ଯଜନ ଓ ଯାଜନ: ସତସଙ୍ଗୀର ନିତ୍ୟ କରଣୀୟ
ଯଜନ ଓ ଯାଜନ ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର
ଦୀକ୍ଷାରେ ସଫଳତା ଲାଭ କରିବାକୁ ଯେଉଁ ଆଚରଣବିଧି ଏବଂ ଚିନ୍ତା, ବାକ୍ୟ, କର୍ମର ନିତ୍ୟ ଅନୁଶୀଳନ କରିବା ଦରକାର, ସେଗୁଡ଼ିକୁ ଶ୍ରୀଶ୍ରୀଠାକୁର ଯଜନ, ଯାଜନ ଓ ଇଷ୍ଟଭୃତି ନାମରେ ଅଭିହିତ କରିଛନ୍ତି । ଯଜନ ମଧ୍ୟରେ ଅଛି ଯଜନ ଓ ଅଧ୍ୟୟନ, ଯାଜନ ମଧ୍ୟରେ ଯାଜନ ଓ ଅଧ୍ୟାପନା ଏବଂ ଇଷ୍ଟଭୃତି ମଧ୍ୟରେ ଅଛି ଦାନ ଓ ପ୍ରତିଗ୍ରହ। ଇଷ୍ଟଙ୍କୁ ଅନୁସରଣ କରିବାର ପନ୍ଥା ହେଉଛି ଯଜନ, ଯାଜନ ଓ ଇଷ୍ଟଭୃତି ପାଳନ। ଶ୍ରୀଶ୍ରୀଠାକୁର କହିଛନ୍ତି— ଯଜନ, ଯାଜନ, ଇଷ୍ଟଭୃତି, ସ୍ୱସ୍ତ୍ୟୟନୀ ଓ ସଦାଚାର ଭିତରେ ବିଶ୍ୱବ୍ରହ୍ମାଣ୍ଡର ସବୁକିଛି ଅଛି । ପ୍ରତ୍ୟେକଟି ମଣିଷଜୀବନର ବିଭିନ୍ନ ଦିଗରେ ଏହା ପ୍ରଭାବ ପକାଏ । ତେଣୁ, ଏଗୁଡ଼ିକୁ ନିଷ୍ଠାର ସହିତ ପାଳନ କରିବାକୁ ହେବ।
ଶ୍ରୀଶ୍ରୀଠାକୁରଙ୍କ ଏହି ବାଣୀ ନିତ୍ୟ ସ୍ମରଣୀୟ- “ଯଜନ, ଯାଜନ, ଇଷ୍ଟଭୃତି ଏହି ତିନିଟି ଆୟୁଧ/ଧରି ଚାଲରେ ଆର୍ଯ୍ୟପିଲା, ବାହି ଜୀବନପଥ ।” ପୁଣି କହିଛନ୍ତି “ଯଜନ, ଯାଜନ, ଇଷ୍ଟଭୃତି/କରିଲେ କାଟେ ମହାଭୀତି ।”
ଯଜନ ମାନେ କ’ଣ ?
ଯଜନର ପ୍ରଥମ ଜିନିଷଟି ହେଉଛି ନାମ-ଧ୍ୟାନ ବା ଜପ-ଧ୍ୟାନ । ନାମ ମଧ୍ୟରେ ଅଛି ‘ନମ୍’ ଅର୍ଥାତ୍ ନତି । ଯାହାଙ୍କର ନାମ କରିବ, ତାଙ୍କ ଉପରେ ଆନତି ଥିବା ଦରକାର। ନହେଲେ ନାମର ଠିକ୍ ଫଳ ମିଳେନାହିଁ । ଆନତି ଓ ନିଷ୍ଠା ସହିତ ନାମ କରୁ କରୁ ନାମୀଙ୍କ ବିଶେଷ ଲକ୍ଷଣ ଓ ଗୁଣସମୂହ ଭିତରେ ଜାଗିଉଠେ । ନିଜର କୌଣସି ଅବଗୁଣ ଥିଲେ ତାହା ଠିକ୍ ହୋଇଯାଏ । ଶ୍ରୀଶ୍ରୀଠାକୁର ହେଉଛନ୍ତି ନାମର ଚେତନ ମୂର୍ତ୍ତ ପ୍ରତୀକ ଅର୍ଥାତ୍ ସେ ନାମକୁ ନିଜ ଜୀବନରେ ଉପଲବ୍ଧି କରିଛନ୍ତି । ତାଙ୍କ ମଧ୍ୟରେ ନାମ ଜୀବନ୍ତ, ବାସ୍ତବାୟିତ ଓ ଆୟତ୍ତୀକୃତ । ନାମର ଉପଲବ୍ଧି ଉପରେ ଛିଡ଼ାହୋଇ ତାଙ୍କର ସବୁକିଛି ଚିନ୍ତା, କଥା, କର୍ମ, ଜ୍ଞାନ ଓ ଚଳନ । ତାଙ୍କ ଜୀବନ୍ତ ରୂପ ଆଖିଆଗରେ ରଖି ତାଙ୍କ ନିଦେ୍ର୍ଦଶମତେ ଚଳିବାରେ ଅଭ୍ୟସ୍ତ ହୋଇଗଲେ ଆମର ବୈଶିଷ୍ଟ୍ୟଅନୁଯାୟୀ ଆମେ ତାଙ୍କରି ପରି ହୋଇ ଉଠିବା । ତାଙ୍କ ପ୍ରତି ସକ୍ରିୟ ପ୍ରାଣର ଯୋଗ, ଟାଣର ଯୋଗ ହେଉଛି ସଫଳ ହେବାର ମୂଳ ଜିନିଷ । ତାଙ୍କ ସଙ୍ଗେ ଯୋଗଯୁକ୍ତ ହେଲେ ନାମ ଆମ ମଧ୍ୟରେ ଜୀବନ୍ତ ହୋଇଉଠେ ।
ତାଙ୍କର ଚାଲି ଚଳନ, ଆଚାର-ବ୍ୟବହାର, ଚାହିଦା, ପସନ୍ଦ ନିର୍ଦ୍ଦେଶ ସବୁ ଚିନ୍ତା କରି ସେଇଭାବେ ନିଜକୁ ନିୟନ୍ତ୍ରିତ କରିବାକୁ ହେବ । ଏହାକୁ କୁହାଯାଏ ଇଷ୍ଟସ୍ୱାର୍ଥପ୍ରତିଷ୍ଠାମୂଳକ ଚିନ୍ତା ବା ଧ୍ୟାନ । ନିଜର ଭଲମନ୍ଦ ସବୁ ଇଷ୍ଟାନୁକୂଳ କରିବାକୁ ଚିନ୍ତା କରିବ ଓ ବାସ୍ତବରେ ସେଇ ଭାବରେ ଚଳିବ । ଗୁରୁଙ୍କ ପାଇଁ ତୁମେ କେତେଟା କ’ଣ କରିପାର ଭାବ । ଏପରି ଭାବିବା ଓ କରିବା ହିଁ ଧ୍ୟାନ । ପ୍ରକୃତ ଧ୍ୟାନରେ ସବୁପ୍ରକାର ମନନ ଇଷ୍ଟାର୍ଥୀ ଓ ଇଷ୍ଟାନୁଗ ହୁଏ । ଏଇଟା ହିଁ ଏକାଗ୍ରତା ଅର୍ଥାତ୍ ନିଷ୍ଠାନନ୍ଦିତ ଏକମୁଖୀ ଚିନ୍ତାଚଳନ ।
ନାମ କରେ ମାନେ ତରଙ୍ଗ ସୃଷ୍ଟି କରେ, ଯାହା ମସ୍ତିଷ୍କକୋଷକୁ ସେହିପରି ସୂକ୍ଷ୍ମସ୍ତରକୁ ନେଇଯିବାରେ ସାହାଯ୍ୟ କରେ । ନାମ ସ୍ନାୟୁ-ଉପରେ ଗୋଟାଏ ପ୍ରଭାବ ସୃଷ୍ଟି କରି ମସ୍ତିଷ୍କକୁ ଗୋଟାଏ ଉଚ୍ଚତର ଶକ୍ତିପର୍ଯ୍ୟାୟକୁ ନେଇଯାଏ । ସେତେବେଳେ ସେଇ ସ୍ତରସହିତ ସମତାନ- ସମ୍ପନ୍ନ ସୂକ୍ଷ୍ମ ସବୁକିଛି ଆମେ ଧରିପାରୁ । ଉତ୍ସବିମୁଖ ଚଳନଯୋଗୁ ମଥାରେ ଯେଉଁ ଆବରଣର ପରଦା ପଡ଼ିଯାଇଥାଏ, ନାମ କରିବାଦ୍ୱାରା ତାହାକୁ ଅପସାରଣ କରି ଉଡ଼ାଇ ଦେଇ ନିଜକୁ ଏପରି ନିୟନ୍ତ୍ରଣ କରାଯାଇପାରିବ ଯେପରି ମୂଳ ଜିନିଷଟା ବୋଧ କରାଯାଇପାରିବ । ଅର୍ଥାତ୍ ଭିତରର ଜୀବନୀଶକ୍ତିର ପ୍ରବାହଟା ଧରିହୁଏ । ସବୁ ସମୟରେ ନାମ କରୁଥିଲେ, ମଥା ସଫା ରହେ, ଶରୀରରେ ଗୋଟାଏ ଦୀପ୍ତି ଆସେ । ଆଖିଗୁଡ଼ିକ ସର୍ଚ୍ଚଲାଇଟ୍ ପରି ଦେଖାଯାଏ, ଯାହା ମଣିଷକୁ ଆକୃଷ୍ଟ କରେ । ସୁକେନ୍ଦ୍ରିକ ନହେଲେ କିଛି କାର୍ଯ୍ୟକାରୀ ହୁଏ ନାହିଁ । ନାମ କରୁଥିବା ଲୋକଙ୍କୁ ସ୍ପର୍ଶ କଲେ ଇଲେକ୍ଟିକ୍ ସ୍ପାର୍କ ପରି ବୋଧହୁଏ । ସୁଷୁମ୍ନାକାଣ୍ଡମଧ୍ୟରେ ଯେଉଁ ସ୍ୱଚ୍ଛ ତରଳ ରସ ଭରି ରହିଥାଏ, ତାହା ନାମକରିବା ଫଳରେ ତରଙ୍ଗାୟିତ ହୋଇଉଠେ । ଏହି ତରଙ୍ଗର କମ୍ପନ ମସ୍ତିଷ୍କରେ ପହଞ୍ଚି ସେଠାକାର କୋଷଗୁଡ଼ିକୁ ଉତ୍ତେଜିତ କରେ। ଫଳରେ ନିଷ୍କ୍ରିୟ କୋଷଗୁଡ଼ିକ ସକ୍ରିୟ ହୋଇଉଠନ୍ତି । ତେଣୁ ନାମଦ୍ୱାରା ମସ୍ତିଷ୍କ ତୀକ୍ଷ୍ଣ ହୁଏ । ଆଉ ଧ୍ୟାନ ମଣିଷକୁ ସ୍ଥିର ଓ ଗ୍ରହଣକ୍ଷମ କରେ । ଯେତେ ଅଧିକସଂଖ୍ୟକ କୋଷ ସକ୍ରିୟ ହୋଇଉଠେ, ସେତେ ଅଧିକ ମସ୍ତିଷ୍କର କ୍ଷମତା ବୃଦ୍ଧି ପାଏ । ନାମଧ୍ୟାନଦ୍ୱାରା ଶରୀର ଓ ମସ୍ତିଷ୍କରେ ତାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ତପସ୍ୟାନାମରେ ନାମିତ ହୋଇଛି ।
ଇଷ୍ଟଙ୍କ ପ୍ରତିମୂର୍ତ୍ତି ଧ୍ୟାନ କରିବା ସହ ମସ୍ତିଷ୍କରେ ଯେଉଁ ଚିନ୍ତାମାନ ଆସେ ସେଗୁଡ଼ିକୁ ଇଷ୍ଟସ୍ୱାର୍ଥ ଓ ପ୍ରତିଷ୍ଠାର ଅନୁକୂଳ କରି ବ୍ୟବହାର କରିବ, ତେବେ ଯାଇ ତାହା ପ୍ରକୃତ ଧ୍ୟାନ । ଇଷ୍ଟଙ୍କର ଈପ୍ସିତ କର୍ମମାନ ବାସ୍ତବରେ କରିବାଦ୍ୱାରା ବୋଧପ୍ରବାହୀ ସ୍ନାୟୁ ଓ କର୍ମ-ପ୍ରବୋଧୀ ସ୍ନାୟୁମଧ୍ୟରେ ସଙ୍ଗତି ଆସେ । ଜୀବନପାଇଁ ଅତ୍ୟନ୍ତ ପ୍ରୟୋଜନ ତିନିଟି ଅବସ୍ଥା । ଯଥା- ନିୟନ୍ତ୍ରଣ, ସାମଞ୍ଜସ୍ୟ ଓ ସମାଧାନ ନାମଧ୍ୟାନ ଦ୍ୱାରା ସହଜରେ ଆୟତ୍ତରେ ଆସେ । ନିୟନ୍ତ୍ରଣ ମାନେ ପ୍ରବୃତ୍ତିଦ୍ୱାରା ପରିଚାଳିତ ନହୋଇ ଜିନିଷକୁ ସଠିକ୍ ଭାବେ ଜାଣି ସେହି ପଥରେ ଯିବା, ସାମଞ୍ଜସ୍ୟ ହେଉଛି ସପାରିପାର୍ଶ୍ବିକ ଭାରସାମ୍ୟ ବଜାୟ ରଖି ସତ୍ତାସମ୍ବର୍ଦ୍ଧନୀ ପଥରେ ଚାଲିବା ଓ ସମାଧାନ ମାନେ କେଉଁ କାମ କେଉଁ ସମୟରେ ଓ କିପରି ଭାବେ କରିବ ସେ ବିଷୟରେ ଗୋଟାଏ ସମ୍ୟକ୍ ଧାରଣା ନେଇ ଜୀବନପଥରେ ଆଗେଇବା ।
ଦୈନନ୍ଦିନ ଜୀବନରେ ଚଲାବୁଲାରେ, ସବୁ କାମଭିତରେ ନାମ ଜପରେ ଅଭ୍ୟସ୍ତ ହେବା ଦରକାର । ଉଷା-ନିଶାରେ ସୁଖାସନରେ ବସି ଧ୍ୟାନ ଓ ଜପ କରିବାକୁ ହୁଏ । ଧ୍ୟାନର ନିର୍ଦ୍ଦିଷ୍ଟ ସ୍ଥାନ, ଆସନ ଓ ସମୟ ରହିବା ଉଚିତ। ଧ୍ୟାନ କରିବାର ସ୍ଥାନଟି ନୀରବ ଓ ଶାନ୍ତ ହେବା ଆବଶ୍ୟକ । ଚଲାବୁଲାରେ ଜପ କରିବାଟା ବସି ଧ୍ୟାନ କରିବାରେ ସାହାଯ୍ୟ କରେ । ଅତି ପ୍ରତୁ୍ୟଷରୁ ଶଯ୍ୟାତ୍ୟାଗ କରି ହାତ-ଗୋଡ଼-ମୁହଁ ଧୋଇ ଶୌଚଶୁଦ୍ଧ ହୋଇ ଧ୍ୟାନ କରିବ । ଭକ୍ତିପୂତ ମନରେ ଠାକୁରଙ୍କୁ ପ୍ରଣାମ କରି ଆସନଉପରେ ସୁଖାସନରେ ବସିବ । ସାଧାରଣ ଭାବରେ ଚକା ପକାଇ ବସିବ । ମେରୁଦଣ୍ଡ ସିଧା ରଖିବ, ହାତ ଦୁଇଟି ବୁଲାଇ କୋଳରେ ରଖି, ଚକ୍ର ମଧ୍ୟରେ ଥିବା ଠାକୁରଙ୍କ ମୂର୍ତ୍ତିକୁ ଅପଲକ ନୟନରେ ଏକ ବା ଦୁଇମିନିଟ୍ ଯାଏ ଚାହିଁ ତା’ପରେ ଆଖିବୁଜି, ଧଳା ଚଦରଟିଏ ଘୋଡ଼ାଇ ହୋଇ ଧ୍ୟାନ କରିବ । ଦେଖିବ ଶରୀର ଯେପରି ସିଧା ରହେ, ଝୁଙ୍କି ନପଡ଼େ ବା ଅତ୍ୟନ୍ତ ଟାଣି ହୋଇ ନରହେ । ଆଜ୍ଞାଚକ୍ରରେ ଇଷ୍ଟମୂର୍ତ୍ତି ଧ୍ୟାନ କରିବାକୁ ହୁଏ ।
ଅର୍ଥାତ୍ ଦୁଇ ଭ୍ରୂଲତା ମିଳନ ସ୍ଥାନ ନାଶାମୂଳରେ ମନ ଓ ଦୃଷ୍ଟି ନିବଦ୍ଧ କରି ନାମଜପ ଓ ଧ୍ୟାନ କରିବ । ସତ୍ନାମକୁ ମନେମନେ ଉଚ୍ଚାରଣ କରିବ, ଜିଭ ବା ଓଠ ହଲଚଲ ହେବନାହିଁ । ଠାକୁରଙ୍କ ଚଳଣଚରିତ୍ର, ଆଦେଶନିଦେ୍ର୍ଦଶ ଓ ଅନ୍ୟାନ୍ୟ ଗୁଣାବଳୀର ଚିନ୍ତା କରି ସେଗୁଡ଼ିକୁ ରୂପାୟନ କରିବାରେ ମନ ନିବେଶ କରିବ । ମନରେ କୌଣସି ଅବାନ୍ତର ଚିନ୍ତା ଆସିଲେ ସେ ଦିଗକୁ ମନ ନଦେଇ ଠାକୁରଙ୍କର ଚିନ୍ତା କରି ଚାଲିବ । ଅଧଘଣ୍ଟାରୁ ପଞ୍ଚାଳିଶ ମିନିଟ୍ ପର୍ଯ୍ୟନ୍ତ ଏହିପରି କରିଯିବ । ଧ୍ୟାନପରେ ଠାକୁରଙ୍କୁ ପ୍ରଣାମ କରି ସ୍ୱତଃଅନୁଜ୍ଞା ଆବୃତ୍ତି କରିବ । ତାହା ଶେଷ କରି ପୁନର୍ବାର ପ୍ରଣାମ କରିବ ।
ଧ୍ୟାନପରେ ଇଷ୍ଟଭୃତି ନିବେଦନ କରିବ । ସ୍ୱସ୍ତ୍ୟୟନୀଧାରୀ ହୋଇଥିଲେ ସ୍ୱସ୍ତ୍ୟୟନୀଭୃତି ନିବେଦନ କରି ସଯତ୍ନେ ରଖିବ । ସମୟ ଅନୁସାରେ ବିନତି-ପ୍ରାର୍ଥନା ଓ ବାଣୀଗ୍ରନ୍ଥାଦି ପାଠ ସାରି ପିତା-ମାତା, ଶାଶୁ-ଶ୍ୱଶୁର, ସ୍ୱାମୀ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ନେବ । ଦିନଭିତରେ କିଛି ସମୟ ଲେଖାପଢ଼ା ଓ ସତ୍ ଆଲୋଚନାପାଇଁ ସମୟ ରଖିବା ଉଚିତ । ପୁଣି ସଂଧ୍ୟାବେଳେ ପ୍ରାର୍ଥନା କରିବ । ମୋଟାକୋଟି ଏଇଟା ହେଲା ଯଜନ କାର୍ଯ୍ୟ । ଏହାଛଡ଼ା ଯାଜନ କରିବାପାଇଁ ସମୟ ରଖିବ ।
ଯାଜନ ମାନେ ପରିବେଶକୁ ଇଷ୍ଟଙ୍କ ଭାବରେ ଭାବିତ କରିତୋଳିବା
ଯାଜନ ମାନେ ପରିବେଶରେ ଇଷ୍ଟଙ୍କର ସଞ୍ଚାରଣ କରିବା । ପରିବେଶକୁ ଇଷ୍ଟଙ୍କ ଭାବରେ ଭାବିତ କରି ତାଙ୍କଠାରେ ଯୁକ୍ତ କରିଦେବା ଏକ ମହାନ୍ କାମ । କେଉଟ ଯେପରି ମାଛ ଧରେ, ସେହିପରି ଆମକୁ ମଣିଷଧରା କେଉଟ ପରି ଲାଗିଯିବାକୁ ହେବ । ଯାଜନ ବଡ଼ ଭଲ ଜିନିଷ । ପ୍ରତ୍ୟେକ ଦିନ ଯାଜନ କରିବା ଉଚିତ । ତଦ୍ଦ୍ୱାରା ମଣିଷର ମସ୍ତିଷ୍କ ତୀକ୍ଷ୍ଣ, କୌଶଳୀ ଓ ସଙ୍ଗତିଶୀଳ ହୋଇଉଠେ । ଯାଜନରେ ମଣିଷ ଶିକାରୀ ହୁଏ । ଶିକାରରେ ମଣିଷ ମାରିବାକୁ ଚାହେଁ, କିନ୍ତୁ ଏଥିରେ ପୂରଣ କରିବାକୁ ଚାହେଁ । ମଣିଷର ଭଲ କରିବା ଗୋଟାଏ ବିଳାସିତା ହୋଇଉଠେ । ମଣିଷ ବଞ୍ଚୁ, ଭଲ ରହୁ, ବଡ଼ ହେଉ- ଏହି ଭାବ ଗୋଟାଏ ନିଶା ପରି ହୋଇଯାଏ । ମଣିଷର ଅଶୁଭକୁ ରୋଧ କରିବାକୁ ହୁଏ ନିଶା ।
ଯାଜନ ପ୍ରସ୍ତୁତିର କୌଣସି ସୀମାରେଖା ନାହିଁ । ପଢ଼ିବା ଗୋଟିଏ ଦିଗ । ସେବା ଅନ୍ୟଏକ ଅପରିହାର୍ଯ୍ୟ ଅଙ୍ଗ । ମଣିଷର କେତେ ରକମର ପ୍ରୟୋଜନ ଓ କେତେ ଭାବେ ସେବା ଆବଶ୍ୟକ ହୋଇପାରେ । ପୁଣି ଯାଜନ କଥାରେ ହୁଏ, ବକ୍ତୃତାରେ ହୁଏ, ଗୀତରେ ହୁଏ, ଲେଖାରେ ହୁଏ, ଅଭିନୟରେ, ଆଙ୍କିବାରେ, ଗବେଷଣାରେ, ଖବରକାଗଜରେ, ରେଡ଼ିଓ, ଟିଭି ରେକର୍ଡ଼ ଇତ୍ୟାଦିରେ ହୋଇପାରେ । ଅବଶ୍ୟ ସବୁଠାରୁ ବଡ଼ ଯାଜନ ହେବ ମଣିଷର ଚରିତ୍ର । ପାରିବାରିକ ସଂସ୍କାର, ବିବାହସଂସ୍କାର, ପରବର୍ତ୍ତୀ ପୂର୍ବବର୍ତ୍ତୀଙ୍କର ବିବର୍ତ୍ତିତ ରୂପ ହୋଇଥିବାରୁ ଧର୍ମର ବିଭିନ୍ନତା ଭୁଲ୍ ଧାରଣା, ବର୍ଣ୍ଣାଶ୍ରମ ଆଦି ଭବିଷ୍ୟତରେ ବିଶେଷଭାବେ ଯାଜନର ଅଂଶ ନେଇପାରେ । ସେତେବେଳେ ଭାରତର ସ୍ଥିତି ବଦଳିଯିବ । ବିଶ୍ୱଭ୍ରାତୃତ୍ୱର ସମ୍ଭାବନା ଏକ ସହଜରୂପ ନେବ ।
ଯାଜନର ପ୍ରଧାନ ଜିନିଷ ହେଲା ଇଷ୍ଟ ଓ କୃଷ୍ଟି ସମ୍ବନ୍ଧରେ ମଣିଷର ଅନ୍ତରରେ ଗୋଟାଏ ଶ୍ରଦ୍ଧା, ସଂଭ୍ରମ ଓ ଅନୁରାଗ ଜଗାଇଦେବା । ଯାଜନ ନକଲେ ଭିତରର ଭାବ ଶୁଖିଯାଏ । ସାଧାରଣତଃ ଦେଖାଯାଏ ଯେଉଁମାନେ ଭକ୍ତିମାନ୍, ଆଚାରବାନ୍ ଓ ଯାଜନମୁଖର ସେମାନେ ତାଜା ଓ ତୀକ୍ଷ୍ଣ ଥାନ୍ତି । ଏପରି ଲୋକଙ୍କର ସଂଖ୍ୟା ସମାଜରେ ଯେତେ ଅଧିକ ହେବ ସମାଜପାଇଁ ସେତେ ମଙ୍ଗଳ । ସେମାନଙ୍କ ପ୍ରଭାବରେ ଅନ୍ୟମାନେ ମଧ୍ୟ ତାଜା ହୋଇଉଠିବେ । ଯାଜନପ୍ରଭାବରେ ଦେଶରେ ନୈତିକତାର ମାନ ବଢ଼ିଯିବ, ଫଳରେ ଦୋଷ, ଅପରାଧ ହ୍ରାସ ପାଇବ । ପ୍ରତ୍ୟେକଟି ସତ୍ସଙ୍ଗୀ ଯାଜନମୁଖର ହୋଇ ଚାଲିଲେ ଦେଶର ହାୱା ବଦଳିଯିବ । ଯାଜନରେ ସଫଳତା ପାଇବାପାଇଁ ଠାକୁର ବିଭିନ୍ନପ୍ରକାର କାଇଦା କଟକଣାର ଅବତାରଣା କରିଛନ୍ତି ।
ପ୍ରୀତି, ହୃଦ୍ୟତା ଭିତରଦେଇ ମଣିଷଭିତରେ ପଶିବ । ଖରାପ ଲୋକକୁ ଗୋଟିଏ ରୋଗୀ ଭାବି ଚିକିତ୍ସା କରିବ । ନିଜର ବା ଅପର ଭିତରର ଅହଂକୁ ଉତ୍ତେଜିତ କରିବ ନାହିଁ, ହେଲେ ଯାଜନ ବିଫଳ ହେବ । ପ୍ରତ୍ୟେକଟି ପରିବାର ଗୋଟିଏ ଗୋଟିଏ କୃଷ୍ଟି ଓ ସେବାବିକିରଣୀ କେନ୍ଦ୍ର ଭାବେ ଗଢ଼ି ଉଠିବା ଉଚିତ ।
ମଣିଷ ଯେତେବେଳେ କୌଣସି ଜିନିଷରେ ଅଭିଭୂତ ହୋଇଥାଏ ସେତେବେଳେ ଅନେକ ସମୟରେ ତା’ ଭିତରେ ଗୋଟାଏ ମାନସିକ କ୍ଷତର ସୃଷ୍ଟି ହୁଏ । ସେଠାରେ ସାମାନ୍ୟ ଆଘାତ ଲାଗିଲେ ସେ ଅନେକ ସମୟରେ କ୍ଷିପ୍ତ ହୋଇଉଠେ । ତେଣୁ ଯାହାର ଯେଉଁ ବିଷୟରେ ଦୁର୍ବଳତା ଅଛି ସେ ବିଷୟରେ ବେଶୀ ଘଣ୍ଟାଘଣ୍ଟି ନକରି ଅନ୍ୟ ବିଷୟରେ ଗଳ୍ପ କର । ତା’ର ଦୁର୍ବଳତା କ’ଣ ତାହା ବୁଝିନେଇ ସେହି ବିଷୟରେ ଆଲୋଚନା କର । ତା’ କଥାରୁ ସୂତାଧରି ତାରି ଝୁଙ୍କର ବିଷୟ ଆଲୋଚନା କର । ତୁମେ ଯେଉଁକଥା କହିବାକୁ ଚାହୁଁଛ, ସେ ପ୍ରଶ୍ନ ତା’ଆଡ଼ୁ କିପରି ଉଠିପାରେ ସେଇ କୌଶଳରେ କଥାବାର୍ତ୍ତା କର ।
ଶ୍ରୀଶ୍ରୀଠାକୁର କହନ୍ତି— ଏହା ଏକବାର ସତ୍ୟ ଯେ ଯାଜନ ପରି ଟନିକ୍ ନାହିଁ, ପରୀକ୍ଷିତ ସତ୍ୟ । ଖୁବ୍ ଶୀର୍ଣ୍ଣ ମନୁଷ୍ୟ ମଧ୍ୟ ଯିଏ, ତାକୁ ଯଦି ଏହି ନିଶାରେ, ଏପରି ଗୋଟାଏ ପ୍ରାଣଦ ଉଲ୍ଲାସ ହୁଏ ଯେ ଶରୀର ଆପେ ଆପେ ଭଲ ହୋଇଯାଏ, ପୂର୍ବବଙ୍ଗର ଦଙ୍ଗା ଓ ବର୍ମାର ଯୁଦ୍ଧ ସମୟରେ କେତେ ଲୋକ ମରିଗଲେ, କିନ୍ତୁ ଯଜନ, ଯାଜନ, ଇଷ୍ଟଭୃତିପରାୟଣ ସତସଙ୍ଗୀମାନେ ଅଦ୍ଭୁତ ଭାବେ ରକ୍ଷା ପାଇଗଲେ।
ଯାଜନ ଭିତରଦେଇ ଉଭୟ ଯାଜକ ଓ ଯାଜିତ ସତ୍ତାର ଖୋରାକ ପାନ୍ତି, ଅସ୍ତିତ୍ୱର ଖୋରାକ ପାନ୍ତି । ମସ୍ତିଷ୍କର ଅନୁଶୀଳନ ଭଲ ହୁଏ, ପ୍ରାଣଶକ୍ତିର ଖୁବ୍ ଉନ୍ନୟନ ହୁଏ । ଯାଜନରେ କ୍ଳାନ୍ତି ଆସେନା, କାରଣ ତା’ ସହିତ ଜୀବନୀୟ ପ୍ରବାହର ଯୋଗ ଥାଏ । ବୁଦ୍ଧିଯୋଗ ଯାଜନର ଅନ୍ୟନାମ । କାରଣ ଆମେ ନଜାଣିଥିବା କଥାମାନ ମୁହଁରୁ ବାହାରି ଆସେ ।
ଖାଲି କଥା କହିଗଲେ ହେବନାହିଁ । ତା’ ମଧ୍ୟରେ ଜୀବନର ସଞ୍ଚାର କରିବା ଉଚିତ । ଲୋକଙ୍କ ଧରଣ ବୁଝି କଥା କହିବାକୁ ହେବ । ବିଶିଷ୍ଟ ଲୋକଙ୍କୁ ଯାଜନ କରିବାବେଳେ କେତେକ ସର୍ଟ କନ୍ଭିନସିଙ୍ଗ କ୍ୟାଚ୍ ୱାର୍ଡ଼ ମନୋବିଜ୍ଞାନସମ୍ମତ ଭାବେ କହିବାକୁ ହୁଏ । ଇଷ୍ଟାର୍ଥପୂରଣୀ ସମ୍ବେଗ ଓ ଇଷ୍ଟାର୍ଥପୋଷଣୀ ଚରିତ୍ର ନିଜର କଥା, ବ୍ୟବହାର ଓ କର୍ମରେ ଫୁଟି ବାହାରିବା ଉଚିତ ।
( ଡ. ଗୋପୀନାଥ ପରିଡ଼ାଙ୍କ ଲିଖିତ ନିବନ୍ଧ ‘ଯଜନ,ଯାଜନ, ଇଷ୍ଟଭୃତି’ର ସଂପାଦିତ ଉପସ୍ଥାପନା)