ନେତାଜୀଙ୍କୁ ପ୍ରଥମ ସାକ୍ଷାତରେ ଶ୍ରୀଶ୍ରୀଠାକୁର ଦେଇଥିଲେ ମଣିଷ ତିଆରିର ମନ୍ତ୍ର
ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ ଶ୍ରୀଶ୍ରୀଠାକୁରଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ। ସେମାନଙ୍କ ପ୍ରାର୍ଥନାରେ ହିଁ ୧୯୨୩ ମସିହାରେ ଶ୍ରୀଶ୍ରୀଠାକୁର ଓ ମାତା ମନୋମୋହିନୀ ବହୁ ଭକ୍ତଙ୍କ ସହ ପୁରୀ ଆସି ମାସାଧିକ କାଳ ଅବସ୍ଥାନ କରିଥିଲେ। ଚଳିତ ବର୍ଷ ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନକୁ ଶତବର୍ଷ ପୂର୍ଣ୍ଣ ହୋଇଛି। ମାତା ପ୍ରଭାବତୀଙ୍କ ନିର୍ଦ୍ଦେଶରେ ସୁଭାଷଚନ୍ଦ୍ର ତିନଥର ଶ୍ରୀଶ୍ରୀଠାକୁରଙ୍କ ସାନ୍ନିଧ୍ୟକୁ ଆସିଛନ୍ତି, ଦୁଇ ଥର ଦର୍ଶନ କରିଛନ୍ତି ଓ ଥରେ ଠାକୁରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଳାପ-ଆଲୋଚନା କରିଛନ୍ତି।
ସୁଭାଷଚନ୍ଦ୍ର ଆଇ.ସି.ଏସ୍. ପାସ୍ କରିବା ପରେ ଚାକିରି ନ କରି ଦେଶସେବାରେ ଆତ୍ମନିୟୋଗ କରିବେ ବୋଲି ସିଦ୍ଧାନ୍ତ ନେଇ ଭାରତ ଫେରିଲେ। ଦେଶକୁ ଫେରିବାର କିଛିଦିନ ପରେ ଶ୍ରୀଶ୍ରୀଠାକୁରଙ୍କ ସହିତ ସାକ୍ଷାତ୍ କରିବାପାଇଁ ତାଙ୍କର ମାମୁ ବାରିଷ୍ଟର ଜେ.ଏନ.ଦତ୍ତଙ୍କ ସହିତ କଲିକତାର ବାଗବାଜାର କାଳୀପ୍ରସାଦ ଚକ୍ରବର୍ତ୍ତୀ ଷ୍ଟ୍ରିଟସ୍ଥିତ ଦୁର୍ଗା-ମାଉସୀଙ୍କ ଘରକୁ ଆସନ୍ତି । ସେତେବେଳେ ଶ୍ରୀଶ୍ରୀଠାକୁର ଓ ଜନନୀ ମନୋମୋହିନୀ ଦୁର୍ଗା-ମାଉସୀଙ୍କ ଘରେ ରହୁଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପରେ ସେଥର ଇନଫ୍ଲୁଏଞ୍ଜା ସଂକ୍ରାମକ ବ୍ୟାଧିରୂପେ ଦେଖାଦିଏ । ସେତେବେଳେ ଏଇ ଜରକୁ ‘ୱାର୍ ଫିଭର’ କୁହାଯାଉଥିଲା । ଏଇ ୱାର୍ ଫିଭରରେ ସେତେବେଳେ ଶ୍ରୀଶ୍ରୀଠାକୁର ପ୍ରବଳ ଭାବେ ଆକ୍ରାନ୍ତ ହୋଇଥିଲେ । ସୁଭାଷଚନ୍ଦ୍ର ଏଇ ସମୟରେ ଶ୍ରୀଶ୍ରୀଠାକୁରଙ୍କ ସାଥୀରେ ଆଳାପ କରିବାକୁ ଆସି ବ୍ୟର୍ଥ ମନୋରଥ ହୋଇ ଫେରିଯାଇଥିଲେ ।
ଏହାର କିଛିବର୍ଷ ପରେ ସେ ଆଶ୍ରମ ଦେଖିବାକୁ ପାବନା ହିମାଇତପୁର ଆସନ୍ତି । ତାଙ୍କୁ ସତସଙ୍ଗର ବିଭିନ୍ନ ପ୍ରତିଷ୍ଠାନ ବୁଲାଇ ଦେଖାଯାଏ ଓ ଶ୍ରୀଶ୍ରୀଠାକୁରଙ୍କର କର୍ମଧାରା, ସମାଜସଂସ୍କାର ଇତ୍ୟାଦି ବହୁ ବିଷୟରେ ଆଳାପ ହୁଏ ।
ଆଶ୍ରମ ଦେଖି ସେ କହନ୍ତି– ସାଧାରଣତଃ ଆଶ୍ରମ କହିଲେ ଲୋକେ ସନ୍ନ୍ୟାସୀ ବା ଗୃହତ୍ୟାଗୀମାନଙ୍କର ଆଶ୍ରମକୁ ବୁଝନ୍ତି । ଗୃହୀ ହୋଇ ପରିବାରପରିଜନ ସହ ଆଶ୍ରମ ଜୀବନଯାପନ କରିବାର ଦୃଷ୍ଟାନ୍ତ ଆପଣମାନେ ହିଁ ପ୍ରଥମେ ଦେଖାଇଛନ୍ତି । ପରିବାର ପରିଜନଙ୍କର ଭାର ମୁଣ୍ଡରେ ନେଇ ଦୈନ୍ୟ ଅଭାବ ଅଭିଯୋଗ ମଧ୍ୟଦେଇ ଆପଣମାନେ ଆଗେଇ ଚାଲିଛନ୍ତି । ତେଣୁ ମୋର ମନେହୁଏ, ଆପଣମାନେ ଗୋଟାଏ ବଡ଼ ଗୁରୁଦାୟିତ୍ୱ ନେଇଛନ୍ତି । ଆପଣମାନେ ଯଦି ସତରେ ଏହିପରି ଭାବେ ଆଶ୍ରମ ଗଢ଼ି ତୋଳିପାରନ୍ତି ତା’ହେଲେ ଆପଣମାନେ ଦେଶ ପାଖରେ ଗୋଟାଏ ଉଜ୍ଜ୍ୱଳ ଦୃଷ୍ଟାନ୍ତର ସ୍ଥଳ ହୋଇ ରହିବେ । ଗୃହୀ ହୋଇ ମଧ୍ୟ ଆଶ୍ରମ ଜୀବନଯାପନ କରାଯାଏ ଏ କଥା ଲୋକଙ୍କ ପାଖରେ ଆଉ ଅବିଶ୍ୱାସ୍ୟ ବୋଲି ବୋଧହେବ ନାହିଁ ।
ବିବାହ ଓ ସମାଜ ସଂସ୍କାରର କଥା ଶୁଣି କହନ୍ତି– ଦେଖନ୍ତୁ, ଏ ବିଷୟରେ ଆପଣମାନେ ଯାହା କହିବାକୁ ଚାହୁଁଛନ୍ତି, ତାହା ଦୃଢ଼କଣ୍ଠରେ ଲୋକଙ୍କ ସାମନାରେ ଘୋଷଣା କରନ୍ତୁ, ତା’ଦ୍ୱାରା ଦଳେ ଲୋକ ଆପଣମାନଙ୍କର ଘୋର ବିରୋଧୀ ହୋଇ ଠିଆହେବେ ସତ, କିନ୍ତୁ ଅପରଦିଗରେ ଏପରି କେତେକ ଏକନିଷ୍ଠ ଲୋକ ପାଇବେ ଯେଉଁମାନେ ଆପଣମାନଙ୍କର ପ୍ରୋଗ୍ରାମକୁ ସକି୍ରୟ ଭାବେ ସମର୍ଥନ କରିବେ। ସେମାନଙ୍କର ସାହାଯ୍ୟରେ ଆପଣମାନଙ୍କର କାର୍ଯ୍ୟ ଖୁବ୍ ଆଗେଇଯିବ । ବିରୁଦ୍ଧବାଦୀମାନେ ଆପଣମାନଙ୍କୁ ରୋକିପାରିବେ ନାହିଁ ।
ଆଶ୍ରମର ସବୁଆଡ଼େ ବୁଲି ଦେଖିବା ପରେ ଶ୍ରୀଶ୍ରୀଠାକୁରଙ୍କ ପାଖକୁ ଆସି ଭକ୍ତିଭରେ ତାଙ୍କୁ ପ୍ରଣାମ କରି କହିଲେ– ମୋର ମା’ମୋତେ ଥରେ ଆଶ୍ରମଟା ଦେଖି ଯିବାକୁ କହିଥିଲେ, ତେଣୁ ଦେଖିବାକୁ ଆସିଲି । ଦେଖି ବେଶ୍ ଭଲ ଲାଗିଲା । ୟାଙ୍କ (ଲେଖକଙ୍କ) ସାଥୀରେ ସତସଙ୍ଗର ଭାବଧାରା ନେଇ ବିସ୍ତୃତ ଆଲୋଚନା ହେଲା । ଏ ସମ୍ବନ୍ଧରେ ମୋର ମତାମତ ତାଙ୍କୁ ଜଣାଇଦେଇଛି ।
ଶ୍ରୀଶ୍ରୀଠାକୁର ତାଙ୍କୁ ତାଙ୍କର ବାପା, ମା’ ଏବଂ ଅନ୍ୟାନ୍ୟ ସମସ୍ତଙ୍କର କୁଶଳ ପ୍ରଶ୍ନାଦି କଲେ, ସୁଭାଷଚନ୍ଦ୍ର ଯଥାଯଥ ଉତ୍ତର ଦେଲେ । ତା’ପରେ ସେ ଶ୍ରୀଶ୍ରୀଠାକୁରଙ୍କୁ ପଚାରିଲେ– ଦେଶପାଇଁ ତ ବିଭିନ୍ନ କାମ କରିବାକୁ ଅଛି । ତେବେ ଦେଶର ପ୍ରକୃତ ସେବା କରିବାକୁ ହେଲେ କେଉଁଠୁ ଆରମ୍ଭ କରିବାକୁ ହେବ? ଏ ବିଷୟରେ ଆପଣଙ୍କର ମତ କ’ଣ?
ଶ୍ରୀଶ୍ରୀଠାକୁର– ମୋର କଥା ହେଉଛି, ଦେଶର କାମ କରିବାକୁ ହେଲେ ପ୍ରଥମେ ମଣିଷ ତିଆରିର ପ୍ରୋଗ୍ରାମ୍ ନେବାକୁ ହେବ । ଭଲ ମଣିଷ ପାଇବାକୁ ହେଲେ ହିଁ ବିବାହ-ସଂସ୍କାରର ଆଶୁ ପ୍ରୟୋଜନ । ଆଉ ଏହା ଏପରିଭାବେ କରିବାକୁ ହେବ ଯାହାଦ୍ୱାରା ସବୁ ବିବାହ compatible (ସୁସଙ୍ଗତ) ହୁଏ; ଆଉ compatibleର ମାନେ ବିହିତ ସଙ୍ଗତି । ବର୍ଣ୍ଣ, ବଂଶ, ଆୟୁ, ସ୍ୱାସ୍ଥ୍ୟ ଇତ୍ୟାଦି ସବୁ ହିସାବ କରି ଦେଖି-ଶୁଣି କାମ କରିବାକୁ ହୁଏ । ବିହିତ ବିବାହ ହେଲେ ହିଁ ଭଲ ସନ୍ତାନ ଆସେ, ଆଉ ସେତେବେଳେ ସେଇମାନଙ୍କଦ୍ୱାରା ହିଁ ଦେଶର, ଦଶର ସମସ୍ତଙ୍କର କାମ ହୁଏ । ସେଥିପାଇଁ ମଣିଷ-ତିଆରିର ବ୍ୟବସ୍ଥା ଆଗେ କରିବା ଦରକାର । ଦାସଦା (ଦେଶବନ୍ଧୁ ଚିତ୍ତରଞ୍ଜନ) ଯେତେବେଳେ ମୋତେ କହିଲେ ଯେ ସେ ମଣିଷ ଖୋଜି ପାଉନାହାନ୍ତି ଯାହା ଉପରେ ଭାର ଦେଇ ସେ ଟିକିଏ ହଟି ଠିଆହୋଇପାରିବେ,– ତା’ର ଉତ୍ତରରେ ମୁଁ ଏଇ କଥା ହିଁ କହିଛି ।
ସୁଭାଷଚନ୍ଦ୍ର– ମଣିଷ ତିଆରିର ଯେ ଆଶୁ ପ୍ରୟୋଜନ ତାହା ଚିନ୍ତା କରିଛି । କିନ୍ତୁ ତାହା କରିବାକୁ ହେଲେ ଯେ ବିବାହ-ସଂସ୍କାରର ପ୍ରୟୋଜନ ତାହା ଭାବି ଦେଖିନାହିଁ । ବିବେକାନନ୍ଦ ମଧ୍ୟ ମଣିଷ-ତିଆରିର କଥା କହିଯାଇଛନ୍ତି କିନ୍ତୁ କିପରି ହେବ ତାହା ବିଶେଷଭାବେ କହିଯାଇ ନାହାନ୍ତି । ମୋର ମନେହୁଏ ସେ ଶିକ୍ଷା ଉପରେ ଜୋର ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଭାବି ଦେଖୁଛି, ଭଲ ସଂସ୍କାରସମ୍ପନ୍ନ ଶିଶୁ ଯଦି ଜନ୍ମ ନ ହୁଏ, ତେବେ ଖାଲି ଶିକ୍ଷା ସେମାନଙ୍କର ବିଶେଷ କ’ଣ କରିପାରିବ? ବୀଜରୁ ଗଛ ହୁଏ, ବୀଜ ଭଲ ହେଲେ ହିଁ ଗଛ ଭଲ ହେବ । ଏହା ଆପଣଙ୍କ କଥା ଶୁଣି ବୁଝିପାରୁଛି । କିନ୍ତୁ ଏହା ତ ଦୀର୍ଘ ସମୟ-ସାପେକ୍ଷ ।
ଶ୍ରୀଶ୍ରୀଠାକୁର– ଦୀର୍ଘ ସମୟ ତ ନିଶ୍ଚୟ ନେବ । ଆମେ ତ ଏତେଦିନ ପର୍ଯ୍ୟନ୍ତ ଜାତି ବା ସମାଜପାଇଁ କିଛି କରିନୁ । ବହୁ ମଇଳା ଜମିଯାଇଛି । ତାହା ସଫା କରିବାକୁ ସମୟ ନିଶ୍ଚୟ ଲାଗିବ । କୌଣସି short-cut-programme ରେ ଜାତିର ପ୍ରକୃତ କଲ୍ୟାଣ ହେବ ବୋଲି ମୋର ମନେହୁଏ ନାହିଁ ।
ଆହୁରି ନାନା କଥା ଆଲୋଚନା ହେବା ପରେ ସେ ଶ୍ରୀଶ୍ରୀଠାକୁରଙ୍କୁ ପ୍ରଣାମ କରି ବିଦାୟ ନେଲେ । ଯିବା ସମୟରେ ଶ୍ରୀଶ୍ରୀଠାକୁର, ସୁବିଧା ହେଲେ ତାଙ୍କୁ ପୁଣି ଆସିବାକୁ କହିଲେ ।
ସେ ମଥାନତ କରି ସମ୍ମତି ଜଣାଇଲେ ।
XXXXXXXXXXXX
ସୁଭାଷଚନ୍ଦ୍ର ଆଉ ଥରେ ଆଶ୍ରମକୁ ଆସିଥିଲେ ତାଙ୍କର ସେଇ ଐତିହାସିକ ଅନ୍ତର୍ଧାନର ବେଶ୍ କିଛିଦିନ ପୂର୍ବେ, ଅର୍ଥାତ୍ ଅନ୍ତରୀଣ ଅବସ୍ଥାର ଠିକ୍ ପୂର୍ବେ । ସୁଭାଷ ସେତେବେଳେ ଜନନେତା ହିସାବରେ ସବିଶେଷ ପ୍ରତିଷ୍ଠା ଲାଭ କରିସାରିଛନ୍ତି । ତେଣୁ ସେ ଆଶ୍ରମକୁ ଆସିବାରୁ ଏତେ ଅତ୍ୟଧିକ ଲୋକସମାଗମ ହେଲା ଯେ ଶ୍ରୀଶ୍ରୀଠାକୁରଙ୍କ ସହିତ ତାଙ୍କର ସାକ୍ଷାତମାତ୍ର ହିଁ ହେଲା, କୌଣସି କଥା ହେବାର ସୁଯୋଗ ହେଲା ନାହିଁ।
ତାଙ୍କୁ ବାଟେଇ ଦେଇ ଆସିବା ସମୟରେ ସେ ମୋତେ କହିଲେ– ଶ୍ରୀଶ୍ରୀଠାକୁରଙ୍କୁ କେତୋଟି କଥା ପଚାରିବି ବୋଲି ଆସିଥିଲି, ଏତେ ଲୋକଭିଡ଼ରେ ତାହା ଆଉ ସମ୍ଭବ ହେଲା ନାହିଁ ।
ମୁଁ କହିଲି– ଆସନ୍ତୁ ନା, ମୁଁ ଲୋକଙ୍କୁ ହଟେଇଦେବି; ଶ୍ରୀଶ୍ରୀଠାକୁରଙ୍କ ସହିତ ଆପଣ privately କଥାବାର୍ତ୍ତା କରିପାରନ୍ତି ତା’ର ବ୍ୟବସ୍ଥା କରିଦେବି । କିନ୍ତୁ ସେ ତାହା ଅସ୍ୱୀକାର କରି କହିଲେ– ଏତେ ଲୋକଙ୍କର ଅସୁବିଧା କରି ତାହା କରିବାକୁ ଚାହେଁ ନାହିଁ ।
ଏହା ହେଉଛି ସୁଭାଷଙ୍କ ସହିତ ଶେଷ ସାକ୍ଷାତକାର । ଆଶ୍ରମରୁ କଲିକତା ଫେରିଯିବା ପରେ ସେ ଅନ୍ତରୀଣ ହୁଅନ୍ତି । ତାଙ୍କର ଏଲ୍ଗିନ୍ ରୋଡସ୍ଥିତ ଘରେ, ଯେଉଁଘରେ ସେ ଏକାକୀ ବନ୍ଦୀପରି ଜୀବନଯାପନ କରୁଥିଲେ ସେ ଘରେ ଶ୍ରୀଶ୍ରୀଠାକୁରଙ୍କର ଗୋଟିଏ ଫଟୋ ଥିଲା । ସେଥିରୁ ବୁଝାଯାଏ ଯେ ସେ ଶ୍ରୀଶ୍ରୀଠାକୁରଙ୍କ ପ୍ରତି ଗଭୀର ଶ୍ରଦ୍ଧାସମ୍ପନ୍ନ ଥିଲେ ।
(ଶ୍ରୀସୁଶୀଲ ଚନ୍ଦ୍ର ବସୁଙ୍କ ଲିଖିତ ‘ମାନସତୀର୍ଥ ପରିକ୍ରମା’ ଗ୍ରନ୍ଥରୁ ସଂଗୃହୀତ।
ଅନୁବାଦ: ଦୋଳଗୋବିନ୍ଦ ପଣ୍ଡା)