‘ଠାକୁରମୟତା’ ହିଁ ଆମକୁ ସବୁ ଦିଗରୁ ରକ୍ଷାକରେ
ପୂଜ୍ୟପାଦ ବିଙ୍କିଦା’
ଆଜିର ଦିନଟି କିନ୍ତୁ ପ୍ରକୃତ ପକ୍ଷେ ଆମର ‘ଏନର୍ଜି ରିନ୍ୟୁ’ (ଶକ୍ତି ନବୀକରଣ) କରିବାର ଦିନ। ଠାକୁର କହିଛନ୍ତି ସଂହତି ଆଣେ ଶକ୍ତି, ଶକ୍ତି ଆଣେ ସମ୍ବର୍ଦ୍ଧନା। ଆଜି ଆମ ନିଜର ସଂହତ ହୋଇ ଉଠିବାର ଦିନ। ସଂହତ ହୋଇ ଉଠିଲେ ହିଁ ତା’ଠାରୁ ଆମେ ଶକ୍ତି ଲାଭ କରିବା। ଏହି ଶକ୍ତି ଆମକୁ ସମ୍ବର୍ଦ୍ଧିତ କରିବ। ବିଗତ ଦୁଇ ବର୍ଷ ଧରି ଆମେ ଶାରୀରିକ ଭାବେ ବିଚ୍ଛିନ୍ନ ହୋଇ ରହିଛେ। ବିଭିନ୍ନ ସ୍ଥାନରେ ଉତ୍ସବ ଅନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଦୁଇ ବର୍ଷ ଧରି କ୍ରମାଗତ ଭାବେ ଏଇ ଇଷ୍ଟକୈନ୍ଦ୍ରିକ ମିଳନ ଅବ୍ୟାହତ ଅଛି। ନିଜର ଜୀବନ ସଂହତ କରି ତୋଳିବା ଲାଗି କୌଣସି ନା କୌଣସି ଉପାୟ ଆମେ ବାହାର କରିଛୁ। ଆମେ ଜାଣିଛୁ, ଠାକୁରଙ୍କୁ ଛାଡ଼ି ଆମ ଜୀବନରେ ଆଉ କୌଣସି ସଂପଦ ନାହିଁ, ଜୀବନର କୌଣସି ଉଦ୍ଦେଶ୍ୟ ନାହିଁ। ଠାକୁରମୟତା ଲାଗି ଠାକୁରମୟ ହୋଇଉଠିବା। ନିଜର ବାକ୍ୟ, ଚିନ୍ତା, କର୍ମ ଓ ଚେତନା, ସବୁକିଛି ଠାକୁରମୟ କରି ତୋଳିବା। ଏଥି ଲାଗି ଆମେ କୌଣସି ନା କୌଣସି ଉପାୟ ବାହାର କରିନେବା। କାରଣ ଏହି ଠାକୁରମୟତା ହିଁ ଆମକୁ ସଂହତ କରିତୋଳେ। ଆମ ଅଭ୍ୟନ୍ତରର ସଂହତି ଏଇଭାବେ ହିଁ ଆସେ ଏବଂ ସମଗ୍ର ବିଶ୍ବ ସହିତ ସଂହତି ଠାକୁରଙ୍କୁ କେନ୍ଦ୍ର କରି ହୋଇଥାଏ।
ଆଜି ମୁଁ କଲିକତାରେ ଅଛି, ଏମତି ବହୁ ଲୋକ ବିଭିନ୍ନ ସ୍ଥାନରୁ ଯୁକ୍ତ ହୋଇଛନ୍ତି। ଏହା ଏକ ଇଣ୍ଟରନ୍ୟାସନାଲ୍ ବ୍ୟାପାର। ଭୁବନେଶ୍ବର ସତସଙ୍ଗ ବିହାରର ଉତ୍ସବ ଯଦି ମନ୍ଦିରରେ ସମସ୍ତେ ସମବେତ ହୋଇ ପାଳନ କରିଥାନ୍ତେ, ତେବେ ଯେଉଁମାନେ ଭୁବନେଶ୍ବରବାସୀ କେବଳ ସେମାନେ ହିଁ ଯୋଗଦାନ କରିପାରିଥାଆନ୍ତେ। କିନ୍ତୁ ବର୍ତ୍ତମାନ ଭୁବନେଶ୍ବର ଉତ୍ସବ ଏକ ବିଶ୍ବବ୍ୟାପି ବ୍ୟାପାର। ପୃଥିବୀର ଯେକୌଣସି ପ୍ରାନ୍ତର ଲୋକ ଯୋଗଦାନ କରିପାରିବେ।
ଆଜିର ଦିନ ହେଉଛି ଆମର ଏନର୍ଜି ରିନ୍ୟୁର ଦିନ। କିପରି? ଆମ ପ୍ରତ୍ୟେକଙ୍କ ଜୀବନକୁ ଠାକୁର ବହୁଭାବେ ସମୃଦ୍ଧ କରିଛନ୍ତି, ପୁଷ୍ଟ କରି ତୋଳିଛନ୍ତି। ଆମେ କେତେ ପାଇଛେ, କେତେ ଦେଖିଛେ ଓ କେତେ ଘଟଣାର ସାକ୍ଷୀ ବି ହୋଇଛେ। ଏସବୁ ଆଜି ରୋମନ୍ଥନ କରିବାର ଦିନ। ଗୀତାରେ ଏକ କଥା ଅଛି- ‘ବୋଧୟନ୍ତଃ ପରସ୍ପରମ୍’। ଆଜି ବୋଧୟନ୍ତଃ ପରସ୍ପରଂର ପ୍ରକୃଷ୍ଟ ଦିନ। ଭୁବନେଶ୍ବର ସତସଙ୍ଗ ବିହାରକୁ କେନ୍ଦ୍ର କରି କେତେ ଘଟଣା, କେତେ ଲୀଳା ସଂଘଠିତ ହୋଇଛି। ଅଗଣିତ ମଣିଷ ତା’ର ସାକ୍ଷୀ। କେବଳ ଭୁବନେଶ୍ବରର ଲୋକ ନୁହନ୍ତି, ଓଡ଼ିଶାର ଲୋକ ନୁହନ୍ତି, ଠାକୁରଙ୍କର କୌଣସି ବ୍ୟାପାର ସୀମାୟିତ ନୁହେଁ, ସୀମିତ ନୁହେଁ, କନଫାଇଣ୍ଡ୍ ନୁହେଁ। ଠାକୁରଙ୍କ ସମସ୍ତ ବ୍ୟାପାର ସାର୍ବଜନୀନ, ବିଶ୍ବଜନୀନ।
ନିର୍ବିଶେଷରେ ପ୍ରତ୍ୟେକ ମଣିଷକୁ ଗଢ଼ିତୋଳିବା, ପୁଷ୍ଟ କରିତୋଳିବା, ସମୃଦ୍ଧ କରିତୋଳିବା, ଏହା ହିଁ ଠାକୁରଙ୍କ କାମ। ଏହା ହିଁ ଠାକୁର କ୍ରମାଗତ, ପ୍ରତିନିୟତ କରିତୋଳନ୍ତି। ଆଉ ଆମର ଜୀବନ, ଆମର ଚେତନା, ଆମର ଭାବନା, କହିବା, କରିବା ଏହିଭାବେ ପରିପୁଷ୍ଟ ହୁଏ। ଏହିଭାବେ ଆମେ ଜୀବନବୃଦ୍ଧିର ସାଧନାରେ ଚାଲିବାର ଅନୁପ୍ରେରଣା କ୍ରମାଗତ ଲାଭ କରୁ। ନାନାଭାବେ, ନାନାରୂପେ, ନାନା ବର୍ଣ୍ଣେ ତାଙ୍କର ଭଲପାଇବା, ତାଙ୍କର କରୁଣା, ତାଙ୍କର ଦୟା, ତାଙ୍କର ଲୀଳା ଆମକୁ ପରିପୁଷ୍ଟ କରିତୋଳେ। ଆମେ କେତେ କ’ଣ ପାଉ, କେତେ କ’ଣ ଯେ ପ୍ରାପ୍ତି, ଏହାର କୌଣସି ତୁଳନା ନାହିଁ। କ୍ରମାଗତ ପ୍ରତିନିୟତ ଦୟା, ପ୍ରେମ, କରୁଣା ଓ କ୍ଷମା ମଧ୍ୟଦେଇ ଠାକୁର ଆମକୁ କୋଳରେ ଧରି ଚାଲିଛନ୍ତି।
ଆମେ ଜୀବନ ପଥରେ, ବୃଦ୍ଧିର ପଥରେ ଯଦି ନ ଚାଲୁ, ଚାଲିବାର ପଥ ଯଦି ସୁଦୃଢ଼ ନ ହୁଏ, ତେବେ ଠାକୁରଙ୍କୁ ଶାନ୍ତି ମିଳେନା। ଠାକୁର ନିଜେ ଆମକୁ ଟାଣିନେଇ ଚାଲି ଥାଆନ୍ତି। ଅନେକ ସୁଯୋଗ ଦିଅନ୍ତି। ଆମେ ନିଜେ ସ୍ଲିପ୍ କରିଲେ (ପଥଚ୍ୟୁତ ହେଲେ) ବି ସେ ଆମକୁ କୌଣସି ନା କୌଣସି ଉପାୟରେ, ଛଳେ-ବଳେ-କୌଶଳେ ସୁଯୋଗ ଦେଇ ଆଉଥରେ ଆମକୁ ଚେତନା-ପରିପୁଷ୍ଟ କରି ସଠିକ୍ ରାସ୍ତାକୁ ନେଇ ଆସନ୍ତି।
ମୁଁ କ’ଣ କହିବି, କ’ଣ କହିବା ଉଚିତ ତାହା ମୁଁ ଭାବି ପାରୁନି। ୧୦/୧୫ ମିନିଟ୍ ପାର କରିଗଲିଣି। କ’ଣ କହିଲି ମୁଁ ନିଜେ ବି ଜାଣେନା। କିନ୍ତୁ ଏଇଟା ହିଁ ମୂଳକଥା- ‘ଠାକୁରମୟତା’। ଆମର ‘ଠାକୁରମୟତା’ ହିଁ ଆମକୁ ସବୁ ଦିଗରୁ ରକ୍ଷାକରେ। ଆମେ ହୁଏତ ସ୍ବାଭାବିକ ଅବସ୍ଥାରେ ଠାକୁରଙ୍କ ଇଚ୍ଛା ଅନୁସାରେ, ଠାକୁରଙ୍କ ଈପ୍ସିତ ଭାବେ ଚାଲିବାକୁ ଚେଷ୍ଟା କରୁ। କିନ୍ତୁ ଯେକୌଣସି ପରିସ୍ଥିତିରେ ତାହା କରିବାକୁ ହୁଏ। ଠାକୁର କହିଛନ୍ତି-
ଦ୍ବନ୍ଦ୍ବ-ବାଧା-ବିଘ୍ନ ଦଳି
ଦକ୍ଷକୁଶଳ ତଡ଼ିତ ରାଗେ,
ଗୁରୁଙ୍କ ଆଦେଶ ପାଳନ ଯହିଁ
ସେଇଠାରେ ତ ସିଦ୍ଧି ଜାଗେ।
ଏହି ଦ୍ବନ୍ଦ୍ବ,ବାଧା, ବିଘ୍ନ କିନ୍ତୁ ବାହ୍ୟିକ ନୁହେଁ। ଆମ ଅଭ୍ୟନ୍ତରରେ ପ୍ରବୃତ୍ତିର ଯେଉଁ ଚାପ ଅଛି, ତା’ସହ ଆମର ଯୁଦ୍ଧ ଚାଲିଛି। ଦ୍ବନ୍ଦ୍ବ, ବାଧା, ବିଘ୍ନ- ଏସବୁ ଅତିକ୍ରମ କରି ଆମେ ଯଦି ସର୍ବଦା ତାଙ୍କ ଇଚ୍ଛାକୁ ଆମ ଜୀବନରେ ମୁଖ୍ୟ କରି ନ ରଖୁ, ତା’ହେଲେ କିନ୍ତୁ ବାରବାର ସ୍ଖଳନ ହୁଏ। କାରଣ ଠାକୁର କହିଛନ୍ତି-
ଇଷ୍ଟସ୍ବାର୍ଥ ପ୍ରତିଷ୍ଠା ତୋର, ଯାଏ ତଲିଏ ଯେଇଖାନେ,
ମରଣ-ହାନାଏ ଆସଛେ ବିପଦ, ଓଇ ପଥେତେଇ ସେଇ ଟାନେ।
ଯେଉଁଠି ମୋର ଇଷ୍ଟସ୍ବାର୍ଥ କ୍ଷୁଣ୍ଣ ହେବ, ସେଇଠାରେ ମୃତ୍ୟୁ ପ୍ରବେଶ କରିବ। ଅନନ୍ତ ସ୍ମୃତିବାହୀ ଚେତନାଯୁକ୍ତ ମହାଜୀବନ ଲାଭ କରିବାର ପନ୍ଥା ଠାକୁର ଆମକୁ ଦେଇଛନ୍ତି। ଆମେ ସେଇ ପଥରେ ଚାଲିବାର ସଂକଳ୍ପ ନେଇଛୁ। ଆମେ ସେଇ ପଥରେ ବ୍ରତୀ ହୋଇଛୁ। ସବୁ ଅବସ୍ଥାରେ, ଦ୍ବନ୍ଦ୍ବ,ବାଧା, ବିଘ୍ନ ଆଦି ସବୁକିଛିର ଭିତରେ ସେ ଯେପରି କହିଛନ୍ତି, ସେ ଯାହା ଚାହାନ୍ତି, ତାହା ଯେମିତି ଆମ ଜୀବନରେ ଏକମାତ୍ର ପାଳନୀୟ, ଏକମାତ୍ର କରଣୀୟ ହୁଏ, ବାକି ସବୁ ଆମକୁ ମୃତ୍ୟୁମୁଖୀ କରିତୋଳିବ। ଏହି ବୋଧ, ଏହି ଧାରଣା, ଏହି ଚେତନାକୁ ସର୍ବଦା ହଣ୍ଡ୍ରେଡ୍ ପରସେଣ୍ଟ୍ (ଶତପ୍ରତିଶତ) ଜାଗ୍ରତ କରିତୋଳି ଯଦି ଆମେ ଚାଲିବା, ତେବେ ମୃତ୍ୟୁହୀନ ଜୀବନ ଅର୍ଜନ କରିବା ସମ୍ଭବ।
ଏହି ପାର୍ଥିବ ଶରୀର ହୁଏତ ଚିରଦିନ ରହିବ ନାହିଁ। କିନ୍ତୁ ଯିଏ ଯେମିତି ଭାବେ ତାଙ୍କୁ ଯେତେଟା ଜୀବନ୍ତ କରି ରଖିବ ନିଜର ଜୀବନରେ, ନିଜ ଚଳନରେ, ନିଜ ଆଚରଣରେ, ନିଜ ଚେତନାରେ, ବାକ୍ୟରେ, କର୍ମରେ, ସବୁକିଛିର ଭିତରେ, ସେ ସେତେ ଚିରଂଜୀବୀ ହୋଇ ରହିବ। ତା’ର ଜାଜ୍ଜ୍ବଲ୍ୟମାନ ଦୃଷ୍ଟାନ୍ତ ଆମ ଚକ୍ଷୁର ସାମ୍ନାରେ ଅଛି। ଆମେ ଦେଖିଛେ, ଆମେ ଜାଣିଛେ ଏଭଳି ଘଟେ। ଯଦି ଏଭଳି ହୁଏ, ତେବେ ଆମକୁ ତାହା ଆଜିଠୁ କରିବା ଲାଗି କାୟମନୋବାକ୍ୟରେ ଏହି ମୁହୂର୍ତ୍ତରୁ ଲାଗିଯିବାକୁ ହେବ।
ଆପଣମାନେ ସମସ୍ତେ ଭଲ ରହନ୍ତୁ। ସମସ୍ତେ ଆନନ୍ଦ କରନ୍ତୁ। ଆଜି ଆପଣମାନେ ସମସ୍ତେ ଘରେ ଅଛନ୍ତି। ଘରେ ହିଁ ପରିବାର ସହ ଆନନ୍ଦ କରନ୍ତୁ। ଆଉ ଯେତେ ସମ୍ଭବ ଭର୍ଚ୍ଚୁଆଲ୍ ଉତ୍ସବ ସହ ଯୁକ୍ତ ରହନ୍ତୁ। ଠାକୁରଙ୍କ ପ୍ରସଙ୍ଗ ଆଲୋଚନା କରନ୍ତୁ, ଶୁଣନ୍ତୁ। ଗାନ-କୀର୍ତ୍ତନ-ଭଜନ ଶୁଣନ୍ତୁ। ନିଜ ଜୀବନକୁ ପରିପୁଷ୍ଟ କରିତୋଳନ୍ତୁ। ସମସ୍ତେ ମିଶି ଆନନ୍ଦ କରନ୍ତୁ, ସଂହତ ହୋଇଉଠନ୍ତୁ ଏବଂ ଆମର ଯେଉଁ ସଂକଳ୍ପ ତାକୁ ଆଉ ଥରେ ରିନ୍ୟୁ କରି ଇଷ୍ଟସ୍ବାର୍ଥ ପ୍ରତିଷ୍ଠାରେ ଲାଗିପଡ଼ନ୍ତୁ। ତାଙ୍କୁ ଜୀବନରେ ଜୟଯୁକ୍ତ କରିତୋଳନ୍ତୁ। ତା’ହେଲେ ଯାହା ପ୍ରାପ୍ୟ ତାହା ପାଇପାରିବେ। ଆଉ ପ୍ରାପ୍ତିଟି କ’ଣ ତାହା ଆମ ବୋଧରେ ସ୍ପଷ୍ଟ। ମୋର ଏହି ଅସଂଲଗ୍ନ କଥାବାର୍ତ୍ତାରେ କାହାର କ’ଣ ଉପକାର ହେବ ଜାଣେନା। ଆପଣ ସମସ୍ତେ ଭଲ ରହନ୍ତୁ। ବନ୍ଦେ ପୁରୁଷୋତ୍ତମମ୍। ଜୟଗୁରୁ।
( ଭୁବନେଶ୍ବର ସତସଙ୍ଗ ବିହାରର ସପ୍ତବିଂଶତିତମ ଶ୍ରୀବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅବସରରେ ପୂଜ୍ୟପାଦ ବିଙ୍କିଦା’ଙ୍କ ଉଦବୋଧନ )