ଶ୍ରୀଶ୍ରୀଠାକୁରଙ୍କ ଅମୂଲ୍ୟ ଗ୍ରନ୍ଥରାଜି : ଜୀବନବର୍ଦ୍ଧନର ଚାବିକାଠି
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ତାଙ୍କ ଜୀବନକାଳରେ ଅସଂଖ୍ୟ ବାଣୀ ଓ ପୃଷ୍ଠାର ସାହିତ୍ୟ ଆମକୁ ପ୍ରଦାନ କରିଯାଇଛନ୍ତି । ଏଥିରୁ ଶ୍ରୀଶ୍ରୀଠାକୁରଙ୍କ ଶ୍ରୀହସ୍ତଲିଖିତ ‘ସତ୍ୟାନୁସରଣ’ ଗ୍ରନ୍ଥ, କେତେକ ପତ୍ର ଓ କବିତାକୁ ଛାଡିଦେଲେ ଅନ୍ୟଗୁଡିକ ଶ୍ରୁତଲିଖନ ଅଟେ । ସୃଷ୍ଟିରହସ୍ୟଠାରୁ ଆରମ୍ଭ କରି ସାଧାରଣ ଜୀବନଚର୍ଯ୍ୟାପର୍ଯ୍ୟନ୍ତ ସମସ୍ତ କିଛି ଏଥିରେ ଭରି ରହିଛି; ରହିଛି ଜୀବନ ଦର୍ଶନ, ବିଶ୍ୱର ଧୂଳିକଣାପର୍ଯ୍ୟନ୍ତ ସମସ୍ତ ବସ୍ତୁସତ୍ତା ଓ ରସଭାବର ସମାବେଶ । ବିଶ୍ୱର ଏପରି ବସ୍ତୁନାହିଁ, ତାହା ଜଡ ହେଉ କି ଜୀବନ୍ତ, ସେ ବିଷୟରେ ଶ୍ରୀଶ୍ରୀଠାକୁର କହିନାହାନ୍ତି…
ଶ୍ରୀଶ୍ରୀଠାକୁରଙ୍କ ସାହିତ୍ୟ ସୃଷ୍ଟି ମୁଖ୍ୟତଃ ଦୁଇଭାଗରେ ବିଭକ୍ତ- ଗଦ୍ୟ ଓ ପଦ୍ୟ । ଗଦ୍ୟବିଭାଗରେ ଆଲୋଚନା, ପତ୍ରାବଳୀ ତଥା ପଦ୍ୟବିଭାଗରେ ଛଡା ଏବଂ ବାଣୀସବୁ ଅନ୍ତର୍ଭୁକ୍ତ । ଶ୍ରୀଶ୍ରୀଠାକୁରଙ୍କ ଗଦ୍ୟ ସାହିତ୍ୟର ସୂତ୍ର ବା ଆଧାର ହେଉଛି “ସତ୍ୟାନୁସରଣ” । ଏହି କ୍ଷୁଦ୍ରକାୟ ପୁସ୍ତିକାଟିକୁ ଶ୍ରୀଶ୍ରୀଠାକୁର ମାତ୍ର ୨୨ ବର୍ଷ ବୟସରେ ରାତିକ ମଧ୍ୟରେ ରଚନା କରିଥିଲେ ନିଜର ପ୍ରିୟଭକ୍ତ ଅତୁଳଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଅନୁରୋଧରେ । ଭକ୍ତପ୍ରବର ସ୍ୱକର୍ମ କ୍ଷେତ୍ର ବର୍ମାକୁ ଫେରିଯିବା ସମୟରେ ଅଶ୍ରୁ ଛଳଛଳ କଣ୍ଠରେ ନିବେଦନ କଲେ ଜୀବନପାଇଁ କିଛି ପାଥେୟ ଉପଦେଶ। ଭକ୍ତର ଅନୁରୋଧ ଭଗବାନଙ୍କୁ ଅଥୟ କରି ତୋଳିଲା । ଶ୍ରୀଶ୍ରୀଠାକୁର ରଚନା କଲେ “ସତ୍ୟାନୁସରଣ” । ଆକାରରେ କ୍ଷୁଦ୍ର ହେଲେ ବି ସୃଷ୍ଟିର କାରଣ ଓ ତା’ର ସମାଧାନୀ ସୂତ୍ର ସହିତ ଆଧ୍ୟାତ୍ମିକ ତତ୍ତ୍ୱ ଓ ବ୍ୟାବହାରିକ ଜ୍ଞାନର ଏହା ଏକ ମୌଳିକ ଦିଗ୍ଦର୍ଶନ । ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ଏ ଗ୍ରନ୍ଥକୁ ବାର ବାର ପଢି ମଧ୍ୟ ତୃପ୍ତ ହୋଇ ପାରିନାହାନ୍ତି । ଜଣେ କିଶୋର ଯୁବକ ଯେ ଏତେ ଅକଳିତ ଦର୍ଶନର ଅଧିକାରୀ, ତାହା ଅନୁଭବ କରି ସେ ବିସ୍ମିତ ହୋଇପଡ଼ିଲେ ।
ଶ୍ରୀଶ୍ରୀଠାକୁରଙ୍କ ଭାବସମାଧି ଅବସ୍ଥାରେ ଶ୍ରୁତଲିଖିତ ‘ପୁଣ୍ୟପୁଁଥି’ ଗ୍ରନ୍ଥ ଜଟିଳ ଦାର୍ଶନିକ ତଥ୍ୟସମ୍ବଳିତ ଭକ୍ତିରଚନା । ନିର୍ଝରଣୀର ସ୍ରୋତତୁଲ୍ୟ ସ୍ୱତଃନିର୍ଗତ ବିବିଧ ଭାଷାାର ସାହିତ୍ୟରେ ଏହା ରସାଳ ଓ ଜୀବନ୍ତ । ଏହାର ସମସ୍ତ ତଥ୍ୟକୁ ପ୍ରମାଣ କରିବା ଦୁଷ୍କର, କାରଣ ଏହା ଅପୌରୁଷେୟ ବାକ୍ । ଗଦ୍ୟ ଓ ପଦ୍ୟର ମଧୁର ଝଙ୍କାରରେ ଏହାର ଉଦାତ୍ତ ବାଣୀ ଭକ୍ତମାନଙ୍କ ହୃଦୟରେ ପ୍ରାଣନ ଶକ୍ତି ଜାଗ୍ରତ କରେ । କେବଳ ଅନୁରାଗୀ ଭକ୍ତ ହିଁ ତାହା ଅନୁଭବ କରେ । ଶ୍ରୀ ଅଶ୍ୱିନୀ କୁମାର ବିଶ୍ୱାସଙ୍କ ଦ୍ୱାରା ସଙ୍କଳିତ ପବିତ୍ର ‘ଅମିୟ ବାଣୀ’ରେ ଶ୍ରୀଶ୍ରୀଠାକୁରଙ୍କ ଶ୍ରୀମୁଖନିଃସୃତ ଉପଦେଶାବଳୀ ଗଦ୍ୟାକାରରେ ସଂଗ୍ରଥିତ । ଧର୍ମ, କୃଷ୍ଟି ଓ ଜୀବନବାଦର ତତ୍ତ୍ୱରେ ପରିପୂର୍ଣ୍ଣ ଉକ୍ତ ଗ୍ରନ୍ଥର ସୁଧାଧାରା ପାନ କଲେ ହୃଦୟରେ ଭକ୍ତଭାବର ରସୋଚ୍ଛ୍ୱାସ ସୃଷ୍ଟିହୁଏ, ଜୀବନର ସମସ୍ତ ଜିଜ୍ଞାସା ପରିତୃପ୍ତି ଲାଭ କରେ ।
ଶ୍ରୀଶ୍ରୀଠାକୁରଙ୍କ କୈଶୋର ଜୀବନରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଅଗଣିତ ଦେଶୀ ବିଦେଶୀ ଆର୍ତ୍ତ, ଜିଜ୍ଞାସୁ, ଅର୍ଥାର୍ଥୀ ଓ ଜ୍ଞାନୀ ଭକ୍ତ ଅନୁରକ୍ତମାନେ ତାଙ୍କ ସମୀପକୁ ଆସିଛନ୍ତି । ତାଙ୍କର ଅମିୟ ଦର୍ଶନ ଲାଭ କରି ତୃପ୍ତ ହୋଇଛନ୍ତି । ସେମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନର ସର୍ବବିଧ ସମସ୍ୟାକୁ ଶ୍ରୀଶ୍ରୀଠାକୁରଙ୍କ ସମକ୍ଷରେ ଖୋଲା ହୃଦୟରେ ତୋଳି ଧରିଛନ୍ତି । ସେମାନଙ୍କ ପ୍ରତ୍ୟେକ ପ୍ରଶ୍ନର ସମାଧାନୀ ସୂତ୍ର ଶ୍ରୀଶ୍ରୀଠାକୁର ସହଜ ସରଳ ଭାବରେ ବତାଇ ଦେଇଛନ୍ତି । ଏହିଠାରେ ହିଁ ଶ୍ରୀଶ୍ରୀଠାକୁରଙ୍କ ‘ସର୍ବଜ୍ଞତ୍ୱବୀଜ’ର ଆଭାସ ମିଳେ । ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ କି ସୁଭାଷ ବୋଷ ହୁଅନ୍ତୁ କି ମହାନ୍ ବୈଜ୍ଞାନିକ ସି.ଭି. ରମଣ ବା କୃଷ୍ଣପ୍ରସନ୍ନ ଭଟ୍ଟାଚାର୍ଯ୍ୟ- ସମସ୍ତଙ୍କ ସମସ୍ୟାର ସେ ଦେଇଛନ୍ତି ସୁଷ୍ଠୁ ସମାଧାନ । ସେହି ପ୍ରଶ୍ନୋତ୍ତରର ଆଧାରରେ ସୃଷ୍ଟି ହୋଇଛି ବିଶାଳ ସାହିତ୍ୟ- ଦ୍ୱାବିଂଶଖଣ୍ଡ ବିଶିଷ୍ଟ ଆଲୋଚନା ପ୍ରସଙ୍ଗ, ଷଟ୍ଖଣ୍ଡ ବିଶିଷ୍ଟ ଦୀପରକ୍ଷୀ, ଚତୁଃଖଣ୍ଡ ବିଶିଷ୍ଟ ନାନାପ୍ରସଙ୍ଗେ, ତ୍ରିଖଣ୍ଡ ବିଶିଷ୍ଟ କଥାପ୍ରସଙ୍ଗ, ଇସ୍ଲାମପ୍ରସଙ୍ଗ, ନାରୀର ପଥେ, ପ୍ରତୁଳଦୀପ୍ତି ଆଦି । ସାହିତ୍ୟର ମୂଲ୍ୟାୟନ ସମ୍ଭବତଃ ଶତାବ୍ଦୀ ଶତାବ୍ଦୀ ଧରି ଚାଲିବ ।
ଶ୍ରୀଶ୍ରୀଠାକୁରଙ୍କ ଶ୍ରୀମୁଖନିଃସୃତ ଏହି ଆଲୋଚନାଗୁଡିକ ବେଶ ହୃଦୟସ୍ପର୍ଶୀ ଓ ଶିକ୍ଷଣୀୟ ଏବଂ ଏଥିରେ ଜଗତର ସମସ୍ତ ବିଷୟ ଓ ବ୍ୟାପାରର ସଂଶ୍ଳେଷଣ ଓ ସମାଧାନ ନିହିିତ । ଶ୍ରୀଶ୍ରୀଠାକୁର ବିଭିନ୍ନ ସମୟରେ ପରିବାରପରିଜନ, ଆତ୍ମୀୟସ୍ୱଜନ ବା ଭକ୍ତ ଶିଷ୍ୟମାନଙ୍କ କୁଶଳ ଜିଜ୍ଞାସା କରି କିମ୍ବା ପତ୍ରର ଉତ୍ତର ଦେଇ ଯେଉଁ ପତ୍ରଗୁଡିକ ଲେଖିଛନ୍ତି, ସେଗୁଡିକ ‘ତାଁର ଚିଠି’ ଗ୍ରନ୍ଥରେ ସନ୍ନିବେଶିତ । ଏ ପତ୍ରଗୁଡିକର ଶୈଳୀ ଯେପରି ସୁନ୍ଦର ସାବଲୀଳ, ସେହିପରି ଭାବଗମ୍ଭୀର ଓ ସତ୍ତାପୋଷଣୀ ଭାବନାରେ ଉଜ୍ଜୃମ୍ଭିତ ।
ଶ୍ରୀଶ୍ରୀଠାକୁରଙ୍କର ପ୍ରଦତ୍ତ ତପୋବିଧାୟନା, ଚଲାର ସାଥୀ ପ୍ରଭୃତି ସ୍ମୃତିଗ୍ରନ୍ଥଗୁଡିକ ଗଦ୍ୟାକାରରେ ରଚିତ ହୋଇଥିିଲେ ମଧ୍ୟ ସେଥିରେ ପଦ୍ୟର ଅନୁରଣନି ଝଙ୍କୃତ ହୋଇଉଠେ । ପ୍ରବହମାନ ସ୍ରୋତସ୍ୱିନୀର ଧାରାତୁଲ୍ୟ ଏ ସମସ୍ତ ପୁସ୍ତକର ବାଣୀଗୁଡିକ ଛନ୍ଦୋମୟ ଶୈଳୀରେ ବିରଚିତ । ଏହାର ଶରୀର ଗଦ୍ୟ ପରି ହେଲେ ମଧ୍ୟ ଆତ୍ମା ପଦ୍ୟପରି । ଏଣୁ ଏଗୁଡିକୁ ପଦ୍ୟ ସାହିତ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ଯଥାର୍ଥ ।
ଶ୍ରୀଶ୍ରୀଠାକୁରଙ୍କ ବାଣୀ ଗ୍ରନ୍ଥଗୁଡିକର ସଂକ୍ଷିପ୍ତ ସୂଚନା ଦିଆଯାଇପାରେ । ସଦବିଧାୟନା ଗ୍ରନ୍ଥରେ ସତ୍ତାର ପୋଷକତତ୍ତ୍ୱ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ସୂତ୍ରାକାରରେ ନିବଦ୍ଧ । ତପୋବିଧାୟନା ଗ୍ରନ୍ଥରେ ତପସ୍ୟାର ବାସ୍ତବ ରହସ୍ୟ ପ୍ରଦତ୍ତ ହୋଇଛି । ଶିକ୍ଷାବିଧାୟନା ଗ୍ରନ୍ଥରେ ଶିକ୍ଷା ପଦ୍ଧତିର ରହସ୍ୟ ବିଶଦଭାବେ ବର୍ଣ୍ଣିତ । ପ୍ରକୃତ ଶିକ୍ଷା ଅନୁଶାସନବାଦ ଓ ପ୍ରଶିକ୍ଷଣ ମାଧ୍ୟମରେ କିପରି ସଂଚାରିତ ହୁଏ, ତାହା ଉକ୍ତ ଗ୍ରନ୍ଥରେ ପ୍ରକାଶିତ । ବିକୃତିବିନାୟନା ଗ୍ରନ୍ଥରେ ବିକୃତିର ସ୍ୱରୂପ ଓ ନିରାକରଣର ଜଟିଳ ତଥ୍ୟ ସହଜ ସାବଲୀଳ ଶୈଳୀରେ ଉପସ୍ଥାପିତ । ଅହଙ୍କାର, ଗର୍ବେପ୍ସା, ହୀନମନ୍ୟତା, ସ୍ୱାର୍ଥାନ୍ଧତା, ପରଶ୍ରୀକାତରତା, ବିଶ୍ୱାସଘାତକତା, କୃତଘ୍ନତା ପ୍ରଭୃତି ସୃଷ୍ଟିର କାରଣ ଏଥିରେ ବର୍ଣ୍ଣିତ । ଲୋକସମାଜକୁ ସତସନ୍ଦୀପ୍ତ ଓ ପ୍ରେରଣାପ୍ରବୁଦ୍ଧ କରି ଇଷ୍ଟମୁଖୀ କରି ତୋଳିବା ଉଦେ୍ଦଶ୍ୟରେ ଯାଜୀସୂକ୍ତ ଗ୍ରନ୍ଥର ମହିମା ଅତୁଳନୀୟ । କିପରି ବାକ୍ବ୍ୟବହାର ଚଳନ ମାଧ୍ୟମରେ ଲୋକ ସନ୍ନିଷ୍ଠ ବା ଈଶ୍ୱରମୁଖୀ ହୋଇପାରେ, ତାହା ଏଥିରେ ପ୍ରତିଫଳିତ । ଆଦର୍ଶ ବିନାୟକ ଗ୍ରନ୍ଥରେ ଆଦର୍ଶ ଜୀବନପଥରେ ଆଗେଇ ଯିବାର ଉପଦେଶ ପ୍ରଦତ୍ତ । ଗୁରୁ, ଆଦର୍ଶ, ଇଷ୍ଟ, ଅବତାର ଓ ପ୍ରେରିତ ପୁରୁଷମାନଙ୍କୁ ଜାଣିବା, ଅନୁସରଣ କରିବା ଦ୍ୱାରା ମନୁଷ୍ୟଜୀବନର ଯଥାର୍ଥ ଉନ୍ନତି ସମ୍ଭବ ବୋଲି ଗ୍ରନ୍ଥରେ ବର୍ଣ୍ଣନା ଉପଲବ୍ଧ । ସେହିପରି ବିଜ୍ଞାନବିଭୂତି ଗ୍ରନ୍ଥରେ ଜ୍ଞାନର ବିଭିନ୍ନ ବିଭାଗର ସୂକ୍ଷ୍ମ ବିଶ୍ଳେଷଣ ତଥା ଗବେଷଣା ପଦ୍ଧତିର ବିସ୍ତୃତ ବିବରଣୀ ବର୍ଣ୍ଣିତ । ଜ୍ଞାନେନ୍ଦ୍ରୀୟଗୁଡିକର ବୋଧବିଚାରସମନ୍ୱିତ ବ୍ୟବହାର ଓ ମାନସଭୂମିର ଆଦର୍ଶନିଷ୍ଠାଜନିତ ସାମ୍ୟଭାବ ଏଥିରେ ସନ୍ନିବେଶିିତ । ନିଷ୍ଠା ବିଧାୟନା ଗ୍ରନ୍ଥରେ ନିଷ୍ଠା ବା ଇଷ୍ଟଙ୍କଠାରେ ଅଚୁ୍ୟତ ଅନୁରାଗ କିପରି ସମ୍ଭବ, କିପରି ବା ନିଷ୍ଠାବିହୀନ ବ୍ୟକ୍ତିର ବହୁକେନ୍ଦ୍ରିକତାର ବିଫଳତା ସୃଷ୍ଟିହୁଏ- ତାହା ବର୍ଣ୍ଣିତ । ଆଧ୍ୟାତ୍ମିକ ଦର୍ଶନର ବିଭିନ୍ନ ବିଭାବ, ଯଥା- ଈଶ୍ୱର, ଆତ୍ମା, ବ୍ରହ୍ମ, ସତ୍ତା, ଈଶ୍ୱରଙ୍କ ସାକାର ଓ ନିରାକାର ସ୍ୱରୂପ, ମୁକ୍ତି ଓ ମୋକ୍ଷ ପ୍ରଭୃତି ବିଷୟରେ ଜଟିଳ ତଥ୍ୟକୁ ଆଧାର କରି ଦର୍ଶନବିଧାୟନା ଗ୍ରନ୍ଥ ସଙ୍କଳିତ । ଧର୍ମର ପ୍ରକୃତ ତାତ୍ପର୍ଯ୍ୟ ଓ ଜୀବନବର୍ଦ୍ଧନ ମଧ୍ୟରେ ଧର୍ମର ସତ୍ତା କିପରି ନିହିତ ତାହା ଧୃତିବିଧାୟନା ଗ୍ରନ୍ଥରେ ଉପସ୍ଥାପିତ । ଧର୍ମର ଯଥାର୍ଥ ଅନୁଶୀଳନ ଓ ଆଚାର ଦ୍ୱାରା କିପରି ଜୀବନ ସୁଷ୍ଠୁ, ସୁନ୍ଦର ଓ ସୁଖଶାନ୍ତିମୟ ହୋଇଉଠେ, ତାହାହିଁ ବିଶଦ ଭାବରେ ଉକ୍ତ ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି । ପ୍ରୀତିବିନାୟକ ଗ୍ରନ୍ଥରେ ପ୍ରେମ ବା ପ୍ରୀତିର ରହସ୍ୟ ପ୍ରତିଫଳିତ । ଭକ୍ତିର ଗାଢତ୍ୱ ହିଁ ପ୍ରେମ ଓ ପ୍ରେମ ବିଭିନ୍ନ ପ୍ରକାରରେ ଉଦ୍ଭିନ୍ନ ହୋଇଉଠେ ଓ ପ୍ରେମମାର୍ଗସ୍ଥିତ ପ୍ରତିବନ୍ଧଗୁଡିକର ନିରାକରଣ କିପରି ସମ୍ଭବ ତାହା ଗ୍ରନ୍ଥରେ ଉପସ୍ଥାପିତ । ସମାଜତନ୍ତ୍ର, ରଷ୍ଟ୍ରବାଦ, ଗଣପ୍ରତିନିଧିତ୍ୱ, ସ୍ୱାଧୀନତା ତଥା ରାଷ୍ଟ୍ରନାୟକତ୍ୱ ପ୍ରଭୃତିର ପ୍ରକୃତ ଲକ୍ଷଣ ପ୍ରକାଶିତ ହୋଇଛି ବିଧାନବିନାୟକ ଗ୍ରନ୍ଥରେ । ସେହିପରି ବିବାହବିଧାୟନା ଗ୍ରନ୍ଥରେ ବିବାହର ଉଦ୍ଦେଶ୍ୟ ଓ ସାର୍ଥକ ବିବାହର ରହସ୍ୟ ପ୍ରଦତ୍ତ । ଅନୁଲୋମ-ପ୍ରତିଲୋମ ବିବାହ, ଅସିଦ୍ଧ ବିବାହ, ବିବାହବିଚ୍ଛେଦର ପରିଣତି ଆଦି ଏଥିରେ ବିସ୍ତୃତ ଭାବରେ ବର୍ଣ୍ଣିତ । ସେବାବିଧାୟନା ଗ୍ରନ୍ଥରେ ପରିବେଶର ଯଥାବିହିତ ସେବାଦ୍ୱାରା କିପରି ଜୀବନର ଉଦ୍ବର୍ଦ୍ଧନ ସମ୍ଭବ ହୁଏ, ତାହା ବର୍ଣ୍ଣିତ । ବିଜ୍ଞାନ ସମ୍ମତ ଇଷ୍ଟପୋଷଣୀ ସେବାରେ ପରିବେଶର ଉନ୍ନୟନ କରାଯାଇପାରିଲେ ତାହା କିପରି ପଂଚ ଜୀବନକୁ ସଫଳ କରି ତୋଳେ, ତାହା ପ୍ରତ୍ୟେକର ଅବଶ୍ୟ ଜ୍ଞାତବ୍ୟ । ନୀତି ବିଧାୟନା ଗ୍ରନ୍ଥରେ ସତ୍ତାସମ୍ବର୍ଦ୍ଧନୀ ନୀତିଗୁଡିକ ସମ୍ବନ୍ଧରେ ଆଲୋଚନା ବିସ୍ତୃତ ଭାବେ ବର୍ଣ୍ଣିତ । ଜୀବନଯାପନ କ୍ଷେତ୍ରରେ ଯାବତୀୟ ଜଟିଳତା, ଦୁଦୈବ ବା ବିଘ୍ନ ବିପର୍ଯ୍ୟୟ ହସ୍ତରୁ କିପରି ନିଜର ସୁରକ୍ଷା କରାଯାଇପାରେ ସେସବୁ ଏଥିରେ ବର୍ଣ୍ଣିତ । କୃତିବିଧାୟନା ଗ୍ରନ୍ଥରେ ସହଜାତ କର୍ମକୌଶଳରେ କିପରି ବ୍ୟକ୍ତି ଜୀବନର ସାର୍ଥକ ପ୍ରଗତି ହୁଏ ତାହା ବର୍ଣ୍ଣିତ । ଗୁଣକର୍ମର ବିଧିବିନ୍ୟାସ ଫଳରେ କିପରି ବା ସହଜାତ କୃଷ୍ଟି ବୈଭବର ବିକାଶ ସାଧିତ ହୋଇପାରେ, ତାହା ବିଶଦ ଭାବେ ଏଥିରେ ଉପସ୍ଥାପିତ ହୋଇଛି । ସଦବିଧାୟନା ଗ୍ରନ୍ଥରେ ସତ୍ତାମୁଖୀ ଜୀବନଚଳଣି କିପରି ଉନ୍ନୟନକୁ ଅବ୍ୟାହତ କରେ ତଥା ସ୍ଥାନ-କାଳ-ପାତ୍ର ଓ ପରିସ୍ଥିତି ଅନୁଯାୟୀ କେଉଁଠି କିପରି ବ୍ୟବହାର କରିବା ଉଚିତ ତାହା ବର୍ଣ୍ଣିତ ହୋଇଛି । ସମାଜସନ୍ଦୀପନା ଗ୍ରନ୍ଥରେ ବ୍ୟଷ୍ଟିଜୀବନ, ଦାମ୍ପତ୍ୟ ଜୀବନ ଓ ରାଷ୍ଟ୍ରୀୟ ଜୀବନର ବିବିଧ ସ୍ୱରୂପ, ତଥା ବିବାହ, ସୁପ୍ରଜନନ, ବର୍ଣ୍ଣଧର୍ମ, ଦାରିଦ୍ର୍ୟବ୍ୟାଧିର ନିରସନ ଓ ପ୍ରୀତିପ୍ରବୃଦ୍ଧ ପରାକ୍ରମୀ ସମାଜଗଠନ ପ୍ରଭୃତିର ସମସ୍ତ ସୂତ୍ର ପ୍ରଦର୍ଶିତ । ସେହିପରି ଆର୍ଯ୍ୟକୃଷ୍ଟି ଗ୍ରନ୍ଥରେ ଆର୍ଯ୍ୟସଂସ୍କୃତିର ସ୍ୱରୂପ, ବର୍ଣ୍ଣାଶ୍ରମ, ଦଶବିଧ ସଂସ୍କାର, ଯଜନ, ଯାଜନ, ପରିବେଶର ସେବା, ପିତୃକୃଷ୍ଟି ଓ ପୂର୍ବଜଙ୍କ ପ୍ରତି ଶ୍ରଦ୍ଧାନତି ପ୍ରଭୃତି ବର୍ଣ୍ଣିତ । ବିଧିବିନ୍ୟାସ ଗ୍ରନ୍ଥରେ ଉନ୍ନତିକାମୀ ସାଧକର ଆତ୍ମଶୁଦ୍ଧି ନିମିତ୍ତ ଓ ମଙ୍ଗଳମୁଖୀ ପ୍ରବାହ ସମ୍ବନ୍ଧରେ ଧାରଣା ପ୍ରଦତ୍ତ । ପଥେରକଡୀ ଗ୍ରନ୍ଥରେ ଜୀବନର ଚଲାପଥରେ ଆବଶ୍ୟକ ପାଥେୟତୁଲ୍ୟ ଉପଦେଶାବଳୀ ବାଣୀରୂପରେ ସଂଗ୍ରଥିତ । କଳୁଷିତ ମନୋବିକାରର ନିରସନ ନିମିତ୍ତ ବାଣୀଗୁଡିକରେ ଉପାଦେୟତା ଅନସ୍ୱୀକାର୍ଯ୍ୟ । ଚଲାର ସାଥୀ ଗ୍ରନ୍ଥରେ ଜୀବନଚଳଣିର ଦୁର୍ଗମ ପଥରେ ସାହାଯ୍ୟକାରୀ ଅମୂଲ୍ୟ ବାଣୀଗୁଡିକ ସନ୍ନିବେଶିତ । ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ଗ୍ରନ୍ଥରେ କାୟିକ, ମାନସିକ ଓ ଆଧ୍ୟାତ୍ମିକ ତ୍ରିବିଧଶୁଚିତାର ସ୍ୱରୂପ ବର୍ଣ୍ଣିତ । ବ୍ୟାଧିର କାରଣ ଓ ନିରାକରଣର ବିବିଧ ମାର୍ଗ ଏଥିରେ ପ୍ରଦତ୍ତ । ଯତି ଅଭିଧର୍ମ ପୁସ୍ତକରେ ଯତିଜୀବନରେ ପାଳନୀୟ ନୀତିବିଧିର ବିସ୍ତୃତ ବିବରଣୀ ଦିଆଯାଇଛି । ନାରୀର ବୈଶିଷ୍ଟ୍ୟକୁ ବର୍ଣ୍ଣନା କରି ଉପସ୍ଥାପିତ ହୋଇଛି ଦେବୀସୂକ୍ତ ଗ୍ରନ୍ଥ । କଲ୍ୟାଣମୟୀ ନାରୀ ଦେବପ୍ରସବିନୀ ହୋଇ କିପରି ଆଦର୍ଶାନୂରାଗ ପ୍ରକାଶିତ କରିପାରେ, ତାହାର ସୂତ୍ର ବତାଇ ଦିଆଯାଇଛି । କର୍ମୀମାନଙ୍କ ନିତ୍ୟ ଅବଶ୍ୟପାଳନୀୟ ବିଧିବିଧାନକୁ ଆଧାର କରି ଚର୍ଯ୍ୟାସୂକ୍ତ ଗ୍ରନ୍ଥ ଓ ଜୀବନ ଚଳଣିର ବାସ୍ତବତାର ଆଶ୍ରୟରେ ଶାଶ୍ୱତୀ ଗ୍ରନ୍ଥର ସୃଷ୍ଟି । ଉର୍ଜୀ ଆତ୍ମଶକ୍ତିର ଉନ୍ମେଷନିମିତ୍ତ ସମ୍ବିତୀ ଗ୍ରନ୍ଥର ମହତ୍ତ୍ୱ ଅତୁଳନୀୟ । ପ୍ରାତ୍ୟହିକ ଜୀବନରେ ଅଭ୍ୟାସ ବ୍ୟବହାର ଓ ଆଚାର ଆଚରଣକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆଚାରଚର୍ଯ୍ୟା ଗ୍ରନ୍ଥ ଅନୁପମ । ନାରୀର ନୀତି ଗ୍ରନ୍ଥଟି ନାରୀ ଜୀବନର ସାମଗ୍ରିକ ଅଭିବ୍ୟକ୍ତି ପ୍ରଦାନ କରେ । ଏଥିରେ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନାରୀଜୀବନର ଟିକିନିଖି ଚଳନଚରିତ୍ର ଓ ପାରିପାରିକ ତଥା ସାମାଜିକ ଜୀବନରେ ନାରୀର ଭୂମିକା ବର୍ଣ୍ଣିତ । ସଂଜ୍ଞା ସମୀକ୍ଷା ଗ୍ରନ୍ଥରେ ଧର୍ମ, ଦର୍ଶନ, ସଂସ୍କୃତି, ସମାଜ, ରାଷ୍ଟ୍ର ଓ ବ୍ୟବହାରିକ ଜୀବନରେ ବ୍ୟବହୃତ ବହୁ ବିଷୟର ତାତ୍ପର୍ଯ୍ୟ ପରିପ୍ରକାଶିତ । ଆର୍ଯ୍ୟ ପ୍ରାତିମୋକ୍ଷ ଗ୍ରନ୍ଥରେ ଶ୍ରୀଶ୍ରୀଠାକୁରଙ୍କ ଦେଓଘର ଆଗମନ ପରର ବହୁ ଗଦ୍ୟବାଣୀ ପ୍ରଦତ୍ତ । ଏଥିରେ ଶ୍ରୀଶ୍ରୀଠାକୁରଙ୍କ ଲୀଳାର ସ୍ମୃତିସନ୍ଦୀପୀ ଐତିହାସିକ ତାତ୍ପର୍ଯ୍ୟ ସମନ୍ନିତ ବିଭିନ୍ନ ବସ୍ତୁ ସନ୍ନିବେଶିତ । ଜୀବନଦୀପ୍ତି ଗ୍ରନ୍ଥରେ ସର୍ବକଲ୍ୟାଣକର ଐକ୍ୟସନ୍ଦୀପୀ ଜୀବନଚଳନ ପାଇଁ ଉଦ୍ଦିଷ୍ଟ ବାଣୀଗୁଡିକ ରହିଛି । ଆଶିଷବାଣୀ ଗ୍ରନ୍ଥରେ ଶ୍ରୀଶ୍ରୀଠାକୁରଙ୍କ ପ୍ରଦତ୍ତ ଅନୁଶାସନ ବାଣୀଗୁଡିକରେ ସମାବେଶ ଏବଂ ପରମପୂଜ୍ୟପାଦ ଶ୍ରୀଶ୍ରୀବଡଦାଙ୍କ ପ୍ରତି ପ୍ରଦତ୍ତ ଦୀର୍ଘ ଆଶୀର୍ବାଦଗୁଡିକ ସନ୍ନିବିଷ୍ଟ । ଏତଦ୍ବ୍ୟତୀତ ପ୍ରାର୍ଥନା, ଉପାସନା ଓ ବିବିଧ ସୂକ୍ତ ପ୍ରଭୃତି ଗ୍ରନ୍ଥଗୁଡିକରେ ମଧ୍ୟ ବାଣୀସବୁ ଉପଲବ୍ଧ ହୁଏ ।
ଉପର୍ଯୁକ୍ତ ବାଣୀଗ୍ରନ୍ଥଗୁଡିକରେ ସତ୍ତା, ଧର୍ମ, ଜୀବନ, କୃଷ୍ଟି ଓ ଲୋକଚର୍ଯ୍ୟା ପ୍ରଭୃତି ସମସ୍ତ ବିଷୟରେ ବିଶଦ ବିବରଣୀ ରହିଛି, ସବୁଗୁଡିକର ଅନୁଶୀଳନ ଆଜି ଏକାନ୍ତ ଆବଶ୍ୟକ ମନେହୁଏ । ଏତଦ୍ବ୍ୟତୀତ ଶ୍ରୀଶ୍ରୀଠାକୁର ଅସଂଖ୍ୟ ଛଡା ବା ଉପଦେଶାତ୍ମକ ବାକ୍ୟ ପଦ୍ୟ ଆକାରରେ ପ୍ରଦାନ କରିଯାଇଛନ୍ତି । ଏଗୁଡିକର ଭାବ ଯେତିକି ଗଭୀର ଓ ମର୍ମସ୍ପର୍ଶୀ, ସେହିପରି ଭାଷାର ସୈାନ୍ଦର୍ଯ୍ୟ ଓ ସାବଲୀଳତା ଅତୁଳନୀୟ । ଶ୍ରୀଶ୍ରୀଠାକୁରଙ୍କ ଅସଂଖ୍ୟ ବାଣୀକୁ ନେଇ ଅନୁଶ୍ରୁତି ଗ୍ରନ୍ଥର ସୃଷ୍ଟି । ସପ୍ତଖଣ୍ଡ ବିଶିଷ୍ଟ ଏହି ବିଶାଳ ଗ୍ରନ୍ଥରେ ବିଶ୍ୱ ସଂସାରର ସମସ୍ତ ବିଷୟରେ ସୂକ୍ଷ୍ମ ପର୍ଯ୍ୟାଲୋଚନା ସହିତ ସମାଧାନୀ ସୂତ୍ର ମଧ୍ୟ ପ୍ରଦତ୍ତ । ଏଥିରେ ଲୋକ ଚରିତ୍ର, ବୃତ୍ତିନିୟନ୍ତ୍ରଣ, କୃଷି, ଶିଳ୍ପ, ବ୍ୟବସାୟ, ରାଜନୀତି, ଶିକ୍ଷା, ଦାରିଦ୍ର୍ୟ, ସମାଜ, ବିବାହ, ସ୍ୱାସ୍ଥ୍ୟ ଓ ଧର୍ମ ପ୍ରଭୃତି ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା ପରିଲକ୍ଷିତ ହୁଏ ।
( ଡ. ରବୀନ୍ଦ୍ରନାଥ ଆଚାର୍ଯ୍ୟଙ୍କ ଲିଖିତ ‘ଦେବ ସାହିତ୍ୟ’ ନିବନ୍ଧର ନିର୍ବାଚିତାଂଶ)