‘ମୁଁ ହିଁ ବଡ଼ପୁଅ, ବଡ଼ପୁଅ ସହିତ ରହିବା ମାନେ ହିଁ ମୋ ସହିତ ରହିବା’
ଶ୍ରୀଶ୍ରୀବଡ଼ଦାଙ୍କ ସଂପର୍କେ ଶ୍ରୀଶ୍ରୀଠାକୁର
ଶ୍ରୀଶ୍ରୀଠାକୁର ନିଜର ଜ୍ୟୋଷ୍ଠାତ୍ମଜ ଶ୍ରୀଶ୍ରୀବଡ଼ଦା’ଙ୍କ ସଂପର୍କରେ ବହୁ ଭାବରେ ବିଭିନ୍ନ ସମୟରେ ଭକ୍ତମାନଙ୍କୁ ପ୍ରକାଶ କରିଛନ୍ତି। ଶ୍ରୀଶ୍ରୀବଡ଼ଦାଙ୍କୁ ମଥାରେ ଧରି ଅଚ୍ୟୁତ ଇଷ୍ଟନିଷ୍ଠାର ସହ ଚାଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅମୂଲ୍ୟ ନିର୍ଦ୍ଦେଶାବଳୀରୁ କିଞ୍ଚିତ୍…
୧୯୬୭ ମସିହା ଜାନୁଆରି ୧୯। ଶ୍ରୀଶ୍ରୀଠାକୁର ନନ୍ଦଦୁଲାଲଦା’ଙ୍କୁ କହିଲେ- (ବୋନା ମା’, ସରୋଜିନୀମା, ଅରୁଣ ଜୋଆରଦାରଙ୍କ ଉପସ୍ଥିତିରେ)- “ବଡ଼ପୁଅ ଯାହା କହେ ଶୁଣିବୁ, ମୁଁ ହିଁ ବଡ଼ପୁଅ, ବଡ଼ପୁଅ ସହିତ ରହିବା ମାନେ ହିଁ ମୋ ସହିତ ରହିବା। ମୋର ଯେପରି କଷ୍ଟ, ବଡ଼ପୁଅର ମଧ୍ୟ ସେହିପରି।”
୧୯୬୮ ମସିହା ଜୁଲାଇ ୮ ତାରିଖ। ଶ୍ରୀଶ୍ରୀଠାକୁର କହିଲେ- “ବଡ଼ପୁଅ ଯାହା କରେ, ତାହା ମୁଁ କରିଥାଏ।”
୧୯୬୮ ମସିହା ଜୁଲାଇ ୦୯ ତାରିଖ। ଆଶୁତୋଷ ଗାଙ୍ଗୁଲି, ସରୋଜିନୀ ମା’, ବିଶୁଦା, ପ୍ୟାରୀଦା ପ୍ରଭୃତି ଉପସ୍ଥିତ। ଶ୍ରୀଶ୍ରୀଠାକୁର କହିଲେ- “ପୁଅ ସହିତ ସମସ୍ତଙ୍କର ଯେଉଁ ସମ୍ବନ୍ଧ, ମୋ ସହିତ ମଧ୍ୟ ତାହାହିଁ, ତାହା ସହିତ ରହିବା ମାନେ ହିଁ ମୋ ସହିତ ରହିବା, ମୋର ମନର କଥା କହିଲି, ଅନେକଙ୍କର ପସନ୍ଦ ନ ହୋଇପାରେ।”
୧୯୬୮ ମସିହା ଅକ୍ଟୋବର ୨୫ ତାରିଖ, ୫ଟା ୪୫ ମିନିଟ୍। ଶ୍ରୀଶ୍ରୀଠାକୁର ସରୋଜିନୀ ମା’ଙ୍କୁ ପଚାରିଲେ- “ବଡ଼ପୁଅ କେଉଁଠି?” ସରୋଜିନୀ ମା’ କହିଲେ- ଟିକେ ପରେ ଆସିବେ। ଶ୍ରୀଶ୍ରୀଠାକୁର- “ମୁଁ ସବୁବେଳେ ବଡ଼ପୁଅକୁ ଚାହେଁ।”
୧୯୬୮ ମସିହା ନଭେମ୍ବର ୧୧ ତାରିଖ। ଶ୍ରୀଶ୍ରୀଠାକୁର କହିଲେ- “ଭଗବାନ୍ ସବୁ ପାରନ୍ତି। ବଡ଼ପୁଅ ମଧ୍ୟ ସବୁ ପାରେ।’’
୧୯୬୮ ମସିହା ଡିସେମ୍ବର ୨୧ ତାରିଖ। ଶ୍ରୀଶ୍ରୀଠାକୁର ଅମୂଲ୍ୟ ଘୋଷଦାଙ୍କୁ କହିଲେ- ‘‘ଦେଖ୍ ବଡ଼ପୁଅ ବିରୋଧରେ ଯଦି କେହି ଆସେ, ଠିକ୍ ରହିବୁ, ଠିକ୍ କରିବୁ କିନ୍ତୁ, ତୁମେସବୁ ଅନାଥ ହେବନାହିଁ, ବଡ଼ପୁଅ ତ ଅଛି । God-gifted representative of Parampita.”
ବଡ଼ାଲବଙ୍ଗଳା ବାରଣ୍ଡାରେ ଶ୍ରୀଶ୍ରୀଠାକୁର ଦିନେ ବଡ଼ ଅସୁସ୍ଥ ବୋଧ କରନ୍ତି। ସେତେବେଳେ ତାଙ୍କ ନିକଟରେ ବଡ଼ଦା, କେଷ୍ଟଦା ଏବଂ ଚୁନୀଲାଲ ରାୟଚୌଧୁରୀ ଛିଡା ହୋଇଛନ୍ତି। ଶ୍ରୀଶ୍ରୀଠାକୁର ଚୁନିଦାଙ୍କ ଆଡକୁ ଅନାଇ କହିଲେ- “ଏଇ, ଦେଖ୍ ମୋର ଯଦି କିଛି ହୋଇଯାଏ, ତେବେ ବଡପୁଅ ରହିଲା, ତାକୁ ମୁଣ୍ଡରେ ଧରି ତୁମେ ସବୁ ଚଳିବ। ବଡ଼ପୁଅ ହିଁ ସବୁ ଦେଖାଶୁଣା କରିବ। ବଡ଼ପୁଅ ହିଁ ସବୁ ପରିଚାଳନା କରିବ। ତାହା ତୁମର କମିଟିର ଭିତରେ ଥାଇ ହେଉ ଅଥବା ବାହାରେ ଥାଇ ହେଉ।” ସବୁ ବିଷୟରେ ଦାୟିତ୍ୱ (ତାଙ୍କ) ବଡ଼ପୁଅ ଉପରେ, ଜମି କିଣା ହେଉଛି କାହା ନାମରେ ହେବ? ବଡ଼ପୁଅ ନାମରେ। ଗାଡି କିଣା ହେବ, ବଡ଼ପୁଅ ନାମରେ, ଘର କିଣାହେବ, କାହା ନାମରେ ହେବ? ବଡ଼ପୁଅ ନାମରେ।’’ (ଆଲୋଚନା, ମାର୍ଗଶିର, ୧୪୦୮ ବଂଗଳା)
ଶ୍ରୀଶ୍ରୀଠାକୁର ଓ ବଡ଼ମା’ ଯେତେବେଳେ ଅସୁସ୍ଥ, ସେତେବେଳେ ଶ୍ରୀଶ୍ରୀବଡ଼ଦା- ଶ୍ରୀଶ୍ରୀଠାକୁର ଏବଂ ମାତାଠାକୁରାଣୀଙ୍କୁ ନିଜ ହାତରେ ଖୁଆଇ ଦେଉଥିଲେ। ଶ୍ରୀଶ୍ରୀଠାକୁର ଏବଂ ଶ୍ରୀଶ୍ରୀବଡ଼ମାଙ୍କ ଭୋଗ ସରିବା ପରେ ଶ୍ରୀଶ୍ରୀବଡ଼ଦା ହାତ ଧୋଇବେ ନିର୍ଦ୍ଦିଷ୍ଟ ସ୍ଥାନରେ – ବାରଣ୍ଡା କୋଣରେ, ଆମେ ପୂର୍ବରୁ ହାତ ଧୋଇ ଅପେକ୍ଷା କରିଥାଉଁ। ଶ୍ରୀଶ୍ରୀବଡ଼ଦାଙ୍କ ହାତରେ ଗୋଟିଏ/ଦୁଇଟି ଅନ୍ନ ଲାଗିଥାଏ । ମୋତେ ଗୋଟିଏ ଅନ୍ନ ମହାପ୍ରସାଦ ଓ କୁମୁଦଦା’ଙ୍କୁ ଗୋଟିଏ ଅନ୍ନ ଦେଇ ତାଙ୍କର ଆଙ୍ଗୁଳିଗୁଡ଼ିକୁ ନିଜ ମୁହଁରେ ପୂରାଇ ଚୁଷି ଖାଉଥିଲେ ଏବଂ ହାତର ଭିତର ପଟଟିକୁ ଚାଟି ଚାଟି ଖାଉଥିଲେ। ସେ ଏକ ଅପୂର୍ବ ଅନୁଭୂତି, ଯାହା ପ୍ରକାଶ କରିବାର କୌଣସି ଭାଷା ଖୋଜି ମିଳେନା। ଏଡ଼େବଡ଼ ସତସଙ୍ଗର ବିରାଟ ଦାୟିତ୍ୱ ବହନ କରି ଦିବାରାତ୍ର ସର୍ବକ୍ଷଣ ପିତାମାତାଙ୍କ ସେବାରେ ଅବିରାମ ଲାଗି ରହିବାର ବିରଳ ଦୃଷ୍ଟାନ୍ତ ଇତିହାସରେ ସ୍ମରଣୀୟ ହୋଇରହିବ ।
( ଶ୍ରୀଫାଲଗୁନୀ ବିଜୟ ଚକ୍ରବର୍ତ୍ତୀଙ୍କ ଲିଖିତ ‘ଶ୍ରୀଶ୍ରୀବଡ଼ଦା’ ପ୍ରବନ୍ଧରୁ ଉଦ୍ଧୃତ)