ସେବାର ପରିଭାଷା
ଶ୍ରୀଶ୍ରୀଠାକୁର
“ମା’ ସମସ୍ତଙ୍କୁ ଭାତ-ଡାଲି ଚକଟି ଗୁଳାଏ ଲେଖାଁ ହାତରେ ଧରାଇ ଦେଉଥିଲେ । ଏତେ କମ୍ ଖାଇ ବି ସମସ୍ତେ ବେଶ୍ ସୁସ୍ଥ ଥିଲେ । କେତେ କାମ କରିପାରୁଥିଲେ । ଆଗଭଳିଆ କାମ ଆଉ ଏବେ ହେଉନାହିଁ । ସେତେବେଳେ ରାତିରେ କାମ ଜୋରସୋରରେ ଚାଲୁଥିଲା । ସନ୍ଧ୍ୟା ଆଗରୁ ସବୁ ଆଲୁଅ ଜଳାଇ ଦିଆଯାଉଥିଲା । ଆଲୁଅ ଜଳିବା ପରେ ସାରାରାତି କାମ ଚାଲୁଥିଲା । ସେତେବେଳେ କାହାର ଦିନରାତି ଜ୍ଞାନ ରହୁ ନ ଥିଲା । ଭୂତ ଭଳି ଖଟୁଥିଲେ, ଖାଇବା ଥିଲା ନିମିତ୍ତମାତ୍ର । ମୋର ମନେ ହୁଏ, ମନରେ ଯଦି ଇଷ୍ଟଙ୍କପାଇଁ ନିଶା ଥାଏ, ସମ୍ବେଗ ଥାଏ, ତା’ ହେଲେ ଅତି ଅଳ୍ପ ଆହାରରେ ବି ମଣିଷ ଚଳପ୍ରଚଳ ହୋଇପାରିବ, ସେଥିରେ ସେ ସୁସ୍ଥ ଓ କର୍ମଠ ରହିବ । ଆଉ, ଏଇ ନିଶାଟା ଯଦି କମିଯାଏ, ଭୋଗ କରିବା ଆଡକୁ ମନ ଚାଲିଯାଏ, ସେତେବେଳେ ଏଇ ଭୋଗର ଉପକରଣ ଯେତେ ବୃଦ୍ଧି ପାଉନା କାହିଁକି, କେଉଁଟା ଆଉ ଶରୀରରେ ଲାଗେନା, ପ୍ରକୃତ ପୁଷ୍ଟି ସରବରାହ କରେନା, ବରଂ ଆଳସ୍ୟ, ଅବସାଦ, ରୋଗ ଆଦି ହିଁ ବୃ୍ଦ୍ଧି ପାଇଥାଏ ।
ଯେଉଁମାନେ ଯେତେ ପ୍ରତ୍ୟାଶାହୀନ, ସୁନିଷ୍ଠ ଓ କର୍ମ-ମତୁଆଲ, ସେମାନେ ସେତେ ଖୁସି ହୁଅନ୍ତି । ଯେଉଁମାନଙ୍କର ପ୍ରତ୍ୟାଶା ନାହିଁ, ସେମାନେ ସାମାନ୍ୟ ପାଇଲେ ହିଁ ସେଥିରେ ମହାଖୁସି ହୋଇଉଠନ୍ତି, ନ ପାଇଲେ ବି ସେମାନଙ୍କର ଅବଶୋଷ ରହେନା । କିନ୍ତୁ ଯେଉଁମାନେ ପ୍ରତ୍ୟାଶାପୀଡିତ, ସେମାନେ କେଉଁଥିରେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ପାଇବାର ପ୍ରତ୍ୟାଶା ରଖିବା ଅପେକ୍ଷା, ଦେବାର ଆକାଂକ୍ଷା ରଖିବା ବରଂ ଭଲ । ଏଥିରେ ମଣିଷର ଯୋଗ୍ୟତା ବଢେ, ପାଇବାଟା ବରଂ ସହଜ ହୋଇଉଠେ । ଆଗେ ପରସ୍ପର ପରସ୍ପରକୁ ସେବା ଦେବାପାଇଁ ଘୂରି ବୁଲୁଥିଲେ । ଆଶ୍ରମକୁ କୌଣସି ଯାତ୍ରୀ ଆସି ଷ୍ଟିମରଘାଟ ପାଖରେ ପହଞ୍ଚିଲେ, ତା’ର ମାଲ ବୋହି ନେବାପାଇଁ ସତ୍ସଙ୍ଗୀମାନଙ୍କ ଭିତରେ ଭିଡାଓଟରା ପଡୁଥିଲା । ମୁଁ ସେତେବେଳେ କାହାର ସେବା ନେଉ ନ ଥିଲି, ବରଂ ନିଜ ହାତରେ ସମସ୍ତଙ୍କପାଇଁ ଯେତେ ସମ୍ଭବ ସେବା କରୁଥିଲି । କିନ୍ତୁ ଅନେକେ ମୋର ସେବା କରିବାର ଆଗ୍ରହ ନେଇ ଘୂରି ବୁଲୁଥିଲେ । ସୁଯୋଗ ନ ପାଇଲେ କ୍ଷୁଣ୍ଣ ହୋଇ କନ୍ଦାକଟା କରୁଥିଲେ । ତେଣୁ ଅନିଚ୍ଛା ସତ୍ତ୍ୱେ କେଉଁ କେଉଁ କ୍ଷେତ୍ରରେ ସେବା ନେବାପାଇଁ ବାଧ୍ୟ ହେଲି । ମୁଁ ଆଗରୁ ବୁଝିପାରୁ ନ ଥିଲି, ଅନ୍ୟର ସେବା ନେବା ପ୍ରୟୋଜନ ମୋର କ’ଣ?”
( ଆଲୋଚନା ପ୍ରସଙ୍ଗେ, ତା ୨୫.୩.୧୯୪୧)