୁ ଶିଖିବାକୁ ହୁଏ ଆଜ୍ଞା କିପରି ଭାବେ ପାଳନ କରିବାକୁ ହୁଏ। ଆଶ୍ଚର୍ଯ୍ୟର କଥା ଠାକୁରଙ୍କର ଇଚ୍ଛା ଜାଣିବା ସଙ୍ଗେ ସଙ୍ଗେ ଶ୍ରୀଶ୍ରୀବଡ଼ଦାଙ୍କର ନିଜର ଇଚ୍ଛାଟା ଯେମିତି କୁଆଡେ ଉଭେଇଗଲା।
ଦିନେ ଶ୍ରୀଶ୍ରୀବଡ଼ଦା ଶ୍ରୀଶ୍ରୀଦାଦାଙ୍କୁ ଡାକି କହିଲେ, ହାଉଜରମ୍ୟାନଦା କେମିତି ନ ଦେଖି ଟାଇପ୍ କରେ ତୁ ବି ଶିଖିଲେ ତାହା ପାରିବୁ। କିନ୍ତୁ ହାଉଜାରମ୍ୟାନଦା ଟାଇପ୍ କରିବାର ଶ୍ରୀଶ୍ରୀଦାଦା କେବେ ଦେଖି ନ ଥିଲେ। କିନ୍ତୁ ଶୁଣିବା କ୍ଷଣି ହାଉଜରମ୍ୟାନଦାଙ୍କୁ ନ ଦେଖି ଟାଇପ୍ କରିବାକୁ କହିଲେ। ସେ କଲେ। ଶ୍ରୀଶ୍ରୀଦାଦା ଦେଖିଲେ। ତା’ପରେ ଆଖିରେ କପଡ଼ା ବାନ୍ଧି ଡିକ୍ଟେସନ ଦେଲେ। ତାହା କଲେ। ଶ୍ରୀଶ୍ରୀଦାଦା କହିଲେ ଶିଖାଅ। ସେ ମଧ୍ୟ ଶିଖାଇଲେ। ଶୁଣିଲେ ଗୋଟେ ମିନିଟରେ ୪୦ଟା ଶବ୍ଦ ଟାଇପ କରିବା ପ୍ରୟୋଜନ। ଗୋଟିଏ ମାସରେ ଶ୍ରୀଶ୍ରୀଦାଦା ତାକୁ ଆୟତ୍ତ କରିଥିଲେ। ହାଉଜରମ୍ୟାନଦାଙ୍କ ମାଆ ମଝିରେ ମଝିରେ ଆସି କିଛିଦିନ ଆଶ୍ରମରେ ରହୁଥିଲେ। ଶ୍ରୀଶ୍ରୀବଡ଼ଦା ଦିନେ ଶ୍ରୀଶ୍ରୀଦାଦାଙ୍କୁ ଡାକି କହିଲେ, ସେଇ ମାଆ short hand ଲେଖି ପାରନ୍ତି। ତୁ ଚାହିଁଲେ short hand ଶିଖିପାରୁ ତାଙ୍କଠାରୁ। ଶ୍ରୀଶ୍ରୀଦାଦା ସେଇ ମାଆଙ୍କୁ ଶିଖାଇବାକୁ କହିଲେ। ସେ ଵୟେଡ଼ ସିଷ୍ଟମ (Boyd System), ଗୋଟିଏ ସହଜ short handର ପଦ୍ଧତି ବତାଇଦେଲେ। କିଛିଦିନ ପରେ ଏଇ ବିଦ୍ୟାଟି ମଧ୍ୟ ସେ ଆୟତ୍ତ କରି ପାରିଥିଲେ। ପିତାଙ୍କର ଇଚ୍ଛା ପୂରଣପାଇଁ କି ପ୍ରକାର ଆଗ୍ରହ ଥିଲା ତାଙ୍କର। ଦେଓଘର ଆସିବା ପରେ ଶ୍ରୀଶ୍ରୀଦାଦା ନିଜେ ଆଗ୍ରହର ସହିତ ହାଉଜରମ୍ୟାଦାଙ୍କଠାରୁ ଗାଡ଼ି ଚଳାଇବା ଶିଖିଥିଲେ ଓ ଗାଡ଼ି ମରାମତିର ସବୁ କୌଶଳ ଶିଖିଥିଲେ। ଶ୍ରୀଶ୍ରୀବଡ଼ଦା ଚିରକାଳ ହିଁ କହୁଥିଲେ “ଆତ୍ମବଶ ହି ସୁଖମ୍, ପରବଶ ହି ଦୁଃଖମ୍”। ଯେତେଟା ସମ୍ଭବ ନିଜ କାର୍ଯ୍ୟ ନିଜେ କରିବାର ଆଗ୍ରହ ଥିବା ଦରକାର। ଏଇ କଥା ସେ ସର୍ବଦା ପ୍ରେରଣା ଦେଉଥିଲେ। ସେ ସର୍ବଦା କହୁଥିଲେ, ପରମୁଖାପେକ୍ଷୀ ହେବା ମାନେ ହିଁ ଅନ୍ୟର ଦୟା ଉପରେ ନିର୍ଭର କରି ବଞ୍ଚି ରହିବା। କ୍ଷମତା ଭିତରେ ସବୁ ସମୟରେ ଅନ୍ୟର କାମ କରିଦେବାକୁ ହୁଏ। କିନ୍ତୁ କେତେବେଳେ ଏମିତି ଅବସ୍ଥାରେ ପଡ଼ିବନି ଯେମିତି ଅନ୍ୟ କେହି ନ କରିଦେଲେ ନିଜର ଜୀବନଚଳନା ଅଚଳ ହୋଇପଡେ।
“ମଣିଷ ଛଡ଼ା ମଣିଷ ବଞ୍ଚି ପାରିବନି” ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ଜୀବନ ଯାପନ କରିବାକୁ ହେବ। ଆଉ ଦିନେ ଶ୍ରୀଶ୍ରୀଦାଦା ନାମ କରିବା ସମ୍ବନ୍ଧରେ କହୁଛନ୍ତି, ଥରେ ଶ୍ରୀଶ୍ରୀଠାକୁର ଗଳ୍ପ କରୁକରୁ ଶ୍ରୀଶ୍ରୀଦାଦାଙ୍କୁ କହିଲେ। ଶ୍ରୀଶ୍ରୀବଡ଼ଦା ଯେତେବେଳେ ଖୁବ୍ ଛୋଟ, ବୟସ ମାତ୍ର ପାଞ୍ଚ ବର୍ଷ, ସେତେବେଳେ ତାଙ୍କୁ ଖୋଜିଖୋଜି କେହି ପାଇଲେନି। ଶ୍ରୀଶ୍ରୀଠାକୁର ଦୋତାଲା କାଠଘରର ସିଡି ତଳକୁ ଯାଇ ଦେଖିଲେ ଶ୍ରୀଶ୍ରୀବଡ଼ଦା ନାମମଗ୍ନ ହୋଇ ବସିଛନ୍ତି। ସମସ୍ତ ଦେହରେ ପିମ୍ପୁଡ଼ି, କିନ୍ତୁ ସେଥି ପ୍ରତି ତାଙ୍କର ଖିଆଲ ନାହିଁ। ଶ୍ରୀଶ୍ରୀଠାକୁର ପିମ୍ପୁଡ଼ି ଝାଡି ପୁଅକୁ (ଶ୍ରୀଶ୍ରୀବଡ଼ଦାଙ୍କୁ) କୋଳରେ ଧରି ଚାଲିଆସିଲେ। ଗଳ୍ପଟି କହି ଶ୍ରୀଶ୍ରୀଠାକୁର, ଶ୍ରୀଶ୍ରୀଦାଦାଙ୍କୁ କହିଲେ, ଏମିତି absorbed ( ମଗ୍ନ) ହୋଇ ନାମ କଲେ, ନାମ କରିବା ସାର୍ଥକ ହୁଏ।
ଶ୍ରୀଶ୍ରୀବଡ଼ଦା କେବେହେଲେ exercise (ବ୍ୟାୟାମ) କିମ୍ବା କୁସ୍ତି କରୁ ନ ଥିଲେ କିନ୍ତୁ ତାଙ୍କ ଦେହରେ ଅନେକ ବଳ ଥିଲା। ଥରେ ଗ୍ରାମର କ୍ଷିତୀଶ ମଜୁମଦାର ଘରେ ନିଆଁ ଲାଗିଗଲା। ଖୁବ୍ ଉଚ୍ଚା ବାଉଁଶବେଢ଼ା ଘର। ତା’ ପାଖକୁ ଲାଗି ଅନେକ ଘର। ଯଦି ପାଖ ଘରକୁ ନିଆଁ ଡେଇଁଯାଏ, ତେବେ ଅନେକ ଘର ପୋଡିଯିବ। ଦାଉ ଦାଉ ହୋଇ ନିଆଁ ଜଳୁଛି। ଯଦି ନିଆଁ ଲିଭା ନ ଯାଏ ତେବେ ଅନେକ ଘର ପୋଡ଼ି ନଷ୍ଟ ହୋଇଯିବ। ସମସ୍ତେ ପାଣି ଓ ମାଟି ଛାଟି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଶ୍ରୀଶ୍ରୀବଡ଼ଦା କହିଲେ, ଖୁଣ୍ଟି ଉପାଡ଼ି ଘରକୁ ତଳେ ଶୁଆଇଦେଲେ ନିଆଁ ଆଉ ସହଜରେ ଚାରିଆଡ଼େ ମାଡ଼ିବ ନାହିଁ। ଘରର ଖୁଣ୍ଟିଗୁଡ଼ିକ ମୋଟା ଶାଳଗଣ୍ଡିରେ ତିଆରି ହୋଇଥିଲା। ଗୋଟେ ମଣିଷର ଲମ୍ବା ଭଳି ଗଭୀରକୁ ଖୁଣ୍ଟିଗୁଡ଼ିକ ପୋତା ହୋଇଥାଏ। ସମସ୍ତେ କହିଲେ ଖୁଣ୍ଟିଗୁଡ଼ିକ ଉପାଡ଼ିବା ଅସମ୍ଭବ। ଶ୍ରୀଶ୍ରୀବଡ଼ଦା ସଙ୍ଗେ ସଙ୍ଗେ ଗୋଟିଏ ଗୋଟିଏ ଖୁଣ୍ଟି ଉପାଡି ଫୋପାଡିବାକୁ ଲାଗିଲେ। ଫଳରେ ଘରଟି ତଳେ ଶୋଇଗଲା ଓ ନିଆଁ ମାଡ଼ିଲା ନାହିଁ। ଅନ୍ୟ ସବୁ ଘର ରକ୍ଷା ପାଇଗଲା। ଯେଉଁ ଖୁଣ୍ଟିଗୁଡ଼ିକୁ ୩/୪ ଜଣ ମିଶି ଉପାଡି ପାରିଲେନି ଶ୍ରୀଶ୍ରୀବଡ଼ଦା ଏକୁଟିଆ ଉପାଡି ଫୋପାଡି ଦେଲେ। ତାଙ୍କର ଅନେକ ଶକ୍ତି ଥିଲା ଓ ଜଣେ ଶକ୍ତିମାନ ବ୍ୟକ୍ତି ବୋଲି ତାଙ୍କର ଖ୍ୟାତି ଥିଲା। ୧୫୪୩ ସାଲର କଥା। ଆଶ୍ରମର ଜଣଙ୍କ ଘରେ ସଂଧ୍ୟା ସମୟରେ ନିଆଁ ଲାଗିଗଲା। ଘରଟି ଏମିତି ଜାଗାରେ ଯେ ପାଣି ଆଣି ନିଆଁ ଲିଭାଇବା କଷ୍ଟକର। ଯେଉଁମାନେ ନିଆଁ ଲିଭାଇବାକୁ ଏକତ୍ର ହୋଇଛନ୍ତି, ଖାଲି ପାଣି ଆଣ, ପାଣି ଆଣ ବୋଲି ଚିତ୍କାର କରୁଛନ୍ତି। କିନ୍ତୁ ପାଖରେ ତ ପାଣି ନାହିଁ କରିବେ କ’ଣ। ବୁଦ୍ଧିବାଟ ଦେଖାଯାଉ ନାହିଁ। ଭିଡ଼ ପ୍ରବଳ ହୋଇଗଲା। ଛୋଟ ପିଲାମାନେ ବି ଆସି ଜମା ହୋଇଗଲେ। ହଠାତ୍ ଶ୍ରୀଶ୍ରୀବଡ଼ଦା ଆସି ପହଞ୍ଚିଲେ। ଅବସ୍ଥା ଦେଖି ଶ୍ରୀଶ୍ରୀବଡ଼ଦା ନିଆଁ ଉପରକୁ ମାଟି ଛାଟିବାକୁ ସମସ୍ତଙ୍କୁ କହିଲେ। ସମସ୍ତେ ମାଟି ଛାଟିବାକୁ ଲାଗିଲେ। ନିଆଁ ଆସ୍ତେ ଆସ୍ତେ ଲିଭିଗଲା। ଗୋଟେ ଶିକ୍ଷା ହେଲା, ନିଆଁକୁ ମାଟି ଦେଇ ବି ଲିଭାଯାଇପାରେ।
ଶ୍ରୀଶ୍ରୀବଡ଼ଦାଙ୍କ କଥା କହିବାକୁ ଯାଇ ଶ୍ରୀଶ୍ରୀଦାଦା ଥରେ କଥା ପ୍ରସଙ୍ଗରେ କହୁଛନ୍ତି, ବାବା ରାସ୍ତାରେ ବୁଲୁଥିବା ଗୋଟିଏ କୁକୁରକୁ ଯେମିତି ଭଲ ପାଆନ୍ତି ମୋତେ ଆଉ ଅନ୍ୟମାନଙ୍କୁ ବି ଠିକ୍ ସେମିତି ଭଲ ପାଆନ୍ତି। ଏଇ ବିଷୟରେ କୌଣସି ବିଭେଦ କରିବା ତାଙ୍କ ଜୀବନରେ ଦେଖାଯାଏ ନାହିଁ। ବାବା ସାରା ଜୀବନ ମଣିଷମାନଙ୍କୁ ନେଇ ଚାଲିଥାନ୍ତି। କ’ଣ କରିଲେ ସେମାନେ ଆହୁରି ଭଲ ଭାବରେ ରହିପାରିବେ, ତାଙ୍କର ଜୀବନ ସହଜ ସରଳ ହେବ, ଆନନ୍ଦମୁଖର ହେବ ଏହା ଥିଲା ତାଙ୍କ ଜୀବନର ଚିରଦିନର ଲକ୍ଷ୍ୟ।
କେତେ ଯେ ଅଦ୍ଭୁତ ଘଟଣା ତାଙ୍କ ଜୀବନରେ ଘଟିଛି ତାହାର ହିସାବ କରାଯାଇ ପାରେନା। ଫିଲାନଥ୍ରପି ସମ୍ମୁଖରେ ଦୁଇଟି କୃଷ୍ଣଚୂଡା ଗଛ ଥିଲା। ଦକ୍ଷିଣ ଦିଗରେ ଥିବା ଗଛଟିର ସ୍ବାସ୍ଥ୍ୟ ଖୁବ୍ ଭଲ ଥିଲା। ଉତ୍ତରଦିଗରେ ଥିବା ଗଛଟି ଶୁଖି ବିବର୍ଣ୍ଣ ଦେଖା ଯାଉଥିଲା। ଦିନେ ଜିତେନ୍ ଦେବବର୍ମନଦା ଲୋକ ଲଗାଇ ସେଇ ଗଛଟିକୁ କାଟିବାକୁ କହିଲେ। ଶ୍ରୀଶ୍ରୀଦାଦା ପଚାରିବାରୁ କହିଲେ, ଗଛଟି ଶୁଖିଯାଇଛି ତେଣୁ ତାକୁ କାଟିବାକୁ ହେବ। ଠିକ୍ ଗଛଟିକୁ କାଟିବାକୁ ଆରମ୍ଭ କରିବା ସମୟରେ ଶ୍ରୀଶ୍ରୀବଡ଼ଦା ଠାକୁରବାଡ଼ି ଯିବାକୁ ବାହାରିଛନ୍ତି, ଶ୍ରୀଶ୍ରୀଦାଦା ଜିତେନଦାଙ୍କର ଗଛ କାଟିବା କଥା ଜଣାଇଲେ। ଶ୍ରୀଶ୍ରୀବଡ଼ଦା ଗଛଟାକୁ କାଟିବାକୁ ନିଷେଧ କଲେ, ଗଛଟାକୁ ବଞ୍ଚାଇବାକୁ ପଡ଼ିବ କହି ଗଛ ଦେହରେ ହାତ ବୁଲାଇ ଚାଲିଗଲେ। କିଛିଦିନ ପରେ ଦେଖାଗଲା ଗଛଟି ସ୍ଵାଭାବିକ ଭାବରେ କଅଁଳି ବୃଦ୍ଧି ପାଇବାକୁ ଲାଗିଲା। କିନ୍ତୁ ମଜାର କଥା ଯେ ଶ୍ରୀଶ୍ରୀବଡ଼ଦାଙ୍କ ସ୍ପର୍ଶ ପାଇ ସେଇ ଗଛଟି ସିନା ବଞ୍ଚି ବଢ଼ିବାକୁ ଲାଗିଲା କିନ୍ତୁ ଦକ୍ଷିଣ ପଟର ଭଲ ଗଛଟା ମରିଗଲା। କାକଦୀପ ମନ୍ଦିରକୁ ଥରେ ଶ୍ରୀଶ୍ରୀବଡ଼ଦା ଓ ଶ୍ରୀଶ୍ରୀଦାଦା ଯାଇଥିଲେ। ମନ୍ଦିର ପଛରେ ଗୋଟିଏ ପୋଖରୀ ଥିଲା। ତା’ର ପାଣି ବହୁତ ଲୁଣିଆ। ଚାରିଆଡ଼େ ବୁଲି ବୁଲି ଦେଖିବା ସମୟରେ ସେଇ ପୋଖରୀ ନିକଟରେ ଠିଆ ହୋଇଛନ୍ତି, ଜାଣିବାକୁ ପାଇଲେ ପାଣି ଭାରି ଲୁଣିଆ। ଶ୍ରୀଶ୍ରୀଦାଦାଙ୍କୁ କହିଲେ, ମୋ ହାତରେ ଦେ ତ ଦେଖି। ଶ୍ରୀଶ୍ରୀଦାଦା ଆଞ୍ଜୁଳାଏ ପାଣି ଦେଲେ। ତା’ପରେ ଶ୍ରୀଶ୍ରୀବଡ଼ଦା ଚାଖି କହିଲେ ପାଣି ଭାରି ଲୁଣିଆ। ତା’ର କିଛିଦିନ ପରେ କାକଦୀପ ମନ୍ଦିରର ଅଳକେଶଦା ଦେଓଘର ଆସିଲେ। କହିଲେ, ଶ୍ରୀଶ୍ରୀବଡ଼ଦା ପାଣି ଚାଖିବା ପରେ ହିଁ ସେଇ ପୋଖରୀର ଜଳ ଏକାବେଳକେ ମିଠା ହୋଇଯାଇଛି।
ତାଙ୍କ ନିକଟକୁ ଯିଏ ଯେତେବେଳେ ବିପଦଗ୍ରସ୍ତ ହୋଇ ଆସନ୍ତି, ସେ ସମସ୍ତ ପ୍ରକାର ସହାୟତା କରି ତାକୁ ରକ୍ଷା କରିଥାନ୍ତି । ଏହା ଦେଖି ଥରେ ଜଣେ ବିଶିଷ୍ଟ କର୍ମ୍ମୀ ଶ୍ରୀଶ୍ରୀବଡ଼ଦାଙ୍କୁ କହିଲେ, ଆପଣଙ୍କୁ ଠକିବା ବହୁତ ସହଜ। ତାହା ଶୁଣି ଶ୍ରୀଶ୍ରୀବଡ଼ଦା କହିଥିଲେ, ମୋତେ କେହି ଠକି ପାରିବେନି। ମୁଁ କେବେ ବି କାହାକୁ ଠକିନି।
( ‘ଆତ୍ମଜନେର କଥା’ ଗ୍ରନ୍ଥରେ ସନ୍ନିବେଶିତ ଆଲେଖ୍ୟରୁ ସଂଗୃହୀତ ଘଟଣାବଳୀ ଆଧାରରେ ପ୍ରସ୍ତୁତ )
ବିଡାନାସୀ, କଟକ, ମୋ-୯୪୩୮୧୨୫୫୨୪