ଶ୍ରୀଶ୍ରୀଠାକୁରଙ୍କ ପ୍ରଥମ ଦର୍ଶନରେ ହିଁ ଦୀକ୍ଷା ଗ୍ରହଣ କରିଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଶ୍ରୀଅରବିନ୍ଦଙ୍କ କନିଷ୍ଠ ଭ୍ରାତା ବାରୀନ୍ ଘୋଷଙ୍କ ଠାରୁ ଶ୍ରୀଶ୍ରୀଠାକୁରଙ୍କ ବିଷୟରେ ଶୁଣିଥିଲେ। ସେତେବେଳେ ହିଁ ଶ୍ରୀଶ୍ରୀଠାକୁରଙ୍କ ସାଥୀରେ ଦେଖା କରିବାର ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ସେ ସାକ୍ଷାତ କରିପାରି ନଥିଲେ। ୧୯୨୪ ମସିହା ମେ ୧୪ତାରିଖରେ ସେ ଶ୍ରୀଶ୍ରୀଠାକୁରଙ୍କୁ କଲିକତାରେ ଭେଟିଥିଲେ ଏବଂ ସେହିଦିନ ହିଁ ସତଦୀକ୍ଷା ଗ୍ରହଣ କରିଥିଲେ। ପଢ଼ନ୍ତୁ କିପରି ଥିଲା ଭକ୍ତ-ଭଗବାନଙ୍କର ଅପୂର୍ବ ମିଳନ…।
ସେଦିନ ସନ୍ଧ୍ୟା ସମୟରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଲିକତାର ମାଣିକତାଲାସ୍ଥିତ ଭବନରେ ଶ୍ରୀଶ୍ରୀଠାକୁରଙ୍କ ନିକଟକୁ ଆସନ୍ତି। ସେତେବେଳେ ଭବନଟି କୀର୍ତ୍ତନାନନ୍ଦରେ ମୁଖରିତ ହୋଇ ଯେପରି ଫାଟି ପଡ଼ୁଥିଲା। ଶ୍ରୀଶ୍ରୀଠାକୁର ଦୋତାଲାର ଛାତ ଉପରେ ମନ୍ଦୁରା ପାରି ଶୋଇଥିଲେ। ସେଠାକୁ ତାଙ୍କୁ ନେଇନିଆହେଲା। ଦେଶବନ୍ଧୁଙ୍କୁ ଦେଖି ଶ୍ରୀଶ୍ରୀଠାକୁର ଯେପରି ଚିରପରିଚିତ ପ୍ରାୟ ଉଠିବସି – ‘ଆସନ୍ତୁ ଦାଦା, ବସନ୍ତୁ! ଏହି ସମ୍ବୋଧନ କରି ସେହି ମନ୍ଦୁରାରେ ବସାଇଲେ।
ନାନା କଥାବାର୍ତ୍ତା ଚାଲିବାକୁ ଲାଗିଲା। ସ୍ୱରାଜ, ନନ୍-କୋଅପରେସନ୍, ଚରଖା ଇତ୍ୟାଦି ବହୁ ବିଷୟରେ ଶ୍ରୀଶ୍ରୀଠାକୁରଙ୍କ ସହିତ ଆଳାପ ହେବାକୁ ଲାଗିଲା।…
ମହାତ୍ମାଜୀଙ୍କ କଥା ଉଠିଲା। ଦେଶବନ୍ଧୁ କହିଲେ– ମହାତ୍ମାଜୀଙ୍କୁ ମୁଁ ପ୍ରଥମେ ଆଧ୍ୟାତ୍ମିକ ଦୃଷ୍ଟିସମ୍ପନ୍ନ ମହାପୁରୁଷ ଭାବି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲି, ତେଣୁ ଏକବର୍ଷ ତାଙ୍କ କଥା ଅନୁସାରେ ଚାଲିବି ବୋଲି ପ୍ରତିଶ୍ରୁତି ଦେଇଥିଲି। ତାଙ୍କର moral discipline
ଦେଖି ସତରେ ଆବାକ୍ ହୋଇଛି, କିନ୍ତୁ ତାଙ୍କର vision ସମ୍ବନ୍ଧରେ disappointed ହେଲି। ତେଣୁ ଏକବର୍ଷ ପରେ non-cooperation ଛାଡ଼ି ଦେଇ ଆମେମାନେ ସ୍ୱରାଜ୍ୟ ଦଳ ଗଠନ କରିଛୁ।
ଚରଖା ଓ ଖଦଡ଼ ବିଷୟରେ କହିଲେ – ତାହାଦ୍ୱାରା ଯେ ଦେଶର ଉପକାର ହେବ ତାହା ମୁଁ ବିଶ୍ୱାସ କରେ, କିନ୍ତୁ ସେଥିରେ ଯେ ଦେଶୋଦ୍ଧାର ହେବ ତାହା ମୁଁ ବିଶ୍ୱାସ କରେ ନାହିଁ। ତେବେ ମହାତ୍ମାଜୀଙ୍କର ସେଥିରେ ଦୃଢ଼ ବିଶ୍ୱାସ।
ଶ୍ରୀଶ୍ରୀଠାକୁର କହିବାକୁ ଲାଗିଲେ – “ଦେଖନ୍ତୁ ଦାସଦା, କେବଳ ଖଦଡ଼ରେ କ’ଣ ହେବ? ଆଉ ଜେଲ୍ ଗଲେ ହିଁ ବା କ’ଣ ହେବ? ଇଂରେଜମାନଙ୍କୁ କ’ଣ ଏପରି ଶକ୍ତିହୀନ ମନେକରନ୍ତି ଯେ କେବଳ ଖଦଡ଼ ପିନ୍ଧିଲେ ଆଉ ଜେଲ୍ ଗଲେ ହିଁ ସେମାନେ ଭାରତ ଛାଡ଼ି ପଳେଇଯିବେ? ଖାଲି ଜେଲ୍ ଗଲେ ଯାହା ହେବା କଥା ତାହା ହିଁ ହେବ। ସ୍ୱାସ୍ଥ୍ୟ କ୍ଷୟ ଓ ଶକ୍ତି ନଷ୍ଟ ହେବ।”
ଦେଶବନ୍ଧୁ ପ୍ରଶ୍ନ କଲେ – “ତେବେ କ’ଣ କରିବୁ?”
ଶ୍ରୀଶ୍ରୀଠାକୁର – “ଦେଶଟାକୁ ଯଦି ସ୍ୱାଧୀନ କରିବାକୁ ଚାହାନ୍ତି ତେବେ ଆପଣମାନଙ୍କୁ ଦେଖିବାକୁ ହେବ ଇଂରେଜମାନେ ସମଗ୍ର ଦେଶଟାକୁ କିପରି ସେବା ଦେଇ ଦେଶର ଅନ୍ତର ଜୟ କରିପାରିଛନ୍ତି। ଆପଣମାନେ ମଧ୍ୟ ଦେଶର ସେବାରେ ଲାଗିଯାନ୍ତୁ– କେଉଁଠି ଦେଶବାସୀଙ୍କ ଦୁଃଖ, ଜନସାଧାରଣଙ୍କର କୋଉଠି ଅଭାବ, ପ୍ରାଣେ ପ୍ରାଣେ ଦରଦ ଦେଇ ବୁଝି ତାହା ଦୂର କରିବା ନିମିତ୍ତ ତୀବ୍ର ଭାବରେ ଲାଗିଯାନ୍ତୁ – ଆଉ ଆପଣମାନଙ୍କର ସେବା ଯେତେବେଳେ ଦେଶବାସୀ ଇଂରେଜମାନଙ୍କର ସେବା ଅପେକ୍ଷା ବେଶୀ ବୋଲି ପ୍ରାଣେ ପ୍ରାଣେ ଅନୁଭବ କରିବେ ସେତେବେଳେ ‘ସ୍ୱରାଜ ସ୍ୱରାଜ’ ବୋଲି ଚିତ୍କାର ନ କଲେ ମଧ୍ୟ ସ୍ୱରାଜ ଆପଣାଛାଏଁ ଆସିବ।”
ଦେଶବନ୍ଧୁ – “କିନ୍ତୁ ଯାହା କରିବାକୁ ଯାଉଛୁ, ସେଥିରେ ଇଂରେଜମାନେ ବାଧା ଦେଉଛନ୍ତି।”
ଶ୍ରୀଶ୍ରୀଠାକୁର – “ଏପରି ଜାଗାରେ ଏପରି ଅବସ୍ଥାରେ ଠିଆ ହୋଇ କାର୍ଯ୍ୟ କରିବାକୁ ହେବ ଯହିଁରେ କାହା ସହିତ ବିରୋଧ ଉପସ୍ଥିତ ନ ହୁଏ। ଇଷ୍ଟଇଣ୍ଡିଆ କମ୍ପାନୀ ଯେତେବେଳେ ଏ ଦେଶକୁ ଆସିଥିଲା, ସେତେବେଳେ ସେମାନେ ଆସିଥିଲେ ସେମାନଙ୍କର ବ୍ୟବସାୟ ନେଇ, ସେମାନଙ୍କର କୃଷ୍ଟି ନେଇ। ସେମାନଙ୍କର ବ୍ୟବସାୟ ମାଧ୍ୟମରେ ଦେଶବାସୀଙ୍କର ଚାହିଦା ମେଣ୍ଟାଇବାକୁ ଲାଗିଲେ ଏବଂ ତତ୍ସଙ୍ଗେ ସଙ୍ଗେ ସେମାନଙ୍କର higher culture establish କରାଇବାକୁ ଲାଗିଲେ। ପାଦ୍ରୀମାନେ ବସେଇଦେଲେ ସ୍କୁଲ, ପ୍ରେସ୍, ହାସ୍ପାତାଳ ଇତ୍ୟାଦି। ସେସବୁ କ୍ରମଶଃ ଦେଶର ମନ ଜୟ କରିନେଲା। ଆପଣମାନେ ଯଦି ସେହିପରି ସେମାନଙ୍କୁ ଖାଲି ଗାଳିଗୁଲଜ ନ କରି, ଖାଲି ବକ୍ତୃତା ନ କରି, ଦେଶର କେଉଁଠି ବ୍ୟଥା ତାହା ଅନୁଭବ କରି ଦେଶର ସେବା କରିବାରେ ଲାଗିଯାନ୍ତି ତେବେ ସିନା ଆପଣମାନେ ଦେଶର ହୃଦୟ ଜୟ କରିପାରିବେ। ମଣିଷର ସବୁପ୍ରକାର ଅଭାବ ଦୂର କରିବା – ଏହି ଯଦି politics ହୁଏ ତେବେ ଏହା ମୋର politics.”
ଶ୍ରୀଶ୍ରୀଠାକୁରଙ୍କର ଏହିସବୁ ବାକ୍ୟାଳାପ ଶୁଣି ଦେଶବନ୍ଧୁ ଉଦ୍ଦୀପ୍ତ ହୋଇଉଠି କହିଲେ– “ତେବେ କ’ଣ କରିବୁ କହିଦିଅନ୍ତୁ। ମୋତେ ମଧ୍ୟ ଏ ରାଜନୀତି ଭଲ ଲାଗେନାହିଁ। କିନ୍ତୁ ଏପରିଭାବେ ଜଡ଼ିତ ହୋଇପଡ଼ିଛି ଯେ ଆଉ ବାହାରିପାରୁ ନାହିଁ। ସେପରି ଜଣେ ଉପଯୁକ୍ତ ଲୋକ ମଧ୍ୟ ପାଉ ନାହିଁ ଯାହା ହାତରେ ସବୁ ଦାୟିତ୍ୱ ଟେକିଦେଇ ମୁଁ ନିଶ୍ଚିନ୍ତ ହୋଇପାରିବି।”
ଶ୍ରୀଶ୍ରୀଠାକୁର ପ୍ରଶ୍ନ କଲେ, – “ଆଚ୍ଛା ଦାସଦା, ଏଇ ଯେ ଉପଯୁକ୍ତ ଲୋକ ପାଉନାହାନ୍ତି ବୋଲି କହିଲେ ଏହା କିପରି କହିପାରୁଛନ୍ତି? କାହିଁକି ଏତେବଡ଼ ଦେଶଟାରେ ଆପଣଙ୍କର ସାହାଯ୍ୟକାରୀ ଜଣେ ମଧ୍ୟ ଖୋଜି ପାଉନାହାନ୍ତି, ସେକଥା ଥରେ ଭାବି ଦେଖିଛନ୍ତି କି?”
ଦେଶବନ୍ଧୁ କହିଲେ – “ଯାହା ଉପରେ ନିର୍ଭର କରିବାକୁ ଯାଏ ସେ ଠିକ୍ ଠିକ୍ ପାରେ ନାହିଁ। ପୁଣି ଯାହାର ଭଲ କରେ, ସେ ହିଁ ହୋଇଉଠେ, ନିନ୍ଦୁକ, ବିଶ୍ୱାସଘାତକ।”
ଶ୍ରୀଶ୍ରୀଠାକୁର – “ଦେଖନ୍ତୁ, ତେବେ ଆପଣହିଁ କହିଛନ୍ତି ସାରା ବଙ୍ଗଳାରେ ମଣିଷ ପରି ମଣିଷ ଖୋଜି ପାଉନାହାନ୍ତି। ଅଥଚ ଏକା ଆପଣ ତ ସ୍ୱରାଜ ଆଣିପାରିବେ ନାହିଁ। ସାହାଯ୍ୟକାରୀ ନ ପାଇଲେ କାର୍ଯ୍ୟ କରିବେ କେଉଁମାନଙ୍କୁ ନେଇ?
“ଆହୁରି ଦେଖନ୍ତୁ, ଦେଶରେ ମଣିଷ ପରି ମଣିଷର ଅଭାବ ଆପଣମାନେ ଦେଖିବାକୁ ପାଉଛନ୍ତି, ଅଥଚ ଏତେ ଉଦ୍ୟମ କରି ଆପଣମାନେ ସ୍ୱାଧୀନତା ଆଣିବାକୁ ଚାହୁଁଛନ୍ତି। ସେଥିରେ ବୁଝାଯାଉଛି ଯେ, ଆପଣମାନେ ସ୍ୱାଧୀନତା ଚାହାନ୍ତି ନାହିଁ। ଯଦି ଚାହିଁଥାନ୍ତେ ତେବେ ମୋର ମନେ ହୁଏ– ଆଗେ ମଣିଷ ତିଆରି କରିଥାନ୍ତେ, ତା’ ନ କରି ଆପଣମାନେ କେବଳ ଇଂରେଜମାନଙ୍କର ଦୋଷ ହିଁ ଦେଖୁଛନ୍ତି। ସେମାନଙ୍କର ଦୋଷ ଦେଖି ଦେଖି ସେମାନଙ୍କର କି କି ଗୁଣ ସକାଶେ ଆମମାନଙ୍କୁ ସେମାନଙ୍କର ଅଧୀନରେ ରହିବାକୁ ହୋଇଛି, ତାହା ଆଉ ଦୃଷ୍ଟିରେ ପଡ଼ୁନାହିଁ।
“ଦେଶରେ ମଣିଷ ହେବେ କିପରି ଦାସଦା, ଦେଶର ସମାଜଟା ଏକଦମ୍ ପଚିଯାଇଛି। ଘରେ ଘରେ ଅଶାନ୍ତି, ଦାମ୍ପତ୍ୟ ସୁଖ ନାହିଁ, ଶିଶୁ ମୃତ୍ୟୁ। ଆଜିକାଲି ବିବାହ ବିଧିମାଫିକ୍ ହେଉନାହିଁ, ତେଣୁ ଭଲ ପିଲା ହେବେ କିପରି? ସମାଜକୁ ଯଦି ସଂସ୍କାର କରିପାରନ୍ତି ତେବେ ଏହା ଅସମ୍ଭବ ନୁହେଁ ଯେ ୨୦-୨୫ ବର୍ଷ ମଧ୍ୟରେ ଏପରି ଯୁବକ ପାଇବେ ଯେଉଁମାନେ ଦେଶରେ କର୍ମୀର ଅଭାବ ଦୂର କରିବେ।”
ଦେଶ, ସମାଜ, ସ୍ୱାସ୍ଥ୍ୟ, ଅର୍ଥ ଓ ସୁରକ୍ଷା ଇତ୍ୟାଦି ସମ୍ବନ୍ଧରେ କଥା ହେବାକୁ ଲାଗିଲା ଯାହା ଦେଶବନ୍ଧୁଙ୍କ ପରି ଆମ୍ଭମାନଙ୍କର ମଧ୍ୟ ଅନ୍ତର ସ୍ପର୍ଶ କଲା। ଦେଶବନ୍ଧୁ ମନ୍ତ୍ରମୁଗ୍ଧ ପରି ଶ୍ରୀଶ୍ରୀଠାକୁରଙ୍କ ମୁଖନିଃସୃତ କଥା ଶୁଣିବାକୁ ଲାଗିଲେ।
ଶ୍ରୀଶ୍ରୀଠାକୁରଙ୍କର ଏହିସବୁ କଥା ଶୁଣି ଶୁଣି ଦେଶବନ୍ଧୁ କହିବାକୁ ଲାଗିଲେ– “ମୁଁ ଏହିସବୁ କାର୍ଯ୍ୟରେ ମନପ୍ରାଣ ଦେଇ ଲାଗିପାରୁନାହିଁ। ପଲ୍ଲୀସେବା କରିବାକୁ ଯେପରି ମୋର ମନ ଚାହେଁ। ଆଉ ଏପରି ଗୋଳମାଳ ବଢ଼ାଇ ସ୍ୱରାଜ ହେବନାହିଁ। ତାହା ମଧ୍ୟ ମୁଁ ବୁଝିପାରୁଛି। ତଥାପି ଏଇ ମୃତକଳ୍ପ ଦେଶକୁ ଗୋଟାଏ ଉନ୍ମାଦନାରେ ମତାଇ ରଖିବାକୁ ଚାହିଁଛି, ଆଉ କିପରି ନିଜେ ହିଁ ଯେପରି ସେହି ଉନ୍ମାଦନାର ଘୂର୍ଣ୍ଣିପାଖରେ ପଡ଼ିଯାଇଛି।”
ଦେଶବନ୍ଧୁ ଚିତ୍ତରଂଜନ ଦାସ
ଶେଷରେ ଶ୍ରୀଶ୍ରୀଠାକୁର କହିଲେ– “ଦେଖନ୍ତୁ ଦାସଦା, ଯିଏ ସବୁକିଛି ଦେଖିପାରନ୍ତି ଏପରି ଜଣେ ଋଷି ବା ସିଅର ପଛରେ ନ ଥିଲେ କୌଣସି କାର୍ଯ୍ୟ ହୁଏ ନାହିଁ। ଅର୍ଜୁନଙ୍କର ଶ୍ରୀକୃଷ୍ଣ ଥିଲେ। ରାମଦାସ ଥିଲେ ବୋଲି ଶିବାଜୀ ମହାରାଷ୍ଟ୍ର ଜାତି ଗଢ଼ିତୋଳିଥିଲେ, ଆଉ ଚାଣକ୍ୟ ଥିଲେ ବୋଲି ଚନ୍ଦ୍ରଗୁପ୍ତ ହୋଇପାରିଥିଲେ। ଆଉ ରାଣାପ୍ରତାପ କେତେ ଶକ୍ତିଶାଳୀ ହୋଇ ମଧ୍ୟ, ଏତେ କରି ମଧ୍ୟ ସେପରି କିଛି ଗଢ଼ିତୋଳି ପାରିଲେ ନାହିଁ, କେବଳ ତାଙ୍କ ପଛରେଏପରି କେହି ନ ଥିଲେ ବୋଲି।”
ଦେଶବନ୍ଧୁ ସେତେବେଳେ ବାଳକ ପରି କହିଲେ– “ତେବେ କ’ଣ କରିବାକୁ ହେବ ମୋତେ କୁହନ୍ତୁ।”
ଶ୍ରୀଶ୍ରୀଠାକୁର – “ନାମ, ଖୁବ୍ ନାମ କରିବାକୁ ହୁଏ, ଦାଦା!”
ଦେଶବନ୍ଧୁ – “ନାମ ତ କେତେ କରିଛି। କାହିଁ କିଛି ତ ହେଲା ନାହିଁ।”
ଶ୍ରୀଶ୍ରୀଠାକୁର– “ଶୁଣିନେବାକୁ ହୁଏ, କିପରି କରିବାକୁ ହୁଏ। ଆଉ ତାହା ଅନବରତ କରିବାକୁ ହୁଏ।”
ଦେଶବନ୍ଧୁ– “କିପରି କରିବି କହିଦିଅନ୍ତୁ।”
ଶ୍ରୀଶ୍ରୀଠାକୁର– “ମା’ଙ୍କ ପାଖରୁ ଶୁଣିନିଅନ୍ତୁ, ମା’ ଜାଣନ୍ତି।”
ଶ୍ରୀଶ୍ରୀଠାକୁରଙ୍କ ଜନନୀ ମନୋମୋହିନୀ ଦେବୀ ସେଠାରେ ଉପସ୍ଥିତ ନ ଥିଲେ। ସେ ଆସିବା ମାତ୍ରକେ ଦେଶବନ୍ଧୁ ଉଠିଯାଇ ତାଙ୍କ ପାଖରେ ବସିଲେ। ଦେଶବନ୍ଧୁ ଦୀକ୍ଷା ଗ୍ରହଣର ଇଚ୍ଛା ପ୍ରକାଶ କରିବାରୁ ମା’ କହିଲେ,–“ଦେଖ, ତୁମେମାନେ ବଡ଼ଲୋକ। ବଡ଼ ବଡ଼ ଲୋକମାନଙ୍କୁ ମୋର ମୋଟେ ବିଶ୍ୱାସ ହୁଏନାହିଁ। ସେମାନେ ଭଗବାନଙ୍କୁ ଯେପରି ଅନୁଗ୍ରହ କରିନ୍ତି।”
ଅଦୂରେ ଶ୍ରୀଶ୍ରୀଠାକୁର ବସିଥିଲେ, ତାଙ୍କୁ ଦେଖେଇ ମା’ କହିଲେ– “ସେ ବାଳକ, ତା’ର କ’ଣ ବୁଦ୍ଧିଶୁଦ୍ଧି ଅଛି? ତା’କଥାରେ ଅନେକେ ଡ଼େଇଁ ପଡ଼ନ୍ତି। ଶେଷରେ ଠିକ୍ ରହିପାରନ୍ତି ନାହିଁ। ଯାଅ, ମନ ଠିକ୍ କରିଆସ। ତୁମମାନଙ୍କ ପରି ବଡ଼ଲୋକଙ୍କର ଆମପାଖରୁ ନାମ ନେବା ସାଜେ ନାହିଁ।”
ମା’ଙ୍କ କଥା ଶୁଣି ଦେଶବନ୍ଧୁ କହିଲେ– “ମା’! ମୁଁ ଆପଣମାନଙ୍କ ଦୟା ପାଇବି ନାହିଁ, ତା’ ମୁଁ ଜାଣେ। ମୋ’ ପରି ପାପୀ ଉପରେ ଦୟା କିପରି ହେବ? ମା’! ଜଗନ୍ନାଥ ମନ୍ଦିରକୁ କେତେ ଲୋକ ଯାଆନ୍ତି, ମୁଁ ଅଭିମାନରେ କେବେ ବି ସେ ମନ୍ଦିରଦ୍ୱାର ମାଡ଼ିନାହିଁ। ଜଗନ୍ନାଥ ସମସ୍ତଙ୍କୁ ଦୟା କରନ୍ତି ବୋଲି ଦେଖିବାକୁ ପାଏ, କେବଳ ମୋତେ ହିଁ ଦୟା କରନ୍ତି ନାହିଁ।”
ଦେଶବନ୍ଧୁଙ୍କର କାତରୋକ୍ତିରେ ମା’ଙ୍କର ମନ ଓଦା ହୋଇଗଲା।
ମା’ କହିଲେ– “ଦେଖ, କେତେ ଲୋକଙ୍କୁ ତ ଦେଖିଲି। ସେମାନେ କିଛିଦିନ ପରେ ଛାଡ଼ି ଦିଅନ୍ତି। ଧରିରଖିପାରନ୍ତି ନାହିଁ। ଶେଷରେ କହନ୍ତି ସେଥିରେ କିଛି ହୁଏ ନାହିଁ। ଶେଷରେ କେତେ କ’ଣ କହି ନିନ୍ଦା କରିବାକୁ ଆରମ୍ଭ କରନ୍ତି। ତୁମେ ଚିତ୍ତରଞ୍ଜନ, ଦେଶବିଖ୍ୟାତ ତୁମର ନାମ। କେତେ ଲୋକ ତୁମକୁ ମାନନ୍ତି। କେତେ ବଡ଼ଲୋକ ତୁମେ। ଆଉ ବଡ଼ଲୋକ ଯେତେବେଳେ ଆମପରି ଲୋକପାଖକୁ ଆସନ୍ତି ସେତେବେଳେ କୃତାର୍ଥ କରିବାକୁ ହିଁ ଆସନ୍ତି। ଯଦି କୃତାର୍ଥ କରିବାକୁ ଆସିଥାଅ ତେବେ ନାମ ନେଇ ତୁମର କୌଣସି ଲାଭ ନାହିଁ। ଅନ୍ୟାନ୍ୟ ବଡ଼ଲୋକଙ୍କ ପରି ତୁମେ ମଧ୍ୟ କିଛିଦିନ ପରେ ସବୁ ଛାଡ଼ିଦେବ।”
ଚିତ୍ତରଞ୍ଜନ ମା’ଙ୍କ କଥା ଶୁଣି ଦୃଢ଼ କଣ୍ଠରେ କହିଲେ – “ମା’, ଚିତ୍ତର ଅନେକ ଦୋଷ ଥାଇପାରେ କିନ୍ତୁ ପରମ ଶତ୍ରୁ ଏକଥା କେବେ ବି କହିପାରିବ ନାହିଁ ଯେ ସେ ଯେଉଁଠି ସେଠି ଯାଇ ମଥା ନତ କରେ। ଆଉ ଯେଉଁଠି ସେ ମଥା ନତ କରେ ସେଠାରୁ କେବେ ବି ମଥା ଉଠାଏ ନାହିଁ। ମୁଁ ମା କୃତାର୍ଥ କରିବାକୁ ଆସିନାହିଁ। କୃତାର୍ଥ ହେବାକୁ ଆସିଛି। ଆପଣ ମତେ ଦୀକ୍ଷା ଦିଅନ୍ତୁ।”
ଦେଶବନ୍ଧୁଙ୍କ କଥାରେ ମା’ଙ୍କର ହୃଦୟ ତରଳିଗଲା। ଛାତ ଉପରେ ଉନ୍ମୁକ୍ତ ଆକାଶ ତଳେ ମା’ ଦେଶବନ୍ଧୁଙ୍କୁ ଦୀକ୍ଷା ଦେଲେ ଓ କେତେ କଥା କହିଲେ। ଦୀକ୍ଷା ଗ୍ରହଣ ପରେ ସେ ଶ୍ରୀଶ୍ରୀଠାକୁର ଓ ମା’ଙ୍କ ପଦଧୂଳି ନେଇ ତଳକୁ ଓହ୍ଲେଇ ଯାଇ ଗାଡ଼ିରେ ବସିଲେ। ୧୯୨୪ ମସିହା ମେ ୧୪ତାରିଖରେ ଦେଶବନ୍ଧୁ ଦୀକ୍ଷା ଗ୍ରହଣ କରନ୍ତି।
( ଶ୍ରୀସୁଶୀଲ ଚନ୍ଦ୍ର ବସୁଙ୍କ ଲିଖିତ ‘ମାନସତୀର୍ଥ ପରିକ୍ରମା ’ ଗ୍ରନ୍ଥରୁ ସଂଗୃହୀତ।
ଅନୁବାଦ: ଶ୍ରୀ ଦୋଳଗୋବିନ୍ଦ ପଣ୍ଡା)