ପାଗଳ କୁକୁର କାମୁଡ଼ିଲା, ଦୀର୍ଘ ୧୭ ଦିନ ଠାକୁରଙ୍କୁ ଛାଡ଼ି ରହିବାକୁ ପଡ଼ିବ ବୋଲି ଇଂଜେକସନ୍ ନେଲେ ନାହିଁ

ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା’ଙ୍କ କୈଶୋର ଲୀଳା

ହଁ, ସେ ଗୋଟାଏ ମଜାଦାର ଘଟଣା। ସେତେବେଳେ ମୋର ବୟସ ୧୭ ବର୍ଷ । ଚୈତ୍ରର ମଧ୍ୟଭାଗ। ବଂଗଳା ୧୩୩୪ ସାଲ। ସେତେବେଳେ ମୁଁ ପ୍ରତିଦିନ ତିନିଥର ଗାଧୋଉଥିଲି— ସକାଳେ, ଦ୍ୱିପହରରେ, ସନ୍ଧ୍ୟାରେ। ଦିନେ ସକାଳୁ ଗାଧୋଇ ଘରକୁ ଫେରୁଛି। ହଠାତ୍ ପଛପଟୁ କାମୁଡିଲା-କାମୁଡିଲା ବୋଲି କେତେଜଣ ଲୋକଙ୍କ ଚିତ୍କାର ଶୁଣାଗଲା। ପଛକୁ ଚାହୁଁ ନ ଚାହୁଁଣୁ ଗୋଟାଏ ଲାଲ ରଙ୍ଗର କୁକୁର ଆସି କାମୁଡିଦେଲା। ସଙ୍ଗେ ସଙ୍ଗେ ରକ୍ତ ବାହାରିଲା। ସମସ୍ତେ କହିବାକୁ ଲାଗିଲେ ପାଗଳ କୁକୁର କାମୁଡିଛି।

ଘରକୁ ଆସି ଲୁଗାପଟା ବଦଳାଇବା ପରେ ଠାକୁମା (ମାତା ମନୋମୋହିନୀ ଦେବୀ) ଦୌଡି ଆସି ଜିଜ୍ଞାସା କଲେ— ‘‘ତୋତେ କୁକୁର କାମୁଡିଛି ?’’ ମୁଁ ଦେଖାଇଲି, ସେତେବେଳେ ବି ରକ୍ତ ବୋହୁଥାଏ। ଠାକୁମା ବ୍ୟସ୍ତ ହୋଇପଡ଼ିଲେ। ଟିକିଏ ପରେ ଠାକୁର ମୋତେ ଡକାଇ ପଠାଇଲେ। ସେତେବେଳକୁ ଠାକୁର ଠାକୁମାଙ୍କ କଟେଜର ବାରଣ୍ଡାରେ ଭକ୍ତପରିବେଷ୍ଟିତ ହୋଇ ବସିଥାନ୍ତି। ମୋତେ ଦେଖିବା ମାତ୍ରକେ ପଚାରିଲେ—‘‘ତେତେ କୁଆଡେ କୁକୁର କାମୁଡ଼ିଛି?’’ କହିଲି— ‘‘ଆଜ୍ଞା ହଁ ।’’ ‘‘କେଉଁଠି ଦେଖି?’’ ସେ ଜାଗାଟା ଦେଖାଇବାକୁ କହିଲେ। ଦେଖାଇଲି- ଦାନ୍ତର ଦାଗ, ରକ୍ତ ପଡୁଛି। ଠାକୁମା କହିଲେ ସମସ୍ତେ କହୁଛନ୍ତି ସେଟା ପାଗଳା କୁକୁର। ଏହିକ୍ଷଣି ବ୍ରଜଗୋପାଳ (ଦତ୍ତରାୟ) ସହିତ କଲିକତା ଚାଲିଯା’। ବ୍ରଜଗୋପାଳ ମାଷ୍ଟର ମହାଶୟ  ଲୁଗାପିନ୍ଧି ପ୍ରସ୍ତୁତ ହୋଇ ହିଁ ଥିଲେ। ଏହା ଭିତରେ ଗ୍ରାମର କିଛି ଲୋକ ମିଶି ସେ କୁକୁରଟାକୁ ମାରି ନେଇ ଆସିଥାଆନ୍ତି। ସମସ୍ତେ କହିଲେ, ଏଇଟା ସମ୍ପୂର୍ଣ୍ଣ ପାଗଳା କୁକୁର। ଠାକୁମା ଆହୁରି ବ୍ୟସ୍ତ ହୋଇପଡିଲେ।

ଠାକୁର ମୋତେ କହିଲେ— ‘‘ମା’ କହୁଛନ୍ତି  ଯା’’। ଠାକୁମା ତତକ୍ଷଣାତ୍ ଆମକୁ କଲିକତା ପଠାଇଦେଲେ। ଆମେ ଈଶ୍ୱରଦି ଷ୍ଟେସନରେ ପହଞ୍ଚି ୮ଟାରେ କଲିକତାଗାମୀ ଟ୍ରେନ ଧରିଲୁ। ସିୟାଲଦା ଷ୍ଟେସନରେ ଓହ୍ଲାଇ ବ୍ରଜଗୋପାଳ ମାଷ୍ଟର ମହାଶୟ ମୋତେ ସିଧା ହସ୍ପିଟାଲକୁ ନେଇଗଲେ। ଦେଖିଲି ଜଣେ ପ୍ୟାଣ୍ଟକୋର୍ଟ ପିନ୍ଧିଥିବା ଡାକ୍ତର ସିରିଞ୍ଜ ଟେବୁଲ ଉପରେ ରଖି ପ୍ରସ୍ତୁତ ହୋଇ ହିଁ ବସିଛନ୍ତି। ମୋତେ ଦେଖାଇଦେଇ ମାଷ୍ଟର ମହାଶୟ କହିଲେ— ‘‘ଏହାକୁ କୁକୁର କାମୁଡିଛି।’’ ଡାକ୍ତରବାବୁ ପଚାରିଲେ— ‘‘ପାଗଳା କୁକୁର ନା କ’ଣ?’’ ମୁଁ କହିଲି—‘‘ତା ତ ମୁଁ ଜାଣେନା ।’’ ମାଷ୍ଟର ମହାଶୟ ଉତ୍ତର ଦେଲେ— ‘‘ହଁ ହଁ ପାଗଳା କୁକୁର, ମୁଁ ଭଲଭାବେ ଜାଣେ। ଆଉ କେତେ ଜଣଙ୍କୁ କାମୁଡିଛି। କୁକୁରଟାକୁ ମାରିଦିଆ ହୋଇଛି ମଧ୍ୟ।’’

ମୁଁ ନିକଟକୁ ଯିବାରୁ ଏଥର ଡାକ୍ତରବାବୁ କହିଲେ— ‘‘ଶୁଣ, ଏଠିକି ଆସ। ଜାମା ଟେକି ପେଟରେ ହାତ ଦେଇ କହିଲେ— ‘‘ଏହି ଜାଗାରେ ଇଞ୍ଜେକ୍ସନ୍ ନେବାକୁ ପଡିବ। ପ୍ରତିଦିନ ଗୋଟିଏ କରି  ୧୭ ଦିନ ପର୍ଯ୍ୟନ୍ତ। ୧୭ଦିନ ରହିବାକୁ ପଡିବ?’’ ମୁଁ ହଁ କହି ଆସ୍ତେ ଆସ୍ତେ ପଛାଇବାକୁ ଆରମ୍ଭ କଲି। ପଛାଇ ପଛାଇ ପ୍ରାୟ ଦୁଆର ମୁହଁରେ ପହଞ୍ଚିଗଲି। ମାଷ୍ଟର ମହାଶୟ କହିଲେ, ‘‘ସେଥିରେ କ’ଣ ଅଛି?’’ ମୁଁ କହିଲି- ‘‘ନା, ମୁଁ ନେବିନି।’’  ‘‘ନା, ନେବାକୁ ହିଁ ହେବ’’- ଜୋର୍ ଦେଇ ଡାକ୍ତରବାବୁ କହିଲେ। ମୋର ଇଞ୍ଜେକ୍ସନ ନେବାର ଇଚ୍ଛା ନାହିଁ, ପୁଣି ଠାକୁରଙ୍କୁ ଛାଡି ଏତେଦିନ ରହିବି ଏହା ଭାବିପାରୁନି। ସେ କିନ୍ତୁ ଦେବେ ହିଁ। ମାଷ୍ଟର ମହାଶୟ ବି ଖୁବ୍ ଜୋର କରିବାକୁ ଲାଗିଲେ। ଅନ୍ୟ ଉପାୟ ନ ଦେଖି ଦରଜା ଦେଇ ମାରିଲି ଦୌଡ଼। ମୋତେ ଦୌଡିବା ଦେଖି ଡାକ୍ତର ବାବୁ କହିଲେ- ‘‘ଏ ପୁଅ। ଶୁଣ ଶୁଣ, ଯାଅନା।’’ ମାଷ୍ଟର ମହାଶୟ ମଧ୍ୟ ଚିତ୍କାର କରିବାକୁ ଲାଗିଲେ। ଆଉ କିଏ କା’ କଥା ଶୁଣୁଛି।

ଶ୍ରୀଶ୍ରୀବଡ଼ଦା

ଏକା ଦୌଡରେ ଚାଲି ଆସିଲି ସିୟାଲଦା। ମାଷ୍ଟର ମହାଶୟ ମଧ୍ୟ ମୋତେ ଧରିବା ପାଇଁ ଦୌଡିଲେ ପଛରେ। ହେଲେ ଧରି ପାରିଲେନି ମୋତେ। ମୁଁ ଟିକଟ କାଟି ପ୍ଲାଟଫର୍ମକୁ ଯାଇ ଦେଖେ ଗୋଟିଏ ଗାଡି ଠିଆ ହୋଇଛି। ପଚାରିଲି କେଉଁଠାକୁ ଯିବ? ଜଣେ ଉତ୍ତର ଦେଲେ ‘‘ସିଲିଗୁଡି।’’ ମୁଁ ସଙ୍ଗେ ସଙ୍ଗେ ଚଢ଼ିଗଲି। ପରଦିନ ସକାଳେ ଆଶ୍ରମରେ ପହଞ୍ଚିଲି। ସୂର୍ଯ୍ୟ ଉଠିଗଲେଣି। ଠାକୁର ସେତେବେଳକୁ  ଠାକୁମାଙ୍କ କଟେଜରେ ଦକ୍ଷିଣ-ପଶ୍ଚିମ ପଟ ଚାଳଘର ବାରଣ୍ଡାରେ ବସିଛନ୍ତି । ମୋତେ ଦେଖି ହିଁ ଠାକୁର ଆନନ୍ଦରେ ଚିତ୍କାର କରି କହିଲେ- ‘‘ଏଇ ଯେ! ପାଗଳ ଆସିଯାଇଛି।’’  ତା’ପରେ ପଚାରିଲେ- ’’କ’ଣ ହେଲାରେ?’’ କହିଲି- ‘‘୧୭ଦିନ ଧରି ଇଞ୍ଜେକ୍ସନ ନେବାକୁ ହେବ ବୋଲି ଡାକ୍ତରବାବୁ କହିଲେ । ମୁଁ ଚାଲି ଆସିଲି ।’’ ହସି ହସି ଠାକୁର କହିଲେ- ‘‘ଭଲ କରିଛୁ ।’’ ମୋତେ ଦେଖି ଠାକୁମା ଭୀଷଣ ରାଗିଗଲେ। କହିଲେ- ‘‘ହାରାମଜାଦା, ଇଞ୍ଜେକ୍ସନ ନ ନେଇ ଚାଲି ଆସିଲୁ?’’ ଠାକୁରଙ୍କୁ କହିବାକୁ ଲାଗିଲେ— ‘‘ପାଗଳା କୁକୁର କାମୁଡିଛି। ସେ ପଳାଇ ଆସିଲା, ତୁ କିଛି କହୁନୁ ଯେ! ଆମ ବଂଶରେ କେହି ଶିୟାଳ-କୁକୁରଙ୍କ କାମୁଡା ଖାଇ ପାଗଳ ହୋଇନି। ସେ ପାଗଳ ହେଲେ ପୁଣି କ’ଣ ହେବ?’’ ଠାକୁର ହସି ହସି କହିଲେ- ‘‘ନା ତ’ର କିଛି ହେବନି।’’

You might also like