ଆଲୋକ-ବର୍ତ୍ତିକା

ପୂଜ୍ୟପାଦ ବାବାଇଦା’ଙ୍କ ଶ୍ରୀମୁଖନିସୃତ ଉପଦେଶାବଳୀ

ପିଲାମାନେ ବାପାମା’ଙ୍କ ସହିତ ସବୁକଥା ଶେୟାର କରିବା ଦରକାର

ଦିନ ସାଢ଼େ ଏଗାରଟା ପରେ ପୂଜନୀୟ ବାବାଇଦା ଗ୍ରାଫିକ୍ସକୁ ଆସିଛନ୍ତି । କଲିକତା ବେଲଘରିଆରୁ ଆଗତ ସସ୍ତ୍ରୀକ ଶ୍ରୀ ଅଚିନ୍ତ୍ୟ ବିଶ୍ୱାସଦା। ତାଙ୍କ ଇଲାକାରେ ଶ୍ରୀଶ୍ରୀଠାକୁରଙ୍କର ଉତ୍ସବ କଥା ତାଙ୍କୁ ନିବେଦନ କରି ସେ ସମ୍ବନ୍ଧରେ କିଛି ନିର୍ଦେଶ ଗ୍ରହଣ କଲେ । ତତ୍ପରେ ଆନ୍ଧ୍ରରେ ପଠନରତା ତାଙ୍କ କନ୍ୟାର କିଛି ସମସ୍ୟାର କଥା ଉତ୍ଥାପନ କରିବାର ଉପକ୍ରମ କରିବାରୁ ପୂଜନୀୟ ବାବାଇଦା ନିଜ ଆଡ଼ୁ କହିଲେ— ତାହା ସହିତ ସବୁକଥା share (ସହଭାଗିତା) କରିବାକୁ ହୁଏ । ମୁଁ ଗୋଟିଏ କଥା କହୁଛି– ହୁଏତ ଦିଆସିଲି କାଠିଟା ଜାଳିବା ମୁହୂର୍ତ୍ତରେ ହିଁ ତାକୁ ଫୁଙ୍କି ଲିଭାଇ ଦିଅ, ନଚେତ୍‌ ନିଆଁ ଜଳିଯାଉ, ସବୁ ପାଉଁଶ ହୋଇଯାଉ, ତା’ପରେ ଲିଭାଇବା ଭଲ । ଦୁଇଟା ଉପାୟ । ଛାରଖାର କରି ପାଉଁଶ ହୋଇଗଲେ ଆଉ ନୂଆକରି ନିଆଁ ଲାଗିବ ନାହିଁ । ତେଣୁ ଦିଆସିଲି କାଠିରେ ଯେତେବେଳେ ନିଆଁଟା ଥିବ ସେତେବେଳେ ହିଁ ଫୁଙ୍କି ଦିଅ, ଲିଭିଯିବ । ସେଥିରେ ଆଉ ଲଙ୍କାକାଣ୍ଡ ଘଟିବ ନାହିଁ । ମୁଁ ସବୁବେଳେ ମୋର ସନ୍ତାନମାନଙ୍କୁ କହିବାକୁ ଚେଷ୍ଟା କରେ– ବିପଦ ଆସିବା ପୂର୍ବରୁ ଶେୟାର କର, ତାହା ଯଦି ନ କର ତା’ହେଲେ ତ ମୋତେ ତୁମର ଆତ୍ମୀୟ ବୋଲି ମନେ କରୁନାହଁ। ତୁମର ଯେତେବେଳେ ବିପଦ ଘନାଉଥିଲା, କିଛି ଗୋଟେ ଆଶଙ୍କା କରୁଥିଲ, ସେତେବେଳେ ହିଁ ଶେୟାର କର— ଯାହାଦ୍ୱାରା ବିପଦ ସମୟରେ ଏକତ୍ର ହୋଇପାରୁ ।

ପୂଜନୀୟ ବାବାଇଦାଙ୍କର କଥା ଶୁଣି ଅଚିନ୍ତ୍ୟଦା କହିଲେ— ଆପଣ ଆମର ମନର କଥା ହିଁ କହିଛନ୍ତି । ମୋର ଝିଅର ଯେଉଁ ସମସ୍ୟାଟି ହୋଇଛି ଠିକ୍‌ ସେହି ବିଷୟରେ ହିଁ କହିଛନ୍ତି । ସେଥିପାଇଁ ଆମେ ଆଗାମୀ ସପ୍ତାହରେ ଭାଇଜାଗ ଯାଉଛୁ ।

ପୂଜନୀୟ ବାବାଇଦା– ସେଥିପାଇଁ ତ ମୁଁ ଏକଥା କହିଲି ।

ଅଚିନ୍ତ୍ୟଦା– ଆପଣ ଏମିତି ଯାଗାରେ ଆଘାତ କଲେ ସେଥିରେ ଆମର ମନଟା ଏକାଥରେ ଭରି ଉଠିଲା ।

ପୂଜନୀୟ ବାବାଇଦା— ମୋଦ୍ୱାରା ଠାକୁର କ’ଣ କୁହାନ୍ତି ତାହା ତ ମୁଁ ଜାଣେ ନାହିଁ । ହୁଏତ ଏଇଟା ହିଁ କାରଣ । ଯାଆନ୍ତୁ, ଯାଇ ଏହିକଥା ହିଁ କହିବେ ଯେ, ମୋର (ପୂଜନୀୟ ବାବାଇଦାଙ୍କର) ସହିତ କଥା ହୋଇଥିଲା । ମୁଁ ଯେଉଁକଥା କହିଲି, ସେହି କଥାହିଁ ଅବିକଳ କହିବେ । ମୋର ନାମ ନେଇ କହିବେ ଯେ ଏହିକଥା କହିଛନ୍ତି । ନିଜର ଲୋକକୁ କେବେ ବି ବଞ୍ଚିତ କରିବା ଠିକ୍‌ ନୁହେଁ । ମୋର ଯାହାବି ହେଉ, ଭଲ ହେଉ ବା ମନ୍ଦ ହେଉ– ତୁମେ ମୋର ସାଥୀ । କାହିଁକି ନା ମୁଁ ସବୁବେଳେ ବିଶ୍ୱାସ କରେ ମୋର ବାପା-ମା’ଙ୍କ ଅପେକ୍ଷା ନିଜର ଲୋକ କେହି ହୋଇପାରିବେ ନାହିଁ । ଏହି ସମ୍ପର୍କରେ କୌଣସି ସ୍ୱାର୍ଥର ସ୍ପର୍ଶ ନାହିଁ । ମୋର ସ୍ତ୍ରୀ ଯଦି ହୁଏ— ତାହାର ମଧ୍ୟ ମନେ ହୋଇପାରେ— ଏଇଟା କହିଲେ ହୁଏ ବା ସେଟାରେ ସହଯୋଗିତା କଲେ ଭଲ ହୁଏ । ମୋର ମଧ୍ୟ ସ୍ତ୍ରୀ ନିକଟରୁ ପ୍ରତ୍ୟାଶା ଥାଇପାରେ । କିନ୍ତୁ ବାପାମା’ଙ୍କ ପାଇଁ ମୁଁ କିଛି କରେ ବା ନ କରେ– ସେମାନେ ସେହି ଅପତ୍ୟ-ସ୍ନେହ ସର୍ବଦା ମୋ ଉପରେ ବର୍ଷଣ କରନ୍ତି । ତେଣୁ ମୁଁ ସମସ୍ତଙ୍କୁ ଏହି କଥାହିଁ କହେ— ଏକଦମ୍‌ ଅଳ୍ପ ବୟସରୁ ବଡ଼ ହେବା ପର୍ଯ୍ୟନ୍ତ ସବୁ ସମୟରେ ବାପାମା’ଙ୍କ ସହିତ share (ସହଭାଗିତା) କର। share କରିବା ଶିଖ ।

ଅଚିନ୍ତ୍ୟଦା— ଆଜି ଆପଣଙ୍କ ନିକଟରୁ ଯାହା ପାଇଲି କହି ବୁଝାଇ ପାରିବି ନାହିଁ । ମୁଁ ଭାବୁଥିଲି ଏଭଳି ଗୋଟେ ଘଟଣା ହୋଇଛି, କିପରି କହିବି ! କୁହାଯାଇ ପାରେନା !

ପୂଜନୀୟ ବାବାଇଦା— ଅନେକ କଥା ନିଶ୍ଚୟ କୁହାଯାଇପାରେନା । ସେଥିପାଇଁ ହୁଏତ ଠାକୁର ହିଁ ଦୁଆର ଖୋଲିବାରେ ସାହାଯ୍ୟ କରନ୍ତି । ଆଉ ଗୋଟିଏ କଥା କହୁଛି— ସବୁ ସମୟ ଛାତି ଦୃଢ଼ କରି ରହିବେ । ନିଜର point (ନୀତି)ରେ stick  (ଅବିଚଳ) ରହିବେ। ତା’ହେଲେ ଦେଖିବେ ଯେ ସମସ୍ତେ ସୁଖୀ ରହିବେ। Compromise (ସାଲିସ୍‌) ଯେତେବେଳେ ବାପା-ମା’ କରନ୍ତି ସନ୍ତାନକ୍ଷେତ୍ରରେ— ସେତେବେଳେ ସନ୍ତାନ ମଧ୍ୟ ଆହୁରି deviate (ବିଚ୍ୟୁତି) କରିଥାଏ। ମୁଁ ଏହା ବିଶ୍ୱାସ କରେ — ଡେଇଁବାକୁ ହେଲେ ସୂର୍ଯ୍ୟଙ୍କୁ ଲକ୍ଷ୍ୟ କରି ହିଁ ଡେଇଁବା ଭଲ । ତା’ହେଲେ ଅନ୍ତତଃ କମ୍‌ ପଡ଼ିଲେ ବି ଚନ୍ଦ୍ରରେ ପଡ଼ିବି । କିନ୍ତୁ ଚନ୍ଦ୍ରକୁ ଲକ୍ଷ୍ୟ କରି ଡ଼େଇଁଲେ ପୃଥିବୀରେ ହିଁ ରହିଯିବି । ତେଣୁ ଲକ୍ଷ୍ୟ ଉଚ୍ଚ ରହିବା ଦରକାର। ଲାଖି ରୁହନ୍ତୁ। ନିଜ ଉପରେ ବିଶ୍ୱାସ ହରାଇବେ ନାହିଁ ।

ଏଥର  ଅଚିନ୍ତ୍ୟଦା ଖୁସି ମନରେ ବିଦାୟ ନେଲେ । (୦୯.୧୨.୨୦୧୩)

ଏଠାରେହିଁ ସବୁ ନବାନ୍ନ । ଘରେ ନବାନ୍ନ ପୁଣି କ’ଣ?

ଆଶ୍ରମିକ ‘ହିଡ଼ନୀବାଗାନ’ର  କର୍ମୀ ସନାତନ ପାଲ ପୂଜନୀୟ ବାବାଇଦାଙ୍କୁ ଜଣାଇଲେ— ଆଜ୍ଞା, ଘରେ ନବାନ୍ନ ପର୍ବ ହେବ– ଚାରିପାଞ୍ଚ ଦିନ ପାଇଁ ଯିବି?

ପୂଜନୀୟ ବାବାଇଦା— ଏହା ପୂର୍ବରୁ ତ କେବେ ନବାନ୍ନ ପର୍ବ ନିମନ୍ତେ ଯାଇନାହାନ୍ତି । ହଠାତ୍‌ ଏଥର ନବାନ୍ନ କଥା କାହିଁକି? ଆଉ ଆପଣଙ୍କର ଘର ତ ଏଇଟା । ଏତେଦିନ ଆଶ୍ରମରେ ରହିଲେ ! ପରିଚୟ ଯଦି ଦେବାକୁ ହୁଏ କେଉଁଠିକାର ପରିଚୟ ଦେବେ?

ସନାତନ– ଏଠାକାର।

ପୂଜନୀୟ ବାବାଇଦା— ତା’ହେଲେ? ଘର କହିଲେ ଏଇଟା। ଅନ୍ୟ ବିଷୟ ହେଲେ ଠିକ୍‌ ଅଛି, ଯେପରି ଘରେ କେହି ଅସୁସ୍ଥ ଅଛନ୍ତି ବା ଅନ୍ୟ କିଛି । ନବାନ୍ନ-ଉତ୍ସବ ଫୁତ୍ସବର କଥା ନୁହେଁ । ଏଠାରେ ହିଁ ସବୁ ନବାନ୍ନ । ଘରେ ନବାନ୍ନ ପୁଣି କ’ଣ? ଘରେ କାହାରି ବିବାହ ଅଛି attend (ଯୋଗଦେବା) କରିବାକୁ ହେବ— ତେଣୁ ଯାଉଛି । ଏଟା ହୋଇପାରେ । ଏଟା ହିଁ ଆପଣଙ୍କର ଘର, ଏଟାହିଁ ଆପଣଙ୍କର ନବାନ୍ନ।

ପରେ ହିଡ଼ନୀବାଗାନର କାର୍ଯ୍ୟ ବିଷୟରେ କିଛି ନିର୍ଦ୍ଦେଶାଦି ଦେଲେ । (୧୦.୧୨.୨୦୧୩)

ସଂକଳକ: ଶ୍ରୀ ସୁଭାଷ ମୁସିବ, ଦେଓଘର

You might also like