ବିବାହରେ ଗୋତ୍ର ବିଚାର
ଦୋଳଗୋବିନ୍ଦ ପଣ୍ଡା
ବିବାହ ବ୍ୟାପାରରେ କେବଳ ଜାତକ ବିଚାର ନୁହେଁ, ବର୍ଣ୍ଣ, ବଂଶ, ବୟସ, ସ୍ୱାସ୍ଥ୍ୟ, ଚରିତ୍ର, ବିଦ୍ୟା ଓ କର୍ମ ପ୍ରତି ଦୃଷ୍ଟି ଦେବା ସର୍ବାଦୌ କର୍ତ୍ତବ୍ୟ। ଏ ସମ୍ପର୍କରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଉକ୍ତି ହେଉଛି-
“ବିବାହ-ବ୍ୟାପାରେ ସବୁର ଆଗେ
ବର୍ଣ୍ଣର ହିସାବ କରିବୁ,
ତା’ ସାଥୀରେ ବଂଶଟିକୁ
ବେଶ୍ ତନଖି ଦେଖିବୁ;
ବଂଶ ଦେଖି ଶ୍ରଦ୍ଧା ହେଲେ
ସ୍ୱାସ୍ଥ୍ୟ ଦେଖିବୁ କିପରି ତାର,
ତାହା ସାଥିରେ ତୁ ବଜାଇ ନେବୁ
ସ୍ୱଭାବ-ଅଭ୍ୟାସ-ବ୍ୟବହାର;
ଏହି ସବୁର ସୁସଙ୍ଗତି
ଯାଅଇ ଯଦି ମିଳି,
ବିଦ୍ୟା ଦେଖିବୁ ନଜର କରି
କର୍ମର ଓଜନ କିପରି;
ଦେଲେ ବିବାହ ପାରସ୍ପର୍ଯ୍ୟେ
ଏହିଗୁଡ଼ିକ ମିଳେଇ,
ପ୍ରାୟ ଦେଖିବୁ ଠକିବୁନି ତୁ
ମରିବୁନି ବିଷେଇ।”
(ଅନୁଶ୍ରୁତି-୧ମ)
ଶ୍ରୀଶ୍ରୀଠାକୁରଙ୍କର ଉପରୋକ୍ତ ବାଣୀଟି ଅତ୍ୟନ୍ତ ସରଳ ଓ ସୁବୋଧ୍ୟ। ଗୁରୁତ୍ବ ଅନୁଯାୟୀ ଏଥିରେ ପ୍ରଥମେ ବର୍ଣ୍ଣ ଓ ତା’ପରେ ବଂଶ ବିଚାର କରିବା କଥା କୁହାଯାଇଛି। ବଂଶ କହିଲେ କେବଳ ଧନ-ଐଶ୍ୱର୍ଯ୍ୟ ଓ ପଦପଦବିଜନିତ ବଂଶ- ଆଭିଜାତ୍ୟକୁ ବୁଝାଏ ନାହିଁ। ବଂଶ ମାନେ ବ୍ୟକ୍ତିଗତ ବଂଶାନୁକ୍ରମିକତା ଯାହା ଗୋତ୍ରଦ୍ୱାରା ସୂଚିତ ହୁଏ। ତେଣୁ ବଂଶ ମାନେ ଗୋତ୍ର। ଆପଣଙ୍କର ଗୋତ୍ର କ’ଣ ବୋଲି ପଚାରିଲେ ଆପଣ କହିବେ ଜଣେ ଋଷିଙ୍କର ନାମ। ଆପଣ ହେଉଛନ୍ତି ସେହି ଋଷିଙ୍କର କୃଷ୍ଟିଜାତ ଅଥବା ଔରସଜାତ ବଂଶଧର। ଶ୍ରୀଶ୍ରୀଠାକୁର ‘ଗୋତ୍ର’ କହିଲେ କ’ଣ ବୁଝାଯାଏ?- ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି- “ଗୋତ୍ର ମାନେ acquistitionର ସାଧନାର ଧାରା,- school- ତାହା ପୁଅ ଦେଇ ବି ହୋଇପାରେ, ଶିଷ୍ୟ ଦେଇ ବି ହୋଇପାରେ; ଯେପରି ସଂହିତାରେ ଅଛି son by birth ଆଉ son by culture.” (ନାରୀର ପଥେ)।
ବିବାହ ବ୍ୟାପାରରେ ପାତ୍ରପାତ୍ରୀ ଚୟନ କଲାବେଳେ ଦେଖିବାକୁ ହେବ ଏକା ବର୍ଣ୍ଣର ହେଲେ ବି ବର ଓ କନ୍ୟାଙ୍କର ଯେପରି ଗୋତ୍ର ଓ ପ୍ରବର ସମାନ ହୋଇ ନ ଥାଏ କିମ୍ବା ସେମାନଙ୍କ ମଧ୍ୟରେ ସାତପୁରୁଷର ରକ୍ତସମ୍ପର୍କ ନ ଥାଏ। ଏକା ଗୋତ୍ର ବା ନିକଟସମ୍ପର୍କୀୟ ସଂସର୍ଗରୁ ଜାତ ସନ୍ତାନ ସାଧାରଣତଃ ଦୁର୍ବଳ ହୋଇଥାଏ ଏବଂ ତା’ଠାରେ ପିତା ଓ ମାତା ଉଭୟ ବଂଶର ବଂଶାନୁକ୍ରମିକ ରୋଗଗୁଡ଼ିକର ପ୍ରାବଲ୍ୟ ଦେଖାଯାଏ। ସେ ବଂଶାନୁକ୍ରମିକ ଭାବେ ଉଭୟ ଭଲ ଓ ମନ୍ଦ ଗୁଣ ନେଇ ଜନ୍ମ ହୋଇଥିଲେ ମଧ୍ୟ ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତା’ର ମନ୍ଦଗୁଣଗୁଡ଼ିକ ପ୍ରଭାବଶାଳୀ ହୋଇ ଭଲଗୁଣକୁ ଚାପିଦିଏ। ଅନେକ ସମୟରେ ବିକଳାଙ୍ଗ ସନ୍ତାନ ମଧ୍ୟ ଜନ୍ମ ହୁଅନ୍ତି। ଏକ ଅନୁଧ୍ୟାନରୁ ଜଣାଯାଇଛି, ବିଭିନ୍ନ ସମୟରେ ଏକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରକ୍ତକର୍କଟ ରୋଗାକ୍ରାନ୍ତ ଶିଶୁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପିତା-ମାତା ସଗୋତ୍ର ଅଥବା ସପିଣ୍ଡ (ନିକଟ ସମ୍ପର୍କୀୟ)ରେ ବିବାହ କରିଛନ୍ତି। ଏ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀଶ୍ରୀଠାକୁର କହିଛନ୍ତି- “ସଗୋତ୍ରରେ ବିବାହ ହେଲେ equal and opposite- (ତୁଲ୍ୟ ଅଥଚ ବିପରୀତଧର୍ମୀ) ହୁଏ ନାହିଁ, ଗୋଟିଏ ଆଉ ଗୋଟିଏର reservoir ହୁଏ ନାହିଁ, ଧାରଣ କରିବାରେ ସମର୍ଥ ହୁଏ ନାହିଁ। ବିବାହ ମିଳନରେ one reserves the potentiality of the other- ଅର୍ଥାତ୍, ଜଣେ ଆଉ ଜଣଙ୍କର ଅନ୍ତର୍ନିହିତ ଶକ୍ତିର ଧାରକ ଓ ପୋଷକ ହୁଏ। ସଗୋତ୍ରରେ ବିବାହ କଲେ ପ୍ରାୟତଃ ବିକଳାଙ୍ଗ ସନ୍ତାନ ହୁଏ- ତେଣୁ, bloodର distance ଅଧିକ ହେଲେ ମିଳନ more perfect (ପୂର୍ଣ୍ଣତର) ହୁଏ, ତେବେ distance ଅତି ଅଧିକ ହେଲେ ପୁଣି ଭିନ୍ନ species ବା ଜାତି ପରି ହୁଏ,- ତାହା ମଧ୍ୟ ଭଲ ନୁହେଁ।” (ନାରୀର ପଥେ)
ସେଥିପାଇଁ ହିନ୍ଦୁଶାସ୍ତ୍ରରେ ସଗୋତ୍ର ବିବାହକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବିଷ୍ଣୁସଂହିତାରେ ଅଛି-
“ନ ସଗୋତ୍ରାଂ ସମାନାର୍ଷପ୍ରବରାଂ ଭାର୍ଯ୍ୟାଂ ବିନ୍ଦେତ।” (୨୪/୯)
ଅର୍ଥାତ୍ ସଗୋତ୍ରା ବା ଏକଗୋତ୍ର ବିଶିଷ୍ଟା ଓ ସମାନ ଋଷି ଓ ପ୍ରବରବିଶିଷ୍ଟା ଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ।
“ନ ମାତୃତସ୍ତୁ ଆପଞ୍ଚମାତ୍ ପୁରୁଷାତ୍ ପିତୃତଶ୍ଚାସପ୍ତମାତ୍। ( ୨୪/୧୦)
ଅର୍ଥାତ୍, ମାତୃପକ୍ଷରେ ପଞ୍ଚମ ଓ ପିତୃପକ୍ଷରେ ସପ୍ତମ ପୁରୁଷ ପର୍ଯ୍ୟନ୍ତ ରକ୍ତସମ୍ପର୍କରେ ବିବାହ ନିଷିଦ୍ଧ।
ଏ ସମ୍ପର୍କରେ ମହର୍ଷି ମନୁଙ୍କ ଉକ୍ତ ହେଉଛି-
“ଅସପିଣ୍ଡା ଚ ଯା ମାତୁଃ ଅସଗୋତ୍ରା ଚ ଯା ପିତୁଃ।
ସା ପ୍ରଶସ୍ତା ଦ୍ୱିଜାତୀନାଂ ଦାରକର୍ମଣି ମୈଧୁନେ।।”
ଅର୍ଥାତ୍ ଯେଉଁ ତରୁଣୀ ମାତୃପକ୍ଷରେ ଅସପିଣ୍ଡା ଓ ପିତୃପକ୍ଷରେ ଅସଗୋତ୍ରା ସେ ହିଁ ଦ୍ୱଜାତିମାନଙ୍କର ଦାରକର୍ମ ଓ ମୈଧୁନ ପାଇଁ ପ୍ରଶସ୍ତା। ଏଠାରେ ଅସପିଣ୍ଡା କହିଲେ ମାତୃପକ୍ଷରେ ପାଞ୍ଚପୁରୁଷ ଓ ପିତୃପକ୍ଷରେ ସାତପୁରୁଷର ରକ୍ତସମ୍ପର୍କ ନ ଥିବାକୁ ବୁଝାଏ।
କେବଳ ହିନ୍ଦୁଶାସ୍ତ୍ର କାହିଁକି ପାଶ୍ଚାତ୍ୟ ଦେଶର ଶାସ୍ତ୍ରରେ ମଧ୍ୟ ସଗୋତ୍ର ଓ ନିକଟସମ୍ପର୍କୀୟ ବିବାହକୁ ନିଷିଦ୍ଧ କରାଯାଇଛି। ଏପରିକି ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ପ୍ରଭୃତି ପାଶ୍ଚାତ୍ୟ ସଭ୍ୟ ଦେଶର ଆଇନରେ ମଧ୍ୟ ସଗୋତ୍ର ବିବାହ ନିଷିଦ୍ଧ-
English Law: “ The Act of 1835 states all marriages. between persons within the prohibited degrees of consanguinity and affinity shall be absolutely null and void to all intents and purpose.”
German Law: “Marriages are void between descendants and ascendants; relatives by marriage in the ascending or descending lines; brother or sister of the whole or half blood.”
French Law: “Marriage is prohibited between all ascendants and descendants in the direct line and between persons related by marriage in the same line.” [Encyclopaedia on Marriage]
ବିଦେଶୀ ଆଇନରେ ଏଭଳି ନିୟମ ଥିବାବେଳେ ଭାରତୀୟ ଆଇନରେ କିନ୍ତୁ ନାହିଁ। ଭାରତୀୟ ଆଇନ ତ ବିଭିନ୍ନ ଧର୍ମ ସମ୍ପ୍ରଦାୟ ପାଇଁ ଅଲଗା ଅଲଗା। ହିନ୍ଦୁ ବିବାହ ଆଇନ ବୋଲି ଯେଉଁ ଆଇନ ପ୍ରଣୟନ କରାଯାଇଛି ସେଥିରେ ଏ ବିଷୟ ନାହିଁ। କିନ୍ତୁ ଯେଉଁମାନେ ହିନ୍ଦୁଧର୍ମର ବିଜ୍ଞାନସମ୍ମତ ଦିଗଗୁଡ଼ିକୁ ବିଶ୍ୱାସ କରନ୍ତି, ଯେଉଁମାନେ ମାନବସମାଜର ଉନ୍ନତି ଚାହାନ୍ତି, ସେମାନେ ବିବାହ ବ୍ୟାପାରରେ ଏ ଦିଗକୁ କଦାପି ଅବହେଳା କରିବା ଉଚିତ ନୁହେଁ।
ଅଧୁନା ଭାରତବର୍ଷର କେତେକ ପ୍ରାନ୍ତରେ ଓ ଓଡ଼ିଶାର ଦକ୍ଷିଣଭାଗରେ ମାମୁଝିଅ ଭଉଣୀକୁ ବିବାହ କରିବାର ଏକ ପରମ୍ପରା ରହିଛି। ମାତ୍ର ଶାସ୍ତ୍ରମତରେ ଏହା ଅବିଧି-
“ମାତୁଳସ୍ୟ ସୁତାମୂଢ଼ା ମାତୃଗୋତ୍ରାନ୍ତଥୈବ ଚ।
ସମାନପ୍ରବରାଞ୍ଚୈବ ଗତ୍ୱା ଚାନ୍ଦ୍ରାୟଣଂ ଚରେତ୍।|” (ଶତାତପ)
ଅର୍ଥାତ୍ ମାମୁର ଝିଅ, ମାତୃକୁଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବରରେ ଜନ୍ମିଥିବା କନ୍ୟା ଏମାନଙ୍କ ସହିତ ବିବାହ କରି ସହବାସ କଲେ ଚାନ୍ଦ୍ରାୟଣ ବ୍ରତ କରି ପ୍ରାୟଶ୍ଚିତ୍ତ କରିବାକୁ ହୁଏ। ଏଣୁ ଏମାନଙ୍କ ସହିତ ବିବାହ କରିବା ଅବିଧି।
ପୁନଶ୍ଚ ଉଦ୍ବାହତତ୍ତ୍ୱରେ କୁହାଯାଇଛି, “ପିତାଠାରୁ ସାତପୁରୁଷ ଓ ପିତୃବନ୍ଧୁ ଏବଂ ମାତାଠାରୁ ପାଞ୍ଚପୁରୁଷ ଓ ମାତୃବନ୍ଧୁ- ଏମାନଙ୍କୁ ଛାଡ଼ି ଦ୍ୱିଜାତିମାନେ କନ୍ୟା ବିବାହ କରିବେ।” ପିତାର ମାଉସୀପୁଅ ଭାଇ, ପିଉସୀପୁଅ ଭାଇ ଓ ମଉଳାପୁଅ ଭାଇ ଏମାନେ ପିତୃବନ୍ଧୁ; ସେହିପରି ମାତାର ପିଉସୀପୁଅ ଭାଇ, ମାଉସୀପୁଅ ଭାଇ ଓ ମଉଳାପୁଅ ଭାଇ ଏମାନେ ମାତୃବନ୍ଧୁ।
ଉପରେ ଗୋତ୍ର, ସାପିଣ୍ଡ୍ୟ, ପିତୃବନ୍ଧୁ ଓ ମାତୃବନ୍ଧୁର ସଂଜ୍ଞା ଦିଆଯାଇଛି। ମାତ୍ର ପ୍ରବରର ସଂଜ୍ଞା ଦିଆଯାଇନାହିଁ। ସଗୋତ୍ରରେ ଯେପରି ବିବାହ ନିଷିଦ୍ଧ, ସମାନ ପ୍ରବରରେ ମଧ୍ୟ ସେହିପରି ବିବାହ ନିଷିଦ୍ଧ। ତେବେ ପ୍ରବର କାହାକୁ କହନ୍ତି? ‘ପ୍ରବର’ ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ ପୁରୁଷ (ଋଷି)। ପ୍ରବର ମଧ୍ୟ ଜଣେ ବଂଶପ୍ରବର୍ତ୍ତକ ଋଷି ବା ଗୋତ୍ର ହୋଇପାରନ୍ତି। ଗୋତ୍ର ହେଉଛନ୍ତି ବଂଶର ଆଦିପୁରୁଷ ଏବଂ ପ୍ରବର ହେଉଛନ୍ତି ସେହି ବଂଶର ଅନ୍ୟତମ ଶ୍ରେଷ୍ଠ ପୁରୁଷ। ଗୋଟିଏ ଗୋତ୍ରରେ ଏକ ବା ଏକାଧିକ ପ୍ରବର ରହିଥାଆନ୍ତି। ଜଣଙ୍କର ପ୍ରବର ଆଉ ଜଣଙ୍କର ଗୋତ୍ର ହୋଇପାରନ୍ତି।
ଆଜିକାଲି ଆମ ଦେଶରେ ଆର୍ଯ୍ୟହିନ୍ଦୁମାନଙ୍କ ମଧ୍ୟରେ ଅଜ୍ଞତାବଶତଃ ସଗୋତ୍ର ବିବାହ ହେଉଛି। ଏପରି ସ୍ଥଳେ ବିବାହକ୍ଷେତ୍ରରେ ସୂକ୍ଷ୍ମ ପ୍ରବରଗତ ବିଚାର ବହୁଳାଂଶରେ ଲୁପ୍ତପ୍ରାୟ। ଏହାର କାରଣ ହେଉଛି- ବହୁ ଲୋକ ନିଜର ଗୋତ୍ର ଜାଣିଥିଲେ ମଧ୍ୟ ପ୍ରବର ଜାଣନ୍ତି ନାହିଁ କିମ୍ବା ସମାନ ପ୍ରବରରେ ବିବାହ ହେବା ଅନୁଚିତ ବୋଲି ମଧ୍ୟ ଜାଣନ୍ତି ନାହିଁ। କିନ୍ତୁ ପ୍ରତିପ୍ରତ୍ୟେକ ନିଜ ନିଜର ଗୋତ୍ର-ପ୍ରବର ସମ୍ପର୍କରେ ଅବହିତ ହେବା ଏକାନ୍ତ ବିଧେୟ। ଆର୍ଯ୍ୟହିନ୍ଦୁଙ୍କର ପଞ୍ଚବର୍ହିରେ ପିତୃପୁରୁଷଙ୍କ ଶରଣ ନେବାର ନିର୍ଦ୍ଦେଶ ରହିଛି। ଏହି ଚିନ୍ତନ ବିଜ୍ଞାନସମ୍ମତ। ପିତାର ଗୋତ୍ର ଯାହା ପୁତ୍ର-କନ୍ୟାଙ୍କର ଗୋତ୍ର ତାହାହିଁ ହୁଏ, ମାତ୍ର କନ୍ୟା ବିବାହ କଲାପରେ ସପ୍ତପଦୀ ଉତ୍ତାରୁ ସ୍ୱାମୀର ଗୋତ୍ରକୁ ଆଶ୍ରୟ କରେ।
ଶାସ୍ତ୍ରର ନିର୍ଦ୍ଦେଶ ଏବଂ ଶ୍ରୀଶ୍ରୀଠାକୁରଙ୍କ ଉକ୍ତି ଅନୁସାରେ କୌଣସି ବ୍ୟକ୍ତି ଯଦି ବର୍ଣ୍ଣ, ବଂଶ ବା ଗୋତ୍ର, ବୟସ, ସ୍ୱାସ୍ଥ୍ୟ, ବିଦ୍ୟା, ଇଷ୍ଟପ୍ରାଣତା ଆଦି ସମସ୍ତ ବିଷୟ ପ୍ରତି ଦୃଷ୍ଟିଦେଇ ସୁସଙ୍ଗତ ବିବାହ କରେ ଏବଂ ନିଜେ ଇଷ୍ଟପ୍ରାଣ ଓ ସଦାଚାରୀ ହୁଏ- ଏହି ପ୍ରକ୍ରିୟା କେତେ ପୁରୁଷ ଧରି ଯଦି ଠିକ୍ ଚାଲେ ସେହି ବ୍ୟକ୍ତିର ବଂଶରେ ପୁଣି ପ୍ରବର ଜନ୍ମ ନେବା ଅସମ୍ଭବ ନୁହେଁ।
ବିହାରୀଲାଲ କର୍ମକାଣ୍ଡରେ ଗୋତ୍ରପ୍ରବର ବିଷୟରେ ଉଲ୍ଲେଖ ରହିଛି। କେଉଁ କେଉଁ ଗୋତ୍ର ଅଲଗା ହେଲେ ବି ପ୍ରବର ଏକା ସେଥିରେ ଲେଖା ଅଛି।
ଶାସ୍ତ୍ରରେ ସାପିଣ୍ଡ୍ୟରେ ବିବାହକୁ ନିଷିଦ୍ଧ କରାଯାଇଛି। ସପିଣ୍ଡ କାହାକୁ କହନ୍ତି? ମତ୍ସ୍ୟ ପୁରାଣରେ ଅଛି:
ଲେପଭାଜଶ୍ଚତୁର୍ଥାଦ୍ୟାଃ ପିତ୍ରାଦ୍ୟାଃ ପିଣ୍ଡଭାଗିନଃ।
ପିଣ୍ଡଦଃ ସପ୍ତମସ୍ତେଷାଂ ସାପିଣ୍ଡ୍ୟଂ ସାପ୍ତପୌରୁଷମ୍।।
ଅର୍ଥାତ୍ ଲେପଭାଜ ୩ ପୁରୁଷ, ପିଣ୍ଡଭାଗୀ ୩ ପୁରୁଷ- ଏମିତି ହେଲା ୬ ପୁରୁଷ ଏବଂ ପିଣ୍ଡଦାତାଙ୍କୁ ମିଶାଇ ହେଲା ୭ ପୁରୁଷ। ଏହାକୁ ସପିଣ୍ଡ କହନ୍ତି। ପିଣ୍ଡ ପାଖରେ ଯେଉଁ ସାନ ସାନ ପିଣ୍ଡ ଦିଆଯାଏ, ତା’ର ନାମ ଲେପ ବା ଲେପଭାଗ। ତାହାକୁ ଯେଉଁମାନେ ପାଆନ୍ତି, ସେମାନେ ଲେପଭାଜ ବା ଲେପଭୋଜୀ। ସେମାନେ ହେଲେ ବୃଦ୍ଧ-ପ୍ରପିତାମହ (୭ମ ପୁରୁଷ), ଅତିବୃଦ୍ଧ-ପିତାମହ (୬ଷ୍ଠ ପୁରୁଷ) ଓ ବୃଦ୍ଧ-ପିତାମହ (୫ମ ପୁରୁଷ)। ପିଣ୍ଡଭୋଜୀମାନେ ହେଲେ ପ୍ରପିତାମହ (୩ୟ ପୁରୁଷ), ପିତାମହ (୩ୟ ପୁରୁଷ) ଓ ପିତା (୨ୟ ପୁରୁଷ)। ଏହି ୬ ପୁରୁଷ ସହ ପିଣ୍ଡଦାତା (୧ମ ପୁରୁଷ)କୁ ମିଶାଇ ପିତୃପକ୍ଷରେ ଏହି ସାତପୁରୁଷକୁ ଏବଂ ମାତୃପକ୍ଷରେ ପାଞ୍ଚପୁରୁଷକୁ ସପିଣ୍ଡ କୁହାଯାଏ। ସେମାନଙ୍କୁ ଯେଉଁ ବଂଶଧରମାନେ ପିଣ୍ଡ ଦିଅନ୍ତି, ଯଥା ଭାଇ, ପିତୃବ୍ୟ, ପିତୃବ୍ୟଙ୍କ ପୁତ୍ର ଆଦି ସେମାନେ ବି ସପିଣ୍ଡ।
ସପିଣ୍ଡ ଦୁଇ ପ୍ରକାର। ଯଥା ସଗୋତ୍ର ସପିଣ୍ଡ ଓ ଅସଗୋତ୍ର ସପିଣ୍ଡ। ନିଜ ଗୋତ୍ରର ପିତୃ, ପିତାମହ, ପ୍ରପିତାମହ, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ସଗୋତ୍ର ସପିଣ୍ଡ ଏବଂ ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଓ ଦୌହିତ୍ର, ଦୌହିତ୍ରପୁତ୍ର, ଦୌହିତ୍ରପୌତ୍ରାଦି ଅସଗୋତ୍ର ସପିଣ୍ଡ।
ଅଶୌଚ, ବିବାହ ଓ ଦାୟ ଭେଦରେ ସପିଣ୍ଡ ତ୍ରିବିଧ। ଅଶୌଚ ବିଷୟରେ ଉପର ତିନି ପୁରୁଷ, ତଳ ତିନି ପୁରୁଷ ଓ ନିଜେ ଏହି ସାତ ପୁରୁଷକୁ ସପିଣ୍ଡ କୁହାଯାଏ। ବିବାହ ବିଷୟରେ ନିଜେ ପ୍ରଥମ ପୁରୁଷ, ଉପର ତିନି ପୁରୁଷ ପିଣ୍ଡଭୋଜୀ, ତା’ ଉପର ତିନିପୁରୁଷ ଲେପଭୋଜୀ- ଏହିପରି ସାତପୁରୁଷକୁ ସପିଣ୍ଡ କୁହାଯାଏ। ମାତୃପକ୍ଷରେ ପାଞ୍ଚ ପୁରୁଷକୁ ସପିଣ୍ଡ କୁହାଯାଏ। ସ୍ତ୍ରୀମାନଙ୍କ ପକ୍ଷେ ଭର୍ତ୍ତାଙ୍କ ସପିଣ୍ଡ ଦତ୍ତାକନ୍ୟାର ସପିଣ୍ଡ ଏବଂ ଅଦତ୍ତା କନ୍ୟାର ପିତା, ପିତାମହ ଓ ପ୍ରପିତାମହ – ଏହି ତିନିପୁରୁଷ ହେଉଛନ୍ତି ସପିଣ୍ଡ। ଏହି ତିନି ପୁରୁଷ ଲାଗି ଅଦତ୍ତା କନ୍ୟା ପୂର୍ଣ୍ଣ ଅଶୌଚ ପାଳନ କରିବ, ତା’ ଉପରକୁ କେବଳ ତ୍ରିରାତ୍ର ଅଶୌଚ ପଳନୀୟ। ବିବାହ ବିଷୟରେ ପିତା ଓ ପିତାଙ୍କ ପିଉସୀପୁଅ ଭାଇଠାରୁ ସପ୍ତମ ପୁରୁଷ ଏବଂ ମାତାମହ ଓ ମାଉସୀପୁଅ ଭାଇଠାରୁ ପଞ୍ଚମ ପୁରୁଷ ପର୍ଯ୍ୟନ୍ତ ସପିଣ୍ଡ। ଦାୟ ବିଷୟରେ ପିତା, ପିତାମହ, ପ୍ରପିତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ଏବଂ ମାତାମହ, ପ୍ରମାତାମହ, ବୃଦ୍ଧ-ପ୍ରମାତାମହ ଓ ସେମାନଙ୍କ ପୁତ୍ର, ପୌତ୍ର, ପ୍ରପୌତ୍ର ସପିଣ୍ଡ।
ବିବାହ ବିଷୟରେ ପ୍ରୋକ୍ତ ସପିଣ୍ଡରେ ବିବାହ ନିଷିଦ୍ଧ। ଏହାର କାରଣ ଏମାନେ ଅତି ନିକଟସମ୍ପର୍କୀୟ। ନିକଟସମ୍ପର୍କୀୟଙ୍କ ଭିତରେ ବିବାହ ହେଲେ ବଂଶାନୁକ୍ରମିକ ରୋଗ ସନ୍ତାନସନ୍ତିଙ୍କଠାରେ ସଂଚାରିତ ହୁଏ। ଏହା ବିଜ୍ଞାନସମ୍ମତ। ସାତ ପୁରୁଷ ଯାଏ ସପିଣ୍ଡ, ତା’ ଉପର ସାତ ପୁରୁଷକୁ ସମାନୋଦକ ଏବଂ ତା’ ଉପରକୁ ଗୋତ୍ରଜ କୁହାଯାଏ। ସପିଣ୍ଡ ଅତିନିକଟ ସମ୍ପର୍କୀୟ, ସମାନୋଦକ ନିକଟ ସମ୍ପର୍କୀୟ ଏବଂ ଗୋତ୍ରଜ ହେଉଛନ୍ତି ସମ୍ପର୍କୀୟ। ଗୋତ୍ର ମାନେ ବଂଶପ୍ରବର୍ତ୍ତକ ଋଷି। ଆପଣ ଆପଣଙ୍କ ଗୋତ୍ରଋଷିଙ୍କର ଔରସଜାତ ସନ୍ତାନ (ପୁତ୍ର) ବା କୃଷ୍ଟିଜାତ ସନ୍ତାନ (ଶିଷ୍ୟ) ହୋଇପାରନ୍ତି। ବିଜ୍ଞାନରେ ଆମେ ପଢ଼ୁ କୋଭାଲେଣ୍ଟ ବଣ୍ଡ୍ (ସହସଂଯୋଜୀ ବନ୍ଧ) ଏବଂ ଇଲେକ୍ଟ୍ରୋଭାଲେଣ୍ଟ ବଣ୍ଡ୍ (ବିଦ୍ୟୁତ୍ସଂଯୋଜ୍ୟ ବନ୍ଧ)ର କଥା। ରକ୍ତ-ସମ୍ପର୍କୀୟ ବା ଗୋତ୍ର-ସମ୍ପର୍କୀୟଙ୍କ ଭିତରେ ବିବାହ ହେଲେ ସନ୍ତାନ ଦୁର୍ବଳ, ଅଳ୍ପାୟୁ ଓ ରୋଗଣା ହୁଅନ୍ତି କାରଣ ଏ ବନ୍ଧ ସହସଂଯୋଜୀ ବନ୍ଧ ପରି। ଶୁକ୍ରାଣୁ ଓ ଡିମ୍ବାଣୁ ଭିତରେ ଦୁର୍ବଳ ଆକର୍ଷଣ-ଜନିତ ମିଳନରୁ ଏ ଜାଇଗୋଟ ଫର୍ମେସନ ହୋଇଥାଏ। କିନ୍ତୁ ରକ୍ତ-ସମ୍ପର୍କ ବା ଗୋତ୍ର-ସମ୍ପର୍କ ନ ଥିଲେ ଏବଂ ଦମ୍ପତିଙ୍କ ଭିତରେ ପ୍ରେମର ନିବିଡ଼ତା ଥିଲେ ମିଳନରୁ ଯେଉଁ ଜାଇଗୋଟ୍ ଫର୍ମେସନ ହୁଏ ତାହା ହୁଏ ବିଦ୍ୟୁତ୍ସଂଯୋଜ୍ୟ ବନ୍ଧ ପରି, ଯେଉଁଠି ଶୁକ୍ରାଣୁ ଓ ଡିମ୍ବାଣୁ ଭିତରେ ଆକର୍ଷଣ ଅଧିକ ରହିବା ଯୋଗୁ ସନ୍ତାନର ସ୍ନାୟୁତନ୍ତ୍ର ସବଳ ହୋଇଥାଏ। ସେ ସୁସ୍ଥ, ସବଳ, ଚରିତ୍ରବାନ୍ ଓ ଦୀର୍ଘାୟୁ ହୋଇଥାଏ।
ପ୍ଲଟ୍ ନଂ.୧୮୧୪/୪୦୬୯, ନିଗମ ବିହାର, ଶ୍ରୀରାମନଗର ଲେନ୍-୩, ମୋ-୭୦୦୮୯୬୦୫୦୨, Email: dolagovinda@gmail.com