ଅବଶ୍ୟ ପାଳନୀୟ ସଦାଚାର ଓ ବଞ୍ଚିବା-ବଢ଼ିବାର ଆଚରଣ
ସମ୍ବେଗଶାଳୀ ଏକନିଷ୍ଠ ଇଷ୍ଟପ୍ରାଣତା ହିଁ ହେଉଛି ଶ୍ରେଷ୍ଠ ଆଧ୍ୟାତ୍ମିକ ଶୌଚାଚାର
୧. ଫଳ, ମୂଳ, ପନିପରିବା ବା ଯେଉଁ ସମସ୍ତ ଦ୍ରବ୍ୟ ସିଦ୍ଧ ଅଥବା ରୌଦ୍ରତପ୍ତ ନ କରି ବ୍ୟବହାର କରାଯାଇପାରେ, ତାହା ଉପଯୁକ୍ତ ପ୍ରକାରେ ନ ଧୋଇ କେବେ ବି ଗ୍ରହଣ କରନାହିଁ– କାରଣ, ଅନେକ ଦୁଷ୍ଟ ଜୀବାଣୁ ଏହା ସହିତ ବାହିତ ହୋଇ ତୁମଠାରେ ସଂକ୍ରମିତ ହୋଇ ତୁମକୁ ଏବଂ ତୁମର ପରିବାରକୁ ବିଧ୍ୱସ୍ତ କରି ତୋଳିପାରେ— ସେହିପରି ଯାହା ଧୋଇ ପରିଶୁଦ୍ଧ କରାଯାଇ ନ ପାରେ ତାହା ଉପଯୁକ୍ତ ପ୍ରକାରେ ରୌଦ୍ରତପ୍ତ ବା ଉପଯୁକ୍ତ ପ୍ରକାରେ ସିଦ୍ଧ କରି (ସିଝାଇ) ବ୍ୟବହାର କରିବା ସମୀଚୀନ ।
୨. ଅନ୍ୟର ପରିଧ୍ୟେୟ ବସ୍ତ୍ର ଓ ଗାମୁଛା ଯାହା ବ୍ୟବହୃତ ହୋଇ ଆସୁଛି ଏଭଳି ତକିଆ, ବିଛଣା ଓ ଜୋତା ଇତ୍ୟାଦି ବ୍ୟବହାର ଫଳରେ ମଧ୍ୟ ପ୍ରାୟଶଃ ହିଁ ରୋଗସଂକ୍ରମଣ ହେବା ସ୍ୱାଭାବିକ; ଅତଏବ ଏହା ପରିବର୍ଜନ କରିବା ହିଁ ସମୀଚୀନ ।
୩. ଅପରିଶୋଧିତ ଛୁଞ୍ଚି, ଦାନ୍ତକାଠି ବା ଛୁରୀର ଅଗ୍ରଭାଗ ଇତ୍ୟାଦି ବ୍ୟବହାର କରିବାଦ୍ୱାରା ମଧ୍ୟ ଅନେକ ସମୟରେ ତତ୍ସଂସୃଷ୍ଟ ଅତୀନ୍ଦ୍ରିୟ ବୀଜାଣୁଦ୍ୱାରା ମହାବିପଦ ସଂସୃଷ୍ଟ ହୋଇଥାଏ– ଅତଏବ ତାହାପ୍ରତି ସାବଧାନ ରହିବା ଉଚିତ ।
୪. ମଶା, ମାଛି, ଛାରପୋକ ଇତ୍ୟାଦି ଦ୍ୱାରା ଦଂଶିତ ହେଲେ ମଧ୍ୟ ଉକ୍ତ ପ୍ରକାର ବିପତ୍ତିର ସମ୍ଭାବନା ଥାଏ– ତାହା ଯଥାସମ୍ଭବ ପରିବର୍ଜନ କରିବା ହିଁ ଉଚିତ ।
୫. ଯେଉଁ ବସ୍ତୁ ରନ୍ଧନ କରାହୋଇଛି, ତାହା ବହୁ ସମୟ ଧରି ଅଢ଼ଙ୍କା ରଖି ଖାଇଲେ ଅନେକ ସମୟରେ ବିତ୍ପାତ ହୋଇଥାଏ । ତେଣୁ ପକ୍ୱ ଯାହାକିଛିକୁ ଉପଯୁକ୍ତ ଭାବରେ ଆବୃତ ଓ ଯଥୋପଯୁକ୍ତ ଗରମ ରଖି ଯଥାନିୟମରେ ବ୍ୟବହାର କରିବା ହିଁ ସମୀଚୀନ । ପୁଣି ପକ୍ୱ (ସିଦ୍ଧ) ଅନ୍ନାଦି ଅନେକ ସମୟରେ ନାନା ପ୍ରକାର ସଂକ୍ରମଣର କାର୍ଯ୍ୟ କରେ — ତେଣୁ ସତର୍କତା ସହକାରେ ନଜର ରଖିବା ଉଚିତ,— ଅବାଞ୍ଛିତ ଅସଂଯତ ସ୍ଥାନରେ ସେଗୁଡ଼ିକ ଯେପରି ରଖା ନ ଯାଏ ।
୬. ପାଟିରେ ଆଙ୍ଗୁଳି ପୂରାଇ ଅଥବା ନାକ ବା ଗୁହ୍ୟ ସ୍ଥାନରେ ଆଙ୍ଗୁଳି ଦେଇ ବା ସିଂଘାଣି ପୋଛି ଉପଯୁକ୍ତ ପ୍ରକାରେ ହସ୍ତ ପ୍ରକ୍ଷାଳନ ନ କରି ସେହି ହାତରେ ନିଜେ ବି କିଛି ଖାଇବା ଉଚିତ ନୁହେଁ, ଅପରକୁ ମଧ୍ୟ କିଛି ଦେବାକୁ ହୁଏନା— କାରଣ, ଏହାଦ୍ୱାରା ଅନେକ ସମୟରେ ହିଁ ମହାନ୍ ଅନିଷ୍ଟ ସଂସାଧିତ ହୁଏ । ତାହାଦ୍ୱାରା ଅୟୁତ ବୀଜାଣୁ ତୁମର ଚକ୍ଷୁ ଓ ବୋଧର ଅନ୍ତରାଳରେ ସଂବୃଦ୍ଧ ହୋଇ ତୁମର ଏବଂ ପାରିପାର୍ଶ୍ବିକର ଅସମ୍ଭବ ଅକଲ୍ୟାଣ ଘଟାଇପାରେ– ତେଣୁ ସେସବୁ ପ୍ରତି ସୁଚିନ୍ତିତ ଭାବରେ ସାବଧାନ ହେବାହିଁ ଶ୍ରେୟଃ।
୭. ଆହାର ପୂର୍ବରୁ ଯଥୋପଯୁକ୍ତ ଭାବରେ ହସ୍ତପଦାଦି ପ୍ରକ୍ଷାଳନପୂର୍ବକ ଆହାର କରିବା ହିଁ ସମୀଚୀନ । ଏହାଦ୍ୱାରା ସ୍ନାୟୁ ସ୍ଥୈର୍ଯ୍ୟ ଲାଭ କରତଃ ପରିପାକଶକ୍ତି ବୃଦ୍ଧି କରି ମଣିଷକୁ ଆୟୁଷ୍ମାନ୍ କରିତୋଳେ । ଅନ୍ୟର ବ୍ୟବହୃତ ଉଚ୍ଛିଷ୍ଟ ପାତ୍ର ଓ ହୁକା ପ୍ରଭୃତି ବ୍ୟବହାର ନ କରିବା ଉଚିତ– ଏଥିରେ ମଧ୍ୟ ରୋଗସଂକ୍ରମଣ ହେବା ସହଜ ଓ ସ୍ୱାଭାବିକ ।
୮. ପ୍ରସ୍ରାବ କରି ପାଣି ନ ନେବା, ଛିଡ଼ା ହୋଇ ପ୍ରସ୍ରାବ କରିବା ବା ମଳତ୍ୟାଗ କରି ଉପଯୁକ୍ତ ଭାବରେ ଶୌଚ ନ ହେବା ପରମ ଦୂଷଣୀୟ। ଏହାଦ୍ୱାରା ଯେ କେତେ ବ୍ୟାଧିର ହିଁ ସୃଷ୍ଟି ହୁଏ, ତାହାର ଇୟତ୍ତା ନାହିଁ । ଅନେକ ସମୟରେ ଦେଖାଯାଇଛି, ଏହିସବୁ ଦୋଷଦ୍ୱାରା ନିଜର ବିଷରେ ନିଜର ତ ସର୍ବନାଶ ହୁଏହିଁ ତାହାଛଡ଼ା ପାରିପାର୍ଶ୍ବିକ ମଧ୍ୟ ରକ୍ଷା ପାଆନ୍ତି ନାହିଁ ।
୯. ପରିଧେୟ ବସ୍ତ୍ର, ବିଛଣା ଚାଦର, ତକିଆଖୋଳ ଇତ୍ୟାଦି ଯାହା ସର୍ବଦା ବ୍ୟବହାର କରାହୁଏ, ତାହା ପ୍ରତ୍ୟେକର ପ୍ରତ୍ୟହ ହିଁ ଉପଯୁକ୍ତ ପ୍ରକାରେ ପାଣି ଅଥବା ରୌଦ୍ରଦ୍ୱାରା ପରିଶୁଦ୍ଧ କରିବା ଅତୀବ ବାଞ୍ଛନୀୟ ।
୧୦. ଶିଙ୍ଘାଣି, କାଶ, ଛେପ ଘର ଭିତରେ ଅଥବା ଯେଉଁଠି ସେଠି ପକାଇବା ଉଚିତ ନୁହେଁ । ଯେଉଁ ସ୍ଥାନ ସହଜରେ ପରିଶୋଧିତ କରାଯାଇପାରେ, ସେଭଳି ସ୍ଥାନରେ ହିଁ ପକାଇବା ଉଚିତ ଏବଂ ଝାଡ଼ାପରିସ୍ରାଦି ମଧ୍ୟ ନିଜର ଏବଂ ଘରର ପିଲାମାନଙ୍କର ସେହି ପ୍ରକାରେ କରିବା ଉଚିତ।
୧୧. ଯାହାକୁ ଯଥୋପଯୁକ୍ତ ଭାବରେ ଏହି ସମସ୍ତ ସଦାଚାର ପରାୟଣ ବୋଲି ନ ଜାଣ ବା ଯିଏ କୌଣସିପ୍ରକାର ବ୍ୟାଧିଦ୍ୱାରା ଆକ୍ରାନ୍ତ, ତାହାର ପ୍ରସ୍ତୁତ ଆହାର୍ଯ୍ୟ ଯଥାସମ୍ଭବ ଗ୍ରହଣ ନ କରିବା ଉଚିତ ଏବଂ କୌଣସି ପ୍ରକାର ଅସୁସ୍ଥତାରେ ନିଜେ ସଦାଚାରପରାୟଣ ହେଲେ ମଧ୍ୟ କାହାରିକୁ କୌଣସିପ୍ରକାର ଆହାର୍ଯ୍ୟ ଦେବା ବା ସାହଚର୍ଯ୍ୟ କରିବା ଉଚିତ ନୁହେଁ । ଏହାଦ୍ୱାରା ଉଭୟେ ହିଁ ସଂକ୍ରମିତ ହୋଇ ସପାରିପାର୍ଶ୍ବିକ ଉଭୟଙ୍କର କ୍ଷତି ହୋଇପାରେ ।
୧୨. ସତତ ଜ୍ଞାନାଭ୍ୟାସ ଅର୍ଥାତ୍ ଜ୍ଞାନକୁ ଯେପରି ଆୟତ୍ତ କରିବାକୁ ହୁଏ, ସ୍ୱତଃ ଅନୁସନ୍ଧିତ୍ସା ସହିତ ବାସ୍ତବଭାବରେ ତାହା କରିବା-ତପସ୍ୟା ଅର୍ଥାତ୍ ଯାହା ଆୟତ୍ତ କରିବାକୁ ହେବ ତାହା ଏପରି ସଂକଳ୍ପ ନେଇ କରିବା, ଯେତେକ୍ଷଣ ତାହା ଆୟତ୍ତ କରା ନ ଯାଉଛି, ନଛୋଡ଼ବନ୍ଧା ହୋଇ ଲାଗିରହିବା; ଶୌଚ ଅର୍ଥାତ୍ ଯାହା ଶରୀର ଓ ମନକୁ ଅପବିତ୍ର କରିତୋଳେ ତାହାକୁ ତାଚ୍ଛଲ୍ୟ କରି ତାହା ପ୍ରତି ଆଦୌ ନଜର ନ ଦେଇ ଯାହା ଚିତ୍ତକୁ ପ୍ରସନ୍ନ କରିତୋଳେ ଯଥାଯଥ ଅଭିବ୍ୟକ୍ତି ସହକାରେ ତାହା କରିବା; ଅଦ୍ରୋହ ଅର୍ଥାତ୍ କାହାରି ଅପକାର ହୁଏ, ଏଭଳି ଚିନ୍ତା ପ୍ରତି ନଜର ଦେଇ ସର୍ବଭୂତର ଉପକାର ହୁଏ, ଏତାଦୃଶ ଚିନ୍ତା ଆଚରଣରେ ଫୁଟାଇ ତୋଳିବା— ଭଗବାନ ମନୁ କହିଛନ୍ତି,– ଯେଉଁମାନଙ୍କ ଅନ୍ତରରେ ଏଗୁଡ଼ିକ ସହଜ ହୋଇ ଉଠିଛି, ସେମାନେ ଜାତିସ୍ମରତ୍ୱ ଲାଭ କରନ୍ତି ।
୧୩. ସମ୍ବେଗଶାଳୀ ଏକନିଷ୍ଠ ଇଷ୍ଟପ୍ରାଣତା ହିଁ ହେଉଛି ଶ୍ରେଷ୍ଠ ଆଧ୍ୟାତ୍ମିକ ଶୌଚାଚାର ।
(ଅନୁସୃତି- ଶ୍ରୀ କୃଷ୍ଣପ୍ରସନ୍ନ ଭଟ୍ଟାଚାର୍ଯ୍ୟ, ପୃଷ୍ଠା ୫୨-୫୬)