ଅମୃତ ଉଦ୍ଭିଦ ଥାଲକୁଡ଼ି ସେବନର ତାତ୍ପର୍ଯ୍ୟ

ଧର୍ମ ହେଉଛି ବଞ୍ଚିବା ଏବଂ ବଢିବାର ନିୟମ । ଏହି ବଞ୍ଚିବା ଓ ବଢିବା ପଥରେ ଯେଉଁସବୁ ପ୍ରତିବନ୍ଧକ ସୃଷ୍ଟି ହୁଏ ତାହାକୁ ଅତିକ୍ରମ କରିବା ଜୀବନର ସଂକଳ୍ପ । ମାନବଜୀବନରେ ଏହି ସଂକଳ୍ପକୁ ସଫଳ ରୂପାୟନ କରିବାପାଇଁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ଏକ ସର୍ବଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଏବଂ ସାର୍ବଜନୀନ ପରିପାଳନୀୟ ବ୍ୟବସ୍ଥା ‘ସତଦୀକ୍ଷା’ ମାଧ୍ୟମରେ ପ୍ରଚଳନ କରିଛନ୍ତି । ଦୀକ୍ଷାର ନିୟମ ସହିତ ପ୍ରତ୍ୟହ ପ୍ରାତଃକାଳରେ ଖାଲିପେଟରେ ଡେମ୍ଫସହିତ ଥାଲକୁଡି ପତ୍ର ଚୋବାଇ କିମ୍ବା ଚୋବାଇ ନ ପାରିଲେ ବାଟିକରି ଖାଇବାକୁ କହିଛନ୍ତି । କଞ୍ଚା ଥାଲକୁଡି ପତ୍ର ଅଭାବରେ ଛାଇରେ ଶୁଖିଥିବା ପତ୍ର କିମ୍ବା ଡେମ୍ଫସହିତ ଶୁଖିଲାପତ୍ର ଓଜନ ପରିମାଣର ଚୂର୍ଣ୍ଣ ଖାଇବା ଉଚିତ। ଏହା ଏକ ସାଧାରଣ କଥା ପରି ମନେହେଉଥିଲେ ହେଁ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଏହି ନିର୍ଦ୍ଦେଶ ପଛରେ ରହିଛି ବହୁ ତାତ୍ପର୍ଯ୍ୟ। ଥାଲକୁଡ଼ି ମଣିଷକୁ ଶାରୀରିକ ଭାବେ କେତେ ଯେ ନିରୋଗ ଓ ସକ୍ରିୟ କରି ରଖେ ତାହା ଏହାର ଔଷଧୀୟ ଗୁଣ ହିଁ ସୂଚାଏ।

ଥାଲକୁଡିର ଗୁଣ ସମ୍ବନ୍ଧରେ ଯାହା ଆୟୁର୍ବେଦିକ ସିଦ୍ଧାନ୍ତ କରାଯାଇଛି ସେଗୁଡିକ ହେଲା ଗୁଣ-ଲଘୁ, ରସ-ତିକ୍ତ, ଅନୁରସ-କଷାୟ, ବିପାକ-ମଧୁର, ବୀର୍ଯ୍ୟ-ଶୀତ, ପ୍ରଭାବ-ମେଧ୍ୟ ଥାଲକୁଡିର ମୋଟାମୋଟି ଦ୍ରବ୍ୟଗୁଣ ହେଲା-ଶୀତବୀର୍ଯ୍ୟ, ସାରକ, ତିକ୍ତ, କଷାୟ, ମଧୁର, ରସଯୁକ୍ତ, ରକ୍ତଶୋଧକ, ଲଘୁ, ମେଧାଜନକ, ମସ୍ତିଷ୍କର ଉପାଦାନକାରକ, ସ୍ୱର୍ଶଶୀତଳ ମଧୁର ବିପାକ, ଆୟୁଷ୍ମର, ଯୌବନାବସ୍ଥାର ରକ୍ଷକ, ରସାୟକ, ଦୃଷ୍ଟିଶକ୍ତି ଓ ସ୍ୱରବର୍ଦ୍ଧକ, ସ୍ମୃତିପ୍ରଦ, ଇନ୍ଦ୍ରିୟପ୍ରସନ୍ନକାରକ, ସ୍ନାୟୁରୋଗର ଅବ୍ୟର୍ଥ ଔଷଧ, ଦୂର୍ବଳତାହାରକ, ମାନସିକ ରୋଗ ଆରୋଗ୍ୟକ, କୋଷ୍ଠକାଠିନ୍ୟ ଦୂରକାରକ, ମୂତ୍ରରୋଧହାରକ, କୁଷ୍ଠ, ପାଣ୍ଡୁ, ମେହ, ରକ୍ତଦୋଷ, ବିଷଦୋଷ, କାଶ, ଶୋଷ, ଜ୍ୱର ପ୍ରଭୃତି ରୋଗହାରକ ଅଟେ ।

ଅନେକଙ୍କ ମତରେ ଥାଲକୁଡି ମନରୋଗର ଅମୋଘ ଔଷଧ । ମସ୍ତିଷ୍କବିକୃତି, ନାଡି ଦୌର୍ବଲ୍ୟ ଅପସ୍ମାର, ଉନ୍ମାଦ ଓ ସ୍ମୃତିନାଶ ରୋଗ ଉପଶମ ଏବଂ ମେଧାବର୍ଦ୍ଧନପାଇଁ ଏହାକୁ ବ୍ୟବହାର କରାଯାଏ । ସୁଶ୍ରୁତ ସଂହିତାରେ ଏହା ଲେଖାଯାଇଛି । ଥାଲକୁଡି ମାନସିକ ଦୁର୍ବଳତା, ନିଦ୍ରାହୀନତା, ଉତ୍ତେଜନା ପ୍ରଭୃତି ପ୍ରଶମିତ କରେ । ପାଗଳାମି, ହିଷ୍ଟ୍ରିଆ, ମୁଣ୍ଡବ୍ୟଥା, ମୁଣ୍ଡଭ୍ରମ, ମୁଣ୍ଡଭାରୀ ରୋଗରେ ଥାଲକୁଡିତେଲ ବହୁତ ହିତକାରକ ।

ଥାଲକୁଡିର ମୁଖ୍ୟକ୍ରିୟା ମସ୍ତିଷ୍କ ଓ ମଜ୍ଜାତନ୍ତ୍ରୀଉପରେ କାମ କରିବାର ମତବାଦ ନିଶ୍ଚିତ କରାଯାଇଛି । ତେଣୁ,ଏହାର ବ୍ୟବହାର ନିଶ୍ଚିତ ମାନସିକଶାନ୍ତି ପ୍ରଦାନ କରିଥାଏ । ଜନ୍ମଗତ ଖନା, ସ୍ୱରପେଟିରେ ଅସ୍ୱାଭାବିକ ସ୍ୱର, ଉପଶମପାଇଁ ଥାଲକୁଡି କାମ କରେ । ଏହା ମଧ୍ୟ ବଳବର୍ଦ୍ଧକ । ଏହି ବନସ୍ପତିବ୍ୟବହାରରେ ଯେଉଁ ଭଲଗୁଣ ଅଛି ତାହା ମୁଖ୍ୟତଃ ଏହିପରି ଏହାର ସେବନ ବ୍ୟାଧିଗ୍ରସ୍ତ ଜୀବକୋଷକୁ ସକ୍ରିୟ କରେ, ରକ୍ତରୁ ସଞ୍ଚିତ ବର୍ଜ୍ୟବସ୍ତୁରୁ ନିଷ୍କାସନ କରେ ଏବଂ ନୂତନ ରକ୍ତକଣିକା ସୃଷ୍ଟି କରେ । ବିଶେଷକରି ସ୍ନାୟୁ ଓ ମସ୍ତିଷ୍କର ଜୀବକୋଷକୁ ଉଦ୍ଜୀବିତ କରିବା ଫଳରେ ସ୍ନାୟୁଗତ ଓ ମାନସିକ ରୋଗ ଭଲହୁଏ, ଯାହା ଆଧୁନିକ ଚିକିତ୍ସାରେ କଷ୍ଟସାଧ୍ୟ ଅଟେ ।

ଥାଲକୁଡିର ବ୍ୟବହାର ବହୁବିଧ । ନିମ୍ନରେ କେତେକ ବ୍ୟବହାର ପଦ୍ଧତି ପ୍ରଦାନ କରାଗଲା । ଦରକାରକ୍ଷେତ୍ରରେ ବୈଦ୍ୟ ବା ଡାକ୍ତରଙ୍କ ପରାମର୍ଶ ଅନୁସାରେ କରାଯାଇପାରେ:
୧. ସମସ୍ତ ରୋଗପ୍ରତିରୋଧକ ଶକ୍ତି ବଢାଇବାପାଇଁ ଦିନକୁ ଗୋଟିଏ ପତ୍ର ଡେମ୍ଫସହିତ ଖାଇବା ଦରକାର ।
୨. ସମାନ ପରିମାଣର ଥାଲକୁଡି, ତୁଳସୀ ଏବଂ ଗୋଲମରିଚ ଗୁଣ୍ଡ ଏକାଠି ମିଶାଇ ଚିନିଗ୍ରେନ୍ ପରିମାଣର ବଟିକା କରି ବିଭିନ୍ନ ପ୍ରକାର ଜ୍ୱରରେ ସକାଳେ ଓ ସନ୍ଧ୍ୟାବେଳେ ଖାଲିପେଟରେ ଦିନକୁ ଦୁଇଥର ଖାଇବେ ।
୩. ପିଲାଙ୍କ ଜ୍ୱର, ପେଟକାମୁଡା ଓ ନଳରକ୍ତ ଝାଡାରେ ଗୋଟିଏ ଚାମଚ ପତ୍ରରସ ସାମାନ୍ୟ ଉଷୁମ କରିବା ପରେ ଥଣ୍ଡାକରି ଦିନକୁ ଥରେ ଦିଆଯିବ । ଯଦି ମେଥିଗୁଣ୍ଡ ସହିତ ମିଶାଇ ଏହାର ଅଧା ପରିମାଣ ଦିଆଯାଏ ତେବେ ଭଲ ଫଳ ମିଳେ ।
୪. ପିଲାଙ୍କର ରକ୍ତ, ଚର୍ମ ଏବଂ ସ୍ନାୟୁରୋଗ ପାଇଁ ୧-୨ ଚାମମ ପତ୍ରରସ କ୍ଷୀରସହିତ ମିଶାଇ ଖାଇବାକୁ ଦେବ । ଚର୍ମଉପରେ ଥାଲକୁଡି ଲେପ ପ୍ରୟୋଗ କରିବା ଉଚିତ୍ । ଯେଉଁ ପିଲାମାନେ ଡେରିରେ କଥା କହୁଛନ୍ତି କିମ୍ବା ଖନା ହୋଇଥାନ୍ତି, ସେମାନଙ୍କୁ ଏକ ଚାମଚ ଥାଲକୁଡି ପତ୍ରରସକୁ ଗରମ କରି ଥଣ୍ଡା କରି ୨୦ରୁ ୨୫ ଟୋପା ମହୁ ମିଶାଇ ଖାଇବାକୁ ଦେବ । ଯିଏ ପତ୍ର ଖାଇ ପାରିବ ତାକୁ ଦିନକୁ ଗୋଟିଏ କିମ୍ବା ଦୁଇଟି ପତ୍ର ଖାଇବାକୁ ଦେବେ ।
୫. ବାତ କିମ୍ବା ଗୋଦର ଫୁଲା କମିବାପାଇଁ ଫୁଲିବାସ୍ଥାନରେ ଥାଲକୁଡି ଅଏଣ୍ଟମେଣ୍ଟ ଲଗାନ୍ତୁ । ଏହି କ୍ଷେତ୍ରରେ ଯଦି ଜ୍ୱର ହେଉଥାଏ ତେବେ ୧ରୁ ୫ ଚାମଚ ପତ୍ରରସ ଦୁଇଥର ପାଣିରେ ମିଶାଇ ଖାଇପାରନ୍ତି ।
୬. କୁଷ୍ଠ, ସିଫିଲସ ପ୍ରଭୃତି ରୋଗରେ ଦିନକୁ ୩ ଥର ୩ରୁ ୫ ଗ୍ରାମ୍ ଥାଲକୁଡି ଗୁଣ୍ଡ ଖାଇବେ । ଯଦି କୁଣ୍ଡାଇ ହୁଏ ତେବେ ୧୫ ଦିନ ବନ୍ଦ କରି ପୁଣି ଖାଇବେ । ଘାଆ ଅଂଶରେ ଥାଲକୁଡିଲେପ ଆକ୍ରାନ୍ତ ଅଂଶଟିକୁ ସଫାକରି ଲଗାଯାଇପାରେ ।
୭. କାମଳ ରୋଗରେ ୧ ଚାମଚ ଥାଲକୁଡି ରସ କ୍ଷୀରରେ ମିଶାଇ ପିଇବେ ।
୮. ମୁଣ୍ଡଦୋଷ, ଗୋଳମାଳ ଏବଂ ସ୍ମୃତିବର୍ଦ୍ଧନ ପାଇଁ ଗୁଣ୍ଡ କିମ୍ବା ୨-୩ ଚାମଚ ରସ କ୍ଷୀରରେ ମିଶାଇ ଖାଇବେ ।
୯. ଦୁର୍ବଳତା ଦୂରପାଇଁ ଓ ପୁଷ୍ଟିବର୍ଦ୍ଧନ ପାଇଁ ୫-୬ ଚା ଚାମଚ ରସ ଦୁଧରେ ମିଶାଇ ଖାଇବେ ।
୧୦. କୋଷ୍ଠକାଠିନ୍ୟ କିମ୍ବା ବାରମ୍ବାରର ଝାଡା ଲାଗିରହିଲେ ମଳରେ ନାଳ ଥିଲେ ସକାଳେ ଓ ସନ୍ଧ୍ୟାବେଳେ ଦିନକୁ ଦୁଇଥର ୩-୪ ଚାମଚ ଗରମ ଥାଲକୁଡି ରସ ଖାଇବେ ।
୧୧. ଦୁର୍ଗନ୍ଧଯୁକ୍ତ କ୍ଷତ ଘା’କୁ ଥାଲକୁଡିରସମିଶା ପାଣିରେ ସଫାକରନ୍ତୁ ଏବଂ ଏହା ଉପରେ ପତ୍ରଗୁଣ୍ଡ ଛିଞ୍ଚନ୍ତୁ ।
୧୨. ଅନିୟମିତ ଋତୁସ୍ରାବରେ ଦିନକୁ ୩-୪ ଚାମଚ ପତ୍ରରସ କ୍ଷୀରସହିତ ଖାଇବା ଉଚିତ୍ ।
୧୩. ସ୍ନାୟୁରୋଗ ଓ ପାଗଳାମି ରୋଗରେ ୫ ଭାଗ ଥାଲକୁଡି ୪ ଭାଗ କୁଟ ଏବଂ ୬ ଭାଗ ମହୁ ମିଶାଇ ୩ ଗ୍ରେନ୍ ଆକାରର ବଟିକା କରି ଦିନକୁ ୧ରୁ ୨ଟି ବଟିକା ଖାଇବା ଦରକାର ।
୧୪. ଆୟୁ ଏବଂ ଶକ୍ତି ବର୍ଦ୍ଧନ ପାଇଁ ଥାଲକୁଡି ପତ୍ର କ୍ଷୀର ଓ ଗୁଡ ସହିତ ମିଶାଇ ରଖାଯାଇପାରେ ।
୧୫. ଥାଲକୁଡି ଓ କ୍ଷୀରର ସରବତ ଖାଇଲେ ମେଧାଶକ୍ତି ବଢେ ।
୧୬. ପିଲାମାନଙ୍କର ନାଳରକ୍ତ ଝାଡାରେ ୩-୪ଟି ଥାଲକୁଡି ପତ୍ର ଜୀରା ଏବଂ ଚିନିରେ ମିଶାଇ ପିଲାମାନଙ୍କୁ ଖୁଆଇଲେ ଏବଂ ପତ୍ର ଲେପ ନାହିପାଖରେ ଦେଲେ ଉପଶମ ହୁଏ ।
୧୭. ଚମଡାରେ ଘିମିରିଜନିତ ଘା’ କିମ୍ବା ଫୋଟକା ହେଲେ ଥାଲକୁଡି ପତ୍ର, କଦମ୍ବଚୋପା, କଳାଜୀରା ବାଟି ଲେପ ଦେଲେ ଭଲହୁଏ ।
୧୮. ହୋମିଓପାଥିରେ ଥାଲକୁଡି ମଦର ଟିଙ୍କଚର କୁଷ୍ଠ ଓ ଗୋଦର ରୋଗରେ ପ୍ରୟୋଗ କରାଯାଏ ।
୧୯. ଅନିଦ୍ରାରେ ୩ ଗ୍ରାମ ପତ୍ରଗୁଣ୍ଡ ଗାଈଦୁଧସହ ଖାଇଲେ କିମ୍ବା ୨୦-୨୫ଟି ପତ୍ର ଅଧଲିଟର କ୍ଷୀରରେ ବାଟି ଖାଇଲେ ଭଲ ନିଦ ହୁଏ । ବର୍ଷକର ପୁରୁଣା ଅନିଦ୍ରା ରୋଗ ଏଥିରେ ଦୂରହୁଏ ।
୨୦. ଏକସେର ନଡିଆ ତେଲରେ ୧୫ ତୋଳା ବ୍ରାହ୍ମୀରସ (ପାଣି ନଦେଇ) ପାକ କରି ତୈଳ ପ୍ରସ୍ତୁତ କରି ମୁଣ୍ଡରେ ଲଗାଇଲେ ମୁଣ୍ଡବୁଲା ରୋଗ ଦୂର କରେ ।
୨୧. ଅନେକ ମେଧାଶକ୍ତି ବୃଦ୍ଧି ଓ ମୁଣ୍ଡବୁଲା ରୋଗକମାଇବା ପାଇଁ ଥାଲକୁଡିପତ୍ରକୁ ମହୁରେ କିମ୍ବା ଚିନିରେ ପାକ କରି ଖାଇବାକୁ ଦିଆଯାଏ ।
୨୨. ପିଲାମାନଙ୍କର କାଶକଫରେ ଛାତିରେ ଏହାର ଲେପ ଦିଆଯାଏ ।
୨୩. ଶୋଥ, ହୃଦଘାତ ପରେ ଦୁର୍ବଳତାପାଇଁ ଏହି ପତ୍ରରସ ଏକ ଟନିକ୍ ଭଳି କାମ କରେ ।
୨୪. ଥାଲକୁଡିରସରେ ଏକଚତୁର୍ଥାଂଶ ଯଷ୍ଠିମଧୁ ଚୂର୍ଣ୍ଣ ଓ ଗୁଳୁଚି ଶଙ୍ଖପୁଷ୍ପୀ କଳକ ମିଶାଇ ଗାଈଦୁଧ ସହିତ ଖାଇଲେ ଏହା ଆୟୁବଢାଏ, ରୋଗନାଶକରେ, ବଳ, ଅଗ୍ନି ଓ ସ୍ୱର ବୃଦ୍ଧି କରିଥାଏ ।
୨୫. ୫ ମିଲିଲିଟର ରସ କିମ୍ବା ୫ ଗ୍ରାମ ଗୁଣ୍ଡ ପ୍ରତ୍ୟହ ସେବନ କଲେ ଭୟଙ୍କର ମାଂସପେଶୀ ଆକୁଞ୍ଚନରୁ ଉପଶମ ମିଳିଥାଏ ।
୨୬. ଥାଲକୁଡି ପଞ୍ଚାଙ୍ଗକୁ ଘିଅରେ ଭାଜି ଖାଇଲେ ଆୟୁବୃଦ୍ଧି ହୁଏ ।
୨୭. ସ୍ମୃତି ଓ ମେଧାବର୍ଦ୍ଧନ ପାଇଁ ୪ ଗ୍ରାମ ବ୍ରାହ୍ମୀ, ପେସ୍ତାବାଦାମ ୨ ଗ୍ରାମ, ଗୁଜୁରାତି ମଞ୍ଜି ୧ ୧/୨ ଗ୍ରାମ , ତରଭୂଜ ମଞ୍ଜି ୧ ଗ୍ରାମ ଏବଂ ୭ଟି ଗୋଲମରିଚ ଏକାଠି ବାଟି ପ୍ରତ୍ୟହ ମିଶ୍ରିସହିତ ସେବନ କଲେ ହୃଦୟ, ମସ୍ତିଷ୍କ, ବଳ, ମେଧାଶକ୍ତି, ସ୍ୱର ଓ ସ୍ମରଣଶକ୍ତି ବଢାଇଥାଏ ।
୨୮. ରୋଗ ପ୍ରତିରୋଧକ ଶକ୍ତି ବଢାଇବାପାଇଁ ପ୍ରତିଦିନ ଖାଲିପେଟରେ ୫ଟି ବ୍ରାହ୍ମୀପତ୍ର ଖାଇବ ।
୨୯. ପ୍ରତ୍ୟହ ୩ ଗ୍ରାମ ପତ୍ରଚୂର୍ଣ୍ଣ ମହୁ ଓ ଘିଅ ସହିତ ସେବନକଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢେ ।
୩୦. ୧୨ ଗ୍ରାମ ଥାଲକୁଡି ରସସହିତ ଦୁଇରତି ରସପର୍ପଟ ମିଶାଇ ସେବନ କଲେ ଅପସ୍ମାର ରୋଗ ଭଲହୁଏ ।
୩୧. ସମପରିମାଣର ତି୍ରଫଳା, ତ୍ରିକଟୁ, ଧନିଆ, ଜୁଆଣି, ଶତାବରୀ, ବଚ, ଭାରଙ୍ଗୀ ଓ ଥାଲକୁଡିକୁ ଚୂର୍ଣ୍ଣ କରି ପ୍ରତ୍ୟହ ୩ରୁ ୫ ଗ୍ରାମ ମହୁ ସହିତ ଖାଇଲେ ସ୍ମରଣଶକ୍ତି ବୃଦ୍ଧିହୁଏ ଓ ସ୍ୱର ମଧୁର ହୁଏ ।
୩୨. ଉନ୍ମାଦ ଓ ମୂର୍ଚ୍ଛାରୋଗର ଉପଶମ ପାଇଁ ଥାଲକୁଡିରସ ଏବଂ ମିଶ୍ରି ସରବତ କରି କିମ୍ବା ତୁଳସୀ ଓ ଥାଲକୁଡି ପତ୍ରକୁ ଏକାଠି ବାଟି ଖାଇଲେ ଏହି ରୋଗ ଭଲହୁଏ ।
୩୩. ପତ୍ର ଚୂର୍ଣ୍ଣ ଓ ମିଶ୍ରିଗୁଣ୍ଡ ଏକାଠି ଖାଇଲେ ସ୍ୱପ୍ନଦୋଷ ଓ କାମ ଉତ୍ତେଜନା କମିଥାଏ ।
୩୪. ପତ୍ରଗୁଣ୍ଡର ୪ ରତି ସୈନ୍ଧବଲବଣ ସହିତ ଖାଇଲେ ଧବଳକୁଷ୍ଠରୁ ଉପଶମ ମିଳିଥାଏ ।
୩୫. ଥାଲକୁଡିପତ୍ର, ହଳଦୀ ଓ ଦୁଧକୁ ଏକାଠି ବାଟି ସିଫିଲସ୍ ଘାରେ ଲଗାଇଲେ ବହୁ ସୁଫଳ ମିଳିଥାଏ ।
୩୬. ଥାଲକୁଡି ରସ ୧ ଚାମଚରେ ଚିନି ମିଶାଇ ଦିନକୁ ୩ ଥର ସେବନ କଲେ ନାକରୁ ରକ୍ତ ପଡିବା ବନ୍ଦ ହୁଏ ।
୩୭. ପତ୍ରକୁ ରାଶିତେଲରେ ପାକ କରି ଲଗାଇଲେ କେଶ ବୃଦ୍ଧି ହୁଏ ।
୩୮. ବ୍ରାହ୍ମୀରସ ଓ ଚିନି ମିଶାଇ ଖାଇଲେ ମା’ କ୍ଷୀର ବୃଦ୍ଧି ହୁଏ ।
୩୯. ଥାଲକୁଡି ରସରେ ମିଶ୍ରି ମିଶାଇ ଖାଇଲେ ପରିସ୍ରା ସଫା ହୁଏ ଓ ପରିସ୍ରା ବନ୍ଦଜନିତ କଷ୍ଟ ଦୂରହୁଏ ।
୪୦. ଗଛକୁ ଗରମ ପାଣିରେ ବାଟି ଗର୍ଭବେଦନା ଭୋଗୁଥିବା ସ୍ତ୍ରୀର ହାତପାଦରେ ବୋଳିଦେଲେ ଶୀଘ୍ର ପ୍ରସବ ହୁଏ ।
୪୧. ହସ୍ତମୈଥୁନଯୋଗୁଁ ମୁଣ୍ଡପଛରେ ବ୍ୟଥା ହେଲେ ୧୫୦ ଗ୍ରାମ ଥାଲକୁଡି ରସ ଏକଲିଟର ନଡିଆତେଲରେ ପାକ କରି ଲଗାଇଲେ ଯନ୍ତ୍ରଣା ଦୂର ହୁଏ ।
୪୨. ପତ୍ରରସ ୧୦- ଗ୍ରାମ, ଗୋଲମରିଚ ୧୦ ଗ୍ରାମ, କଳାଜିରା ୧୦ ଗ୍ରାମ ଗୁଣ୍ଡ କରି ଗୁଡସହିତ ଖାଲିପେଟରେ ୩ ଦିନ ଖାଇଲେ ଯାବତୀୟ ଚର୍ମରୋଗ ଦୂର ହୁଏ ।

( ଡ. ତ୍ରିନାଥ ମହାରଣାଙ୍କ ଲିଖିତ ‘ଅମୃତ ଉଦ୍ଭିଦ’ ପ୍ରବନ୍ଧର ନିର୍ବାଚିତାଂଶ)

You might also like