ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଉଦବୋଧନ

୨୦୧୬ ମସିହାରେ ୧୦୦ ଦିନର ମହାଦୀକ୍ଷା ପରିକ୍ରମା କାଳରେ ଶ୍ରୀଶ୍ରୀଆଚାର୍ଯ୍ୟଦେବ ଓଡ଼ିଶାର ଅଧିକାଂଶ ସ୍ଥାନରେ ସତଦୀକ୍ଷାରେ ହଜାରହଜାର ଲୋକଙ୍କୁ ଅଭିମନ୍ତ୍ରିତ କରିବା ସହ ଆଶୀର୍ବଚନ ଅ‌ାଶାୟୀ ସମାଗତ ସତସଙ୍ଗୀ ଓ ସତସଙ୍ଗପ୍ରେମୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ଏହି ଉଦବୋଧନମାଳା ମଧ୍ୟରୁ ଏଠାରେ ଗୋଟିଏ ଉପସ୍ଥାପନା କରାଗଲା…

ଜୟଗୁରୁ!
ମୁଁ ଓଡ଼ିଆ କହିପାରେ ନାହିଁ। ଦୀକ୍ଷା ଦେବା ପାଇଁ ଅଳ୍ପ କିଛି ଓଡ଼ିଆ ଶିଖିଛି, କିନ୍ତୁ ମତେ ପୂରାପୂରି ଓଡ଼ିଆ ଆସେ ନାହିଁ। ତେଣୁ ମୁଁ ହିନ୍ଦୀରେ କହିବି। ଆପଣମାନେ ମୋ ଭାଷା ପ୍ରତି ଦୃଷ୍ଟି ନ ଦେଇ ମୋର ଭାବକୁ ବୁଝିବାପାଇଁ ଚେଷ୍ଟା କରନ୍ତୁ। ଭାବରୁ ହିଁ ଭାଷାର ଉତ୍ପତ୍ତି। ମୁଁ କେବଳ ହିନ୍ଦୀ ଓ ବଙ୍ଗଳାରେ ହିଁ କହିପାରେ। କେବଳ ଏହି ଦୁଇଟି ଭାଷାରେ କଥା ହେବା ମୋ ପକ୍ଷେ ସମ୍ଭବ।

ବିଦ୍ୟାର୍ଥୀଙ୍କପାଇଁ ଦୁଇଟି ଅବଶ୍ୟ ପ୍ରୟୋଜନୀୟ ଆଚରଣ: ଏକାଗ୍ରତା ଏବଂ ନିଷ୍ଠା

ସର୍ବପ୍ରଥମେ ବିଦ୍ୟାର୍ଥୀମାନଙ୍କୁ ମୋର ପରାମର୍ଶ; ଆପଣମାନେ ବିଦ୍ୟା ଆହରଣ କରନ୍ତୁ, କାରଣ ଏହାଦ୍ୱାରା ଭବିଷ୍ୟତରେ ନିଜର ଓ ନିଜ ପରିବାରର ଭରଣପୋଷଣ କରିପାରିବେ। ଯେଉଁମାନେ ବିଦ୍ୟାର୍ଥୀ ସେମାନେ ଏହି କଥା ପ୍ରତି ବିଶେଷ ଦୃଷ୍ଟି ଦେବେ। ବିଦ୍ୟାର୍ଥୀମାନେ ଦୁଇଟି ଜିନିଷ ଉପରେ ଗୁରୁତ୍ୱ ଦେବେ- ଗୋଟିଏ ହେଉଛି ଏକାଗ୍ରତା ଏବଂ ଦ୍ୱିତୀୟଟି ନିଷ୍ଠା। ଧରନ୍ତୁ କୌଣସି ବିଦ୍ୟା ଆପଣ ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ ତା’ର ପରିଣତି ଭାବି ଦେଖନ୍ତୁ। ଧରନ୍ତୁ ଆପଣଙ୍କୁ ଖେଳାଖେଳିରେ ସମୟ ନଷ୍ଟ କରିବାପାଇଁ ଭଲ ଲାଗୁଛି, ତେବେ ତା’ଦ୍ୱାରା ଭବିଷ୍ୟତରେ ଆପଣମାନଙ୍କୁ କୌଣସି ଅସୁବିଧା ହେବନି ତ, ଆପଣଙ୍କୁ ଆପଣଙ୍କର ପରିବାର ଚଳାଇବା କଷ୍ଟକର ହେବ ନାହିଁ ତ, ସେ କଥା ଭାବନ୍ତୁ। ଯଦି ଆପଣମାନେ ଖେଳକୁ ଭବିଷ୍ୟତରେ ଅର୍ଥ ଉପାର୍ଜନର ଏକ ମାଧ୍ୟମ କରିବାପାଇଁ ଇଚ୍ଛୁକ, ତେବେ କଠିନ ପରିଶ୍ରମ କରିବାପାଇଁ ପ୍ରସ୍ତୁତ ଥାଆନ୍ତୁ। ଏହା ମୋର ପରାମର୍ଶ। ଆଉ ଯେଉଁମାନେ ଅଯଥା ବୁଲାବୁଲି କରି ସମୟ ନଷ୍ଟ କରୁଛନ୍ତି ସେମାନେ ସେପରି ନିଶ୍ଚୟ କରନ୍ତୁ, ଯେପର୍ଯ୍ୟନ୍ତ ତାଙ୍କ ମା’ବାପାଙ୍କ ‘ଫ୍ରି କ୍ୟାଣ୍ଟିନ୍’ ଚାଲିଛି। ସେପର୍ଯ୍ୟନ୍ତ କେହି ବି ଏହା କରିପାରିବେ। କିନ୍ତୁ ଏପରିଭାବେ ସମୟ ନଷ୍ଟ କଲେ ଭବିଷ୍ୟତରେ ସେମାନେ ନିଜର ଓ ନିଜ ପରିବାରର ପେଟ ପୋଷିବାରେ ସକ୍ଷମ ହେବେନାହିଁ। ଆପଣମାନେ ଏପରି କିଛି ବିଦ୍ୟା ଅର୍ଜନ କରନ୍ତୁ ଯାହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ସଂସାର ଚଳାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ। ଆଉ ଏଇଥିପାଇଁ ଏଇ ଦୁଇଟି ଜିନିଷ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ‘ଏକାଗ୍ରତା’ ଆସେ ଆନନ୍ଦରୁ ଏବଂ ‘ନିଷ୍ଠା’ ମାନେ ଲାଗି ରହିବା। ବଙ୍ଗଳାରେ ଠାକୁର କହିଛନ୍ତି- “ନିଃଶେଷେ ଲେଗେ ଥାକା”, ଅର୍ଥାତ୍ ନିଃଶେଷ ହେବା ପର୍ଯ୍ୟନ୍ତ ଲାଗି ରହିବା ।

ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଉପର ମହଲାକୁ ଯିବା

ଆଉ ଗୋଟିଏ କଥା, ଯେଉଁମାନେ ଚାକିରିବାକିରି କରିଛନ୍ତି ସେମାନଙ୍କୁ ମୋର ପରାମର୍ଶ- ଯେମିତି ଆମେ ଡିଆଁମାରି ଗୋଟିଏ ମହଲାରୁ ଦ୍ୱିତୀୟ ମହଲାରେ ପହଞ୍ଚିପାରିବାନି, ସେଥିପାଇଁ ଆମକୁ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଉପର ମହଲାକୁ ଯିବାକୁ ପଡ଼ିବ ଏବଂ ଯେଉଁ ସିଡ଼ି ଆମେ ବ୍ୟବହାର କରିବା, ତାହା ହୁଏତ ଆମ ପସନ୍ଦର ନ ହୋଇପାରେ। ଧରନ୍ତୁ ମୁଁ ଏମ୍ଏ ପାସ୍ କରିଛି, କିନ୍ତୁ ମୋତେ ଗୋଟିଏ ସିକ୍ୟୁରିଟି କମ୍ପାନୀରେ ଚାକିରି ମିଳୁଛି। ତଥାପି ମୁଁ ତାହା କାହିଁକି ହାତଛଡ଼ା କରିବି? ମୁଁ ସେହି ସିଡ଼ିରେ ପାଦଦେଇ ଦୂରତାକୁ ଅତିକ୍ରମ କରି ଗୋଟିଏ ମହଲା ଅତିକ୍ରମ କରି ଦ୍ୱିତୀୟ ମହଲାରେ ପହଞ୍ଚିବା ମୋର ଲକ୍ଷ୍ୟ ହେବ ଏବଂ ଏମିତି କରି ମୁଁ କ୍ରମଶଃ ଆଗକୁ ବଢ଼ିବି। ତେଣୁ ଯେଉଁମାନେ ଚାକିରି ଖୋଜାଖୋଜି କରୁଛନ୍ତି ବା କରିବେ ସେମାନଙ୍କୁ ମୋର ପରାମର୍ଶ ସେମାନେ ଗୋଟିଏ ପରେ ଗୋଟିଏ ପାହାଚ ଡେଇଁ ଆଗକୁ ବଢ଼ନ୍ତୁ, ସେ ସିଡ଼ି ପସନ୍ଦର ହେଉ ବା ନ ହେଉ, ଲକ୍ଷ୍ୟ ରହୁ କ୍ରମଶଃ ଆଗକୁ ବଢ଼ିବା।

 ଯେଉଁ ପାତ୍ରରେ ଆଗରୁ ଛିଦ୍ର ହୋଇଯାଇଛି ସେଥିରେ ପାଣି ଢାଳନ୍ତୁ ନାହିଁ

ଯେଉଁମାନେ ବ୍ୟବସାୟୀ, ସେମାନେ ବ୍ୟବସାୟର ପଞ୍ଚନୀତି ପାଳନ କରନ୍ତୁ। ଠାକୁରଙ୍କଦ୍ୱାରା ଦିଆଯାଇଥିବା ବ୍ୟବସାୟ ପଞ୍ଚନୀତିକୁ ଠିକ୍ ଭାବରେ ପାଳନ କରନ୍ତୁ। ତାହାଦ୍ୱାରା କ’ଣ ହେବ- ଯେଉଁ ବ୍ୟବସାୟରେ ଆମେ ଅର୍ଥ ନିବେଶ କରିଛୁ ଯଦି ସେହି ନିବେଶରୁ ବା ଶହେରୁ ଦୁଇଶହ ପ୍ରତିଶତ ଅର୍ଥ ଆମେ ଫେରସ୍ତ ପାଇଛୁ, ତେବେ ଆମେ ଜାଣିବା ବ୍ୟବସାୟର ପଞ୍ଚନୀତି ଠିକ୍ ଭାବେ ପାଳନ ହେଉଛି। ଆଉ ଯଦି ଏହାଠୁ ଆମେ କମ୍ ପାଉଛୁ ତେବେ ଜାଣିରଖିବା ଯେ ବ୍ୟବସାୟ ଚୌପଟ ହେବା ଉପରେ। ଆପଣ ବ୍ୟବସାୟ ବନ୍ଦ କରିଦିଅନ୍ତୁ। ବ୍ୟବସାୟରେ କେଉଁ କାରଣରୁ କ୍ଷତି ହେଉଛି, ପ୍ରଥମେ ତା’ର ଅନୁସନ୍ଧାନ କରନ୍ତୁ। ପ୍ରଥମେ ସେହି କାରଣଗୁଡ଼ିକୁ ଦୂର କରିବାପାଇଁ ଚେଷ୍ଟା କରନ୍ତୁ। କିନ୍ତୁ କ୍ଷତି ସହିବା ସତ୍ତ୍ୱେ ଆପଣ ଯଦି ପୁନଃ ସେହି ପାତ୍ରରେ ପାଣି ଢାଳିବେ ଯେଉଁଥିରେ ଆଗରୁ ଛିଦ୍ର ହୋଇଯାଇଛି, ତେବେ ଆପଣ ଏତେ ଋଣରେ ବୁଡ଼ିଯିବେ ଯେ ଆପଣଙ୍କୁ ନିଜ ଘରଦ୍ୱାର ତଥା ପୈତୃକ ସମ୍ପତ୍ତି ହରେଇ ବସିବାକୁ ପଡ଼ିବ। ଋଣରେ ବୁଡ଼ି ଆପଣଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯିବ। ଆପଣଙ୍କ ପରିବାରର ସଦସ୍ୟମାନେ ମୁଣ୍ଡ ନୁଆଁଇ ସମାଜରେ ଚାଲିବାପାଇଁ ବାଧ୍ୟ ହେବେ। ବ୍ୟବସାୟରେ ନଷ୍ଟ ହେବା ସତ୍ତ୍ୱେ ଆପଣ ଯଦି ସେଥିରେ ନିବେଶ କରୁଥିବେ, ତେବେ ଏହିପରି ଖରାପ ପରିସ୍ଥିତି ଦେଇ ଆପଣଙ୍କୁ ଗତି କରିବାକୁ ପଡ଼ିବ।

କର୍ମମାଧ୍ୟମରେ ହିଁ ସମାଜରେ ପ୍ରତିଷ୍ଠା ସମ୍ଭବ

ଏବେ କଥା ହେବା ମା’ବାପାଙ୍କ ବିଷୟରେ। ଯଦି ମା’ବାପା ନିଜ ପୁଅଝିଅଙ୍କ ବିବାହ ବିଷୟ ନେଇ ଚିନ୍ତିତ ସେମାନଙ୍କୁ ମୋର ପରାମର୍ଶ, ଯଦି ଝିଅଟିଏ ଅଛି, ତେବେ ପ୍ରଥମେ ତାକୁ ଶୃଙ୍ଗାର ଶିଖାନ୍ତୁ। ଶୃଙ୍ଗାର ମାନେ କେବଳ ରୂପସଜ୍ଜା ନୁହେଁ, ବରଂ ନିଜକୁ ଉପସ୍ଥାପନା କରିବାର ଶୈଳୀ। କିଭଳି ପରିସ୍ଥିତି ଓ ପରିବେଶରେ ଆମକୁ କିପରି ଚଳିବାକୁ ହେବ, କିପରି ଆଚରଣ କରିବାକୁ ହେବ, ଆମର କଥାବାର୍ତ୍ତା, ବ୍ୟବହାର ତଥା ସମୁଦାୟ ଅଭିବ୍ୟକ୍ତିର ମାଧ୍ୟମ ହିଁ ଶୃଙ୍ଗାର। ପୁଅଟିଏ ଥିଲେ ତାକୁ କର୍ମପରାୟଣ ହେବା ଶିଖାନ୍ତୁ। ତାକୁ କହନ୍ତୁ- କର୍ମ ହିଁ ତା’ର ପରିଚୟ। କେବଳ କର୍ମମାଧ୍ୟମରେ ହିଁ ସମାଜରେ ତା’ର ପ୍ରତିଷ୍ଠା ହେବ, ତେଣୁ ନିଜର କର୍ମ ସର୍ବଦା ଭଲ ଭାବେ କରିବା ଉଚିତ। ଏହାପରେ ନିଜର ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ, ସ୍ୱଜାତିର ଲୋକ ତଥା ଶୁଭାକାଂକ୍ଷୀଙ୍କୁ ବିବାହ ବିଷୟରେ ଅବଗତ କରାନ୍ତୁ। ଭଲ ପ୍ରସ୍ତାବଟିଏ ନିଶ୍ଚୟ ମିଳିବ।

ଖୁସି ରହିଲେ ରୋଗ କେବେ ହେଲେ ଆପଣଙ୍କ ପାଖ ମାଡ଼ିପାରିବ ନାହିଁ

ଯେଉଁମାନେ ରୋଗୀ, ସେମାନଙ୍କୁ ମୁଁ ଗୋଟିଏ କଥା କହିବାପାଇଁ ଚାହେଁ। ପ୍ରାୟ ସବୁ ଜାଗାରେ ମୁଁ ଏହା କହୁଛି। ଆଶ୍ରମରେ ରହୁଥିବା ଜଣେ ଭାଇଙ୍କର ସାତ/ଆଠ ବର୍ଷର ପୁଅର ହଠାତ୍ ଥରେ ଦେହ ଖରାପ ହେଲା। ସେ ବହୁଦିନ ଧରି ତା’ର ଚିକିତ୍ସା କଲା, ମାତ୍ର ପିଲାଟି ସୁସ୍ଥ ହୋଇ ଉଠୁ ନ ଥିଲା। ଦିନେ ସେ ମୋ ପାଖକୁ ଆସି ଖୁବ୍ ଦୁଃଖିତ ହୋଇ କହିଲା, “ମୋ ପୁଅ ହଠାତ୍ ଅସୁସ୍ଥ ହୋଇପଡ଼ିଛି। ବିଛଣାରୁ ଉଠିପାରୁନି। ଚାଲବୁଲ କରିପାରୁନି। ବହୁ ଚିକିତ୍ସା କଲାପରେ ମଧ୍ୟ କିଛି ପ୍ରଭାବ ହେଉନାହିଁ। ମୁଁ ସେତେବେଳେ ମୋ ଭାଇ ବିଙ୍କିର ଅଫିସରେ ବସିଥିଲି। ତାକୁ କହିଲି- ‘ଏଇ! କମ୍ପ୍ୟୁଟର ଖୋଲ୍, ଆଉ ଦେଖ୍ ତ ଏହି ରୋଗ ବିଷୟରେ କ’ଣ ଲେଖା ହୋଇଛି । ଇଣ୍ଟରନେଟରେ ଦେଖିଲା ପରେ ଜଣାପଡ଼ିଲା ଯେ ଯେଉଁ ରୋଗରେ ଛୁଆଟି ଆକ୍ରାନ୍ତ, ତା’ର ଏଲୋପାଥିରେ ଚିକିତ୍ସା ସମ୍ଭବ ନୁହେଁ। ତେବେ ମୁଁ ତାକୁ ଭୁବନେଶ୍ୱରରେ ରହୁଥିବା ଆୟୁର୍ବେଦିକ ଅଧ୍ୟାପନ ରବିଭାଇଙ୍କ ସଙ୍ଗରେ ଯୋଗାଯୋଗ କରିବାପାଇଁ କହିଲି। ରବିଭାଇ ଯଥାଶୀଘ୍ର ଚିକିତ୍ସା ସମ୍ବନ୍ଧୀୟ ଏକ ଆୟୁର୍ବେଦିକ ଔଷଧର ନାଁ କହିଲେ, ଯାହା ଦେଓଘର ମାର୍କେଟରେ ଅତି ସହଜରେ ମିଳିଗଲା। ସେହି ସାଧାରଣ ଔଷଧଟି ଯେତେବେଳେ ପିଲାଟିକୁ ଦିଆଗଲା ସପ୍ତାହକ ମଧ୍ୟରେ ପିଲାଟି ସୁସ୍ଥ ହୋଇ ଦୌଡ଼ିବାକୁ ଲାଗିଲା। ତେଣୁ ଦେଖାଗଲା ଇଣ୍ଟରନେଟ୍ ରୋଗ ବିଷୟରେ ନିର୍ଣ୍ଣୟ ନେଲା। ମୁଁ କେବଳ ଯନ୍ତ୍ରଟିକୁ ଚଲେଇବାପାଇଁ ନିର୍ଦ୍ଦେଶ ଦେଲି, ବାକି କାମ ଇଣ୍ଟରନେଟ୍ ଜରିଆରେ ସମ୍ଭବ ହୋଇପାରିଲା। ତେବେ ଘରର ବୟୋଜ୍ୟେଷ୍ଠ ଲୋକ ଏହି ଯନ୍ତ୍ରର ବ୍ୟବହାର ଜାଣନ୍ତି ନାହିଁ। କିନ୍ତୁ ଛୋଟ ଛୋଟ ପିଲାମାନେ କମ୍ପ୍ୟୁଟର, ମୋବାଇଲ୍ ଭଳି ଯନ୍ତ୍ର ଖୁବ୍ ସହଜରେ ଚଲାଇପାରନ୍ତି। ତେଣୁ ସେମାନଙ୍କର ସାହାଯ୍ୟ ନେବା ଉଚିତ। ରୋଗଟି କ’ଣ, ରୋଗ ସମୟରେ କେଉଁ କଥା କରିବା ଉଚିତ ଏବଂ କେଉଁ କଥା ନିଷେଧ, ଏସବୁ ବିଷୟ ସମ୍ପୂର୍ଣ୍ଣଭାବରେ ଅବଗତ ହୋଇ ରୋଗସମ୍ପର୍କୀୟ ଚିକିତ୍ସକର ଅନୁସନ୍ଧାନ କରନ୍ତୁ ଏବଂ ତାଙ୍କର ନିର୍ଦ୍ଦେଶ ଅନୁଯାୟୀ ଠିକ୍ ଭାବେ ନିଜ ଚିିକିତ୍ସା କରନ୍ତୁ। ଶେଷରେ ମୁଁ ଆଉ ଗୋଟିଏ କଥା କହିବି- ସବୁବେଳେ ଆନନ୍ଦରେ ରହିବାପାଇଁ ଚେଷ୍ଟା କରନ୍ତୁ। ଖୁସି ରହିଲେ ରୋଗ କେବେହେଲେ ଆପଣଙ୍କ ପାଖ ମାଡ଼ିପାରିବ ନାହିଁ।

ପ୍ରେମରେ ସ୍ୱାର୍ଥ କିମ୍ବା ସର୍ତ୍ତର ତିଳେ ମାତ୍ର ସ୍ଥାନ ନାହିଁ 

କାହିଁକି ଆମେ ଆନନ୍ଦରେ ରହିବାପାଇଁ ଚେଷ୍ଟା କରିବା? ଠାକୁର କହିଛନ୍ତି – “ସତ୍ତା ସଚ୍ଚିଦାନନ୍ଦମୟ”। ସତ୍ତା ମାନେ ‘ଅସ୍ତିତ୍ୱ’ । ଯେତେ ଲୋକ ଏଠାରେ ବସିଛନ୍ତି, ସମସ୍ତେ ଆନନ୍ଦରେ ରହିବାପାଇଁ ଚାହାନ୍ତି। କିନ୍ତୁ ଆନନ୍ଦରେ ରହିବାର ଉପାୟ ଆମେ ଖୋଜି ପାରୁନାହୁଁ। ଆମେମାନେ ଏକଦମ୍ ନିରୁପାୟ ହୋଇଯାଉ, ମନରୁ ଆଶା ଲିଭିଯାଏ। ଘରର ତଥା ବାହାରର ପରିସ୍ଥିତି ବେଳେବେଳେ ଏଭଳି ହୋଇଯାଏ ଯେ ଆମେ ମାନସିକ ଚାପରେ ଆସିଯାଉ। ଘରେ ସ୍ୱାମୀ, ସ୍ତ୍ରୀ, ପୁଅଝିଅ ସମସ୍ତଙ୍କର କିଛି ନା କିଛି ଆବଶ୍ୟକତା ଲାଗି ରହିଥାଏ। ଆମର ଦୁଇଜଣ କର୍ମୀଙ୍କ ଭିତରେ ସେତେବେଳେ ଝଗଡ଼ା ହୁଏ, ଯେତେବେଳେ ଦୁଇଜଣଙ୍କ ପାଖରେ ଠାକୁର ନ ଥାନ୍ତି। ଜଣଙ୍କ ପାଖରେ ବି ଠାକୁର ରହିଲେ ଝଗଡ଼ା ହେବନାହିଁ। ଦୁଇଜଣଙ୍କ ଭିତରେ ଯଦି କଳି ଲାଗିଛି ତେବେ ଏହା ସ୍ପଷ୍ଟ ଯେ ଉଭୟଙ୍କ ପାଖରେ ଠାକୁର ନାହାନ୍ତି। ଏହାହିଁ ପରିଚୟ। ଏହି କଥା ମୋର ନୁହେଁ, ଠାକୁରଙ୍କର କଥା। ଏହା ଠାକୁର ଦେଇଥିବା ବାଣୀରୁ ଉଦ୍ଧୃତ। ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ, କାରଣ ସେମାନଙ୍କ ହୃଦୟ ପରସ୍ପରଠୁ ଦୂରେଇ ଯାଇଛି। ସେମାନଙ୍କ ମଧ୍ୟରେ ଥିବା ପ୍ରେମ ଲିଭିଯାଇଛି। ଆମେ ସମସ୍ତେ ସଂସାରରେ ଯେଉଁ କାର୍ଯ୍ୟ କରୁ ତା’ ପଛରେ ଥାଏ ଆମର ସ୍ୱାର୍ଥ। ଆମ ଆବଶ୍ୟକତାର ସୂଚୀ ଅସରନ୍ତି। ଆଉ ଯେତେବେଳେ ଆମ ସ୍ୱାର୍ଥ ପୂରଣ ହୁଏ, ସେତେବେଳେ ଆମେ କୃତଜ୍ଞତା ବ୍ୟକ୍ତ କରୁ, ଯାହାକୁ ଇଂରାଜୀ ଭାଷାରେ କୁହାଯାଏ ‘ଥ୍ୟାଙ୍କ ୟୁ’। ଏଇ ‘ଥ୍ୟାଙ୍କ୍ସ ଗିଭିଙ୍ଗ୍’ର ପ୍ରକ୍ରିୟା ସବୁ ସମ୍ପର୍କରେ ଦେଖିବାକୁ ମିଳେ। ସ୍ୱାମୀ ସ୍ତ୍ରୀ ପାଇଁ କିଛି କଲେ, ସ୍ତ୍ରୀ ଖୁସି ହୋଇଯାଏ। ସ୍ୱାମୀର ଯେପରି ଦରକାର ସ୍ତ୍ରୀ ସେହି ଅନୁରୂପ କାମଟି କଲା, ତେବେ ସ୍ୱାମୀ ଖୁସି ହୋଇଯାଏ। ଉଭୟ ଭାବନ୍ତି ପରସ୍ପର ଭିତରେ ଖୁବ୍ ଭଲପାଇବା ରହିଛି, ମାତ୍ର ତାହା ହେଲା ‘ଥ୍ୟାଙ୍କ୍ ୟୁ’। ପୁଅ ବାପାଙ୍କର ଅବସ୍ଥା ନ ବୁଝି ବାଇକଟିଏ ପାଇଁ କହିଲା । ବାପା ମଧ୍ୟ ବହୁ କଷ୍ଟ କରି ପୁଅକୁ ବାଇକଟିଏ ଦେଲେ। ବଦଳରେ ପୁଅଟି ଖୁବ୍ ଖୁସି ହୋଇ ବାପାଙ୍କ ସଂଗେ ଭଲ ବ୍ୟବହାର କଲା। ଏଇଟା କିନ୍ତୁ ଭଲପାଇବା ନୁହେଁ, ବରଂ ‘ଥ୍ୟାଙ୍କ୍ ୟୁ’। ଝିଅଟି ନୂଆ ସୁଟ୍ ପାଇଁ ଜିଦ୍ କଲା। ବାପା ମା’ ମଧ୍ୟ ତାକୁ ଯୋଗେଇଦେଲେ। ସେ ଖୁସି ହୋଇ କୃତଜ୍ଞତା ବ୍ୟକ୍ତ କଲା। ବାପାମା’ ଭାବିଲେ ଝିଅଟି ସେମାନଙ୍କୁ ଖୁବ୍ ଭଲପାଏ। କିନ୍ତୁ ନିଶ୍ଚିତ ରହନ୍ତୁ ସେଇଟା ଭଲ ପାଇବା ନୁହେଁ, ବରଂ ‘ଥ୍ୟାଙ୍କ୍ ୟୁ’। ପ୍ରେମ ବା ଭଲ ପାଇବା ସେଇଠି ପ୍ରକାଶ ପାଏ, ଯେଉଁଠି ସ୍ୱାର୍ଥର କୌଣସି ଛାପ ମଧ୍ୟ ନ ଥାଏ। ସ୍ତ୍ରୀ ମତେ ରୋଷେଇ କରି ଦେଉନାହିଁ। ତଥାପି ମୁଁ ତାକୁ ଭଲପାଏ। ସ୍ୱାମୀ ମୋତେ ଭଲ ପାଏ ନାହିଁ, ତଥାପି ମୁଁ ତାଙ୍କୁ ଭଲପାଏ। ବାପା ମୋପାଇଁ କିଛି ଆଣି ଦେଉନାହାନ୍ତି, ମୋର ଯତ୍ନ ନେଉନାହାନ୍ତି। ତଥାପି ମୁଁ ତାଙ୍କୁ ଭଲପାଏ। ମା’ ମୋତେ ନୂଆ ସୁଟ୍ ଆଣି ଦିଅନ୍ତି ନାହିଁ, ତଥାପି ମୁଁ ମା’କୁ ଭଲପାଏ। ଏହାକୁ ହିଁ କହନ୍ତି ପ୍ରକୃତ ଭଲପାଇବା ବା ପ୍ରେମ। ପ୍ରେମରେ ସ୍ୱାର୍ଥ କିମ୍ବା ସର୍ତ୍ତର ତିଳେ ମାତ୍ର ସ୍ଥାନ ନାହିଁ। ଯଦି ସମ୍ପର୍କଭିତରେ ସ୍ୱାର୍ଥ ଓ ସର୍ତ୍ତ, ଏ ଦୁଇଟି ଜିନିଷ ରହିଛି ତେବେ ସେଠାରେ ପ୍ରେମର ସ୍ଥାନ ନାହିଁ।

ନିଜ ତିଆରି ଯନ୍ତାରୂପୀ ସଂସାରରେ ଆବଦ୍ଧ ହୋଇ ଶେଷରେ ମୃତ୍ୟୁବରଣ କରନାହିଁ

ଘରେ ଆମେ ପିଲାଙ୍କୁ କ’ଣ ଶିକ୍ଷା ଦେଉ। ପୁଅ କେବେହେଲେ ମିଛ କହିବୁ ନାହିଁ। ବହିରେ ମଧ୍ୟ ଲେଖା ହୋଇଛି- ମିଛ କହିବା ଭଲ ନୁହେଁ। କିନ୍ତୁ ଯେତେବେଳେ କେହି ଆମକୁ ଘରେ ଖୋଜି ଆସେ ଯାହାଠୁ ଆମେ ଟଙ୍କା ଧାର ନେଇଥାଉ, ଆମେ କ’ଣ କରୁ? ପିଲାଟିକୁ କହୁ- ଯା’ ତ କହିଦେବୁ ବାପା ଘରେ ନାହାନ୍ତି। ମା’ କ’ଣ ପିଲାଙ୍କୁ ଶିଖାଏ, ବାପା ଆମ ଘରେ ବଡ଼, ଗୁରୁଜନ, ତାଙ୍କ କଥା ସଦାବେଳେ ଶୁଣିବୁ। କିନ୍ତୁ ରାତିରେ ପିଲାଟି ଦେଖେ ସେଇ ମା’ ବାପାଙ୍କ ସାଙ୍ଗରେ କଳି କରୁଛି। ତେବେ ପିଲାଟି ଶିଖିଲା କ’ଣ- ଭୁଲ୍ କାମ କରିବା କଥା ଏବଂ ଭଲ କାମ ଶୁଣିବା କଥା। ପିଲାଟିର ବୋଧ ଭିତରେ ରହିଲା- ଖରାପ ବା ଭୁଲ୍ କାମ କର ଏବଂ ଭଲ କଥା ଶୁଣ। ଆମେ ଆମ ପିଲାଙ୍କୁ ବଡ଼ ବଡ଼ ସ୍କୁଲ୍, କଲେଜକୁ ପଠାଉ। ମନେମନେ ଗର୍ବ କରୁ ପିଲାକୁ ଆମେ ବହୁତ ଭଲ କଥା ଶିଖାଉଛୁ। ମାତ୍ର ଅସଲରେ ପିଲାଟି ହେଲା କ’ଣ- ପାଷାଣ୍ଡ ବା ଭଣ୍ଡ। ପିଲାଟିକୁ ଆମେ ଏକ ସୋ ପିସ୍ ଭଣ୍ଡ ଭାବେ ତିଆରି କଲୁ। କାରଣ ସେ ବାହାର ଜଗତକୁ ଯାଇ ପ୍ରଥମେ ଆବର୍ଜନା ଉପରେ ବସେ। ଛୋଟବେଳୁ ସେ ପ୍ରଥମେ ଗାଳିଗୁଲଜ, ଖରାପ ଭାଷା ଶିଖିଲା, ଖରାପ ଅଭ୍ୟାସ ଶିଖିଲା ଏବଂ ଶେଷରେ ନିଶାଖୋର ମଧ୍ୟ ପାଲଟିଗଲା। ଭବିଷ୍ୟତରେ ପିଲାଟି ଏତେ ଅହଂକାରୀ, ଏତେ ଚରିତ୍ରହୀନ ହୋଇଯାଏ ଯେ ତା’ ସଙ୍ଗରେ ରହିବା ଗୋଟିଏ ଝିଅପାଇଁ କଷ୍ଟକର ହୋଇପଡ଼େ। ଆଉ ଏହିପରି ଏକ ରାକ୍ଷସକୁ ଜନ୍ମ କରିବାର ଭୁଲ୍ ଆମେ କରିଛୁ। ପରିସ୍ଥିତି ଅତି ବିଷମ ହୋଇପଡ଼େ। କିନ୍ତୁ ଆମେ ମନେମନେ ଭାବୁ ଖୁବ୍ ସୁନ୍ଦର ସଂସାର ଗଢ଼ିଛୁ। ମାତ୍ର ସଂସାରର ରୂପରେଖ ଠିକ୍ ତା’ର ଓଲଟା ହୋଇଯାଇଥାଏ ଏବଂ ଆମେମାନେ ରେଶମ ପୋକ ଭଳି ନିଜ ତିଆରି କୋଷରେ ଧୀରେ ଧୀରେ ଫସିଯାଉ। ରେଶମ ପୋକ ଯେପରି ନିଜପାଇଁ ଘର ତିଆରି କରି ସେଥିରୁ ମୁକୁଳି ନ ପାରି ଶେଷରେ ସେଇ କୋଷ ଭିତରେ ହିଁ ମରିଯାଏ, ଠିକ୍ ସେହିପରି ଆମେମାନେ ମଧ୍ୟ ନିଜ ତିଆରି ଯନ୍ତାରୂପୀ ସଂସାରରେ ଆବଦ୍ଧ ହୋଇ ଶେଷରେ ମୃତ୍ୟୁବରଣ କରୁ। ପରସ୍ପର ଭିତରେ କୌଣସି ପ୍ରେମ ନାହିଁ, କୌଣସି ଭାବନା ନାହିଁ। ଘରେ ଯେତେବେଳେ ଚାରିଜଣ ମଣିଷ ଗୋଟିଏ ଛାତତଳେ ବସବାସ କରନ୍ତି ତେବେ ହୃଦୟ ଖୋଲି କଥାବାର୍ତ୍ତା ହେବା ଦରକାର। କିନ୍ତୁ ଦେଖାଯାଏ, କଥା ହେବା ମାତ୍ରେ କଳି ସୃଷ୍ଟି ହୋଇଯାଏ। ଭାଇ ଭାଇ ଭିତରେ କଳି, ବାପା-ମା’ଙ୍କ ଭିତରେ କଳି, ମା’-ପୁଅ ଓ ବାପା- ଝିଅ ଭିତରେ ପାଟିତୁଣ୍ଡ ହୁଏ। କେହି ଯଦି ଆମକୁ ତା’ର ହୃଦୟର କଥା କହୁଛି ତାକୁ ଶୁଣିବାର ଧୈର୍ଯ୍ୟ ଆମ ପାଖରେ ନାହିଁ। ଅନ୍ୟ ଲୋକର କଥା ଧୈର୍ଯ୍ୟର ସହିତ ଶୁଣି ତାକୁ ହଜମ କରିବାର କ୍ଷମତା ରହିବା ଦରକାର।

ଦୀକ୍ଷା ନେଇ ବସିରହିଲେ କିଛି ପ୍ରାପ୍ତି ହେବନାହିଁ, ସେହି ଅନୁଯାୟୀ କର୍ମ କରିବାକୁ ପଡ଼ିବ

ଦେଖାଯାଏ ବାଲ୍ଟିରେ ଥିବା ପାଣିରେ ଯଦି ଗୋଡ଼ିଟିଏ ଫିଙ୍ଗାଯାଏ ତେବେ ସେଥିରେ ତରଙ୍ଗ ଉଠେ। ମାତ୍ର ସେହି ଗୋଡ଼ିଟିକୁ ଯଦି ସମୁଦ୍ରରେ ଫିଙ୍ଗାଯାଏ ତେବେ ସେଥିରୁ ସୃଷ୍ଟ ତରଙ୍ଗ ସମୁଦ୍ରପାଣିରେ ମିଶିଯାଏ। ଅର୍ଥାତ୍ ଆମେ ଯଦି ମନକୁ ପ୍ରସାରିତ କରିବା ତେବେ ବାହାରର ଯେଉଁ ସାମାଜିକ ଦ୍ୱନ୍ଦ୍ୱର ଆମେ ସାମ୍ନା କରିବା, ସେସବୁକୁ ଆମେ ସହଜରେ ହଜମ କରିପାରିବା। ପ୍ରତିକୂଳ ପରିସ୍ଥିତିକୁ କିପରି ଆମେ ସାମନା କରିବା, କିପରି ହଜମ କରିବା, ସେ ସବୁର କ୍ଷମତା ଆମ ଭିତରେ ଥିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ସାଂସାରିକ ବା ସାମାଜିକ ଆବର୍ଜନାର ସାମନା କିପରି ଭାବେ କରିବା, ତାହା ଜାଣିରଖିବା ନିହାତି ଆବଶ୍ୟକ। ପୁଅ ନିଶା ଖାଇ ଘରକୁ ଯେତେବେଳେ ଫେରେ ସେତେବେଳେ ବାପା ରାଗି ତାକୁ ଗାଳିଗୁଲଜ କରେ। ମାତ୍ର କ’ଣ କଲେ ପିଲାଟିର ଚରିତ୍ରରେ ସଂଶୋଧନ ହେବ ତା’ର ଉପାୟ ସେ ଚିନ୍ତା କରେନା। ଝିଅଟି ଯଦି କହେ ମୁଁ ଅମୁକ ପିଲାକୁ ଭଲପାଉଛି। ବାପ ତା’ ଗାଲରେ ଦୁଇତିନି ଚାପୁଡ଼ା ମାରି ତାକୁ ଘରେ ବସେଇ ଦିଏ, କଲେଜ ଛାଡ଼େନା, କିନ୍ତୁ ସେ ଜାଣିପାରେନା ଯେ କିପରି ଏ ସମସ୍ୟାର ସମାଧାନ ହେବ। ଆମ ସଂସାରର, ସମାଜର ଚିତ୍ର ଏହିପରି।

ଏହିସବୁ ପରିସ୍ଥିତିରୁ ଆମେ କିପରି ମୁକୁଳିବା ତାହା ମଧ୍ୟ ଆମକୁ ଜଣା। କାରଣ ଆମେ ସମସ୍ତେ ଦୀକ୍ଷିତ। ଆମେ ଦୀକ୍ଷା ଗ୍ରହଣ କରିଛେ ଏପରି ଜଣେ ଗୁରୁଙ୍କଠାରୁ ଯିଏ ଆମକୁ କାଦୁଅରେ ପଡ଼ିଲେ ଉଠି ଚାଲିବା ଶିଖେଇଛନ୍ତି, ପାଣିରେ ବୁଡ଼ିଗଲେ ପହଁରିବା ଶିଖେଇଛନ୍ତି। ମାତ୍ର ଆମକୁ ହାତଗୋଡ଼ ହଲେଇବାପାଇଁ ପଡ଼ିବ। ଗୋଟିଏ ଗୋଟିଏ ପାଦ ରଖି ଚାଲିବାକୁ ହେବ। ଆମେ ହାତପଙ୍ଖା ନେଇ ବର୍ଷ ବର୍ଷ ଧରି ବସି ରହିବା, ଯଦି ନିଜ ହାତ ହଲେଇ ପଙ୍ଖା ନ କରିବା, ତେବେ କେବେହେଲେ ପବନ ପାଇବା ନାହିଁ। ଠିକ୍ ସେହିପରି ଦୀକ୍ଷା ନେଇ ବସିରହିବା, ତା’ହେଲେ କିଛି ପ୍ରାପ୍ତି ହେବ ନାହିଁ । କେବଳ ଶୂନ୍ୟ ହୋଇ ରହିଯିବା। ତେଣୁ ଦୀକ୍ଷା ନେଇ ଆମକୁ ସେହି ଅନୁଯାୟୀ କର୍ମ କରିବାକୁ ପଡ଼ିବ।

ଆମେ ଯାହାଙ୍କୁ ଗୁରୁଭାବେ ଗ୍ରହଣ କରିଛେ ସର୍ବପ୍ରଥମେ ତାଙ୍କ କଥା ଭାବିବାକୁ ହେବ।

ଆମେ ନିଜକୁ କ’ଣ କହୁ? ମନୁଷ୍ୟ। ଗାଈ, ଛେଳି, ଗଧ ଯେପରି ଜୀବ ଆମେମାନେ ମଧ୍ୟ ସେଇଭଳି ଜୀବ । କିନ୍ତୁ ଜୀବଜନ୍ତୁ ଏବଂ ମନୁଷ୍ୟ ମଧ୍ୟରେ ପାର୍ଥକ୍ୟ କେଉଁଠି? ଜୀବଜନ୍ତୁଙ୍କର ତିନିଟି ପ୍ରୟୋଜନ ଥାଏ- ଆହାର, ନିଦ୍ରା ଏବଂ ମୈଥୁନ। ଏହି ତିନିଟି ଜିନିଷ ବ୍ୟତୀତ ସେମାନେ ଆଉ କିଛି ଜାଣନ୍ତି ନାହିଁ। କିନ୍ତୁ ମଣିଷ ଏହାଠାରୁ ବହୁ ଊର୍ଦ୍ଧ୍ବରେ। ସେ ଚାହେଁ ଯେପରି ଜୀବନ ସେ ଅତିବାହିତ କରୁଛି ତାକୁ କିପରି ସେ ଆହୁରି ଉଚ୍ଚମାନର କରି ଗଢ଼ିପାରିବ। ସେ ନିଜ ସହିତ ଆଉ ଦଶଜଣ ବ୍ୟକ୍ତିଙ୍କ ପେଟ ପୋଷିବାର କ୍ଷମତା ରଖିଥାଏ। ମଣିଷ ପାଖରେ ନିଜକୁ ବଡ଼ ଓ ଉକ୍ରୃଷ୍ଟ କରିବାର ଚିନ୍ତାଧାରା ରହିଛି। ମଣିଷ କାହିଁକି ବଡ଼ ହେବା ପାଇଁ ଚାହେଁ- କାରଣ ଇଂରାଜୀରେ ଏକ କଥନିକା ରହିଛି- “ଗଡ୍ କ୍ରିଏଟେଡ୍‌ ମ୍ୟାନ୍ ଅଫ୍ ହିଜ୍ ଓନ୍ ଇମେଜ୍”। ଈଶ୍ୱର ମଣିଷକୁ ନିଜର ପ୍ରତିରୂପ ଭାବେ ତିଆରି କରିଛନ୍ତି । ଅଣୁରୁ ବଡ଼ ହେବାର ଗୁଣକୁ ହିଁ ସାଧୁଗଣ ଈଶ୍ୱର କହନ୍ତି। ତେଣୁ ଅଣୁରୁ ମହାନ୍ ହେବା ବା ଏକ୍ସପାଣ୍ଡେଡ୍ ହେବାର କ୍ଷମତା ଯାହା ପାଖରେ ରହିଛି ସେହିଁ ଈଶ୍ୱର। ଆମମାନଙ୍କ ଭିତରେ ମଧ୍ୟ ଏକ୍ସପାନ୍ସନ୍ ହେବାର ବା ପ୍ରସାରିତ ହେବାର ଗୁଣ ରହିଛି। ତେଣୁ ସର୍ବପ୍ରଥମେ ଆମେ ଯାହାଙ୍କୁ ଗୁରୁଭାବେ ଗ୍ରହଣ କରିଛେ ତାଙ୍କ କଥା ଭାବିବାକୁ ହେବ। ବେଳେବେଳେ ଏଭଳି ପରିସ୍ଥିତି ଆସେ, ଆମ ମନ ଚଞ୍ଚଳ ହୋଇଉଠେ, ଆମେ ମାନସିକ ଚାପଗ୍ରସ୍ତ ହେଉ, ଆମ ପାଟିରୁ ଖରାପ ଭାଷା ବାହାରିପଡ଼େ, ଆମ ଆଚରଣ ବିପରୀତ ହୋଇପଡ଼େ, ସେହି ପରିସ୍ଥିତିରେ ‘ଠାକୁର ମୋର’ କ’ଣ କରିଥାନ୍ତେ ତାହା ଭାବିବାକୁ ହୁଏ। ହେ ଠାକୁର! ଯଦି ଆପଣଙ୍କୁ କିଏ ଗାଳିଦିଏ ଓ ଦୁର୍ବ୍ୟବହାର କରେ ଆପଣ କ’ଣ କରିଥାନ୍ତେ, ପ୍ରତିକୂଳ ପରିସ୍ଥିତିର ସାମନା ଆପଣ କି ପ୍ରକାର କରିଥାନ୍ତେ, ଆପଣଙ୍କ ଆଚରଣ କିଭଳି ହୋଇଥାନ୍ତା, ଏସବୁ ଚିନ୍ତା ବାରମ୍ବାର ଆମ ମନରେ ଆସିବା ଉଚିତ।

ସବୁକଥା ଆମେ ଠାକୁରଙ୍କ ଦୃଷ୍ଟିକୋଣରୁ ଭାବିବା ଏବଂ ତତସହିତ କର୍ମରେ ପରିଣତ କରିବାକୁ ଚେଷ୍ଟା କରିବା। ମନରେ ଭାବନା ଆସିବ ଠାକୁର ଏଭଳି ପରିସ୍ଥିତିରେ ଥିଲେ ଏହିପରି ଆଚରଣ କରିଥାନ୍ତେ, ସୁତରାଂ ଆମେ ମଧ୍ୟ ସେପରି କରିବାପାଇଁ ଚେଷ୍ଟାରତ ହେବା। ମନ ବାରମ୍ବାର ବ୍ୟାଘାତ ସୃଷ୍ଟି କରିବ ସତ, ତଥାପି ଆମେ ନିରନ୍ତର ଚେଷ୍ଟାରେ ଲାଗି ରହିବା ଏବଂ ଏହି ନିରନ୍ତର ଲାଗି ରହିବା ତଥା ଚିନ୍ତାକୁ ଆଚରଣରେ ପରିଣତ କରିବାକୁ ହିଁ ‘ଠାକୁରତ୍ୱ ଜାଗ୍ରତ’ ବୋଲି କୁହାଯାଏ। ଠାକୁର ସର୍ବପ୍ରଥମେ କହିଛନ୍ତି- “ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ନୁହନ୍ତି, ଠାକୁର ବି ନୁହନ୍ତି।” ଏହି ଚିନ୍ତାଧାରା ଆମ ସମସ୍ତଙ୍କପାଇଁ ଅତି ଆବଶ୍ୟକ। କେହି ହେଲେ ଏଥିରୁ ବାଦ୍ ପଡ଼ିବେନି, ମୁଁ ବି ନୁହଁ। ଆମେ ସମସ୍ତେ ଏହି ନିୟମରେ ବନ୍ଧା। ଏହି ନିୟମକୁ ଆଧାର କରି ଆମକୁ ଆମ ଜୀବନ ଗଢ଼ିବା ଦରକାର। ତେବେ ଏହି ନିୟମ ପାଳନ କଲେ କ’ଣ ହେବ? ଧୀରେ ଧୀରେ ଦିନ ପରେ ଦିନ ଆମ ବ୍ୟକ୍ତିତ୍ୱର ରୂପାନ୍ତର ହେବ। ମାନସିକ ଧୈର୍ଯ୍ୟ ଶକ୍ତି ବଢ଼ିବ, ମାନସିକ ଗ୍ରହଣ କ୍ଷମତା ବୃଦ୍ଧି ପାଇବ। ଆମେ ମାନସିକ ସ୍ତରରେ ନିଜକୁ ପ୍ରସାରିତ କରିପାରିବା। ଆଉ ଯେଉଁ ସାମାଜିକ ଦ୍ୱନ୍ଦ୍ୱ ରହିଛି ସେ ସବୁର ସାମ୍ନା ଆହୁରି ଭଲଭାବେ କରିପାରିବା। ପାରିବାରିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସକ୍ଷମ ହେବା। କ୍ରମଶଃ ଏହିପରି ଆଚରଣ ଅଭ୍ୟାସ କରୁ କରୁ ଦିନେ ଲୋକେ କହିବେ, “ତୁମକୁ ଦେଖିଲେ ଲାଗେ ଯେପରି ତୁମେ ହିଁ ଠାକୁରଙ୍କ ଲୋକ।”

ଯିଏ ନିଜ ଭିତରେ ଈଶ୍ୱରଙ୍କୁ ଜାଗ୍ରତ କରେ ସେହିଁ ପ୍ରକୃତ ଜ୍ଞାନୀ

ଜ୍ଞାନ ଓ ଅଜ୍ଞାନତା କ’ଣ? ଅଜ୍ଞାନତା ମାନେ ଯେତେବେଳେ ଆମେ ଈଶ୍ୱରଙ୍କୁ ମନ୍ଦିରରେ ଖୋଜୁ, ମୂର୍ତ୍ତିରେ ଖୋଜୁ, ଅନ୍ୟ ବ୍ୟକ୍ତି ଭିତରେ ଖୋଜୁ। ଯିଏ ନିଜ ଭିତରେ ଈଶ୍ୱରଙ୍କୁ ଜାଗ୍ରତ କରେ ସେହିଁ ପ୍ରକୃତ ଜ୍ଞାନୀ। ଯେପରି କ୍ଷୀରକୁ ମନ୍ଥନ କଲେ ଲହୁଣୀର ଉତ୍ଥାନ ହୁଏ ସେହିପରି ଆମ ଚଳନ ଓ ଆଚରଣ ଏହିପରି ହେବା ଦରକାର, ଯାହା ଦେଖିଲେ ସମସ୍ତେ ଜାଣିବେ ମୋ ଠାକୁର କିପରି। ମୋର ପ୍ରିୟତମ କିପରି।
“ତୁମ୍ ହୋ ଜୈସେ, ରାମ୍ ତୋ ୱୈଇସେ, ହୋତେ ତେରେ ରାମ୍
ଦାଏଁ ଯାଓ ତୋ ଦାଏଁ, ଲେକିନ୍ ବାଏଁ ଯାଓ ତୋ ବାମ୍”
ଅର୍ଥାତ୍ ଆମେ ଯେପରି ଆମର ଠାକୁର ମଧ୍ୟ ସେହିପରି। ଯିଏ ଯାହା କହୁ ମୋ ଠାକୁର ମୋ ପାଖରେ ଅଛନ୍ତି। କିନ୍ତୁ ଆମର ଏହି ଆଚରଣଦ୍ୱାରା ଆମେ ଠାକୁରଙ୍କର ଯେଉଁ ପ୍ରଦର୍ଶନ କରୁ ବା ତାଙ୍କର କୁହାଯାଇଥିବା କଥାକୁ ଚରିତ୍ରଗତ କରିବାପାଇଁ ଚେଷ୍ଟା କରୁ, କେବଳ ତାହା ଯଥେଷ୍ଟ ନୁହେଁ। ଈଶ୍ୱରଙ୍କୁ ଥରେ ପଚରାଗଲା- ‘ହେ ପ୍ରଭୁ! ଆପଣ କେଉଁଠାରେ ବାସ କରନ୍ତି? ସେ ଉତ୍ତର ଦିଅନ୍ତି- ‘ନାଽହଂ ତିଷ୍ଠାମି ବୈକୁଣ୍ଠେ…।’ ମୁଁ ବୈକୁଣ୍ଠରେ ରହେନାହିଁ। “ଯୋଗୀନାଂ ହୃଦୟେ ନ ଚ।” ଯୋଗୀ ବା ଋଷିଗଣଙ୍କ ହୃଦୟରେ ମଧ୍ୟ ନୁହେଁ। ହେ ପ୍ରଭୁ ଆପଣ ବୈକୁଣ୍ଠରେ ରହନ୍ତିନି, ଯୋଗୀଙ୍କ ହୃଦୟରେ ମଧ୍ୟ ରହନ୍ତିନି, ତେବେ କେଉଁଠି ରହନ୍ତି? ଉତ୍ତର ମିଳେ– ମୋର ଭକ୍ତମାନେ ଯେଉଁଠି ମୋର ଗୁଣକୀର୍ତ୍ତନ କରନ୍ତି ମୁଁ ସେହି ସ୍ଥାନରେ ବାସ କରେ। ତେଣୁ ଈଶ୍ୱରଙ୍କୁ ଯଦି ଖୋଜିବାପାଇଁ ଚାହୁଁଛନ୍ତି ତେବେ ନିଜେ ଠାକୁରଙ୍କଦ୍ୱାରା କୁହାଯାଇଥିବା କଥାଗୁଡ଼ିକୁ ଚରିତ୍ରଗତ କରିବାପାଇଁ ଚେଷ୍ଟା କରନ୍ତୁ। ତାହା ସହିତ ଠାକୁରଙ୍କ ଭାବଧାରାକୁ ସାମାଜିକ ସ୍ତରରେ ପ୍ରକାଶ କରିବାପାଇଁ ଚେଷ୍ଟାରତ ହୁଅନ୍ତୁ। ଆମେ ଯେବେ ଏହି ଆଲୋକକୁ ପ୍ରଜ୍ୱଳିତ କରୁ ବା ଠାକୁରଙ୍କ ଯାଜନ କରୁ ଆମ ବ୍ୟବହାର ମଧ୍ୟ ବଦଳିଯାଏ । ଯଥା; ଯେଉଁ ବ୍ୟକ୍ତିଙ୍କଠୁ ଧାର ଆଣିଥାଉ ତାକୁ ଦେଖି ପଳାୟନ ନ କରି, ଆମେ ନିଜେ ଯାଇ ଆଗେ କହୁ ‘ତୁମେ ମୋତେ ଯେତେ ଗାଳିଦେବ ଦିଅ, ରାଗ କିନ୍ତୁ ଏହି ମାସରେ ମୁଁ ଟଙ୍କା ଫେରାଇବାକୁ ଅସମର୍ଥ। ବରଂ ମୁଁ ସବୁଦିନ ଆସି ତୁମ ପାଖରେ ଠାକୁରଙ୍କର କଥା ଦି’ପଦ କହିବି।’ ଆମର କଥା ଏହିପରି ହେବା ଦରକାର।

ସକାମ ଓ ନିଷ୍କାମ ପ୍ରାର୍ଥନା 

ଆମେ ତୀବ୍ର, ଆମେ ନିର୍ଭୀକ, ଠାକୁରଙ୍କ ଆଚରଣ ଦ୍ୱାରା ଆମେ ନିର୍ଭୟ ହୋଇଯାଉ ଏବଂ ଧର୍ମରାଜ୍ୟ ନିର୍ଭୀକଙ୍କର ରାଜ୍ୟ। ଏଠାରେ କାପୁରୁଷଙ୍କପାଇଁ ଜାଗା ନାହିଁ। ଏହା ବୀରମାନଙ୍କର ରାଜ୍ୟ ଏବଂ ଆମେ ଯେଉଁ ଯେଉଁ ସ୍ଥାନରେ ଠାକୁରଙ୍କ ଯାଜନ କରିବା, ତାଙ୍କ କଥା କହିବା, ସେଠାରେ ଆମର ମିତ୍ର ଗଢ଼ିଉଠିବେ। ଏହି ଯେଉଁ ସାମାଜିକ ମିତ୍ର ଆମେ ଗଢ଼ୁ ସେମାନେ ପରବର୍ତ୍ତୀ ଅବସ୍ଥାରେ ଆମ କାମରେ ଆସନ୍ତି।
ଗୋଟେ କଳ୍ପତରୁ ଥିଲା। ସେହି ଗଛର ଛାଇରେ ବସି ପଥିକଟିଏ ଭାବିଲା ଯଦି ମୋତେ କିଛି ଖାଇବାପାଇଁ ମିଳିଯାନ୍ତା ତେବେ ଖୁବ୍ ଭଲ ହୁଅନ୍ତା। ତୁରନ୍ତ ଖାଦ୍ୟ ହାଜର ହୋଇଗଲା। କାରଣ ସେ ଗଛ ତଳେ ଥାଇ ଆମେ ଯାହା ଇଚ୍ଛା କରିବା ସେହି ମୁହୂର୍ତ୍ତରେ ତାହା ପୂରଣ ହୋଇଯିବ। ତା’ପରେ ପଥିକଟି ଭାବିଲା ଯଦି ଏଠାରେ ଖଟଟେ ମିଳନ୍ତା ତେବେ ଭଲ ନିଦ ଟିକିଏ ହୁଅନ୍ତା। ସେ ଇଚ୍ଛା ମଧ୍ୟ ତା’ର ତୁରନ୍ତ ପୂର୍ଣ୍ଣ ହେଲା। ପଥିକକୁ ଖାଦ୍ୟ, ଖଟ ତା’ର ଇଚ୍ଛା ଅନୁଯାୟୀ ତୁରନ୍ତ ପ୍ରାପ୍ତ ହେଲା। ଖାଦ୍ୟ ଖାଇ ଖଟରେ ଗଡ଼ିବାବେଳେ ସେ ଭାବିଲା ‘ଆରେ! ଏ ଗଛରେ ଭୂତପ୍ରେତ ନାହାନ୍ତି ତ, ଯଦି ଆସି ମୋ ତଣ୍ଟି ଚିପିଦିଏ, କାରଣ ଯାହା ବି ଇଚ୍ଛା କରୁଛି, ତୁରନ୍ତ ମିଳିଯାଉଛି। ଏହା ଭାବୁଭାବୁ ସତରେ ଭୂତ ଆସି ତା’ର ତଣ୍ଟି ଚିପି ତାକୁ ମାରିଦେଲା। କହିବାର ତାତ୍ପର୍ଯ୍ୟ ଏହି ଯେ ଈଶ୍ୱର ଯଦି ଆମମାନଙ୍କ କଥା ଶୁଣିପାରନ୍ତେ ଆମ ଅବସ୍ଥା ମଧ୍ୟ କିଛି ଏହିପରି ହୋଇଥାନ୍ତା। କିନ୍ତୁ ସେପରି ହୁଏନାହିଁ।

ଆମେ ଯେତେବେଳେ ନିଜ ବାପା, ମା’, ଭାଇ, ଭଉଣୀ, ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ ବା ସମ୍ପର୍କୀୟ ଲୋକଙ୍କପାଇଁ ପ୍ରାର୍ଥନା କରୁ ସେ ପ୍ରାର୍ଥନା ଆମ ସ୍ୱାର୍ଥ ସହିତ ଯୋଡ଼ା। ତେଣୁ ଏହାକୁ ସକାମ ପ୍ରାର୍ଥନା କୁହାଯାଏ। କିନ୍ତୁ ଯେତେବେଳେ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ, ଯେଉଁମାନଙ୍କ ସାଥିରେ ଆମର କୌଣସି ସ୍ୱାର୍ଥର ସମ୍ପର୍କ ନାହିଁ, ସେ କେଉଁ ଭାଇପାଇଁ ହେଉ, ମା’ପାଇଁ, ଭଉଣୀପାଇଁ ବା କର୍ମୀପାଇଁ, ସେହି ପ୍ରାର୍ଥନା ହେଉଛି ନିଃସ୍ୱାର୍ଥ ପ୍ରାର୍ଥନା ବା ନିଷ୍କାମ ପ୍ରାର୍ଥନା। ଏହି ନିଷ୍କାମ ପ୍ରାର୍ଥନା ହିଁ ଈଶ୍ୱର ଗ୍ରହଣ କରନ୍ତି। ଆମେ ଭାବୁ ମନ୍ଦିରରେ ଯାଇ ପ୍ରାର୍ଥନା କଲେ ବା ନଡ଼ିଆ ଭାଙ୍ଗିଲେ ଈଶ୍ୱର ଆମ ପ୍ରାର୍ଥନା ଶୁଣିବେ, କିନ୍ତୁ ଏକଦମ୍ ନୁହେଁ। ହଜାର ଥର ପ୍ରାର୍ଥନା କଲେ ବେଳେବେଳେ ଦୁଇତିନିଟି ଇଚ୍ଛା ଆମର ପୂରଣ ହୋଇଯାଏ କିନ୍ତୁ ଆମେ ଭାବୁ ଈଶ୍ୱର ଭଳି କିଏ ଜଣେ ଅଛନ୍ତି ଯିଏ ସର୍ବଶକ୍ତିମାନ୍ ଏବଂ ଆମ ଇଚ୍ଛା ପୂରଣ କରୁଛନ୍ତି। କିନ୍ତୁ ସତରେ କ’ଣ ଈଶ୍ୱରଙ୍କର ଏତେ କ୍ଷମତା ରହିଛି। ତାଙ୍କ ସ୍ତ୍ରୀଙ୍କୁ ତ କେହି ଜଣେ ଉଠେଇ ନେଇଯାଇଥିଲା। ସେ ତ କାହିଁ ତାଙ୍କର ରକ୍ଷା କରିପାରିଲେ ନାହିଁ। ସେତୁବନ୍ଧ ଗଢ଼ିବା ସମୟରେ ତାଙ୍କ ନିର୍ଦ୍ଦେଶ ବଳରେ ବନ୍ଧଟି ଆପେ ଆପେ ନିର୍ମାଣ ତ ହୋଇପାରିଲା ନାହିଁ? ଲୋକ ଜୁଟେଇ, କର୍ମ କରି ତାଙ୍କୁ ବନ୍ଧ ନିର୍ମାଣ କରିବା ପାଇଁ ପଡ଼ିଥିଲା। “ହେ ରାବଣ! ତୁ ମରିଯା” ଏହା କହି ତ ସେ ରାବଣକୁ ମାରି ନ ଥିଲେ। ତାଙ୍କୁ ବିଧିବଦ୍ଧ ଭାବରେ ରାବଣ ସାଙ୍ଗରେ ଯୁଦ୍ଧ କରି ତାକୁ ବଧ କରିବାକୁ ପଡ଼ିଥିଲା। ତେଣୁ ଈଶ୍ୱରଙ୍କୁ କହି କୌଣସି କାମ ହାସଲ ହୁଏ ନାହିଁ। ଗୋଟିଏ ମାତ୍ର ମାଧ୍ୟମ ରହିଛି ଯଦି ଆମେ ଭଲଭାବେ କର୍ମ କରିବା ଏବଂ ଆମେ ଯାଜନଦ୍ୱାରା ଯେଉଁ ସାମାଜିକ ବନ୍ଧୁମାନଙ୍କୁ ଗଢ଼ିଛୁ ସେମାନଙ୍କ ପ୍ରାର୍ଥନା ବଳରେ ହିଁ ଆମର ଇଚ୍ଛା ପୂରଣ ହୁଏ। ମାନସିକ ଏହିପରି ଭାବରେ ପୂରା ହୁଏ। ଆମ ଘରର ମଙ୍ଗଳ ଆମର ନିଜ ପ୍ରାର୍ଥନାରୁ କେବେହେଲେ ସମ୍ଭବ ନୁହେଁ ବରଂ ସମାଜରେ ରହୁଥିବା ଅନ୍ୟ ଲୋକଙ୍କ ପ୍ରାର୍ଥନାରୁ ଆମର ମଙ୍ଗଳ ହେବ। ତେଣୁ ଆମର ସାମାଜିକ ବନ୍ଧୁ ନିହାତି ଆବଶ୍ୟକ। ଯେଉଁଥିପାଇଁ ଠାକୁର ଆମକୁ ଯାଜନ କରିବାପାଇଁ କହିଥିଲେ। ଏହି କାରଣ ଯୋଗୁ ଆବଶ୍ୟକ ଆମେ ନିଜେ ଠାକୁରଙ୍କ କଥା ଭାବି ତାଙ୍କ ଭଳି ଆଚରଣ କରିବା, ସେହି ଆଚରଣଗୁଡ଼ିକୁ ଚରିତ୍ରଗତ କରିବା, ଯାଜନ କରିବା ଏବଂ ଏହି ମାର୍ଗ ଦେଇ ଜୀବନକୁ ଅତିବାହିତ କରିବା। ତା’ହେଲେ ଇଏ ହେଲା ଏକ ଉପାୟ ଯାହା ହେଉଛି ନିଷ୍କାମ ପ୍ରାର୍ଥନା, ଯାହାଦ୍ୱାରା ଆମର ସାମାଜିକ ବନ୍ଧୁ ଗଢ଼ିଉଠିବେ ଏବଂ ତାଙ୍କରି ପ୍ରାର୍ଥନା ମାଧ୍ୟମରେ ଆମର ମଙ୍ଗଳ ହେବ ବା ଇଚ୍ଛା ପୂରଣ ହେବ।

ଈଶ୍ୱରଙ୍କୁ ଯଦି ଆମେ ସମ୍ପୂର୍ଣ୍ଣ ସମର୍ପଣ କରି ପ୍ରାର୍ଥନା କରିବା ତେବେ ସେ  ପ୍ରାର୍ଥନା ଗ୍ରହଣ କରିବେ

ଆଉ ଏକ ଉପାୟ ଅଛି ଯାହା ଅତ୍ୟନ୍ତ ଜଟିଳ ବା ଦୁଷ୍କର। କପିଳବାସ୍ତୁର ଜଣେ ରାଜକୁମାର ଥିଲେ ଯେ ଚିନ୍ତା କଲେ ଜ୍ଞାନପ୍ରାପ୍ତିପାଇଁ । ସେ ଜାଣିବାପାଇଁ ଚାହିଁଲେ କଷ୍ଟ କ’ଣ, ଦୁଃଖ କ’ଣ, ଶୋକ କ’ଣ। ସେଥିପାଇଁ ସେ ଘୋର ତପସ୍ୟାରେ ଲୀନ ହୋଇଗଲେ। ତାଙ୍କ ଶରୀର ଅଚଳ ହୋଇଗଲା। ଖାଇବାପିଇବା ଛାଡ଼ିଦେଲେ। ଦୃଢ଼ ମନୋବଳ ନେଇ ସେ ତପସ୍ୟାରେ ଲାଗିରହିଲେ। ସେ ନିଶ୍ଚୟ କରିଥିଲେ ଯେପର୍ଯ୍ୟନ୍ତ ତାଙ୍କ ବୋଧଶକ୍ତି ଜାଗ୍ରତ ନ ହେବ ସେ ତପସ୍ୟାରୁ ଉଠିବେ ନାହିଁ। ଈଶ୍ୱର ଭାବିଲେ ପିଲାଟି ନିଜ ପ୍ରାଣତ୍ୟାଗ କରିଦେବ। ତେବେ ସେ ସୁଜାତା ନାମ୍ନୀ ଜଣେ ଘରୁଆ ସ୍ତ୍ରୀଲୋକଙ୍କୁ କହିଲେ- ‘ଯା ତାକୁ ଖିରି ଖୁଆଇ ଦେ’ । ସ୍ତ୍ରୀଲୋକଟି ଜଙ୍ଗଲରେ ବସିଥିବା ଅଜଣା ସାଧୁଟିକୁ ଖିରି ଖୁଆଇଲା। ଖିରି ଖାଇ ଗୌତମଙ୍କ ଶରୀରରେ ଶକ୍ତି ଆସିଲା ଏବଂ ଘୋର ସାଧନା ବଳରେ ସେ ବୋଧଶକ୍ତି ପ୍ରାପ୍ତ କଲେ। ପରବର୍ତ୍ତୀ ଅବସ୍ଥାରେ ସେ ବୁଦ୍ଧଦେବ ନାମରେ ପରିଚିତ ହେଲେ। ତେଣୁ ଈଶ୍ୱରଙ୍କୁ ଯଦି ଆମେ ସମ୍ପୂର୍ଣ୍ଣ ସମର୍ପଣ କରି ପ୍ରାର୍ଥନା କରିବା ତେବେ ସେ ଆମର ପ୍ରାର୍ଥନା ଗ୍ରହଣ କରିବେ। ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ।

ଗୋଟିଏ ଘଟଣା ମୋ ସହିତ ଘଟିଥିଲା। ଜଣେ ଲୋକର ପୁଅ ବିଷ ଖାଇ ଦେଇଥିଲା। ବିଷର ମାତ୍ରା ଶରୀରରେ ଏତେ ବଢ଼ି ଯାଇଥିଲା ଯେ ତାର ମୃତ୍ୟୁ ଆସନ୍ନ ହୋଇ ଯାଇଥିଲା। ପିଲାଟି ଆଇସିୟୁରେ ଭର୍ତ୍ତି ହୋଇଥିଲା। ପିଲାଟିର ବାପା କାନ୍ଦି କାନ୍ଦି ମୋ ପାଖରେ ଆସି ପହଞ୍ଚିଲେ। ପ୍ରଥମେ ମୁଁ ତାଙ୍କ ଉପରେ ଖୁବ୍ ରାଗିଗଲି, ଯେହେତୁ ସେ ମୋର ପରିଚିତ ଥିଲେ। ସେତେବେଳେ ମୁଁ କଲିକତାରେ ଥାଏ। ମୁଁ ତାଙ୍କୁ ରାଗି କହିଲି, ‘ଠାକୁର କ’ଣ ତୁମର ଚାକର। ତାଙ୍କୁ ଅର୍ଡ଼ର ଦେଇଦେଲ ଯେ ମୋ ପୁଅର ଜୀବନ ରକ୍ଷା କର।’ ସେ କହିଲେ, ‘ଆଜ୍ଞା ହଁ! ମୁଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲି ମୋ ପୁଅର ପ୍ରାଣରକ୍ଷା କରିବାପାଇଁ।’ ମୁଁ ତାଙ୍କୁୁ ପଚାରିଲି, ‘କାହିଁକି? କାହିଁକି ତୁମେ ଏପରି କଲ? ଠାକୁର କ’ଣ ତୁମର ଚାକର ଯେ ତୁମେ ଅର୍ଡ଼ର ଦେଇଦେଲ? ତାଙ୍କ ପାଖରେ ଆମେ ଗୁହାରି କରିପାରିବା, ପ୍ରାର୍ଥନା କରିପାରିବା। ମୂର୍ଖଙ୍କ ଭଳି କାହିଁକି ପ୍ରାର୍ଥନା କଲ?’ ତେବେ ଲୋକଜଣକ କହିଲେ, ‘ଦୟାକରି ମୋତେ ଉପାୟ କହନ୍ତୁ।’ ମୁଁ ତାକୁ ପଚାରିଲି- ‘ଡାକ୍ତର କ’ଣ କହୁଛନ୍ତି?’ ସେ ଉତ୍ତର ଦେଲେ- ‘କୌଣସି ଆଶା ନାହିଁ।’ ମୁଁ ପଚାରିଲି, ‘ତୁମର ବାପାର ହୃଦୟ କ’ଣ କହୁଛି?’ ସେ କହିଲେ- ‘ନାହିଁ, କିଛି ଆଶା ନାହିଁ। ପିଲାଟି ମରିଯିବ।’ ମୁଁ କହିଲି, ‘ତା’ହେଲେ ସମ୍ପୂର୍ଣ୍ଣ ଆଶା ଶେଷ ହୋଇଗଲା। ଏବେ ହୃଦୟରେ କୌଣସି ଛନ୍ଦକପଟ ନ ରଖି ମୁଁ ଯାହା କହିବି କରିବ? ସିଧା ଠାକୁରଙ୍କ ପାଖକୁ ଯାଅ ଏବଂ କୁହ- ‘ହେ ଠାକୁର, ମୁଁ ଏକ ହତଭାଗା ବାପା! ମୋର ପୁଅ ବିଷ ପିଇଦେଇଛି, ମୁଁ ମୋ ବୁଦ୍ଧି ଅନୁଯାୟୀ ଚେଷ୍ଟା କରୁଛି ତାକୁ ବଞ୍ଚେଇବାପାଇଁ। ମୋ ସାମର୍ଥ୍ୟ ଅନୁଯାୟୀ ମୁଁ ସବୁପ୍ରକାରର ଚେଷ୍ଟା କରିସାରିଛି। କିନ୍ତୁ ମୁଁ ତା’ର ପ୍ରାଣଦାନ ମାଗୁନାହିଁ। ତା’ପାଇଁ ଜୀବନଦାନ ଯଦି ମଙ୍ଗଳ ତାକୁ ପ୍ରାଣ ଦିଅନ୍ତୁ ଆଉ ତା’ପାଇଁ ଯଦି ମୃତ୍ୟୁ ମଙ୍ଗଳ ତାକୁ ମୃତ୍ୟୁ ଦିଅନ୍ତୁ। ଏହା ମୋର ଅନ୍ତରର ପ୍ରାର୍ଥନା।’ ଆଉ ମୁଁ ତାଙ୍କୁ କହିଲି ଯେ ପିଲାଟି ମରିଗଲେ ଜମା କାନ୍ଦିବନି। କାରଣ ତମେ ତ ଆଗରୁ ସମସ୍ତ ଆଶା ହରେଇ ସାରିଛ। ତେଣୁ ପ୍ରଥମେ ତମେ ଓ ତମର ସ୍ତ୍ରୀ ଏକଥା ନିଶ୍ଚିତ କରିନେବ ଯେ ଦୁହେଁ ଏଇ ପ୍ରାର୍ଥନା କରିପାରିବ ନା ନାହିଁ। ମନରେ କୌଣସି ଦ୍ୱନ୍ଦ୍ୱ ରଖିବ ନାହିଁ। ଦୁହେଁ ସତରେ ଠାକୁରଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ସେଭଳି ପ୍ରାର୍ଥନା କଲେ। ସଂଧ୍ୟାବେଳେ ମୃତ୍ୟୁଶଯ୍ୟାରେ ପଡ଼ିଥିବା ପିଲାଟି ଉଠି ବସିପଡ଼ି କହିଲା- ‘ମା! ମତେ ଭୋକ ହେଉଛି, କିଛି ଖାଇବାକୁ ଦିଅ’। ଏହିି ସତ୍ୟ ଘଟଣାଟି ମୋ ସାମନାରେ ଘଟିଛି। ସେଥିପାଇଁ କହେ– ଠାକୁରଙ୍କୁ ଯେତେବେଳେ ଆମେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ପ୍ରାର୍ଥନା କରୁ ତେବେ ସେ ଆମ ପ୍ରାର୍ଥନା ନିଶ୍ଚୟ ଶୁଣନ୍ତି।

ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ ଲୋଡ଼ା

ଉଦାହରଣସ୍ୱରୂପ ଦ୍ରୌପଦୀଙ୍କ ବସ୍ତ୍ରହରଣ ଘଟଣା। ତାଙ୍କ ସ୍ୱାମୀମାନେ ତାଙ୍କୁ ଜୁଆରେ ହାରି ସାରିଥିଲେ। ସଭାରେ ଥିବା ଅନ୍ୟ ବୟୋଜ୍ୟେଷ୍ଠମାନେ ମଧ୍ୟ ମୁଣ୍ଡ ନୁଆଁଇ ମୌନ ଧାରଣ କରିଥିଲେ। ଏତେ ଲୋକଙ୍କ ଉପସ୍ଥିତିରେ ଯେତେବେଳେ ଦ୍ରୌପଦୀଙ୍କୁ ବିବସ୍ତ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ସେତେବେଳେ ସେ ଦୁଇ ହାତରେ ଶାଢ଼ିକୁ ଧରି ଠାକୁରଙ୍କୁ ଡାକୁଛନ୍ତି- ‘ହେ ପ୍ରଭୁ! ରକ୍ଷା କର। ତଥାପି ଈଶ୍ୱର ଶୁଣୁନାହାନ୍ତି। ତା’ପରେ ଗୋଟିଏ ହାତରେ ଶାଢ଼ି ଧରି ଅନ୍ୟ ହାତଟି ଟେକି କୁହନ୍ତି- ହେ ମଧୁସୂଦନ! ରକ୍ଷା କର। ତଥାପି ମଧୁସୂଦନ ଶୁଣିଲେ ନାହିଁ। କ୍ରମଶଃ ଯେତେବେଳେ ଶାଢ଼ିଟି ପୂରା ଖୋଲିବା ଉପରେ ସେତେବେଳେ ଦ୍ରୌପଦୀ ନିଜର ଦୁଇହାତ ଟେକିଦେଇ କହନ୍ତି ମୋ ଲଜ୍ଜା ତୁମ ହାତରେ। ସେହି ମୁହୂର୍ତ୍ତରେ ଅନନ୍ତ ବସ୍ତ୍ର ଆସିବା ଦେଖାଯାଏ ଏବଂ ଈଶ୍ୱର ତାଙ୍କ ଲଜ୍ଜା ନିବାରଣ କରନ୍ତି। ଏହାକୁ କୁହନ୍ତି ସମ୍ପୂର୍ଣ୍ଣ ସମର୍ପଣ।’

ପାରିବାରିକ ସମସ୍ୟା ସମାଧାନର ସହଜ ସୂତ୍ର 

ତା’ହେଲେ ଏହି ଦୁଇ ଉପାୟଦ୍ୱାରା ହିଁ ଆମେ ଈଶ୍ୱରଙ୍କୁ ନିଜ କଥା ଶୁଣାଇପାରିବା, ଆପଣ ଯେତେ ନଡ଼ିଆ ଭାଙ୍ଗନ୍ତୁ, ଯେତେ ମନ୍ଦିର ଯାଆନ୍ତୁ, ଯେଉଁ ଦେବତାଙ୍କୁ ପୂଜା କରନ୍ତୁ ଉପାୟ କିନ୍ତୁ ଏହି ଦୁଇଟି। ଏହାବ୍ୟତୀତ ଆଉ କୌଣସି ଉପାୟ ନାହିଁ। ତେବେ ଆପଣମାନେ ଭାବି ନିଅନ୍ତୁ କେଉଁ ଉପାୟରେ ଈଶ୍ୱରଙ୍କ ପାଖରେ ନିଜ କଥା ଉପସ୍ଥାପନ କରିବେ। କିଛି ସମୟ ପୂର୍ବରୁ ମୁଁ ଆପଣମାନଙ୍କ ଆଗରେ ଯେଉଁ ପାରିବାରିକ ରୂପରେଖର ଚିତ୍ରଣ କରିଥିଲି, ସେହିଭଳି ସମସ୍ୟା ନେଇ ଗୋଟିଏ ପରିବାର ମୋ ପାଖକୁ କିଛିଦିନ ପୂର୍ବରୁ ଆସିଥିଲେ। ପରିବାରଟି ପୂରାପୂରି ଭାଙ୍ଗି ପଡ଼ିଥିଲା। ପରିବାରର ମୁରବି ଜଣଙ୍କ ମତେ କହିଲେ ମୋ ପରିବାରଟି ସମ୍ପୂର୍ଣ୍ଣ ଅସଜଡ଼ା ହୋଇଯାଇଛି। କେହି କାହା କଥା ଶୁଣୁନାହାନ୍ତି। ପରସ୍ପର ମଧ୍ୟରେ ଆଉ ପ୍ରେମ ଭାବ ନାହିଁ। ଅବସ୍ଥା ଭୀଷଣ ଖରାପ। ମୁଁ କହିଲି– ଗୋଟେ କଥା କହିବି, କରିବ। ସେ କହିଲା- ଆଜ୍ଞା । ମୁଁ କହିଲି ପରିବାରରେ ସମସ୍ତେ ରାତିରେ ଏକା ସଙ୍ଗରେ ଭୋଜନ କରନ୍ତୁ। କାରଣ ଦିନରେ ଯେଝା କାମରେ ବାହାରକୁ ଯାଉଥିବେ। ତେଣୁ ରାତ୍ରିଭୋଜନ ଏକ ସଙ୍ଗରେ କରନ୍ତୁ ଏବଂ ଅଇଁଠା ହାତରେ ସେପର୍ଯ୍ୟନ୍ତ ସମସ୍ତେ ବସି କଥା ହୁଅନ୍ତୁ ଯେପର୍ଯ୍ୟନ୍ତ ନିଜ ନିଜ ହୃଦୟର କଥା ପରସ୍ପରକୁ ନ କହିଛନ୍ତି। ସମସ୍ତଙ୍କ ହୃଦୟରେ ଥିବା ଗଣ୍ଠି ଯେପରି ସମ୍ପୂର୍ଣ୍ଣ ଭାବେ ଖୋଲିଯାଉ। ଶେଷରେ ସମସ୍ତେ ହାତ ଧୋଇସାରି ବାକି କାମ ପରସ୍ପରର ସହଯୋଗରେ ଶେଷକରି ଶୋଇବା ପାଇଁ ଯାଆନ୍ତୁ। ପୁଣି ସକାଳେ ଉଠି ଏକ ସଙ୍ଗରେ ପ୍ରାର୍ଥନା କରନ୍ତୁ ଏବଂ ନିତିଦିନିଆ କାମ ପ୍ରାରମ୍ଭ କରନ୍ତୁ। ସେହି ବ୍ୟକ୍ତିଜଣକ ପୁଣି ମାସେ ଦି’ମାସେ ପରେ ମୋ ପାଖକୁ ଆସିଲେ ଏବଂ କହିଲେ ମୋ ପରିବାର ଏବେ ବହୁତ ଖୁସିରେ ବହୁତ ଆନନ୍ଦରେ ଅଛି। ଆମ ପାରିବାରିକ ସୁଖ ଶାନ୍ତି ପୁଣି ଫେରି ଆସିଛି। ଆପଣମାନେ ମଧ୍ୟ ଏହିପରି କଲେ ଖୁବ୍ ଆନନ୍ଦରେ ରହିପାରିବେ। ନିଜ ପରିବାର ଲୋକଙ୍କ ସାଙ୍ଗରେ ହୃଦୟ ଖୋଲି କଥା ହୁଅନ୍ତୁ। ଏଥିରୁ ଲାଭ କ’ଣ ହେବ- ରୋଷେଇ କରିବା ସମୟରେ ମା’ର ହାତ ପୋଡ଼ିଯିବାର ଘଟଣା ଯାହା ବିଷୟରେ ନା ସ୍ୱାମୀ ନା ପିଲାମାନେ ଜାଣିପାରିଥିଲେ, ଏକ ସଙ୍ଗରେ ବସି କଥାହେଲା ସମୟରେ ସେ ବିଷୟରେ ସମସ୍ତେ ଅବଗତ ହୋଇପାରିବେ। ଝିଅଟି ମା’ହାତରେ ମଲମ ଲଗାଇଦେବ। ବାପା ଅଫିସ୍ରୁ ଫେରିବା ସମୟରେ ଅଣ୍ଟାବ୍ୟଥା ଅନୁଭବ କରିବା କଥାଟି ପୁଅ ଜାଣିପାରି ତେଲ ମାଲିସ୍ କରିଦେବ। ବାପା ପୁଅକୁ କହିବ- ପୁଅ ନିଶା ଖାଇବା ଛାଡ଼ିଦେ। ଅନ୍ୟଥା ପରେ ପଶ୍ଚାତ୍ତାପ କରିବା ପାଇଁ ପଡ଼ିବ। କାରଣ ତୋ ଉପରେ ତୋ ସଂସାରର, ତୋ ପରିବାରର ଦାୟିତ୍ୱ। ତୁ ଯଦି ଅବାଟରେ ଗଲୁ ତୋ ପରିବାର ନଷ୍ଟ ହୋଇଯିବ। ପରିବାରକୁ ଠିକ୍ ଭାବରେ ଚଳାଇବା ପାଇଁ ତତେ ନିଜେ ଠିକ୍ ବାଟରେ ଚାଲିବାକୁ ପଡ଼ିବ। ଆଉ ଯଦି ମତେ ଦେଖି ଜୀବନରେ ପଥଭ୍ରଷ୍ଟ ହୋଇଛୁ ବା ଭ୍ରମିତ ହେଉଛୁ ତେବେ ମୋ ଆଡ଼କୁ ଧ୍ୟାନ ଦେ ନାହିଁ। ତୁ ଠାକୁରଙ୍କୁ ଧରି ଚାଲ୍। ତାଙ୍କରି ଅନୁକରଣ କର। ତାଙ୍କ ଭଳି ହେବା ପାଇଁ ଚେଷ୍ଟା କର। ଏହାଦ୍ୱାରା କ’ଣ ହେବ। ଯୋଉ ପୁଅ ଦିନେ କୁପଥରେ ଯାଇ ସଂସାରର ମଇଳା, ଆବର୍ଜନାରେ ବସିଥିବା ରୋଗ ସଂକ୍ରମଣକାରୀ ମାଛି ହୋଇଯାଇଥିଲା ସେ ମଧୁ ସଂଗ୍ରହ କରୁଥିବା ମହୁମାଛି ପାଲଟିଯାଇଛି। ମା’ଟି ତା ଝିଅକୁ କହିବ, ‘ଦେଖ୍ ଝିଅ ତୁ ଛୋଟ ଥିଲାବେଳେ ରାତିଅନିଦ୍ରା ହୋଇ ମୁଁ ତୋର ଓଦା କପଡ଼ା ବଦଳାଇଛି, ତତେ କ୍ଷୀର ପିଆଇଛି, ତୁ କେବେହେଲେ ଏପରି କିଛି କର ନାହିଁ ଯାହାଦ୍ୱାରା ପରିବାର ଲଜ୍ଜିତ ହେବ। ଏହିପରି ବ୍ୟବହାରରୁ ପରିବାରଟି ପୁନଃ ଏକଜୁଟ ହେବ ଏବଂ ଫଳସ୍ୱରୂପ ସମାଜର କଲ୍ୟାଣ ହେବ। ଏହି ଉପାୟକୁ ବାଦ୍ ଦେଇ ଅନ୍ୟ କୌଣସି ଉପାୟ ନାହିଁ ଯାହା ପରିବାରର କଲ୍ୟାଣ କରିପାରିବ।

ମୋ ଠାକୁର ମୋ ସାଥିରେ ଥାଆନ୍ତି, ତେଣୁ ମୋତେ ଅନୁଭବ ହୁଏ ମୁଁ ସବୁ ପାରିବି

ମନେରଖନ୍ତୁ, ଜଗନ୍ନାଥଙ୍କର ହାତ ନାହିଁ, ତାଙ୍କୁ ଜାବୁଡ଼ି ଧରିବାକୁ ପଡ଼େ। ସେହିପରି ଆପଣମାନେ ଯଦି ନିଜ ପରିବାରର କଲ୍ୟାଣ କରିବା ପାଇଁ ଇଚ୍ଛୁକ ତେବେ ପ୍ରଥମେ ନିଜକୁ ଚେଷ୍ଟା କରିବାକୁ ପଡ଼ିବ। ଉପାୟ ଠାକୁର କହିଦେବେ। ଆପଣ ସେହି ଅନୁଯାୟୀ ଚାଲନ୍ତୁ। ନିଜ ଜୀବନର ରୂପାନ୍ତର ପାଇଁ ସର୍ବଦା ତତ୍ପର ରହନ୍ତୁ। ଆନନ୍ଦରେ ରହନ୍ତୁ। ଆଉ ଗୋଟିଏ କଥା। ଏପରି କଥାକୁ କଦାପି ବିଶ୍ୱାସ କରନ୍ତୁ ନାହିଁ – ବାବାଇଦା’ ହାତ ଛୁଆଇଁ ଦେଲେ ମଙ୍ଗଳ ହୋଇଯିବ। କଦାପି ନୁହେଁ। ଏହା ସମ୍ଭବ ହୋଇଥିଲେ ମୁଁ ଓ ମୋ ପିଲାମାନଙ୍କୁ ଡାକ୍ତର ପାଖକୁ ଯିବା ପାଇଁ ପଡ଼ନ୍ତାନି। ସେପରି କଲମ ଛୁଆଁଇଲେ କିଛି ହେବନି। ଏହା ସତ ହୋଇଥିଲେ ମୋ ପୁଅମାନଙ୍କୁ ପଢ଼ିବା ପାଇଁ ପଡ଼ନ୍ତାନି। ସେମାନେ ସହଜରେ ପାସ୍ କରନ୍ତେ। କିନ୍ତୁ ଏହା ସମ୍ଭବ ନୁହେଁ। ଏହିପରି ଅଯଥା ଫାଲ୍ତୁ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ। ଏସବୁ ନର୍କର ପଥ। ମୁଁ ଜଣେ ଅତି ସାଧାରଣ ବ୍ୟକ୍ତି। ମତେ ମଞ୍ଚ ଦିଅନ୍ତୁ ବା ଆସନ, କିନ୍ତୁ ମୁଁ ଅତି ସାଧାରଣ। ମୋ ଠାକୁର ବୋଧ ଯାହା ସେହି ସବୁ ମୁଁ ଆପଣମାନଙ୍କ ପାଖରେ କହୁଛି। ମୋର ଠାକୁରଙ୍କ ବିଷୟରେ ଯାହା ବୋଧ ମୁଁ ତାହା କହୁଛି। ମୋ ଠାକୁର କୌଣସି ଯାଦୁ ଜାଣନ୍ତି ନାହିଁ। ଆପଣମାନଙ୍କ ଠାକୁର ଯାଦୁ ଜାଣନ୍ତି କି ନାହିଁ ତାହା ମୁଁ ଜାଣେ ନାହିଁ। ଆପଣଙ୍କ ଠାକୁର କିପରି ସେଟା ମଧ୍ୟ ମୁଁ ଜାଣେ ନାହିଁ। ମୋ ଠାକୁର କିନ୍ତୁ କୌଣସି ଯାଦୁକର ନୁହନ୍ତି। ମୋ ଠାକୁର ମୋ ସାଥିରେ ଥାଆନ୍ତି ତେଣୁ ମୋତେ ଅନୁଭବ ହୁଏ ମୁଁ ସବୁ ପାରିବି। ଯେତେବେଳେ ମୁଁ ତାଙ୍କ ସଙ୍ଗରେ ଥାଏ ମୋର ପୂର୍ଣ୍ଣ ବିଶ୍ୱାସ ଥାଏ ‘ମୁଁ ପାରିବି’। ଆଉ ମୋ ଠାକୁର ମୋ ସଙ୍ଗେ ଏହି ଯାଦୁ କରନ୍ତି। ଯାଦୁ ବୋଲି ଯଦି କାହାକୁ କୁହାଯିବ ତେବେ ତାହା ଏହି ବିଶ୍ୱାସ। ସେ ମୋତେ ବହୁତ ଆନନ୍ଦରେ ରଖନ୍ତି। କିନ୍ତୁ ସେ ଅନ୍ୟ କୌଣସି ଯାଦୁ ବା ଚମତ୍କାର ଜାଣନ୍ତି ନାହିଁ। ସେ ଏକଦମ୍ ସାଧାରଣ। ସେ ଆମକୁ ଚମକ୍ରାର ରୂପରେ ରୂପାନ୍ତରିତ କରିବାର କୌଶଳ ଜାଣନ୍ତି। ମୁଁ ତାଙ୍କ ସଙ୍ଗରେ ଖୁବ୍ ଆନନ୍ଦ ଅନୁଭବ କରେ। କୌଣସି ମାନସିକ ଚାପ ବା ଦୁଶ୍ଚିନ୍ତା ମୋ ପାଖ ମାଡ଼ିପାରେ ନାହିଁ।

ମୁଁ ଯୁକ୍ତି ସାହାଯ୍ୟରେ ମୋ ଠାକୁର କିପରି ତାହା ଆପଣମାନଙ୍କ ପାଖରେ କହିଲି। ଏହା ଗୋଟିଏ ପ୍ରକାରର। ମୁଁ ଅନ୍ୟ ପ୍ରକାରରେ ମଧ୍ୟ କହିପାରିଥାନ୍ତି। କିନ୍ତୁ ଏଠାରେ ମୁଁ ଏହିପରି କହିଲି। ଗୋଟିଏ କଥା କହିବା ପାଇଁ ଚାହେଁ- ଯୁକ୍ତି ଯଦି ଠିକ୍ ଲାଗିଲା, ତେବେ ଗ୍ରହଣ କରିବେ, ଆଉ ଯଦି ମନ୍ଦ ଲାଗେ ତେବେ ବର୍ଜନ କରନ୍ତୁ। ଠିକ୍ ନଲାଗିଲେ ଗ୍ରହଣ କରିବା ଆବଶ୍ୟକ ନୁହେଁ, କିନ୍ତୁ ଠିକ୍ ଲାଗିଲେ ଏହି ଉପାୟରେ ଜୀବନକୁ ଆଗକୁ ବଢ଼େଇବା ଯୁକ୍ତିଯୁକ୍ତ ନୁହେଁ କି? ଭାବନ୍ତୁ।

ଆପଣ ସମସ୍ତଙ୍କପାଇଁ ମୋର ମଙ୍ଗଳ ପ୍ରାର୍ଥନା, ସମସ୍ତେ ମଙ୍ଗଳରେ ରହନ୍ତୁ।
ଜୟଗୁରୁ।

You might also like