ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟଜୀବନ ଓ ଦର୍ଶନ

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ମହାଜୀବନରୁ କିଞ୍ଚିତ୍

ସାଧାରଣ ମଣିଷର ଜୀବନ ଓ କର୍ମ ଜନ୍ମମୃତ୍ୟୁର ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ନିବଦ୍ଧ । କିନ୍ତୁ ପରମ ପୁରୁଷ ବା ପୁରୁଷୋତ୍ତମଙ୍କର ଜୀବନ ଅଖଣ୍ଡ, ଅବିଚ୍ଛେଦ୍ୟ ଓ ଚିରନ୍ତନ । ଏହି ମହାନ୍ ଶାଶ୍ୱତ ଜୀବନର ମହତ୍ତ୍ୱ ସହସ୍ର ସହସ୍ର ବର୍ଷର ବ୍ୟବଧାନ ପରେ ମଧ୍ୟ ଭକ୍ତ ତଥା ଈଶ୍ୱରବିଶ୍ୱାସୀ ମଣିଷ ନିକଟରେ ପ୍ରତ୍ୟକ୍ଷ ଅନୁଭୂତି ଭାବରେ ଉଦ୍ଭାସିତ ହୋଇଥାଏ । ତେଣୁ ବୈଷ୍ଣବ ଶାସ୍ତ୍ରରେ କୁହାଯାଇଛି–।
“ଆଜି ବି ତ ଲୀଳା କରେ ସେଇ ଗୋରା ରାଏ,
କେହି କେହି ଭାଗ୍ୟବାନ ଦେଖିବାକୁ ପାଏ ।”

ଉପରୋକ୍ତ ଦୃଷ୍ଟିକୋଣରୁ ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ମହାଜୀବନ ତାଙ୍କର ଲୌକିକ ଦେହାବସାନର ଚାରି ଦଶକ ପରେ ମଧ୍ୟ ଆଜି ଜୀବନ୍ତ ଅନୁଭୂତ। ପତଞ୍ଜଳିଙ୍କ ଯୋଗସୁତ୍ରର ବ୍ୟଞ୍ଜନା ଅନୁଯାୟୀ ମହାକାଳ ତାଙ୍କର ଜୀବନକୁ ଛେଦ କରିପାରିନାହିଁ । ଏଣୁ ସେ କାଳାତୀତ ପୁରୁଷୋତ୍ତମ । ମହାଅତୀତର ପ୍ରତିଲୋମ ସ୍ରୋତରେ ପଶ୍ଚାଦ୍ଧାବନ କରି ତାଙ୍କ ସୃଷ୍ଟିର ଆଦିକାଳକୁ ଚିହ୍ନିତ କରାଯାଇ ପାରିବ ନାହିଁ । ଅଥବା, ଅନନ୍ତ ଭବିଷ୍ୟତର ବିସ୍ତୃତ ବଳୟକୁ ଅତିକ୍ରମ କରି ତାଙ୍କୁ ସୀମାୟିତ କରାଯାଇ ପାରିବ ନାହିଁ ।

କେବଳ ଭକ୍ତି ଓ ବିଶ୍ୱାସର ପୁଣ୍ୟ ସିଂହାସନରେ ତାଙ୍କର ଅସ୍ତିତ୍ୱକୁ ଅନୁଭବ କରାଯାଇପାରେ । ତାଙ୍କର ମାନୁଷୀ ଲୀଳାର ସୀମାୟିତ ବନ୍ଧନୀ ଭିତରେ ତାଙ୍କର ଐଶୀ ସତ୍ତା ଅନନ୍ତ ଓ ଅପରିସୀମ । ତାଙ୍କପ୍ରତି ଗଭୀର ସକର୍ମ ଆସକ୍ତିଦ୍ୱାରା ହିଁ ଭକ୍ତ ତାଙ୍କୁ ନିଜର ହୃଦୟ ଭିତରେ ସୀମାୟିତ କରିପାରେ । ତାଙ୍କରି ଶ୍ରୀମୁଖର ଉକ୍ତି–
“ଅସୀମ ଯେକାଳେ ସସୀମ ହୋଇ ସୀମାରେ ନିଅନ୍ତି ସ୍ଥାନ,
ବୃତ୍ତିଭେଦୀ ଟାଣ ହେଲେ ଯାଇ ଦେଖିବୁ ଭଗବାନ ।”

ଯୁଗେ ଯୁଗେ ସେହି ଗୋଟିଏ ସତ୍ତା ଯଦିଓ ନର ବିଗ୍ରହ ଧାରଣ କରି ଧର୍ମ ସଂସ୍ଥାପନପାଇଁ ଏହି ମର୍ତ୍ତ୍ୟରେ ଆବିର୍ଭୂତ ହୁଅନ୍ତି ତଥାପି ମୃତ୍ୟୁର ଲୌକିକ ସୀମାର ଊର୍ଦ୍ଧ୍ବରେ ସେ ନିତ୍ୟ ବର୍ତ୍ତମାନ । ପ୍ରସଙ୍ଗକ୍ରମେ ଶ୍ରୀମଦ୍ଭଗବତ୍ ଗୀତାରେ ପରମପୁରୁଷ ଶ୍ରୀକୃଷ୍ଣଙ୍କର ଅର୍ଜ୍ଜୁନଙ୍କ ପ୍ରତି ନିମ୍ନୋକ୍ତ ଉକ୍ତି ଏଠାରେ ସ୍ମରଣଯୋଗ୍ୟ–
‘ବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜ୍ଜୁନ !’
ଅର୍ଥାତ୍ ହେ ଅର୍ଜ୍ଜୁନ, ଅତୀତରେ ତୁମର ଏବଂ ମୋର ବହୁ ଜନ୍ମ ଅତିକ୍ରମ ହୋଇଯାଇଛି । ତୁମର ସ୍ମରଣ ନାହିଁ, କିନ୍ତୁ ମୋର ସବୁ ମନେ ଅଛି। ଏହି ପ୍ରସଙ୍ଗରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀମୁଖନିଃସୃତ ପ୍ରାରବ୍ଧ ସ୍ମୃତି ସ୍ମରଣୀୟ । ନିଜ ଜନ୍ମର ପୂର୍ବ ସ୍ମୃତିକୁ ରୋମନ୍ଥ୍ଥନ କରି ଶ୍ରୀଶ୍ରୀଠାକୁର କହିଛନ୍ତି–
“…ତା’ପରେ ଦେଖିଲି ମୁଁ ଧୀରେ ଧୀରେ ବାହାରିଯାଉଛି, ମୋ ଦେହଟା ପଡ଼ିରହିଛି । ସମସ୍ତେ କନ୍ଦାକଟା କରୁଛନ୍ତି । ହଠାତ୍ ମନେହେଲା, ସତେ କ’ଣ ମୁଁ ମରିଯାଇଛି ? ତା’ପରେ ଗୋଟାଏ gap (ଫାଙ୍କ) । ପରେ ନୂତନ ଜୀବନ ଆରମ୍ଭ ହେଲା । କେଉଁ ଏକ ଜନ୍ମରେ ରାଜାଘରେ ଜନ୍ମ ହୋଇଥିଲି । ଉକ୍ତ ରାଜବାଟୀରେ ସୁନାପାତ ଛାଉଣି ହୋଇଥିବା ଏକ ଗମ୍ବୁଜ ଥିଲା । ଉକ୍ତ ଘରର ଛୋଟ ଛୋଟ ପୁଅଝିଅଗୁଡ଼ିକ ଓ ସ୍ତ୍ରୀଲୋକମାନେ ମୋତେ ଖୁବ୍ ଭଲପାଉଥିଲେ । ଆଉ ଏକ ଜନ୍ମରେ କୌଣସି ଏକ ପାହାଡ଼ ତଳେ ଆଶ୍ରମ ତିଆରିକରି ରହୁଥିଲି । ସେହି ସ୍ଥାନରେ ମାର୍ବଲ ପଥରରେ ଗୋଟିଏ ବଡ଼ ମୂର୍ତ୍ତିଥିଲା । ଗୋଟିଏ ଲତା, ଫୁଲଗଛ ତା’ ଉପରେ ଛାୟା ବିସ୍ତାର କରିଥିଲା । ଲତାରେ ଧଳା ଧଳା ଫୁଲ ଫୁଟିଥିଲା । ପାହାଡ଼ ଦେହରୁ ଗୋଟିଏ ପାଖ ଦେଇ ଛୋଟ ଝରଣାଟିଏ ବହିଯାଉଥିଲା । ଏହିପରି ଭାବରେ ଶେଷରେ ଏଇ ଜୀବନରେ ଆସି ପହଞ୍ଚିଛି । ଏଇ ଜନ୍ମ କଥା ତ ସବୁ ମନେଅଛି । ଦେଖିଲି, ଗୋଟିଏ ଆଲୋକର ଧାରା ହୋଇ ମୁଁ ସୂର୍ଯ୍ୟ ଭିତରଦେଇ ଚାଲି ଆସୁଛି । ପୃଥିବୀ ପରି ସୂର୍ଯ୍ୟ ଭିତରେ ମଧ୍ୟ ଥଣ୍ଡା ଅନୁଭବ କଲି । ସୂର୍ଯ୍ୟ ଭିତରେ ଥିବା ଜୀବଜନ୍ତୁଙ୍କର ସ୍ୱଭାବ, ପୃଥିବୀର ଜୀବଜନ୍ତୁଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ । ସେମାନଙ୍କର ଭାବଭଙ୍ଗୀ ପ୍ରକାଶ କରିବା ଉପାୟ ଏଠାରେ ନାହିଁ, କାରଣ ସେମାନଙ୍କର ଅନୁରୂପ ଏଠାରେ କିଛି ନାହିଁ । ଏଠାକାର ଦୃଷ୍ଟିଭଙ୍ଗୀ ନେଇ ସେମାନଙ୍କୁ ଯଥାର୍ଥରେ ବର୍ଣ୍ଣନା କରାଯାଇ ପାରିବ ନାହିଁ । ସୂର୍ଯ୍ୟ ଭିତରଦେଇ ଯେତେବେଳେ ଆସୁଥିଲି କେତେ ଜ୍ୟୋତିର୍ମୟ ପାହାଡ଼ସବୁ ବାଟରେ ଦେଖୁଥିଲି । ସେଗୁଡିକ ସବୁ ପଜିଟିଭ୍ ବୋଲି ମନେ ହେଲା । କାରଣ ସେମାନଙ୍କଠାରୁ ଜ୍ୟୋତିକଣାଗୁଡ଼ିକ ଚତୁର୍ଦ୍ଦିଗରେ ସ୍ୱତଃ ବିଚ୍ଛୁରିତ ହେଉଥିଲା । ତା’ପରେ କେତେ ଗ୍ରହ-ଉପଗ୍ରହ ଦେଇ ଚାଲିଆସିଛି । ମୁଁ ଆସିବା ସମୟରେ ଉକ୍ତ ଗ୍ରହ-ଉପଗ୍ରହର ଅଧିଷ୍ଠାତ୍ରୀ ଦେବତାମାନେ କେତେ ସ୍ତବସ୍ତୁତି କରିଥିଲେ । ତାହା ଶୁଣି ସେମାନଙ୍କୁ ସବୁ ଛାଡ଼ି ଚାଲିଆସିବାକୁ ଇଚ୍ଛା ହେଉ ନ ଥିଲା । ଆସୁ ଆସୁ ଗୋଟିଏ ଯାଗାରେ ଦେଖିଲି ପାଞ୍ଚୋଟି ତାରା । ସେମାନଙ୍କ ମଧ୍ୟରୁ ଗୋଟିଏ କେନ୍ଦ୍ରର ନିକଟବର୍ତ୍ତୀ ହେଉଛି ଏବଂ ପୁଣି କେନ୍ଦ୍ରଠାରୁ ଦୂରକୁ ଚାଲିଯାଉଛି । ନଭୋମଣ୍ଡଳର ଗ୍ରହସକଳ ସେମାନଙ୍କର ନିଜ ନିଜ ସୂର୍ଯ୍ୟର ଚତୁଃପାର୍ଶ୍ବରେ ଘୂରୁଛନ୍ତି; କେବଳ ଏଇଠାରେ ହିଁ ତା’ର ବ୍ୟତିକ୍ରମ । ଏଇ ଗ୍ରହଗୁଡିକ ଯେତେବେଳେ କେନ୍ଦ୍ରର ନିକଟବର୍ତ୍ତୀ ହେଉଛନ୍ତି, ସେତେବେଳେ ସେମାନଙ୍କର ରଙ୍ଗ ଲୋହିତ ହୋଇଯାଉଛି ଏବଂ ଯେତେବେଳେ କେନ୍ଦ୍ରଠାରୁ ଦୂରକୁ ଚାଲିଯାଉଛନ୍ତି ସେତେବେଳେ ସେମାନଙ୍କର ରଙ୍ଗ ହେଉଛି ନୀଳ । ସେମାନଙ୍କର ସେଇ ଗତି ଭଙ୍ଗିମା ମୋର ମନୋଯୋଗକୁ ବିଶେଷ ଆକର୍ଷଣ କରିଥିଲା । ତେଣୁ ତାହା ଏବେ ମଧ୍ୟ ସ୍ମୃତିପଟରେ ଉଜ୍ଜ୍ୱଳ ହୋଇ ରହିଛି…। ତା’ ପରେ ମାତୃଗର୍ଭରେ ଇନ୍ କଲି (ପ୍ରବେଶ କଲି) । ଜାଣିଥିଲି ନାମ ମୋର .ବେସ୍ (ମୂଳ) । ତେଣୁ ମାତୃଗର୍ଭରେ ଥିଲାବେଳେ ମୁଁ ନାମ କରୁଥିଲି । ଜନ୍ମହେବା ପରେ ଦେଖିଛି, ଏନ୍ତୁଡ଼ିଶାଳାରେ ଏକ ଆଲୋକ ମିଟିମିଟି ହୋଇ ଜଳୁଥିଲା ଏବଂ ମୁଁ ନାଡ଼ିରେ ଗୁଡ଼େଇ ହୋଇ ପଡିଥିଲି । ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ମୋତେ ଯେତେବେଳେ ଗରମ ସେକ ଦିଆଯାଇଥିଲା ତାହା ମୋତେ ଆଦୌ ଭଲ ଲାଗି ନ ଥିଲା । ଖୁବ୍ କଷ୍ଟ ବୋଧ କରୁଥିଲି ଏବଂ କାନ୍ଦୁଥିଲି । ଟିକେ ବଡ଼ ହେଲାପରେ ଛୋଟ ଛୋଟ ପାଦରେ ବାହାରେ ବୁଲୁଥିଲି । ଶେଫାଳୀ ଗଛଟିଏ ଥିଲା, ତାକୁ ଧରି ଛିଡ଼ା ହେଉଥିଲି । ଅତି ଶୈଶବରେ ହାତରେ ସବୁବେଳେ ବାଡ଼ି ଧରିବାକୁ ଭଲ ଲାଗୁଥିଲା, ଏଥିପାଇଁ ସମସ୍ତେ ମୋତେ ଆଦରରେ ଗାଡ଼ୁଆନ୍ ବୋଲି ଡାକୁଥିଲେ । ତା’ପରେ କ୍ରମେ ବଡ଼ ହୋଇ ବର୍ତ୍ତମାନ ଅବସ୍ଥାକୁ ଆସିଛି । ଏ ଯେଉଁସବୁ ସ୍ତର କଥା କହିଗଲି ୟା ଭିତରେ କେଉଁଠି ଗ୍ୟାପ୍ ନାହିଁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ series of process ଭିତର ଦେଇ ଚାଲିଛି ଯେତେବେଳେ ଯେଉଁ stage (ଅବସ୍ଥା)ର, ସେତେବେଳେ ତଦନୁଯାୟୀ feeling ଓ thoughts molded ହୋଇଛି ଏବଂ relative to that stage ଦର୍ଶନ ମଧ୍ୟ ହୋଇଛି ।”

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁରଙ୍କର ଇହଜନ୍ମର କାହାଣୀ ମଧ୍ୟ ମାନବେତର । ତାଙ୍କର ଜନ୍ମ ପୂର୍ବରୁ ବହୁ ସାଧୁ ଓ ସନ୍ନ୍ୟାସୀ ପୁରୁଷୋତ୍ତମଜନନୀ ମନୋମୋହିନୀ ଦେବୀଙ୍କୁ ଦର୍ଶନ କରି ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ଅଚିରେ ବିଶ୍ୱର ତ୍ରାଣକର୍ତ୍ତା ସ୍ୱୟଂ ନାରାୟଣ ତାଙ୍କ ଗର୍ଭରୁ ଜନ୍ମ ନେବେ । ଦୀର୍ଘ ଦ୍ୱାଦଶମାସ ମାତୃଗର୍ଭରେ ଅବସ୍ଥାନ କଲାପରେ ଶ୍ରୀଶ୍ରୀଠାକୁର ଭୂମିଷ୍ଠ ହୁଅନ୍ତି । ଭୂମିଷ୍ଠ ହେବା ସମୟରେ ତାଙ୍କର ମସ୍ତକ ମୁଣ୍ଡିତ ରହିଥିଲା, ବିଶ୍ୱଦୁନିଆର ସମସ୍ତ ନବଜାତକଙ୍କ ପରି ସେ କ୍ରନ୍ଦନ କରି ନ ଥିଲେ ଏବଂ ମା’ଙ୍କର ମଧ୍ୟ କୌଣସି ଗର୍ଭବେଦନା ଅନୁଭୂତ ହୋଇ ନ ଥିଲା । ଭୂମିଷ୍ଠ ହେବା ମୁହୂର୍ତ୍ତରେ ଏହି ଦିବ୍ୟ ନବଜାତକଙ୍କର ହାସ୍ୟରୋଳରେ ସୂତିକାଗୃହରେ ଧାତ୍ରୀଙ୍କର ତନ୍ଦ୍ରାଭଙ୍ଗ ହୋଇଗଲା ।

ସେଦିନ ଥିଲା ୩୦ ଭାଦ୍ର ଓ ପୁଣ୍ୟ ତାଳନବମୀ ତିଥି– ୧୮୮୮ ମସିହା ସେପ୍ଟେମ୍ବର ୧୪ ତାରିଖ ଶୁକ୍ରବାର, ପ୍ରତ୍ୟୁଷ ୭ଟା ୫ ମିନିଟ୍ । ଅଧୁନା ବାଂଲାଦେଶ ଅନ୍ତର୍ଗତ ପାବନା ଜିଲ୍ଲା ହିମାୟିତପୁର ଗ୍ରାମର ବାରେନ୍ଦ୍ର ବ୍ରାହ୍ମଣ ବଂଶରେ ଶ୍ରୀଶ୍ରୀଠାକୁର ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଓ ମାତାଙ୍କର ନାମ ମନୋମୋହିନୀ ଥିଲା । ଶିବଚନ୍ଦ୍ର ଜମିଦାରୀ ସିରସ୍ତାର ନାଏବ ଥିଲେ । ଅତି ସାଧୁପ୍ରକୃତିର ଲୋକ । ମାତା ମନୋମୋହିନୀ ଅତି ତେଜସ୍ୱୀ ମହିଳା ଥିଲେ । ଶ୍ରୀଶ୍ରୀଠାକୁରଙ୍କ ଜୀବନରେ ତାଙ୍କ ମାତୃଦେବୀଙ୍କ ପ୍ରଭାବ ଅପରିସୀମ ଥିଲା । ଖଡ଼ିଛୁଆଁ ସମୟରେ ମାତୃଦେବୀ ଅନୁକୂଳଚନ୍ଦ୍ରଙ୍କର ନାମର ଆଦ୍ୟ ଅକ୍ଷରକୁ ନେଇ ନିମ୍ନୋକ୍ତ ଚାରିଧାଡିର କବିତା ଲେଖି ତାଙ୍କୁ ଆଶୀର୍ବାଦ କରିଥିଲେ–
“ଅକୂଳେ ପଡ଼ିଲେ ଦୀନହୀନ ଜନେ
ନୁଆଇଁଣ ଶିର କହିବୁ କଥା,
କୂଳ ଦେବାପାଇଁ ସାଧ ପ୍ରାଣପଣେ
ଲକ୍ଷ୍ୟ ରଖି ତାଙ୍କ ନାଶିବୁ ବ୍ୟଥା ।”
ମା’ଙ୍କର ଏହି ଆଶୀର୍ବାଣୀ ଶ୍ରୀଶ୍ରୀଠାକୁରଙ୍କ ଜୀବନରେ ମୂର୍ତ୍ତ ହୋଇ ଉଠିଥିଲା । ମାତା ମନୋମୋହିନୀ ଦେବୀ ବାଲ୍ୟକାଳରେ ସ୍ୱପ୍ନଦ୍ୱାରା ସତ୍‌ମନ୍ତ୍ର ପାଇଥିଲେ । ସେ ବାଳକ ଅନୁକୂଳଚନ୍ଦ୍ରଙ୍କୁ ମଧ୍ୟ ଏଇ ମନ୍ତ୍ରରେ ଦୀକ୍ଷା ଦେଲେ । ବାଲ୍ୟକାଳରୁ ଅନୁକୁଳଚନ୍ଦ୍ରଙ୍କର ଜୀବନରେ ଅଲୌକିକ ପ୍ରେମ, ପ୍ରୀତି ଓ ଭଲପାଇବାର ନିଦର୍ଶନ ମିଳିଥିଲା । ସ୍କୁଲରେ ପଢିବା ସମୟରେ ସହପାଠୀମାନଙ୍କର କୌଣସି ଅଭାବ ଅସୁବିଧା ଦେଖିଲେ ସେ ତାକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଥିଲେ । ଏପରିକି ନିଜର ପିନ୍ଧା ବସ୍ତ୍ର ମଧ୍ୟ ଦାନ କରି ଦେଉଥିଲେ । ସହପାଠୀମାନଙ୍କର ସେ ଥିଲେ ଅତିପ୍ରିୟ ‘ରାଜାଭାଇ’ । ଏଣ୍ଟ୍ରାନ୍ସ ଫାଇନାଲ ସମୟରେ ଜଣେ ସହପାଠୀ ପରୀକ୍ଷା ଫିସ୍ ଜମା ଦେଇ ପାରିଲାନି । ଏଇ ସମ୍ବାଦ ଶୁଣି ବାଳକ ଅନୁକୂଳଚନ୍ଦ୍ରନିଜର ପରୀକ୍ଷା ଫିସ୍ ସହପାଠୀଟିର ନାମରେ ଜମା କରିଦେଲେ । ଏଥିଯୋଗୁଁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ । ପରେ ସେ କଲିକତାର ନ୍ୟାସନାଲ ମେଡ଼ିକାଲ ସ୍କୁଲରେ ଭର୍ତ୍ତି ହେଲେ । ତା’ପରେ ନିଜ ଗାଁକୁ ଫେରି ଡାକ୍ତରି ଆରମ୍ଭ କଲେ ।

ଗାଁକୁ ଫେରି ସେ ଦେଖିଲେ ଗାଁର ଲୋକମାନେ ସବୁ ସମୟରେ ପରନିନ୍ଦା, ପରଚର୍ଚ୍ଚା ଓ ଅନ୍ୟର ସର୍ବନାଶ କିପରି ଭାବେ କରିବେ, ଏଇ ଚିନ୍ତାନେଇ ସର୍ବଦା ବ୍ୟସ୍ତ ରହିଛନ୍ତି । ଚୋରି, ଡକାୟତି, ନାରୀହରଣ ପ୍ରଭୃତି କୁକର୍ମ ନିତ୍ୟନୈମିତ୍ତିକ ବ୍ୟାପାର ହୋଇଉଠିଛି । ଏହି ପରିବେଶ ଦେଖି ଅନୁକୂଳଚନ୍ଦ୍ର ଖୁବ୍ ବ୍ୟସ୍ତ ହୋଇ ଉଠିଲେ । ସେ ହୃଦୟଙ୍ଗମ କଲେ ଯେ, କେବଳ ଶରୀର ଚିକିତ୍ସାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ, ମଣିଷ ମନର କାଳିମାକୁ ଦୂର କରିବାକୁ ହେବ । ତା’ପରେ ସେ ଗ୍ରାମବାସୀମାନଙ୍କୁ ନେଇ କୀର୍ତ୍ତନଦଳ ଗଠନ କଲେ । ଅନ୍ୟ ଗ୍ରାମରେ ଯେପରି କୀର୍ତ୍ତନଦଳ ଗଠନ କରାଯାଏ ସେଥିପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କଲେ । ସେ ନିଜେ ସେମାନଙ୍କ ପାଇଁ କୀର୍ତ୍ତନ ଗୀତ ଲେଖିଦେଲେ । କାରଣ, କୀର୍ତ୍ତନ ମାଧ୍ୟମରେ ସହଜରେ ମଣିଷର ମନକୁ ଉଚ୍ଚକୁ ଟାଣି ନିଆଯାଇପାରେ । ଗ୍ରାମେ ଗ୍ରାମେ କୀର୍ତ୍ତନଦଳ ଗଠିତ ହୋଇଗଲା । ତାଙ୍କ ମଧ୍ୟରେ ଆରମ୍ଭ ହେଲା ହୃଦ୍ୟ ପ୍ରତିଯୋଗିତା– କିଏ କେତେ ଭଲ ଭାବରେ କୀର୍ତ୍ତନ କରିପାରିବ । ଦେଖୁ ଦେଖୁ ଗାଁର ବାତାବରଣ ବଦଳି ଯିବାକୁ ଲାଗିଲା ।

ବାଲ୍ୟକାଳରୁ ଶ୍ରୀଶ୍ରୀଠାକୁରଙ୍କ ଜୀବନରେ ଅନେକ ଅଲୌକିକ ଘଟଣା ଦେଖାଯାଉଥିଲା । ମା’ଙ୍କର ପ୍ରଦତ୍ତ ସତମନ୍ତ୍ର ସେ ଅହରହ ଜପ କରୁଥିଲେ । ତାଙ୍କ ଶରୀରରୁ ବିଭିନ୍ନ ରଙ୍ଗର ଜ୍ୟୋତି ପ୍ରକାଶିତ ହେଲା । ମଝିରେ ମଝିରେ ସେ ବାହ୍ୟଜ୍ଞାନଶୂନ୍ୟ ହୋଇପଡୁଥିଲେ । ସାଧାରଣ ଲୋକ ଭାବୁଥିଲେ ତାଙ୍କର ଏହା ଏକ ରୋଗ । କୀର୍ତ୍ତନ କରୁ କରୁ ତାଙ୍କର ଭାବସମାଧି ହେଉଥିଲା । ଦୁଷ୍ଟ ଲୋକମାନେ ତାଙ୍କୁ ଭଣ୍ଡ ବୋଲି ଭାବୁଥିଲେ । ତେଣୁ ସମାଧିସ୍ଥ ଥିବା ସମୟରେ ତାଙ୍କ ଦେହରେ ଜଳନ୍ତା ଅଙ୍ଗାର ମାଡ଼ି ଦେଉଥିଲେ, ଛୁଞ୍ଚି ଫୋଡ଼ି ଦେଉଥିଲେ । ତଥାପି ତାଙ୍କ ଦେହରେ ଜୀବନର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା । ଏପରିକି ହୃଦଯନ୍ତ୍ରର କ୍ରି୍ୟା ମଧ୍ୟ ବନ୍ଦ ଥିଲା । ଏହି ଅବସ୍ଥାରେ ସେ ନାନା ଭାଷାରେ ଅନର୍ଗଳ ଭାବରେ କଥା କହୁଥିଲେ । ପ୍ରଥମ କିଛି ଦିନର କଥା ଲେଖା ହୋଇ ରହିନାହିଁ । ପରେ କେତେ ଜଣ ଭକ୍ତ ତାଙ୍କର ଏହି ବାଣୀଗୁଡିକ ଟିପି ରଖିଲେ । ଏହି ବାଣୀଗୁଡିକ ‘ପୁଣ୍ୟପୋଥି’ ରୂପେ ପ୍ରକାଶିତ ହୋଇଛି ।

ତା’ପରେ ଆରମ୍ଭ ହେଲା କର୍ମର ପ୍ଲାବନ । ହିମାୟିତପୁର ଗ୍ରାମରେ ଉଚ୍ଚବିଦ୍ୟାଳୟ, କଲେଜ, ବିଜ୍ଞାନ ଗବେଷଣାଗାର, ବିଶ୍ୱ ବିଜ୍ଞାନ କେନ୍ଦ୍ର, ମେକାନିକାଲ ୱାର୍କସ୍, କେମିକାଲ ୱାର୍କସ୍, କଳାକେନ୍ଦ୍ର, ନାଟ୍ୟାଗାର, ନାନା ପ୍ରକାର କୁଟୀର ଶିଳ୍ପ ପ୍ରଭୃତି ସ୍ଥାପନ କଲେ । ପ୍ରତି ବ୍ୟକ୍ତିର ଉନ୍ନୟନ, ଗ୍ରାମର ଉନ୍ନୟନ, ତଥା ଜାତିର ଉନ୍ନୟନର କାର୍ଯ୍ୟ ଚାଲୁ ରହିଲା । ଶ୍ରୀଶ୍ରୀଠାକୁରଙ୍କର ମଣିଷତିଆରି ପରିକଳ୍ପନା ଓ ଗ୍ରାମ ସଂଗଠନର ପରିକଳ୍ପନାରେ ଦେଶବନ୍ଧୁ ଚିତ୍ତରଞ୍ଜନ ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ମହାତ୍ମା ଗାନ୍ଧୀ ସତସଙ୍ଗ ଆଶ୍ରମ ପରିଦର୍ଶନ କରି ଖୁବ୍ ଆନନ୍ଦିତ ହୋଇଥିଲେ ଏବଂ ନେତାଜୀ ସୁଭାଷ ବୋଷ ମଧ୍ୟ ବିଭିନ୍ନ ଜାତୀୟ ସମସ୍ୟା ସମ୍ପର୍କରେ ଶ୍ରୀଶ୍ରୀଠାକୁରଙ୍କ ସହ ଆଲୋଚନା କରିଥିଲେ ।

ହଠାତ୍ ଶ୍ରୀଶ୍ରୀଠାକୁର ଜଳବାୟୁ ପରିବର୍ତ୍ତନ ନିମନ୍ତେ ୧୯୪୬ ସେପ୍ଟେମ୍ବର ୧ ତାରିଖରେ କେତେ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଦେଇ ପାବନା ତ୍ୟାଗ କଲେ ଓ ୨ତାରିଖ ଦିନ ଏକବସ୍ତ୍ର ହୋଇ ଦେଓଘରଠାରେ ପହଞ୍ଚିଲେ । ଭାରତ ବିଭାଜନ ହେବା ଫଳରେ ତାଙ୍କର ଆଉ ପାବନା ଫେରିଯିବା ସମ୍ଭବ ହେଲାନାହିଁ । ପୂର୍ବବଙ୍ଗରୁ ହଜାର ହଜାର ମଣିଷ ତାଙ୍କ ପାଖକୁ ଶରଣାର୍ଥୀ ଭାବେ ଆସିବାକୁ ଲାଗିଲେ । ସେ ସରକାରଙ୍କ ନିକଟରୁ କପର୍ଦକ ସୁଦ୍ଧା କ୍ଷତିପୂରଣ ନ ନେଇ ସେମାନଙ୍କର ପୁନର୍ବସତିର ବ୍ୟବସ୍ଥା କରିଥିଲେ । ତାଙ୍କର ଦିବ୍ୟ ଅନୁପ୍ରେରଣାରେ ଦେଓଘରରେ ହିମାୟିତପୁର ପରି ପୁଣି ନାନା ପ୍ରତିଷ୍ଠାନ ଗଢି ଉଠିଥିଲା । ସତସଙ୍ଗ ତପୋବନ ବିଦ୍ୟାଳୟ, ସତସଙ୍ଗ ପ୍ରେସ୍, ସତସଙ୍ଗ ପବ୍ଲିଶିଂ ହାଉସ୍, ସତସଙ୍ଗ କେମିକାଲ ୱାର୍କସ୍, ୱାର୍କସପ୍, ୱାଟର ୱାର୍କସ୍, ଆନନ୍ଦ ବଜାର, ସତସଙ୍ଗ ଫିଲାନ୍ଥ୍ରପି ଅଫିସ୍ ପ୍ରଭୃତି ପ୍ରତିଷ୍ଠାନ ଧୀରେ ଧୀରେ ଗଢିଉଠିଥିଲା । କ୍ରମଶଃ ଶ୍ରୀଶ୍ରୀଠାକୁରଙ୍କର ମାନବ ତୃଷ୍ଣା ଚରିତାର୍ଥ ହେବାକୁ ଲଗିଲା ଏବଂ ଦେଶ ଓ ବିଦେଶରୁ ବହୁସଂଖ୍ୟାରେ ଲୋକ ଶ୍ରୀଶ୍ରୀଠାକୁରଙ୍କର ସଙ୍ଗ ଓ ସାନ୍ନିଧ୍ୟ ଲଭିବା ପାଇଁ ଛୁଟିଆସିଲେ । ଭକ୍ତି, ଜ୍ଞାନ ଓ କର୍ମର ମିଳନ ମଧୁଚକ୍ର ସଞ୍ଚାରିତ ହେଲା, ଦେଶର ଜ୍ଞାନୀ, ଗୁଣୀ, ପଣ୍ଡିତ, ଭକ୍ତ, ସନ୍ନ୍ୟାସୀ ଓ ନେତୃବୃନ୍ଦ ଶ୍ରୀଶ୍ରୀଠାକୁରଙ୍କଠାରୁ ବିଭିନ୍ନ ସମସ୍ୟାର ସମାଧାନ ଲୋଡ଼ିଲେ ।

ଶ୍ରୀଶ୍ରୀଠାକୁର ଚିରଦିନ ମାନବପିୟାସୀ । ମଣିଷ ପାଇଲେ ସେ ଭାବର ବିହ୍ୱଳତାରେ ଆବିଷ୍ଟ ହୋଇଯାଉଥିଲେ । ମଣିଷକୁ ଯନ୍ତ୍ରଣାମୁକ୍ତ କରି ଏକ ଅମୃତ ଜୀବନ ଦେବା ଥିଲା ତାଙ୍କର ଏକାନ୍ତ ଅଭୀପ୍ସା, ସେ ଦିଗରେ ଶ୍ରୀଶ୍ରୀଠାକୁରଙ୍କର ତୃଷ୍ଣା ଥିଲା ଅନିବାର ।
ଏହି ଉଚ୍ଛଳ ଜୀବନରେ କ୍ରମଶଃ ଜରା ଆସିଲା । ଶ୍ରୀଶ୍ରୀଠାକୁର ହଠାତ୍ ଦିନେ ନିଜର ସୁଯୋଗ୍ୟ ଜ୍ୟେଷ୍ଠାତ୍ମଜ ଶ୍ରୀଶ୍ରୀବଡ଼ଦା’ଙ୍କ ଉପରେ ସତସଙ୍ଗର ସମସ୍ତ ଦାୟିତ୍ୱ ଅର୍ପଣ କଲେ । ସର୍ବସମକ୍ଷରେ ଘୋଷଣା କଲେ– “ବଡପୁଅ ଓ ମୋ ଭିତରେ କିଛି ପାର୍ଥକ୍ୟ ନାହିଁ, ମୁଁ ଯାହା କହେ ବଡପୁଅ ତାହା ହିଁ କହେ; ଟଙ୍କାର ଏପଟ ଆଉ ସେପଟ”– ଶ୍ରୀଶ୍ରୀବଡ଼ଦା’ଙ୍କର ସୁଷ୍ଠୁ ପରିଚାଳନାରେ ସତସଙ୍ଗ ପ୍ରଗତିମୁଖର ହୋଇଉଠିଲା ।

ହଠାତ୍ ସମସ୍ତଙ୍କୁ ଗଭୀର ଶୋକସାଗରରେ ନିମଜ୍ଜିତ କରି ୧୯୬୯ ମସିହା ଜାନୁୟାରୀ ୨୬ ତାରିଖ, ମାଘମାସର ଏକ ହିମଶୀତଳ ରାତିରେ ଶ୍ରୀଶ୍ରୀଠାକୁର ସ୍ୱଧାମକୁ ଗମନ କଲେ । ତାଙ୍କ ଅବର୍ତ୍ତମାନରେ ପରମ ପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀଶ୍ରୀବଡ଼ଦା ଓ ତାଙ୍କ ପରେ ବର୍ତ୍ତମାନ ତଦୀୟ ଜ୍ୟେଷ୍ଠାତ୍ମଜ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଅଭ୍ରାନ୍ତ ଦିଗଦର୍ଶନରେ ସତସଙ୍ଗ ଆନ୍ଦୋଳନ ଏକ ପ୍ରସ୍ତୁତି କ୍ଷେତ୍ରରେ ଆଗେଇ ଚାଲିଛି । ନିଜର ଭକ୍ତଶିଷ୍ୟମାନଙ୍କୁ ଥରେ ଏ ପ୍ରସଙ୍ଗରେ ଇଙ୍ଗିତ କରି ଶ୍ରୀଶ୍ରୀଠାକୁର କହିଥିଲେ– “ତୁମେମାନେ ଯାହା କରିଛ, ଇତିହାସରେ ତା’ର ପଟାନ୍ତର ନାହିଁ, କିନ୍ତୁ ଯାହା କରିବାକୁ ବାକିଅଛି, ତା’ ତୁଳନାରେ ତୁମେମାନେ କିଛି ବି କରି ନାହିଁ ।”
ଏହି ସମସ୍ତ ଅତୃପ୍ତି ଓ କ୍ଷୋଭ ମୂଳରେ କାରଣ ସେଇ ଏକମାତ୍ର– ମଣିଷକୁ ଭଲପାଇବା । ଶ୍ରୀଶ୍ରୀଠାକୁର ଶ୍ରୀମୁଖରେ କହିଛନ୍ତି– “ପିଲାଦିନୁ ମଣିଷକୁ ଭଲପାଇଛି– କାହାର ଦୁଃଖ ଦେଖିପାରି ନାହିଁ । କାହାକୁ ଦୁର୍ଦ୍ଦଶାଗ୍ରସ୍ତ ଦେଖିଲେ ମନେ ହୁଏ ମୁଁ ନିଜେ ଏପରି ହୋଇଯାଇଛି ଏବଂ ତାହାର ବିହିତ ପ୍ରତିକାର ନ କରିବା ପର୍ଯ୍ୟନ୍ତ ରହିପାରେ ନାହିଁ– ବିଦ୍ୟା, ବୁଦ୍ଧି, ଟଙ୍କା, ପଇସା, ଲୋକବଳ, ଇତ୍ୟାଦି କୌଣସି ସମ୍ବଳ ନ ଥିଲା । କେବଳ ଭଲପାଇବାକୁ ହିଁ ଏକମାତ୍ର ସମ୍ବଳ କରି ଦୁଃସାହସିକ ପରି ଚାଲିଛି । କୌଣସି କାମକୁ ଅସମ୍ଭବ ମନେ କରେ ନାହିଁ । ଯେଉଁଥିରେ ମଣିଷର ମଙ୍ଗଳ ହୁଏ, ତା’ ନ କରି ରହିପାରେ ନାହିଁ । କୌଣସି କାମକୁ ପାରିବି କି ନାହିଁ, ଏପରି ପ୍ରଶ୍ନ ବା ସଂଦେହର ଅବକାଶ ମୋର କେଉଁଦିନ ନ ଥିଲା । ନିଜର ଆତ୍ମରକ୍ଷାର ଆକୁଳ ଗରଜରେ ମୁଁ ଅନ୍ୟମାନଙ୍କର ଆତ୍ମରକ୍ଷାପାଇଁ ନିରନ୍ତର ଛୁଟିଛି । ମୋର ଏଇ ଅସହାୟ ଅବସ୍ଥାକୁ ଦେଖି ପରମପିତା ବୋଧହୁଏ, ଦୟାପୂର୍ବକ ସବୁ ବିଷୟର ଅନ୍ତର୍ନିହିତ ସତ୍ୟବସ୍ତୁକୁ ମୋ ଆଖିରେ ଆଙ୍ଗୁଠି ଗୁଞ୍ଜି ସ୍ପଷ୍ଟ କରି ଦେଖାଇ ଦେଇଛନ୍ତି । ତେଣୁ ମୁଁ ଲେଖାପଢ଼ା ନ ଜାଣିଲେ ମଧ୍ୟ– ବ୍ୟଷ୍ଟି ଓ ସମଷ୍ଟି ଜୀବନର ସର୍ବାଙ୍ଗୀଣ କଲ୍ୟାଣ କିପରି ଭାବରେ ହେବ, ସେ ସମ୍ବନ୍ଧରେ ମୋର ବୁଝିବାକୁ କିଛି ବାକିନାହିଁ– ପରମପିତାଙ୍କର ଦୟାର ଦାନ ହିସାବରେ ମୁଁ ଏ କଥା ବେଶ ବୁଝିପାରିଛି । ମୁଁ ସାହିତ୍ୟ, ବିଜ୍ଞାନ, ଶାସ୍ତ୍ର, ତତ୍ତ୍ୱ, ଇତିହାସ କିଛି ବୋଲି କିଛି ଜାଣି ନାହିଁ । କିନ୍ତୁ ମୁଁ ଯାହା ନିଜ ଆଖିରେ ଦେଖିଛି, ସେଇ ଦେଖାରେ ମୋର ବୋଧ ଭିତରେ କିଛି ବାଦ୍ ପଡିଯାଇଛି ବୋଲି ମନେ ହୁଏ ନାହିଁ । କିନ୍ତୁ ମୋର ଏହି ବୋଧଦୃଷ୍ଟିରେ ଯାହା ଦେଖେ ତାହାହିଁ କହିଥାଏ । ତେଣୁ ମୋ କଥାରେ କୌଣସି ସଂଶୟ ନାହିଁ । କିନ୍ତୁ ମୋତେ ସବୁଠାରୁ ବଡ଼ କଷ୍ଟହୁଏ, ଯେତେବେଳେ ମୁଁ ଦେଖେ, ମୋର ସବୁକଥା ଶୁଣି ମଧ୍ୟ ତୁମେ ସବୁ ଏକ ତାତ୍ତ୍ୱିକ ବିଳାସରେ ବେଶ୍ ସ୍ୱଚ୍ଛନ୍ଦରେ ସମୟ କଟାଇ ଦେଉଛ; ଏ କଥା ଠିକ୍ ଜାଣିଥାଅ, ମୁଁ ନିଷ୍କ୍ରିୟ ଆଳାପ, ଆଲୋଚନାକୁ ପସନ୍ଦ କରେନି । ତୁମମାନଙ୍କର କର୍ମତତ୍ପରତା ଉପରେ ହିଁ ବଙ୍ଗଳା, ଭାରତ ତଥା ସମଗ୍ର ଜଗତର ଅନେକ ଦୁଃଖକଷ୍ଟର ସମାଧାନ ନିର୍ଭର କରୁଛି । …ମୋର ଯେ କି କଷ୍ଟ ହେଉଛି ତୁମେ ତା’ ବୁଝିପାରୁନାହଁ ? ବୁଝୁଥିଲେ ନିଜର ସଂସାର ଜଞ୍ଜାଳରେ ଆବଦ୍ଧ ହୋଇ ରହିପାରନ୍ତ ନାହିଁ । ମୁଁ କହେ, ତୁମର ଏହି ଘରସଂସାର ପ୍ରତି ଯଦି ସୁବିଚାର କରିବାକୁ ଚାହଁ, ତା’ହେଲେ ସେମାନଙ୍କ ପ୍ରତି ନିର୍ମମ ହୋଇ ମୁଁ ଯାହା କହୁଛି ତାହା କର–
ମୟି ସର୍ବାଣି କର୍ମାଣି ସଂନ୍ନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀ ନିର୍ମ୍ମମୋ ଭୂତ୍ୱା  ଯୁଦ୍ଧ୍ୟସ୍ବ ବିଗତଜ୍ୱରଃ ।।

ସବୁ ଜାଣିଶୁଣି ମଧ୍ୟ, ମୁଁ ଯେ କିଛି ପ୍ରତିକାର କରି ପାରୁନାହିଁ, ଏହାଠାରୁ ବଳି ଦୁଃଖ ଆଉ କ’ଣ ଥାଇପାରେ ! ମୋର ନିଜର ବଡ଼ ହେବାର ସଉକ୍ କେବେ ବି ନ ଥିଲା; କିନ୍ତୁ ତୁମମାନଙ୍କୁ ବଡ଼କରି ତୋଳିବାର ସଉକ୍ ମୋର ଖୁବ୍ । ଲୋକମୁଖରେ ତୁମମାନଙ୍କର ପ୍ରଶଂସା ଶୁଣିଲେ ମୋର ଆନନ୍ଦରେ ଛାତି କୁଣ୍ଢେମୋଟ ହୋଇଯାଏ । ମନେହୁଏ, ଆହୁରି କହନ୍ତା କି ଆହୁରି ଶୁଣନ୍ତି । ସୁଖ୍ୟାତି ଶୁଣିବାକୁ ମୋତେ ଖୁବ୍ ଭଲଲାଗେ । ବୋହୂ ଶ୍ୱଶୁର, ଶାଶୁ, ଯାଆ, ଦେଢ଼ଶୁର, ଦିଅର, ନଣନ୍ଦ ଓ ସ୍ୱାମୀଙ୍କର ସୁଖ୍ୟାତି କରନ୍ତା; ଶାଶୁ ପୁଅବୋହୂଙ୍କର ସୁଖ୍ୟାତି କରନ୍ତା; ସଉତୁଣୀ ସଉତୁଣୀର ସୁଖ୍ୟାତି କରନ୍ତା, ଋତ୍ୱିକ ଅନ୍ୟ ଋତ୍ୱିକର ସୁଖ୍ୟାତି କରନ୍ତା– ଏହା ଶୁଣିବାକୁ ମୋତେ ଖୁବ୍ ଭଲଲାଗନ୍ତା । କିନ୍ତୁ ସେ ଭାଗ୍ୟ ନେଇ କ’ଣ ମୁଁ ଜନ୍ମ ହୋଇଛି!”

(‘ତର୍ପଣ’ ସମ୍ପାଦନା ବିଭାଗ ଉପସ୍ଥାପନା)

You might also like