ନିଛକ ଏକ ନାତିର ଗଳ୍ପ

ଶ୍ରୀଶ୍ରୀଆଚାର୍ଯ୍ୟଦେବ ( ପରମ ପୂଜ୍ୟପାଦ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)

ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦାଙ୍କ ଜନ୍ମ-ଶତବାର୍ଷିକୀ ଉପଲକ୍ଷେ  ଆତ୍ମପ୍ରକାଶ କରିଥିବା ତାଙ୍କ ପରିଜନଙ୍କ ସ୍ମୃତିଚାରଣ ଗ୍ରନ୍ଥ ‘ଆତ୍ମଜନେର କଥା’ରେ ପ୍ରକାଶିତ ଆଲେଖ୍ୟର ଓଡ଼ିଆ ଅନୁବାଦ।

ସେ ସମୟରେ ବାବୁମାନେ ଯାହାକୁ ନୟା ସଡ଼କ କହୁଥିଲେ ତା’ ଉପରେ ‘ଷୋଡ଼ଶୀ ଭବନ’ ନାମକ ଘରର ପାଞ୍ଚ ମହଲା ବାରଣ୍ଡାରେ ଦିପହର ସମୟରେ ପିଲାଟାଏ ଖେଳୁ ଖେଳୁ ଉପରୁ ଚଳମାନ ଗାଡ଼ିଗୁଡ଼ିକର ପେଁପେଁ ଶବ୍ଦ କରି ଚାଲିଯିବାଟାକୁ ଉପଭୋଗ କରୁଥିଲା। ରାଜବଲ୍ଲଭ ପଡ଼ା ଆଡ଼ୁ ଆସୁଥିବା ଗୋଟିଏ ଗାଡ଼ି କାହିଁକି ଯେ ତାକୁ ଆକର୍ଷିତ କରିଥିଲା ଜଣା ନାହିଁ। ସେ ପ୍ରଥମ ମହଲା ଆଡ଼କୁ ଛୁଟିଥିଲା, କାହିଁକି ଯେ ଛୁଟିଥିଲା, ବୁଝା ପଡ଼ୁ ନ ଥିଲା। ସେ ଛୁଟିବା ଦେଖି ସମ୍ଭବତଃ ଗାଡ଼ିଟି ଆସି ଅଟକିଥିଲା ସେଇ ଘର ସାମନାରେ। ଜଣେ ବିଶାଳକାୟ ମଣିଷ ଦୃଢ଼ପାଦରେ ଓହ୍ଲେଇ ଆସିଥିଲେ ଗାଡ଼ି ଭିତରୁ। ସେ ହିଁ ସର୍ବଜନବିଦିତ ଶ୍ରୀଶ୍ରୀବଡ଼ଦା, ସେଇ ପିଲାଟିର ଜେଜେ।

ଜେଜେ ଗାଡ଼ିରୁ ଓହ୍ଲେଇ ନାତିକୁ ପଚାରିଲେ ତା’ର ଖବରାଖବର। ବିସ୍ମୟର ସହ ନାତିଟି କୌଣସି ପ୍ରକାରେ କହିଥିଲା ‘ଭଲ’। ଜେଜେଙ୍କ ଆଖି ଓ ମୁହଁରେ ଯେପରି ଥିଲା କୌତୁକର ସ୍ପର୍ଶ। ସେ ଉପରକୁ ଉଠୁ ଉଠୁ ଘରର ସମସ୍ତଙ୍କ ବିଷୟରେ ଖବର ନେଇଥିଲେ। ନାତିଟି ସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେଇପାରିଥିଲା କିନା ମନେ ନାହିଁ। ତେବେ ସମସ୍ତେ ଯେ ପାଞ୍ଚ ମହଲାରେ ଥିଲେ, ଏଇ ଖବରଟିକୁ ବୋଧହୁଏ ଠିକ୍ ଭାବେ ଦେଇପାରିଥିଲା। ଜେଜେ ଚାରି ମହଲାରୁ ହଠାତ୍ ଖବର ନ ଦେଇ ଆସି ସମସ୍ତଙ୍କୁ surprise ଦେଇ (ଚକିତ କରି) ପାରିବାର ଆନନ୍ଦ-ମିଶ୍ରିତ ଗଳାରେ ନାତିର ଜେଜେମାଆଙ୍କୁ ଡାକ ପକାଇଥିଲେ। ସେ ଡାକ ଘରର ସମସ୍ତଙ୍କର ପରିଚିତ ହୋଇଥିବାରୁ ପଡ଼ିଉଠି ସମସ୍ତେ ଛୁଟି ଆସିଥିଲେ ବିସ୍ମୟର ସହିତ। ଜେଜେ ବି ଖୁସି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି, ପୁଣି ଘରର ସମସ୍ତେ ହଠାତ୍ ତାଙ୍କୁ ପାଇ ଖୁସି। ଗୋଟାଏ ଅସାଧାରଣ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା ନାତିର ଆଖି ଆଗରେ। ଯଦିଚ ସେ ସେଇ ବୟସରେ ଘଟଣାଟା ତା’ ନିଜ ପରି ଉପଭୋଗ କରିଥିଲା। ସମସ୍ତଙ୍କର ଆନନ୍ଦ ଦେଖି ସେ ବି ପୁଲକିତ ହୋଇଥିଲା।

ଜେଜେ କଲିକତା ଆସିଲେ ହିଁ ସମସ୍ତଙ୍କ ମନୋରଞ୍ଜନର ହାଟ ଖୋଲିଯାଉଥିଲା। ଜେଜେ ସମସ୍ତଙ୍କୁ ନେଇ କେତେବେଳେ ଯାଉଥିଲେ ପରିବା ବଜାରକୁ ପରିବା କିଣିବା ପାଇଁ, ପୁଣି କେତେବେଳେ ବା ଯାଉଥିଲେ ସନ୍ଧ୍ୟାରେ ଗଙ୍ଗାକୂଳରେ ବସି ଗଳ୍ପ କରୁ କରୁ ଚିନାବାଦାମ ଓ ଆଇସ୍‌କ୍ରିମ୍ ଖାଇବା ପାଇଁ। ସିନେମା ବା ଥିଏଟରକୁ ସେ ଯେତେବେଳେ ଯାଆନ୍ତି ପୂରା ଘରର ସବୁ ଲୋକ ତାଙ୍କ ସାଙ୍ଗରେ ଯାଆନ୍ତି। ଦିନେ ନାତିକୁ ଡାକି କହିଥିଲେ, ତାଙ୍କ ସହ ସିନେମା ଯିବା ପାଇଁ। ନାତିର ମାଆଙ୍କର ବି ଯିବା କଥା। ମାଆ ତ ଆଉ ଜାଣିନାହାନ୍ତି ଜେଜେ-ନାତିଙ୍କ ଭିତରେ କ’ଣ କଥା ହୋଇଛି। ତେଣୁ ନାତିକୁ ଖୁଆଇପିଆଇ ଶୁଆଇ ଦିଆ ହୋଇଥିଲା। ନାତି ମନ ଖରାପ କରି ଶୋଇ ଶୋଇ କାନ୍ଦୁଥିଲା। କିଏ ଯେପରି ଆସି ଜେଜେଙ୍କ ଡାକ ପହଞ୍ଚାଇ ଦେଇଥିଲା ନାତି କାନରେ। ଆଖି ପୋଛି ସେ ଦଉଡ଼ିଥିଲା ତଳକୁ। ସବୁ ଶୁଣି ଜେଜେ ନାତିକୁ କହିଥିଲେ- ସେ ମାଆଙ୍କର ବି ଗୁରୁଜନ। ତେଣୁ ନାତି ଜେଜେଙ୍କ ପାଖକୁ ଚାଲି ଆସି ପାରିଥାନ୍ତା।

ଆଉ ଦିନକର କଥା। ନାତି ସେତେବେଳକୁ ଆଉ ଟିକିଏ ବଡ଼ ହୋଇଗଲାଣି। ଜେଜେଙ୍କ ପାଖରେ ବସି ସିନେମା ଦେଖୁଥିଲା। ଜେଜେଙ୍କ ଅନ୍ୟ ପାଖରେ ବହୁତ ଅଚିହ୍ନା ଲୋକ ବସିଥିଲେ। ସେଇ ପାଖର ପ୍ରଥମ ଅଚିହ୍ନା ଲୋକଟି ତା’ ପାଦକୁ ଏମିତି ଏପଟ ସେପଟ କରୁଥିଲା ଯେ, ଜେଜେ ତାହାକୁ ଗୁରୁତ୍ବ ନ ଦେଲେ ବି ନାତିକୁ ମୋଟେ ଭଲ ଲାଗୁ ନ ଥିଲା। ସେ ଯଥାସମ୍ଭବ ଜେଜେଙ୍କ ଆଢ଼ୁଆଳରେ ସେଇ ଲୋକଟିକୁ ପାଦର ଖେଳ ଦେଖାଇବାରୁ ନିରସ୍ତ କରିଥିଲା। ତେବେ ଜେଜେଙ୍କ ଆଖିକୁ କି ନାତି ଲୁଚାଇପାରେ! ସିଏ ତ ଧରାପଡ଼ି ଯାଇଥିଲା। ଘରକୁ ଫେରି ଜେଜେ କିନ୍ତୁ ନାତିର ଏପରି ପ୍ରଶଂସା କରିଥିଲେ ଯେ ନାତିର ମନରେ ସେଇ ଅପ୍ରୀତିକର ଘଟଣାଜନିତ ଶଙ୍କା ନିମିଷକରେ ଦୂର ହୋଇ ଯାଇଥିଲା।

ନାତି ଉପରେ ଜେଜେଙ୍କ ପ୍ରଭାବ ଅପରିସୀମ ଥିଲା। ପିଲାଦିନେ ତାଙ୍କ ଦଣ୍ଡ ଧରି ଚାଲିବା ଓ ଜେଜେଙ୍କ ଅଭିନୟ କରିବା ତା’ର ଏକ ଖେଳରେ ପରିଣତ ହୋଇଥିଲା। ଘରେ ଥିଲା ପାତଲଗା ମୁଣ୍ଡିବାଲା ଛଡ଼ି। ସେଇ ଛଡ଼ି ଦେଖିବାକୁ ଅନେକାଂଶରେ ଦଣ୍ଡ ପରି। ସେଇ ଛଡ଼ି ହାତରେ ଧରି ନାତି ଚାଲୁଥିଲା। ତା’ର ଭାଇମାନେ ‘ବଡ଼ଦା’ ‘ବଡ଼ଦା’ କହି, ଯେପରି ତା’ର ଜେଜେ ଚାଲିଲେ ରାସ୍ତାକଡ଼ରେ ଥାଇ ଲୋକମାନେ ଅଭିବ୍ୟକ୍ତି ଦିଅନ୍ତି, ସେହିପରି ଅଭିନୟ କରୁଥିଲେ। ନାତି ଓ ତା’ର ଭାଇମାନଙ୍କ ଭିତରେ କିଏ ଜେଜେ ସାଜିବ ତା’ ପାଇଁ ପ୍ରତିଯୋଗିତା ଚାଲୁଥିଲା। ଜେଜେଙ୍କ ପରି ହେବାର ସୁପ୍ତ ବାସନା ସେମାନଙ୍କ ଭିତରେ ଏଇପରି ଭାବେ ପ୍ରକାଶ ପାଉଥିଲା।

ଜେଜେଙ୍କ ସହ ସମସ୍ତଙ୍କର ଥିଲା କେଉଁଠି ଯେପରି ଏକ ସମ୍ଭ୍ରମାତ୍ମକ ପାଚେରି। ସେ ପାଚେରି ପାର କରାଇବା ଜେଜେଙ୍କ ଇଚ୍ଛାଧୀନ। ଅଥଚ ଜେଜେଙ୍କ ଉପସ୍ଥିତି ଆନନ୍ଦେ ଭରା। କେତେ ମଣିଷ କେତେ କଥା! ଆମୋଦ-ପ୍ରୀତି-କଲ୍ୟାଣର ଅବିଶ୍ରାନ୍ତ ଧାରା! ଯେଉଁମାନେ ନାତିଟିକୁ ଶାସନ କରୁଥିଲେ ସେମାନେ ନିଜେ ଜେଜେଙ୍କ ପାଖକୁ ଯିବାକୁ କେତେ ଅଭ୍ୟାସ କରୁଥିଲେ। କେତେ ଇତସ୍ତତଃ କରୁଥିଲେ, ତାହା ଦେଖି ଦେଖି ନାତିଟି କେତେ ହିଁ ନା ଉପଭୋଗ କରୁଥିଲା।

ଜେଜେ ମଝିରେ ମଝିରେ ନାତିକୁ ଡାକି ତା’ଠାରୁ ଗଳ୍ପ ଶୁଣୁଥିଲେ। ମନଖୁସିରେ ଏଣୁତେଣୁ କହିଯାଉଥିଲା ସେ। ଜେଜେଙ୍କର କିନ୍ତୁ ଧୈର୍ଯ୍ୟ ନଷ୍ଟ ହେଉ ନ ଥିଲା। ଦିନେ ସେ ଜଣକୁ ନିଦରୁ ଡାକି ଉଠେଇବାର ଗଳ୍ପ କହିବାରୁ ଜେଜେ କହିଥିଲେ, ଅତି ଜରୁରୀ ପ୍ରୟୋଜନ ନ ହେଲେ କାହାକୁ ବିଶ୍ରାମ ସମୟରେ ନ ଡାକିବା ଭଲ।

ନାତିଟି ଗଳ୍ପ କରୁଥିଲା ତା’ ଦେଖା ଜଗତର। ତା’ର ଆନନ୍ଦ, ତା’ର ଭୟ। ତା’ର ସ୍ବପ୍ନ ଦେଖି ଆତଙ୍କିତ ହେବା। ଜେଜେ ତାକୁ କହିଥିଲେ ଠାକୁରଙ୍କୁ ଡାକିଲେ ଆଉ ଭୟ ରହେ ନାହିଁ। ନାତିଟି ଜାଣିଥିଲା ତା’ର ଜେଜେ କେବେହେଲେ ଭୁଲ କଥା କହନ୍ତି ନାହିଁ।

ସମୟ ସହ ମନରେ ବି ନାନା ରଙ୍ଗ ଧରେ। ଥରେ ନାତିଟି ଜିଦି କରେ ଖେଳକୁଦର ସରଞ୍ଜାମ ପାଇଁ। ଜେଜେ ଶୁଣିପାରି ନାତିକୁ ଦୋକାନରୁ ସରଞ୍ଜାମ ଆଣି ଦେବା ସହ ଶିଖେଇଥିଲେ କେବେ ବି କାହା ପାଖରୁ ନିଜ ପାଇଁ ଯେତେଦୂର ସମ୍ଭବ କିଛି ନ ଚାହିଁବା ପାଇଁ।

ଥରେ ଦୋଳପର୍ବ ଦିନ ରଙ୍ଗିନ ପୋଷାକ ପିନ୍ଧି ନାତି ଆସିବାରୁ ଜେଜେ ସାଦା ପୋଷାକରେ ହୋଲି ଖେଳିବା ପାଇଁ କହିଥିଲେ, ଧଳା ପୋଷାକରେ ରଙ୍ଗ ଲାଗିଲେ ଯେ ବହୁତ ଭଲ ଲାଗେ! ଦୋଳ ଦିନ ସବୁ ରଙ୍ଗ ମିଶେଇ ଗୋଟାଏ ଅଦ୍ଭୁତ ରଙ୍ଗର ମିଶ୍ରଣ ଠୁଙ୍ଗାରୁ ମୁଠା କରି ନେଇ ନାତି ଧାଇଁଥିଲା ପାଏଁ ପାଏଁ କରି। ସାମନାରେ ହଠାତ୍ ଦେଖିଥିଲା ତା’ର ଜେଜେଙ୍କୁ। ହାତଟା ଆପଣାଛାଏଁ ତା’ର ଅଜାଣତରେ ତାଙ୍କ ପେଟ ପର୍ଯ୍ୟନ୍ତ ନେଇ ବୋଳି ଦେଇଥିଲା। ପର ମୁହୂର୍ତ୍ତରେ ସେ ଭୟ ପାଇଥିଲା ନିଜର ଆଚରଣ ପାଇଁ। ନାତିର ଭୟ-ବିହ୍ବଳ ଚେହେରା ଦେଖି ସ୍ମିତ ହସି ଜେଜେ ଚାଲିଯାଇଥିଲେ ନିଜ ଗନ୍ତବ୍ୟ ପଥରେ।

ଦିନେ ଦେଓଘରେ ଠାକୁରବାଡ଼ିର ଖଡ଼ଘରେ ବସି ରହିଥିଲେ ଜେଜେ। ନାତିର ସେଦିନ ଆଉ ଘରକୁ ଫେରିବାର ନାଁ ନ ଥିଲା। ସେ ମନକୁ ମନ ଖଡ଼ଘରର ଚାରିଦିଗରେ ଖେଳି ବୁଲୁଥିଲା। ଥୁଥୁ କରି ଛେପ ପକେଇଦେଲା। ଜେଜେ ତାକୁ ବାରଣ କରି କହିଥିଲେ ଏହାଦ୍ବାରା ଚାରିଆଡ଼ ଅସନା ହୁଏ। ଲୋକଙ୍କ ପାଦରେ ବି ଲାଗିପାରେ। ପରିବେଶ ସମ୍ପର୍କରେ ସଚେତନ କରିତୋଳିବାର ପାଠ! ଜେଜେ ଜଣ ଜଣ କରି ଲୋକ ଠିକ୍ କରୁଥିଲେ, କିନ୍ତୁ ଜେଜେଙ୍କୁ ଘେରି ସମସ୍ତଙ୍କର ବସିରହିବା ନାତିଟିକୁ ଆନନ୍ଦ ଦେଉଥିଲା ବୋଲି ସେ କାହା ସାଙ୍ଗରେ ଘରକୁ ଫେରିବାକୁ ନାରାଜ। ଶେଷରେ ଜେଜେ ତାକୁ କହିଥିଲେ ଏଥର ସେ ଘରକୁ ଫେରିବେ। ଫଳରେ ନାତିଟି ବି ଚାଲିଥିଲା ତାଙ୍କ ସହିତ। ଜେଜେ ଘରକୁ ଫେରିଲେ ତାଙ୍କ ପାଦ ପୋଛା ହେଉଥିଲା। ତାହା ଦେଖି ନାତି ବି ତା’ର ପାଦ ବଢ଼ାଇ ଦେଇଥିଲା। ଜେଜେଙ୍କ ପାଦ ପୋଛୁଥିବା ଲୋକଟି କିଂକର୍ତ୍ତବ୍ୟବିମୂଢ଼। ଜେଜେ ତାଙ୍କ ନାତିର ବି ପାଦ ପୋଛିଦେବାକୁ କହିଲେ। ଜେଜେଙ୍କୁ ଅନୁକରଣ କରିବା ଭିତରଦେଇ ଯଦି ତିଳେମାତ୍ର ଅନୁସରଣର ସମ୍ଭାବନା ଥାଏ ତାକୁ ସେଦିନ ସେ ନଷ୍ଟ ହେବାକୁ ଦେଇ ନ ଥିଲେ।

ଆଉ ଦିନେ ଠାକୁରବାଡ଼ିରୁ ଜେଜେ ଫେରୁଥିଲେ। ସେଦିନ ବି ନାତି ତାଙ୍କ ସଙ୍ଗ ଛାଡ଼ୁ ନ ଥିଲା, ଟାଣୁଥିଲା ତା’ର ବ୍ୟସ୍ତ ଥିବା ଜେଜେଙ୍କୁ ଉପର ପର୍ଯ୍ୟନ୍ତ ପହଞ୍ଚାଇ ଦେବାକୁ। ସିଡ଼ିର ତଳଟା ଭାରି ଅନ୍ଧାର। କ’ଣ ସବୁ ସେଠି ଅଛି କେଜାଣି! ଜେଜେ ଚାଲିଲେ ନାତିକୁ ଉପରେ ପହଞ୍ଚାଇ ଦେବାକୁ। ତା’ର ଜେଜେମାଙ୍କ ଘରେ ବସି ଗଳ୍ପ କରି ଯେତେବେଳେ ସେ ଫେରି ଯାଉଥିଲେ, ତାଙ୍କର ଅକିଞ୍ଚନ ନାତିଟିକୁ କହିକରି ଗଲେ। ଛୋଟ ବୋଲି ତୁଚ୍ଛ ଜ୍ଞାନରେ ଅବହେଳା କଲେ ନାହିଁ, ନିଜର ସହଜାତ ମର୍ଯ୍ୟାଦା ଦେବାର ଅଭ୍ୟାସ ହେତୁ।

ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦାଙ୍କ ସାନ୍ନିଧ୍ୟରେ ଶ୍ରୀଶ୍ରୀଦାଦା ଏବଂ ଶ୍ରୀଶ୍ରୀଆଚାର୍ଯ୍ୟଦେବ (ବାମ)

ଦେଓଘରେ ଯେଉଁ ଦୋତାଲା ଘରଟାରେ ନାତିମାନେ ରହନ୍ତି, ଥରେ ସେଇ ଘର ଉପରୁ ଜେଜେଙ୍କୁ ଘରକୁ ଆସୁଥିବାର ନାତିମାନେ ଦେଖିଲେ। ଦେଖିବା ମାତ୍ରେ ଦୌଡ଼ି ଯାଇ ସିଡ଼ି ମୁହଁରେ ଥିବା ଦରଜାରେ ଖିଲ ଦେଇଦେଲେ। ଜେଜେଙ୍କ ଡାକ ଶୁଣି ନାତି ସେତେବେଳେ ନୂଆ ଲଗା ହୋଇଥିବା କଲିଂ ବେଲ୍ ପରୀକ୍ଷା କରିବା ପାଇଁ ଜେଜେଙ୍କ ଦ୍ବାରା ବେଲ୍ ଚିପିବା ପରେ ଦରଜା ଖୋଲିଥିଲା। ଜେଜେ ନାତିଙ୍କ ଖେଳରେ ବିରକ୍ତ ହେଲେ ନାହିଁ। ଡଗଡଗ କରି ନାତିର ଜେଜେମାଙ୍କ ଘରେ ପଶି କହିଥିଲେ ଯେ, ଜେଜେମାଙ୍କ ଦରୁଆନ କୁଆଡ଼େ ଭାରି ଜବର। ବେଲ୍ ନ ବଜାଇଲେ କାହାକୁ ଭିତରେ ପ୍ରବେଶ କରିବାକୁ ଦେଉନାହିଁ। ଦୂରରୁ କେଉଁଠୁ କଥା ଭାସିଆସୁଥିଲା ସୁରର ଡେଣାକୁ ଆଶ୍ରା କରି –

‘‘ଆମାର ଖେଲା ଯଖନ ଛିଲୋ ତୋମାର ସନେ

ତଖନ କେ ତୁମି ତା କେ ଜାନତୋ … ’’

ଗ୍ୟାରେଜ ଆଡ଼ୁ ଠାକୁରବାଡ଼ି ଯିବା ରାସ୍ତାଟା ସେତେବେଳେ ଥିଲା ଜଙ୍ଗଲରେ ଭରା। ନାତିଟି ସେଠାରେ ଖେଳୁଥିଲା – ଦେଖି ଜେଜେ ତାକୁ ଡାକି ନେଇ ଚାଲି ଚାଲି ଆଗେଇ ଯାଇଥିଲେ ଏକ ‌ସାବଧାନ-ବାର୍ତ୍ତା ଲେଖା ଥିବା ବିଜ୍ଞାପନ ସାମନାକୁ। ଜେଜେଙ୍କ ନିର୍ଦ୍ଦେଶରେ ନାତିଟି ପଢ଼ିଥିଲା – ‘‘ଜଙ୍ଗଲରେ ପ୍ରବେଶ ନିଷେଧ। ସାପ ଓ ବିଛା ଥାଇପାରନ୍ତି।’’ ଅତଏବ ଜଙ୍ଗଲ ଭିତରେ ଖେଳ ସେଇଠୁ ବନ୍ଦ। ଏହାର କିଛିଦିନ ପରେ ସେଇ ଅଞ୍ଚଳଟା ସଫା କରି ହଂସ ଓ ହରିଣ ରଖିବାର ସ୍ଥାନ ନିର୍ବାଚନ କରାହୋଇଥିଲା।

ନାତିଟିକୁ ଜେଜେ ନିଜେ ପହଁରା ଶିଖାଇଥିଲେ। ଦିନେ ତାକୁ ଜ୍ବର ହେବାରୁ ଡାକ୍ତରଙ୍କ ନିର୍ଦ୍ଦେଶରେ ପହଁରିବାକୁ ଯିବା ଲାଗି ବାରଣ କରାହୋଇଥିଲା। ସମସ୍ତଙ୍କ ଅଲକ୍ଷ୍ୟରେ ଛଳଛଳ ଆଖିରେ ପହଁରିବାର ନୀରବ ଆବେଦନ ନେଇ ନାତିଟି ହାଜର ହୋଇଥିଲା ଜେଜେଙ୍କ ପାଖରେ। ତା’ର ଆଗ୍ରହ ଦେଖି ଜେଜେ ତାକୁ ନିରାଶ ନ କରି ନିଜେ ହିଁ ନେଇ ଓହ୍ଲାଇଥିଲେ ପାଣିକୁ। ଜେଜେଙ୍କ ସହିତ ନାତି ବି ପହଁରି ପହଁରି ଚାଲିଲା ପୁଷ୍କରିଣୀର ଆରପଟକୁ। ସେପଟେ ପହଞ୍ଚି ନାତିକୁ ଆଦର କରି ପଠାଇଦେଇଥିଲେ ଘରକୁ। ନାତିର ଭାରାକ୍ରାନ୍ତ ମନ ହୋଇଥିଲା ଶାନ୍ତ। ଯେଉଁ ଅନୁଜ୍ଞା ମନକୁ ଶାନ୍ତ କରିପାରେନା, ତାହା ଗୃହୀତ ହେବ କିପରି!

ଦିନେ ଖୁବ୍ ଭୋରରୁ ନାତି ନିଦରୁ ଉଠି କାହାକୁ ଦେଖି ନ ପାରି ଗୋଟାଏ ଭାସିଆସୁଥିବା ଶବ୍ଦକୁ ଅନୁସରଣ କରି ତା’ର ଜେଜେଙ୍କ ଘରେ ପହଞ୍ଚି ଦେଖିଥିଲା ସକାଳର ବିନତି ପ୍ରାର୍ଥନା ଚାଲିଛି। ସେ ତା’ର ମାଆକୁ ଖୋଜିନେଇ କୋଳ ପାଖରେ ବସି ପ୍ରାର୍ଥନା କରୁ କରୁ ଘୁମେଇ ପଡ଼ିଥିଲା। ମାଆଙ୍କ ଠେଲାରେ ନିଦ ଭାଙ୍ଗିବା ମାତ୍ରେ ଶୁଣିବାକୁ ପାଇଥିଲା ତାକୁ ନେଇ ଶୁଆଇ ପକାଇବାର କଥା। ନାତି ତେଣୁ ଉଠିଥିଲା। ଜେଜେ ଶିଖେଇଥିଲେ ହାଇ ମାରିବା ସମୟରେ ହାତ ଦେଇ ମୁହଁ ନ ଢାଙ୍କିଲେ ବିସଦୃଶ ଲାଗିପାରେ।

ପରେ ଦିନେ ଭୋରରୁ ଉଠି ନ ପାରିବାରୁ ଜେଜେ ନାତିକୁ ତା’ ବାପାଙ୍କ ପିଲାଦିନର ଗଳ୍ପ କହିଥିଲେ। ନାତିର ବାପା କୁଆଡ଼େ ଖୁବ୍ ଭୋରରୁ ଚଢ଼େଇଙ୍କ ଡାକରେ ଉଠିପଡ଼ୁଥିଲେ। ଗପ ଛଳରେ ପ୍ରେରଣା। ଖାଲି କ’ଣ ସେତିକି – ନାତିର ଭୋରରୁ ଉଠିବାର ଅଭ୍ୟାସ କରାଇବା ପାଇଁ ତାଙ୍କ ସହ ହେଲା ଜଳଯୋଗର ବି ଆୟୋଜନ। ନାତି ନିଦରୁ ଉଠି ଦଉଡ଼େ ଜେଜେଙ୍କ ସହ ସକାଳର ଜଳଖିଆ ଖାଇବାର ତାଗିଦରେ। ସବୁଦିନ ଜେଜେ ‘ଆଜି କେତେବେଳେ ଉଠିଲୁ’ ବୋଲି ପଚାରନ୍ତି। ପ୍ରାର୍ଥନା ଆଗରୁ କୌଣସିମତେ ତା’ର ନିଦ ଭାଙ୍ଗେନା। ସେ ଯେପରି ଅକ୍ଷମ! ତଥାପି ଜେଜେ ତାକୁ ଛାଡ଼ନ୍ତିନି। ସେ ସବୁଦିନେ କହନ୍ତି ‘ଖୁବ୍ ଭଲ’ – ତେବେ ଆଉ ଟିକେ ଆଗରୁ ଉଠିଲେ ବେଶୀ ଭଲ ହେବ। ନାତିଟି ବି ଚେଷ୍ଟା କରିଚାଲୁଥିଲା ତା’ ମାଆଙ୍କର ସାହାଯ୍ୟ ନେଇ।

ଜେଜେଙ୍କ କାନରେ ପଡ଼ିଲା ନାତିଟିକୁ ଖାଇ ଆସେନା। ଗତାନୁଗତିକ କେତୋଟି ଜିନିଷ ଛଡ଼ା କିଛି ବି ଖାଇ ଶିଖିନି। ଜେଜେ ସବୁ ଶୁଣି-ଜାଣି ନାତିଟିକୁ ପାଖରେ ବସେଇ ଖାଇ ବସିଥିଲେ। ଖିଆ ଶିଖିବାର ପାଠ ଆରମ୍ଭ ହେଲା ନାତିର। ପରେ ଶିଖେଇଥିଲେ ଭୋକ ନ ଲାଗିଲେ ଖାଇବ ନାହିଁ। ପୁଣି କହିଥିଲେ – ଆମେ ଯାହା ଖାଉ ସବୁ ତ ପରମପିତାଙ୍କ ସୃଷ୍ଟି। ସବୁକିଛିରେ କେତେ କେତେ ଗୁଣ ଲୁଚି ରହିଛି! ତେଣୁ ସବୁ ଖାଇବାକୁ ପଡ଼େ। କୌଣସି ଖାଦ୍ୟପଦାର୍ଥକୁ ତାଚ୍ଛଲ୍ୟ କରିବା ଉଚିତ ନୁହଁ। ପରମପିତାଙ୍କ ପ୍ରସାଦ ବୋଲି ନିବେଦନ କରି ଆନନ୍ଦ ସହକାରେ ଖାଇଲେ ସ୍ରଷ୍ଟା ଯେ ଖୁସି ହୁଅନ୍ତି। ନାତି ଶିଖିଥିଲା ଖାଇବା ଏଇଭାବେ।

ଅମୃତ ନେଇ ଦେବତା ଓ ଦାନବଙ୍କ କଳି ବିଷୟରେ ସମସ୍ତେ ଜାଣନ୍ତି। ଜେଜେ ମଝିରେ ମଝିରେ ହଠାତ୍ ତାଙ୍କ ଖାଇବାର ଶେଷ ପତ୍ରରେ ଦୁଧ, ଆମ୍ବ, କଦଳୀ ଇତ୍ୟାଦି ଦେଇ ଏକ ଅମୃତମୟ ଚକଟା ତିଆରି କରୁଥିଲେ। ସେଇ ଅମୃତର ଭାଗ ପାଇବାକୁ ଘରର ସମସ୍ତଙ୍କ ଭିତରେ ଗୋଟାଏ ଟଣାଭିଡ଼ା ଲାଗିଯାଉଥିଲା। ପୁରାଣର ସେଇ କାହାଣୀ ଯେପରି ପ୍ରତ୍ୟକ୍ଷ କରିବାର ସୁଯୋଗ ନାତି ଜୀବନରେ ଏଇଭାବରେ ଘଟିଥିଲା।

ନାତିର ପଢ଼ାଶୁଣାରେ ସେପରି ମନ ନାହିଁ। ଜେଜେ ତାକୁ କହିଥିଲେ ଯେ, ନାତିର ବାପା ମସ୍ତ ପଣ୍ଡିତ, ଆଉ ଏପରି ତାଙ୍କର ମନୋନିବେଶ କରିବାର କ୍ଷମତା ଯେ ପାଖରେ କୀର୍ତ୍ତନ ହେଲେ ବି ମନ ଏତେ ଟିକିଏ ବିଚ୍ୟୁତ ହୁଏ ନାହିଁ। କହିବାର ଭଙ୍ଗି ଏପରି ଯେମିତି ନାତି ଉଦ୍‌ବୁଦ୍ଧ ହୁଏ। ଦିନେ ନାତି-ନାତୁଣୀମାନେ ସମସ୍ତେ ବସିଥିଲେ ଜେଜେଙ୍କୁ ଘେରି। ଇଂରାଜୀ ଭାଷାରେ ସେମାନେ ନିଜକୁ କିପରି ପ୍ରକାଶ କରନ୍ତି ତାହା ଦେଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ, ନିଜ ନିଜ ଭିତରେ ଇଂରାଜୀରେ କଥା ହେବା ପାଇଁ। ପୁଣି ଆଉ ଦିନେ ସେହିପରି ଏକ ଘରୋଇ ପରିବେଶରେ ସେମାନଙ୍କ ସୁରବୋଧର ପରୀକ୍ଷା କରିବା ପାଇଁ ଜେଜେ ସମସ୍ତଙ୍କୁ ଗୀତ ଗାଇବାକୁ କହିଥିଲେ। ସେ ତାଙ୍କ ନାତି-ନାତୁଣୀମାନଙ୍କୁ ଚୌକସ (ସବୁଥିରେ ଦକ୍ଷ) ଦେଖିବାକୁ ପସନ୍ଦ କରନ୍ତି।

ନାତି ଆହୁରି ବଡ଼ ହୋଇ ଘର ବାହାରକୁ ଯିବା ପୂର୍ବରୁ ଜେଜେ ତାକୁ ଉପଦେଶ ଦେଇଥିଲେ ଲୋକଙ୍କ ସହିତ କିପରି ବ୍ୟବହାର କରିବ, ନିଜକୁ କିପରି ନିୟନ୍ତ୍ରଣ କରିବ ଏବଂ ଆଚରଣକୁ କିପରି ପରିଶୁଦ୍ଧ କରିବ ଇତ୍ୟାଦି। କେଉଁଠି ହେଲେ ପୋଥିଗତ ବିଦ୍ୟାର ବୋଝ ବୋହିବାର କଥା ଲେଶମାତ୍ର ନାହିଁ। ଅଛି କେବଳ ଜୀବନବାଦର କଥା। ଜୀବନର ଧର୍ମ ଆଚରଣ କରିବା। ଆଚରିତ ଯାହାକିଛି ଜୀବନର ହିଁ ଅଙ୍ଗ – ଜୀବନ ନୁହେଁ। ଜୀବନ ଠିକ୍ ରହିଲେ ତେବେ ହିଁ ତ ଆଉ ଯାହାକିଛି ସବୁ ଠିକ୍ ରହିବ।

ଥରେ ନାତିଟିର ଜେଜେମା ଖୁବ୍ ଅସୁସ୍ଥ। ଘରେ କନ୍ଦାକଟା ପଡ଼ିଯାଇଛି। ଡାକ୍ତର କହିଥିଲେ, ନାଡ଼ିର ସ୍ପନ୍ଦନ ମିଳୁନି। ଜେଜେ ଆସିଲେ ଏବଂ ହାତ ବୁଲେଇଦେଲେ ନାତିଟିର ଜେଜେମାଙ୍କ ଦେହରେ। ଶରୀରରେ ଫେରି ଆସିଲା ସ୍ପନ୍ଦନ। ଜେଜେଙ୍କ ଉପସ୍ଥିତିରେ ଗମ୍ଭୀର ପରିବେଶ ହାଲୁକା ହୋଇଯାଇଥିଲା ନିମିଷକରେ। ପରମପିତା ଜେଜେଙ୍କ ଇଚ୍ଛାକୁ ସବୁବେଳେ ମଞ୍ଜୁର କରନ୍ତି। ଥରେ ନାତିମାନଙ୍କର ଜଣେ ସହପାଠୀର ବାପା ଦୁରାରୋଗ୍ୟ କ୍ୟାନସର ରୋଗରେ ମୃତ୍ୟୁପଥଯାତ୍ରୀ। ସେଇ ପିଲାଟି ଜେଜେଙ୍କ ପାଖକୁ ଆସି କାତରକ‌ଣ୍ଠରେ ସଜଳ ନୟନରେ ତା’ ବାପାଙ୍କର ପ୍ରାଣଭିକ୍ଷା ଚାହିଁଥିଲା। ଜେଜେ ନିଦାନ ଦେଇଥିଲେ। ପ୍ରାୟ ୨୦ ବର୍ଷ ପରେ ନାତିଟିର ସେଇ ପିଲା ସହ ଦେଖା ହୁଏ। ତା’ର ବାପା ସେତେବେଳେ ବି ସୁସ୍ଥ ଶରୀରରେ ଚଳପ୍ରଚଳ କରୁଥିଲେ।

ସେଥର ଋତ୍ବିକ୍ ସମ୍ମେଳନରେ ବକ୍ତାମାନଙ୍କ କଥା ଜେଜେଙ୍କ ଘରେ ହିଁ ଶୁଣିବାର ବ୍ୟବସ୍ଥା କରା ହୋଇଥିଲା। ନାତିକୁ ଜିଜ୍ଞାସା କରିଥିଲେ, ସେ ବକ୍ତୃତା ଦେଇ ପାରେ କିନା। ନାତି ଅପାରଗ ଶୁଣି ତାକୁ ଶିଖାଇଥିଲେ- ଠାକୁରଙ୍କ ଦୟାର କଥା କହିବାର କୌଶଳ।

କୌଣସି ନିନ୍ଦା କଥା ଜେଜେଙ୍କର ଆଦୌ ପସନ୍ଦ ନୁହେଁ। ଥରେ ନାତିକୁ ସେ କହିଥିଲେ, ଯେଉଁ କଥା ଅନ୍ୟକୁ ଭଲ ଲାଗେ ନାହିଁ, ସେପରି କଥା କହିବାଠାରୁ ଦୂରରେ ରହିବାକୁ। ମନ୍ଦରେ ଭଲ ଦେଖିପାରିବା ହିଁ ଭଲ! ସେ କ’ଣ ଆଉ ମନ୍ଦ ବୁଝନ୍ତିନି! ମନ୍ଦକୁ ମଧ୍ୟ ‘ଭଲ’ ‘ଭଲ’ କରି ଭଲ ହିଁ କରିତୋଳୁଥିଲେ।

ଏକ ସମୟରେ ଜେଜେ ଓ ନାତି ଭିତରେ ଚିଠିର ଆଦାନପ୍ରଦାନ ଚଳୁଥିଲା। ସେ ନାତିର ନାବାଳକ ମନଟାକୁ ନିୟନ୍ତ୍ରଣ କରୁଥିଲେ ମଧୁବୋଳା ସବୁ ଚିଠି ମାଧ୍ୟମରେ। ନଗଣ୍ୟ ଚିଠିଗୁଡ଼ିକର ଅସାଧାରଣ ଉତ୍ତରମାଳା! ଥରେ ଜେଜେ ଲେଖିଥିଲେ – ‘‘ଠାକୁରଙ୍କୁ ଭଲପାଅ, ତାଙ୍କ ଦୟାରେ ସବୁ ହୁଏ। ବୁଝିଲେ, ସବୁ ହୁଏ।’’ କ’ଣ ଅବଲମ୍ବନ କରି ନାତିର ଜୀବନ ଆଗେଇ ଯାଇପାରେ ତା’ରି ଦିଶା-ନିର୍ଦ୍ଦେଶ।

ଜେଜେଙ୍କୁ ଘେରି ବସି ରହିଥିବା ଭିଡ଼ ଆଡ଼କୁ ଚାହିଁ ସେ ସେଦିନ ଜଣ ଜଣ କରି ସମସ୍ତଙ୍କ ଜୀବନର ଉଦ୍ଦେଶ୍ୟ ଜାଣିବାକୁ ଚାହିଁଥିଲେ। ପ୍ରତ୍ୟେକେ ନିଜ ନିଜ ଜୀବନର ଉଦ୍ଦେଶ୍ୟ କହିଚାଲିଥିଲେ। ଜେଜେ ସମସ୍ତଙ୍କ ଶେଷରେ ନାତିମାନଙ୍କ ଆଡ଼କୁ ନିର୍ଦ୍ଦେଶ କରି କହିଥିଲେ ସେମାନଙ୍କ ଜନ୍ମ ହିଁ ଇଷ୍ଟପ୍ରତିଷ୍ଠା ଉଦ୍ଦେଶ୍ୟରେ ହୋଇଛି। ଅନ୍ୟ କୌଣସି ଉଦ୍ଦେଶ୍ୟରେ ନୁହେଁ। ନାତିଟିକୁ ତା’ର କରଣୀୟ ସମ୍ପର୍କରେ ସଚେତନ କରେଇଥିଲେ ଜେଜେ।

ନଦୀ ପରି ନାତିଟିର ଜୀବନ। ଯାହାର ପ୍ରତ୍ୟେକଟି ଉତ୍ତାଳ ତରଙ୍ଗ ପ୍ରଶାନ୍ତି ଲାଭ କରିଥିଲା ଜେଜେଙ୍କ ସ୍ପର୍ଶରେ। ପ୍ରତ୍ୟେକଟି ବାଙ୍କରେ ହିଁ ସେ ବରାଭୟ ଦାନ କରିଥିଲେ ଅକାତରେ, ଯାହାଦ୍ବାରା ନଦୀ ତା’ର ବହମାନତାକୁ ବଜାୟ ରଖିପାରେ। ଜେଜେଙ୍କ ବିରାଟ ବିପୁଳ ଜୀବନର ଗୋଟିଏ ଅତି ତୁଚ୍ଛ ଅଂଶ ନାତିଟିର ଜୀବନ ସହ ଜଡ଼ିତ ହୋଇଥିଲା। ଏହିପରି କେତେ ଶତ-ଶତ ନିଚ୍ଛକ ସାଧାରଣ ଅନୁଭୂତିର ଖଣ୍ଡଚିତ୍ର। ସେଇ ଚିତ୍ରଗୁଡ଼ିକ ଯୋଡ଼ିଲେ ‘ମହା’ ନ ହେଉ ନାତିର ଏକାନ୍ତ ‘କ୍ଷୁଦ୍ରଭାରତ’ ହୋଇଯାଇପାରନ୍ତା। ନାତିଟି ସେଇ ଜୀବନୀୟ ଜଳଛବିଗୁଡ଼ିକ ଆଜି ବି ଦେଖିଥାଏ ଗୋପନରେ, ନୀରବରେ। ଛବିଗୁଡ଼ିକ ପ୍ରତ୍ୟେକେ ଜୀବନ୍ତ ହୋଇଉଠନ୍ତି। ଜୀବନ୍ତ ହୋଇ ଘୂରିବୁଲନ୍ତି ଚାରିପାଖରେ, ତା’ର ଅନୁଭୂତିର ରାଜ୍ୟରେ। ଆଉ ଏକ ସମୟରେ ନାନା ରଙ୍ଗର ବୁଦ୍‌ବୁଦ ହୋଇ ମିଳେଇ ଯାନ୍ତି ଅସୀମ ଆକାଶରେ ଅର୍କଲୋକରେ।

(‘ଆତ୍ମଜନେର କଥା’ ପୁସ୍ତକରୁ ଉଦ୍ଧୃତ। ଅନୁବାଦ: ଦୋଳଗୋବିନ୍ଦ ପଣ୍ଡା)

You might also like