ଦୀକ୍ଷା ଦିଅନ୍ତି ଶ୍ରୀଶ୍ରୀଠାକୁର

କର୍ମୀ ସମ୍ମିଳନୀରେ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଉଦବୋଧନ

ଦୁର୍ଗାନାଥ ସାନ୍ନ୍ୟାଲ୍ ଥରେ ମୋତେ ଗୋଟିଏ ଗଳ୍ପ କହିଥିଲେ । ସେତେବେଳେ ମୋ ବୟସ କମ୍ । ଏକ ସମୟରେ ଠାକୁରଙ୍କ ଘରେ ସେ (ଦୁର୍ଗାନାଥ ସାନ୍ନ୍ୟାଲ) ଓ ଅନନ୍ତ ମହାରାଜ ସାରା ରାତି ବସି ନାମ କରୁଥାନ୍ତି । ଠାକୁର ଶୋଇଥାନ୍ତି । ସେମାନେ ବି ତାହା ହିଁ ଭାବୁଥାନ୍ତି । ନାମ କରୁ କରୁ ଯେଉଁ ମୁହୂର୍ତ୍ତରେ ସେମାନଙ୍କର ନିଦ ଚାଲି ଆସୁଥାଏ ସେହିକ୍ଷଣି ଠାକୁର କହି ଉଠୁଥାନ୍ତି- କିରେ ଅନନ୍ତ ! ଶୋଇ ପଡ଼ିଲୁ ନା କ’ଣ? କ’ଣ ଭାଇ ନିଦ ମାଡ଼ୁଛି? ସାଙ୍ଗେ ସାଙ୍ଗେ ସେମାନେ ଜାଗି ଉଠୁଥାନ୍ତି । ଠାକୁର ସଦା ଜାଗ୍ରତ । ସେ ସବୁକିଛି ଦେଖୁଛନ୍ତି । ସେ ଆମ ସମସ୍ତଙ୍କ ସାମ୍ନାରେ ହିଁ ଅଛନ୍ତି । ସେ ଆପଣଙ୍କ ସାମ୍ନାରେ ହିଁ ଅଛନ୍ତି ।

କାର୍ଯ୍ୟ ପ୍ରସଙ୍ଗରେ କେତୋଟି କଥା କହୁଛି । ଅନେକ ପାଞ୍ଜା ନେଇ ପାଞ୍ଜାର ମିଆଦ ଶେଷ ହେବା ପରେ ବି ଦୀକ୍ଷା ଦେଉଛନ୍ତି । ଏଇଟା ଗର୍ହିତ ଅପରାଧ- ଏଇଟା ଠାକୁରଙ୍କର ହିଁ କଥା । ଅଜିତ୍ ଧର ଭାଇଙ୍କ ମୁହଁରୁ ଶୁଣିଥିବା ଗୋଟେ ଘଟଣା କହୁଛି । ଜଣେ ଭାଇ ଠାକୁରଙ୍କ ନିକଟକୁ ଆସି କହିଲେ- ଠାକୁର, ମୁଁ ଗୋଟେ ଅପରାଧ କରିପକାଇଛି । ପାଞ୍ଜାର ମିଆଦ ଶେଷ ହେବାପରେ ଦୀକ୍ଷାଦେଇ ପକାଇଛି । ଠାକୁର କହିଲେ- “ସବୁ ଅପରାଧକୁ କ୍ଷମା କରିପାରେ, କିନ୍ତୁ ଏ ଅପରାଧର କ୍ଷମା ନାହିଁ । ଏହାର କି ପ୍ରାୟଶ୍ଚିତ୍ତ ମତେ ଜଣା ନାହିଁ । ଯାହା କରିଛନ୍ତି ତା’ର କୌଣସି ପ୍ରାୟଶ୍ଚିତ୍ତ ନାହିଁ ।” ଠାକୁର ଏହାପରେ କହିଲେ- “ଆଜୀବନ ଯଦି ଚାନ୍ଦ୍ରାୟଣ ବ୍ରତ କରନ୍ତି, ଆଜୀବନ ଯଦି ପରମପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି ତା’ହେଲେ ସେ ହୁଏତ କ୍ଷମା କରିପାରନ୍ତି ।”

ବ୍ୟାପାରଟା ଖୁବ୍ ସିରିଅସ୍ । ଦଣ୍ଡ ହରାଇବାଟା ବି ଏ ପ୍ରକାର ଅପରାଧ । ମୁଁ ଦଣ୍ଡ ହଜାଇଦେଇଛି ବୋଲି ପ୍ରାୟଶ୍ଚିତ୍ତ କଲି । ସେଥିରୁ ଅପରାଧ ସ୍ଖଳନ ହୁଏନି, ମୁକ୍ତ ହୋଇହୁଏନା। କେବେ ବି ଦଣ୍ଡ ହରାଇବେ ନାହିଁ, କେବେ ବି ଦଣ୍ଡର ଅପବ୍ୟବହାର କରିବେ ନାହିଁ । ପାଞ୍ଜାର ମିଆଦ ପୂରିଲେ କେବେ ବି ଦୀକ୍ଷା ଦେବେନି । ଏଇଟା ଗର୍ହିତ ଅପରାଧ ।

ସର୍ବଭାରତୀୟ କର୍ମୀ ସମ୍ମିଳନୀରେ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଉଦବୋଧନ

ନନ୍ଦଦୁଲାଲଭାଇ (ଭଟ୍ଟାଚାର୍ଯ୍ୟ) କୋଲିଆରୀରେ କାମ କରନ୍ତି । ପାଞ୍ଜା ପାଇଲେ କିନ୍ତୁ ସେ ଦୀକ୍ଷା ଦିଅନ୍ତି ନାହିଁ । କେତେକ ଆସି ଠାକୁରଙ୍କ ପାଖରେ complain କଲେ, ଠାକୁର ! ନନ୍ଦଦୁଲାଲ ଯାଜନ କରେ, ଆମମାନଙ୍କୁ ଦେଇ ଦୀକ୍ଷା କରାଏ, ନିଜେ ଗୋଟେ ବି ଦିଏନା । କିଛିଦିନ ପରେ ନନ୍ଦଦୁଲାଲ ଭାଇ ଦେଓଘରକୁ ଆସିଲେ । ଠାକୁର କହିଲେ– କିରେ ନନ୍ଦଦୁଲାଲ, ତୁ କୁଆଡ଼େ ଦୀକ୍ଷା ଦେଉନା । ନନ୍ଦଦୁଲାଲ ଭାଇ କହିଲେ, ଆଜ୍ଞା, ମୁଁ ଦୀକ୍ଷା ଦେଇପାରିବିନି । ଠାକୁର ! ମୁଁ କୁଳଗୁରୁଙ୍କ ବଂଶଧର; ଦୀକ୍ଷା ଦେଲେ କ’ଣ ହୁଏ, ମୁଁ ଦେଖିଛି । ମୋର ବାପା, ମୋ ସ୍ତ୍ରୀ, ମୋର ପୂରା ପରିବାର ଗୋଟେ ଦିନେ ମରିଯାଇଛନ୍ତି । ଠାକୁର, ମୋର ଗୋଟେ ବୋଲି ପୁଅ, ଆପଣ ମୋତେ କ୍ଷମା କରନ୍ତୁ । ମୁଁ ଦୀକ୍ଷା ଦେଇପାରିବି ନାହିଁ । ମୁଁ ଦୀକ୍ଷା ଦେଲେ ମୋ ପୁଅ ମରିଯିବ। ଠାକୁର କହିଲେ- “ତୁ ଦୀକ୍ଷା ଦେଉ ନା ମୁଁ ଦୀକ୍ଷା ଦିଏ। ତୋର କ’ଣ ଅଛି ଦୀକ୍ଷା ଦେବୁ? ମୁଁ ତ ଦୀକ୍ଷା ଦିଏ; ଦୀକ୍ଷା ଠାକୁର ହିଁ ଦିଅନ୍ତି- ଯେଉଁଦିନ ଯାଏ ପାଞ୍ଜାର ମିଆଦ ଥାଏ । ପାଞ୍ଜାର ମିଆଦ ଶେଷ ହେବାପରେ ଦୀକ୍ଷା ଦେଲେ ସେ ଦୀକ୍ଷା ମୋର ଦେବା ହେଲା, ଠାକୁରଙ୍କ ଦେବା ହୁଏନି । ଠାକୁର କହିଛନ୍ତି-
“ସିଦ୍ଧ ନୁହେଁ ମନ୍ତ୍ର ଦିଏ,
ମରେ ମାରେ କରେ କ୍ଷୟ ।”,
ଏଇଟା ଧ୍ରୁବ ସତ୍ୟ । ନନ୍ଦଦୁଲାଲ ଭାଇ କୁଳଗୁରୁଙ୍କ ବଂଶଧର । ବଂଶ ପରମ୍ପରାକ୍ରମେ ସେମାନେ ମନ୍ତ୍ର ଦେଇ ଆସୁଛନ୍ତି । ସେ ମନ ପ୍ରାଣରେ ବିଶ୍ୱାସ କରନ୍ତି ସିଦ୍ଧ ନ ହୋଇ ଯେ କେହି ଦୀକ୍ଷା ଦେଲେ ନିର୍ବଂଶ ହୋଇଯାଏ ।

(ଉତ୍ସ : ଊର୍ଜ୍ଜନା)

You might also like