ଶ୍ରୀଶ୍ରୀଠାକୁରଙ୍କ ଉପରେ ଅତୁଟ ବିଶ୍ୱାସର କଥା

ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ଉଦବୋଧନ

୨୦୧୬ ମସିହାରେ ୧୦୦ ଦିନର ମହାଦୀକ୍ଷା ପରିକ୍ରମା କାଳରେ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଓଡ଼ିଶାର ଅଧିକାଂଶ ସ୍ଥାନରେ ସତଦୀକ୍ଷାରେ ହଜାରହଜାର ଲୋକଙ୍କୁ ଅଭିମନ୍ତ୍ରିତ କରିବା ସହ ଆଶୀର୍ବଚନ ଅ‌ାଶାୟୀ ସମାଗତ ସତସଙ୍ଗୀ ଓ ସତସଙ୍ଗପ୍ରେମୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ ଏହି ଉଦବୋଧନ ମାଳା ମଧ୍ୟରୁ ଏଠାରେ ଗୋଟିଏ ଉପସ୍ଥାପନା କରାଗଲା…

ଏବେ ମୁଁ ଆପଣଙ୍କୁ ତିନୋଟି ଘଟଣା କହିବି। ଶ୍ରୀଶ୍ରୀଠାକୁରଙ୍କ ଉପରେ କେନ୍ଦ୍ରୀଭୂତ ବିଶ୍ୱାସର କଥା।
ଜାମ୍ସେଦ୍ପୁରର ଘଟଣା। ସେଠାକାର ଦୁଇଜଣ ବ୍ୟବସାୟୀଙ୍କ ସହିତ ଜଣେ ଋତ୍ୱିକ୍ ଦାଦା’ଙ୍କର ପରିଚୟ ହୁଏ। ଠାକୁରଙ୍କ ବିଷୟରେ ଆଲୋଚନା ଚାଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ବଢେ। ଋତ୍ୱିକ୍ ଦାଦା କହନ୍ତି– ଦେଓଘରରେ ସତସଙ୍ଗ ଆଶ୍ରମ ଅଛି। ସେଠାକୁ ଗଲେ ଆପଣଙ୍କୁ ବହୁତ ଭଲଲାଗିବ। ଏକଥା ବାରମ୍ବାର ଶୁଣିବା ପରେ ସେମାନଙ୍କ ମଧ୍ୟରେ ଦେଓଘର ଯିବାର ଇଚ୍ଛା ଜାଗ୍ରତ ହୁଏ। ଶେଷରେ ଦେଓଘର ଯିବାଲାଗି ସେମାନେ ସ୍ଥିର କଲେ। ସେମାନଙ୍କ ସହ ଜଣେ ଡ୍ରାଇଭର ବି ଯିବାଲାଗି ଆଗ୍ରହ ପ୍ରକାଶ କଲେ। ସେହି ବ୍ୟବସାୟୀଙ୍କ ମଧ୍ୟରୁ ଜଣଙ୍କର ବନ୍ଧୁ ଗୋଟିଏ ନୂଆ ଆମ୍ବାସାଡର କାର୍ କିଣିଥିଲେ। ସେତେବେଳେ ଆମ୍ବାସାଡର କାର ହିଁ ଚାଲୁଥିଲା, ଅବଶ୍ୟ ବମ୍ବେରେ ପ୍ରିମିୟର ପଦ୍ମିନୀ କାରର ପ୍ରଚଳନ ଆରମ୍ଭ ହୋଇଥିଲା। କଲିକତାରେ କେବଳ ଆମ୍ବାସଡର ଚାଲୁଥିଲା। ତେବେ ଦିନେ ସନ୍ଧ୍ୟାରେ ଋତ୍ୱିକ ଦାଦାଙ୍କ ସହ ଦୁଇ ବ୍ୟବସାୟୀ ଓ ଡ୍ରାଇଭର ସେହି ନୂଆ ଆମ୍ବାସାଡର କାରରେ ଦେଓଘର ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଜାମସେଦ୍ପୁରଠାରୁ କିଛି ଦୂରରେ ଚାଣ୍ଡିଲ୍ ନାମକ ଏକ ସ୍ଥାନ ଅଛି। ସେତେବେଳେ ସେଠାରେ ସେଭଳି ଦୋକାନ ବଜାର ନ ଥିଲା। କିନ୍ତୁ ସେହି ସ୍ଥାନରେ ହିଁ କାରରେ ତ୍ରୁଟି ଦେଖାଦେଲା, କାର୍ଟି ଆଦୌ ଷ୍ଟାର୍ଟ ହେଲାନି। ଡ୍ରାଇଭର ଜଣକ କହିଲେ– ମୁଁ ଏଇ ପାଖ ଗାଁକୁ ଯାଉଛି କାଳେ କେଉଁଠି ମେକାନିକ୍ ଥିବେ। ଖୋଜିକି ଆଣିବି। ବେଶ୍ କିଛି ସମୟ ବିତିଗଲା। ଡ୍ରାଇଭର ଜଣେ ମେକାନିକ୍କୁ ସାଙ୍ଗରେ ନେଇ ଆସିଲେ। ମେକାନିକ୍ ପ୍ଲଗ୍ ଇତ୍ୟାଦି ସଫା କରି ଲଗାଇଦେଲେ। ସଙ୍ଗେ ସଙ୍ଗେ ଗାଡିଟି ଷ୍ଟାର୍ଟ ହୋଇଗଲା। ବ୍ୟବସାୟୀଦ୍ୱୟ ସେଠାରେ ଆଉ କିଛି ବ୍ୟବସାୟିକ କାର୍ଯ୍ୟ ସାରିଲେ। ଏଇଭଳି ପ୍ରାୟ ଦୁଇଘଣ୍ଟା ବିଳମ୍ବ ହୋଇଗଲା। ଭୋର ସମୟରେ ସେମାନେ ଦେଓଘରରେ ଯାଇ ପହଞ୍ଚିଲେ। ରହିବାର ବ୍ୟବସ୍ଥା ହୋଇଗଲା। ଋତ୍ୱିକ୍ ଦାଦା ସେହି ବ୍ୟବସାୟୀଙ୍କୁ ସାଙ୍ଗରେ ନେଇ ଶ୍ରୀଶ୍ରୀବଡ଼ଦାଙ୍କ ପାଖରେ ପହଞ୍ଚି ପ୍ରଣାମ କରି କହିଲେ ଏ ଦୁଇଜଣ ବ୍ୟବସାୟୀ ଜାମସେଦ୍ପୁରରୁ ଆସିଛନ୍ତି ଆଉ ଆପଣଙ୍କଠାରୁ ଦୀକ୍ଷା ନେବାକୁ ଚାହୁଁଛନ୍ତି। ଏହା ଶୁଣି ଶ୍ରୀଶ୍ରୀବଡ଼ଦା ନିରୁତ୍ତର ରହିଲେ। କିଛି ସମୟ ପରେ ସେମାନେ ବାହାରକୁ ଆସିବାମାତ୍ରେ ବ୍ୟବସାୟୀ ଦୁହେଁ ଋତ୍ୱିକଦାଦାଙ୍କୁ ବିରକ୍ତି ପ୍ରକାଶ କରି କହିଲେ– ‘ଆମେ ତ ଦର୍ଶନ କରିବାକୁ ଆସିଥିଲୁ।’

ତା’ପରେ ସେ ଦୁହେଁ ବାବାଧାମ ଚାଲିଗଲେ। ସେଠାରୁ ଦର୍ଶନ ସାରି ପୁଣି ପାଶ୍ୱର୍ନାଥ ମନ୍ଦିର ଗଲେ। ଏଇଭଳି ବୁଲାବୁଲି କରି ସନ୍ଧ୍ୟା ପୂର୍ବରୁ ଆସି ଆଶ୍ରମରେ ପହଞ୍ଚିଲେ ସେମାନେ। ସନ୍ଧ୍ୟା ବିନତି ପ୍ରାର୍ଥନା ପରେ ସେ ଦୁହେଁ ଗେଟ୍ ବାହାରେ ସିଗାରେଟ ଟାଣିଲେ। ଏଇ ସମୟରେ ଜଣେ ଭାଇ ଦୌଡି ଦୌଡି ଆସି ଗେଟ୍ ପାଖରେ ସେହି ବ୍ୟବସାୟୀ ଦୁହିଁଙ୍କ ନାଁ ଧରି ଡାକିଲେ। ଏମାନେ ଆମ ନାଁ ଡକାଯାଉଥିବା ଜାଣି ସିଗାରେଟ୍ ଫୋପାଡି ଗେଟ ପାଖକୁ ଆସିଲେ ଏବଂ ସେହି ଭାଇଙ୍କୁ କହିଲେ– ଯାହାଙ୍କ ନାଁ ଡାକୁଛନ୍ତି ସେ ଦୁଇଜଣ ହେଉଛୁ ଆମେ। ଏ ଦୁହିଁଙ୍କୁ ସାଥିରେ ନେଇ ସେହି ଭାଇଟି ଷୋଡ଼ଶୀ ଭବନରେ ଶ୍ରୀଶ୍ରୀବଡଦାଙ୍କ’ ସମୀପରେ ପହଞ୍ଚିଲେ। ଏମାନଙ୍କୁ ଦେଖି ଶ୍ରୀଶ୍ରୀବଡ଼ଦା କହିଲେ କାଲି ସକାଳେ ଏ ଦୁହିଁଙ୍କୁ ପଣ୍ଟାଇ ଏବଂ ମୁଣ୍ଟି (ଶ୍ରୀଶ୍ରୀବଡ଼ଦାଙ୍କର ତୃତୀୟ ଏବଂ ଷଷ୍ଠ ପୁତ୍ର) ଦୀକ୍ଷା ଦେବେ। କିନ୍ତୁ ଦୀକ୍ଷାନେବାକୁ ଏ ଦୁହେଁ ଏକଦମ୍ ଅରାଜି। କୌଣସି ପ୍ରକାରେ ଦୀକ୍ଷା ନେବେନି। ବିରକ୍ତ ହୋଇ ସେମାନେ କହିଲେ– ଆମେ ଜାମସେଦ୍ପୁର ରାତିରେ ହିଁ ଫେରିଯିବୁ। କିନ୍ତୁ ଡ୍ରାଇଭର କହିଲା, ମୋ ଦେହ ଭୀଷଣ ଖରାପ ଲାଗୁଛି। ମୁଁ କୌଣସି ମତେ ଗାଡି ଚଳାଇ ପାରିବିନି। ଆଉ କ’ଣ କରାଯିବ! ବାଧ୍ୟହୋଇ ସେ ଦୁହେଁ ଆଶ୍ରମରେ ରହିଲେ। ଋତ୍ୱିକଦାଦା ରାତିରେ ସେମାନଙ୍କୁ ବହୁତ ବୁଝାବୁଝି କଲେ। ସକାଳେ ସେମାନଙ୍କର ଦୀକ୍ଷା ହେଲା। ତା’ପରେ ସେମାନେ ଜାମସେଦ୍ପୁର ଅଭିମୁଖେ ବାହାରିଲେ।

ଯିବାବାଟରେ ଚାଣ୍ଡିଲ୍ ପୂର୍ବରୁ ଏକ ଛକ ଜାଗାରେ ଥିବା ଢାବା ପାଖରେ ଅଟକିଲେ। ଚା’ ପିଇଲେ। ଚା’ ପିଉ ପିଉ ଢାବାମାଲିକଙ୍କ ସହ କଥାବାର୍ତ୍ତା ଚାଲିଲା। ଆପଣମାନେ କେଉଁଆଡେ ଯାଇଥିଲେ ପଚାରିବାରୁ ଏମାନେ କହିଲେ ଆମେ ପଅରଦିନ ସନ୍ଧ୍ୟାପରେ ଜାମସେଦ୍ପୁରରୁ ଦେଓଘର ଯାଇଥିଲୁ। ଢାବାମାଲିକ ସଙ୍ଗେ ସଙ୍ଗେ ଆସି ଗାଡିକୁ ଦେଖିଲା। କାହିଁ କେଉଁଠିତ କିଛି ଦାଗ ହୋଇନି। ଆଶ୍ଚର୍ଯ୍ୟ ହୋଇ କହିଲା- ଆଜ୍ଞା, ପରଦିନ ରାତି ଆଠଟାରୁ ଏଗାରଟା ମଧ୍ୟରେ ଏଇବାଟ ଦେଇ ଯେତେ ଗାଡିଯାଇଛି, କାହାର କାଚ ଭଙ୍ଗାତ କାହାର ଡୋର୍, ଆଗପଛ ଚେପା। ପ୍ରାୟ ତିରିଶରୁ ଅଧିକ ଗାଡିରେ ଡକାୟତି ହୋଇଛି। ଢାବା ମାଲିକଙ୍କ କଥା ଶୁଣି ଏମାନେ ଚିନ୍ତାକରି ବସିଲେ। ଆଜ୍ଞା ହଁ, ଆମ ଗାଡି ଚାଣ୍ଡିଲ୍ ପାଖରେ ଖରାପ ହୋଇଯାଇଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ସେଇଠି ଅଟକିଗଲୁ। ଢାବାମାଲିକ କହିପକାଇଲେ, ତା’ହେଲେ ଏଗାରଟା ପରେ ଆପଣ ଆସିଛନ୍ତି। ସେତେବେଳକୁ ପୋଲିସ ଆସିଯାଇଥିଲା। ଡକାୟତମାନେ ସେ ଜାଗା ଛାଡି ଚାଲିଯାଇଥିଲେ। ଏସବୁ ଶୁଣି ସେହି ବ୍ୟବସାୟୀ ଦୁହେଁ ଭାବିଲେ ତାଙ୍କ ପାଖକୁ ଯାଉ ଯାଉ ଏତେ ଦୟା ….। ଦୀକ୍ଷା ନେବା ପରେ କ’ଣ ଯେ ମିଳିବ….।

xxxxxxxx

ଆସାମର ଏକ ନଦୀ ଦୀପସ୍ଥଳ ମାଜୁଲି। ଏହି ସ୍ଥାନରେ ପ୍ରାୟ ସମସ୍ତେ ଶଙ୍କରଦେବଙ୍କ ଦୀକ୍ଷା ନେଇଥାନ୍ତି। ତେବେ ଉକ୍ତ ସ୍ଥାନର ଜନୈକ ବ୍ୟକ୍ତି ଶ୍ରୀଶ୍ରୀଠାକୁରଙ୍କର ଦୀକ୍ଷା ଗ୍ରହଣ କରିଥାନ୍ତି। ଚାକିରି କରିବା ସମୟରେ ସେ ବହୁ ଅର୍ଥ ଉପାର୍ଜନ କରନ୍ତି। ବୟସ ବଢିବାରୁ ଚାକିରି ଛାଡିଦେଇ ଗାଁରେ ରହିବାକୁ ମନସ୍ଥ କରନ୍ତି ସେ। ଅପରପକ୍ଷରେ ତାଙ୍କର ଦୃଷ୍ଟିଶକ୍ତି ଟିକେ କ୍ଷୀଣ ହେବାକୁ ଲାଗେ। ଚାକିରି ଛାଡି ସେ ଗାଁକୁ ଚାଲିଆସନ୍ତି। ତାଙ୍କର ପଡୋଶୀ, ଗାଁ ଲୋକେ ସବୁ ଜାଣିଗଲେ ଯେ ଇଏ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇଛନ୍ତି। ଦିନେ ସେମାନେ ସବୁ ଆସି କହିଲେ – ଆରେ, ତୁ ସେ ବଙ୍ଗାଳୀ ଠାକୁରଙ୍କର ଦୀକ୍ଷା ନେଇଛୁ। ସେଇ ଦୀକ୍ଷା ଛାଡ। ନ ହେଲେ ତୋ ସହିତ ଆମେ ସବୁ ସମ୍ପର୍କ କାଟିଦେବୁ। ସେଇ ଭାଇଜଣକ କହିଲେ ତୁମଭଳି ଲୋକଙ୍କ ସହିତ ବରଂ ସମ୍ପର୍କ ତୁଟାଇଦେବି କିନ୍ତୁ ଠାକୁରଙ୍କୁ ଛାଡିପାରିବି ନାହିଁ। ସତକୁ ସତ ସେମାନେ ଏଇ ଭାଇଟି ସହ କଥାବାର୍ତ୍ତା ବନ୍ଦ କରିଦେଲେ। ଭାଇଟି ଇଷ୍ଟଭୃତି, ପ୍ରାର୍ଥନା ନିୟମିତ କରି ଚାଲିଥାନ୍ତି। କିଛିଦିନ ପରେ ତାଙ୍କ ପିତାଙ୍କର ପରଲୋକ ଘଟିଲା। ତାଙ୍କର ଜ୍ଞାତି କୁଟୁମ୍ବମାନେ ଆସି କହିଲେ, ଯଦି ତୁ ସେ ଠାକୁରଙ୍କୁ ଛାଡିଦେବୁ ତା’ହେଲେ ସତ୍କାର କାର୍ଯ୍ୟରେ ଆମେ ଯୋଗଦେବୁ। କିଛିସମୟ ତର୍କ ବିତର୍କ ଚାଲିଲା। ସେଇଭାଇଟି ବିରକ୍ତ ହୋଇ ତାଙ୍କ ପୁଅକୁ ଡାକି କହିଲେ– ଆଣ ଗୋଟେ କାଗଜ। କାଗଜ ଆସିଲା, ସେଥିରେ ସେ ଲେଖିଦେଲେ ମୁଁ ଶ୍ରୀଶ୍ରୀଠାକୁରଙ୍କ ଦୀକ୍ଷା ଆଜିଠାରୁ ଛାଡିଦେଲି। ସେଇ କାଗଜଟିକୁ ସେମାନେ ନେଇଗଲେ, ଆଉ ମିଳିମିଶି ସତ୍କାର କାର୍ଯ୍ୟରେ ଯୋଗଦେଲେ। ପାରଲୌକିକ କ୍ରିୟା ଶେଷରେ ସେଇଭାଇଟି ଜଣେ ଋତ୍ୱିକଙ୍କୁ ଡକାଇ ତାଙ୍କ ଘରେ ସତସଙ୍ଗ କଲେ। ତାଙ୍କ ମା’ଙ୍କର ଦୀକ୍ଷା କରାଇଲେ। ଏସବୁ ଦେଖି ପଡୋଶୀମାନେ କହିଲେ- ତୁ ପରା ଦୀକ୍ଷା ଛାଡି ଦେଲୁ ବୋଲି ଲେଖିକି ଦେଇଥିଲୁ। ପୁଣି ସତସଙ୍ଗ କେମିତି କଲୁ! ଭାଇଜଣକ ଉତ୍ତର ଦେଲେ, କାହିଁ ମୁଁ ତ କିଛି କରିନି। ସତସଙ୍ଗ ହେଲା, ମା’ ଦୀକ୍ଷା ନେଲା। ଏଥିରେ ମୋର କ’ଣ ଅସୁବିଧା ହେଲା। ଏହାପରେ ଭାଇଟି ନିୟମିତ ଇଷ୍ଟଭୃତି, ପ୍ରାର୍ଥନା କରୁଥାନ୍ତି। ଦିନକୁ ଦିନ ତାଙ୍କର ଦୃଷ୍ଟିଶକ୍ତି କମିବାକୁ ଲାଗିଲା ଏବଂ କିଛିଦିନ ପରେ ସେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଗଲେ। ଏହାଦେଖି ପଡୋଶୀମାନେ ଛିଗୁଲେଇ କହିବାକୁ ଲାଗିଲେ, ଦେଖିଲ ସେଇ ଠାକୁରଙ୍କ ଦୀକ୍ଷା ନେଲାବୋଲି ତା’ର ଏ ଦଶା। ଏମତିକି ସେ ଆଉ କାହାରିକୁ ଦେଖି ପାରିବନି। ଏସବୁ ଶୁଣି ସେଇ ଭାଇଜଣକ କହିଲେ ମୁଁ ଯାହାକୁ ଦେଖିବା କଥା ଦେଖୁଛି। ତୁମଭଳି ପାଖଣ୍ଡୀଙ୍କୁ ଆଉ ଦେଖିବା ଦରକାର ନାହିଁ। ମୋ ଠାକୁର ବଡ ଦୟାବନ୍ତ, ମୋ ପାଇଁ ଯାହା ଦରକାର ସେ ତାହା କରାଉଛନ୍ତି।

xxxxxxxx

ଶ୍ରୀଶ୍ରୀ ଆଚାର୍ଯ୍ୟଦେବ

ଆଉ ଗୋଟିଏ କଥା। କଲିକତାର ୬୮-ସୂର୍ଯ୍ୟସେନ୍ ଷ୍ଟ୍ରୀଟରେ ଶ୍ରୀଶ୍ରୀଠାକୁରଙ୍କର ଏକ କେନ୍ଦ୍ର ଅଛି। ସେଠାରୁ ଅଳ୍ପ ଦୂରରେ ଅବସ୍ଥିତ କଲିକତା ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ। ସେଠାକୁ ଜଣେ ଗୁରୁଭାଇ ଆସିଥିଲେ ଚିକିତ୍ସା ପାଇଁ। ତାଙ୍କ ଗୋଡରେ ଭୀଷଣ ଘା’ ହୋଇଥାଏ। ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର କହିଲେ, ସିରିୟସ୍, ଦରକାର ପଡ଼ିଲେ ଗୋଡ କଟାଯାଇପାରେ। ଭାଇଜଣକ ଆଡମିସନ୍ ହୋଇ ରହିଲେ ହସ୍ପିଟାଲରେ। ତାଙ୍କ ୱାର୍ଡରେ ଆଉ କେତେକ ରୋଗୀ ବି ରହିଥାଆନ୍ତି। କିନ୍ତୁ ସେଇ ଭାଇଜଣକ ଡାକ୍ତରଙ୍କୁ ଜଣାଇଦେଲେ ଯେ ସେ ସମ୍ପୂର୍ଣ୍ଣ ଶାକାହାରୀ। ସେଠାରେ ଦିଆଯାଉଥିବା ଖାଦ୍ୟ ତାଙ୍କ ପାଇଁ ଚଳିବନାହିଁ। କିନ୍ତୁ ଖାଦ୍ୟ ନ ଖାଇଲେ ତୁମ ଶରୀର ଦୁର୍ବଳ ହୋଇଯିବ, ଗୋଡ ଅପରେସନ କିପରି ହେବ ବୋଲି କହିଲେ ଡାକ୍ତର। ଭାଇ ଜଣକ କହିଲେ ଗୋଡ ଯାହା ହେଉ ପଛକେ କିନ୍ତୁ ମୁଁ ଏଠାକାର ଖାଦ୍ୟ ଛୁଇଁବିନି। ସତକୁ ସତ ସେଠିକା ଖାଦ୍ୟ ସେ ଖାଇଲେ ନାହିଁ। ଉପାସରେ ଦିନେ, ଦୁଇଦିନ, ତିନିଦିନ ବିତିଗଲା। କେବଳ ପାଣି ହିଁ ଆହାର। ସେ ଭାବୁଥାନ୍ତି ଠାକୁରଙ୍କ ନିୟମରେ ଚାଲିଛି, ଏଠିକା ଖାଦ୍ୟ କିପରି ଖାଇବି! ଠାକୁର ମାଲିକ ଯାହା କରିବେ। ଚତୁର୍ଥ ଦିନ ତାଙ୍କ ବେଡର କିଛି ଦୂରରେ ରହୁଥିବା ଜଣେ ରୋଗୀ ଆସି କହିଲେ, ମୁଁ ଆପଣଙ୍କ ପାଇଁ ଆମଘରୁ ଖାଦ୍ୟ ମଗାଇଛି। ଆପଣଙ୍କ ନିଷ୍ଠାହିଁ ମୋତେ ବ୍ୟତିବ୍ୟସ୍ତ କରିପକାଇଲା। ପୁଣି ଆପଣ ଶୁଦ୍ଧ ଶାକାହାରୀ, ଏ କଥା ମୁଁ ଜାଣିଲି। ଆପଣଙ୍କ ପାଇଁ ନୂଆ ପାତ୍ର କିଣାଯାଇ ସମ୍ପୂର୍ଣ୍ଣ ଶୁଦ୍ଧ ଶାକାହାର ଭୋଜନ ପ୍ରସ୍ତୁ୍ତ କରାଇ ଅଣାଇଛି। ନିର୍ବିଘ୍ନରେ ଆପଣ ଏ ଖାଦ୍ୟ ଖାଇପାରିବେ। ଭାଇ ଜଣକ ମନେ ମନେ ଠାକୁରଙ୍କୁ କୃତଜ୍ଞତା ଜଣାଇ କହିଲେ, ପ୍ରଭୁ ତୁମେ ଏଭଳି ବ୍ୟବସ୍ଥା କରିଛ। ସତକୁ ସତ ସେଇ ଭାଇଜଣଙ୍କ ପାଖକୁ ଏଇଭଳି ନିୟମିତ ଖାଦ୍ୟ ଆସିଲା। ଏହିପରି ଭାବେ ଅଠେଇଶ ଦିନ ବିତିଗଲା, ଆଉ ତାଙ୍କ ଗୋଡର ଘା’ ସମ୍ପୂର୍ଣ୍ଣ ଶୁଖିଗଲା। ଅପରେଶନ ଦରକାର ପଡିଲାନି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ଘରକୁ ଗଲେ। ଘରେ ଯାଇ ଦେଖନ୍ତି ତ ତାଙ୍କର ଅନ୍ୟ ଭାଇମାନେ ସବୁ ପୈତୃକ ସମ୍ପତ୍ତି ଭାଗବଣ୍ଟା କରିଦେଇଛନ୍ତି। ସମତଳ ଆଉ ଉର୍ବରିଆ ଜମିକୁ ସେମାନେ ନେଇଛନ୍ତି ଏବଂ ଏଇ ଭାଇଟି ଭାଗରେ ଟାଙ୍ଗରା ଜମି ଦେଇଛନ୍ତି। ଭାଇଟି କିଛି ସମୟ ଭାବିଲେ ବୋଧହୁଏ ଏଇଟା ଠାକୁରଙ୍କର ମୋ ପ୍ରତି ଆଶୀର୍ବାଦ। ତା’ପରେ ସେଇ ଜମିକୁ ତଡାତଡି କଲେ। ଚାଷ ପାଇଁ ବହୁତ କଷ୍ଟ କରିବାକୁ ପଡିଲା। ହେଲେ ମନରେ ଦ୍ୱିଧା ନ ଥାଏ। ସେବର୍ଷ ହେଲା ପ୍ରବଳ ବର୍ଷା। ବନ୍ୟାରେ ସମତଳ ଜମିସବୁ ବୁଡିଗଲା, ଫଳରେ ଫସଲ ନଷ୍ଟ ହୋଇଗଲା। ମାତ୍ର ଏଇଭାଇଟି ଜମିକୁ ବନ୍ୟାପାଣି ଆସିପାରିଲା ନାହିଁ। ଭଲ ଅମଳ ମିଳିଲା। ସେବେଠାରୁ ସେହି ଜମିରେ ସୁନା ଫଳାଇ ଆସୁଛନ୍ତି ସେଇ ଭାଇଜଣକ। କେବଳ ଠାକୁରଙ୍କ ଉପରେ ଅତୁଟ ବିଶ୍ୱାସ ଯୋଗୁ ଏସବୁ ସମ୍ଭବ ହୋଇପାରିଛି।

 

You might also like