ଜାତିସ୍ମରତ୍ବ ପ୍ରସଙ୍ଗେ ଶ୍ରୀଶ୍ରୀଠାକୁର
ପୁରୁଷୋତ୍ତମ ପ୍ରସଙ୍ଗେ ଗ୍ରନ୍ଥରୁ ସଂଗୃହୀତ
ଆର୍ଯ୍ୟ ଋଷିମାନଙ୍କର ଦର୍ଶନଲବ୍ଧ ଜ୍ଞାନ କହେ, ପ୍ରତିଟି ଜୀବର ଚେତନସତ୍ତା ବା ଜୀବାତ୍ମା ଅମର ଏବଂ ଅବିନାଶୀ । ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି– “ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ/ ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ” । (୨/୨୦) । ଅର୍ଥାତ୍ ଜୀବାତ୍ମା ଜନ୍ମ-ମୃତ୍ୟୁ-ରହିତ, ନିତ୍ୟ ଏବଂ ଶାଶ୍ୱତ, ମୃତ୍ୟୁରେ ଦେହର ବିନାଶ ହୁଏ ମାତ୍ର ଦେହୀ ଅର୍ଥାତ୍ ଦେହର ଚେତନସତ୍ତାର ବିନାଶ ହୁଏ ନାହିଁ । ମଣିଷ ଯେପରି ଜୀର୍ଣ୍ଣବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରେ ଠିକ୍ ସେହିପରି ଜୀବାତ୍ମା ଜୀର୍ଣ୍ଣ ଓ ଭଙ୍ଗୁର ଶରୀର ପରିତ୍ୟାଗ କରି କ୍ରମାଗତ ନବ ନବ ଶରୀର ଧାରଣ କରି ସ୍ୱକୃତ କର୍ମଫଳଦ୍ୱାରା ଉନ୍ନତରୁ ଉନ୍ନତତର ଅବସ୍ଥାକୁ ଗତି କରେ । ଏହିପରି ଭାବରେ ଜୀବାତ୍ମାର କ୍ରମବିକାଶ ବା ବିବର୍ତ୍ତନ ହୋଇଚାଲେ ପ୍ରକୃତିର ସୁନିବଦ୍ଧ ନିୟମବଳରେ । ଆତ୍ମଚେତନାର ବିକାଶଅନୁଯାୟୀ ଜୀବାତ୍ମା କୀଟପତଙ୍ଗ, ପଶୁପକ୍ଷୀଠାରୁ ଆରମ୍ଭ କରି ପରିଶେଷରେ ମାନବଶରୀର ଧାରଣ କରେ ଏବଂ ସୁକେନ୍ଦ୍ରିକ ହୋଇ ସତ୍ଚିନ୍ତା, ସତ୍ଚେଷ୍ଟା ଏବଂ ସତ୍କର୍ମ ବଳରେ କ୍ରମୋନ୍ନତି ଲାଭ କରି ଶେଷରେ ପୂର୍ଣ୍ଣ ମାନବତ୍ୱ ପ୍ରାପ୍ତ ହୁଏ; ଏହାହିଁ ଜୀବାତ୍ମାର କ୍ରମବିକାଶ ବା ସାତ୍ତ୍ୱିକ ବିବର୍ତ୍ତନର ଚରମ ପରିଣତି । ପାଶ୍ଚାତ୍ୟ ଦର୍ଶନ କିନ୍ତୁ ଜୀବାତ୍ମାର ଅସ୍ତିତ୍ୱରେ ବିଶ୍ୱାସ କରେନାହିଁ, ମନୀଷୀ ଡାରଉଇନଙ୍କ ବିବର୍ତ୍ତନବାଦ ଜୀବର ଶାରୀରିକ ବିବର୍ତ୍ତନଉପରେ ହିଁ ଆଧାରିତ, ମାତ୍ର ଏହା ଏକ ଭ୍ରମାତ୍ମକ ସିଦ୍ଧାନ୍ତ, କାରଣ ଚେତନସତ୍ତା ବା ଜୀବର ଆତ୍ମିକ ବିକାଶକୁ ବାଦ୍ ଦେଇ ତାହାର ଶାରୀରିକ କ୍ରମବିକାଶ କଳ୍ପନା କରାଯାଇପାରେନା । ବସ୍ତୁତଃ ଜୀବାତ୍ମାହିଁ ତାହାର ବିକାଶର ସ୍ତର-ଅନୁଯାୟୀ ବିଭିନ୍ନ ପ୍ରକାର ଶରୀର ଗ୍ରହଣ କରିଥାଏ । ଅବଶ୍ୟ ବାର୍ଗସନ ଭଳି ଅନେକ ପାଶ୍ଚାତ୍ୟ ଦାର୍ଶନିକଙ୍କ ମତରେ ଜୀବର ପ୍ରାଣଶକ୍ତି ବା Elan Vital ହିଁ ଶରୀର ଗଠନ କରିଥାଏ । ଗୋଟିଏ ଜନ୍ମରେ ଜୀବସତ୍ତା କ୍ରମବିକାଶର ଯେଉଁ ସ୍ତରରେ ପହଞ୍ଚିଥାଏ ତାହାହିଁ ଉନ୍ନତିର ସଂସ୍କାର ଭାବରେ ତାହାର ଚିତ୍ସତ୍ତା ବା Ectoplasmic body ମଧ୍ୟରେ ବୀଜାକାରେ ସଂରକ୍ଷିତ ରହି ପରବର୍ତ୍ତୀ ଜୀବନରେ ତାହାକୁ ଉନ୍ନତତର ଜୀବନପଥରେ ଗତି କରିବାରେ ସହାୟକ ହୁଏ । ଏହାର ସୂତ୍ର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି– “ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍। ତଂ ତମେବୈତି କୌନ୍ତେୟ ସଦା ତଦ୍ଭାବଭାବିତଃ।।” (ଗୀତା ୮/୬)। ଅର୍ଥାତ୍ ମୃତ୍ୟୁ ସମୟରେ ଜୀବ ଯେଉଁ ଭାବରେ ଅଭିଭୂତ ହୋଇ ଶରୀରତ୍ୟାଗ କରେ ପରଜନ୍ମରେ ସେ ସେହି ଭାବଯୁକ୍ତ ଶରୀର ଲାଭ କରେ । ଏହି ତତ୍ତ୍ୱର ବୈଜ୍ଞାନିକ ବ୍ୟାଖ୍ୟା ପ୍ରଦାନ କରି ଶ୍ରୀଶ୍ରୀଠାକୁର କହିଛନ୍ତି– “ମୃତ୍ୟୁକାଲେ ଯେ ଭାବ ନିୟେ ଛେଡ଼େ ଶରୀର ଯାୟ ଜୀବନ ! ଜନ୍ମେ ଆବାର ତେମନି ସ୍ଥାନେ ଐ ଭାବେରଇ ପଥ ପାୟ ଯଖନ।” ବଡ଼କଥା ହେଲା, ବିଶ୍ୱପ୍ରକୃତିଙ୍କର ଅମୋଘ ନିୟମରେ ମୃତ୍ୟୁସମୟରେ ଜୀବାତ୍ମାର ସମସ୍ତ ସ୍ମୃତି ଅବଲୁପ୍ତ ହୋଇଯାଏ । ନୂତନ ଜୀବନର ନୂତନ ଚେତନା ନେଇ ସେ ଜନ୍ମଗ୍ରହଣ କରେ, ଯଦିଓ ପୂର୍ବଜୀବନର ଅର୍ଜିତ ଗୁଣାବଳୀ ଆତ୍ମିକସଂସ୍କାର ଭାବରେ ତାହାର ମସ୍ତିଷ୍କରେ ଜୀବାକାରେ ସଂରକ୍ଷିତ ରହି ତାହାର ଇହ ଜୀବନକୁ ପରିଚାଳିତ କରେ । ସୃଷ୍ଟିଲୀଳାରେ ବୈଚିତ୍ର୍ୟ ଏବଂ ନିତ୍ୟନବୀନତ୍ୱ ଭଳି କରିବାନିମନ୍ତେ ପ୍ରକୃତିର ଏହି ଅମୋଘ ବିଧାନ । ଶ୍ରୀଶ୍ରୀଠାକୁର କିନ୍ତୁ ବହୁତ ଆଶାବାଦୀ । ସେ କହନ୍ତି— କୌଣସି ପ୍ରକାରେ ବ୍ୟକ୍ତିଗତ ସାଧନା ଅଥବା ଯାନ୍ତ୍ରିକ ଉପାୟରେ ଯଦି ମୃତ୍ୟୁର ବିସ୍ମୃତୀକରଣ ପ୍ରକ୍ରିୟାକୁ ଭେଦ କରି ପୂର୍ବଜନ୍ମର ସ୍ମୃତିଲାଭ କରାଯାଇପାରେ, ତେବେ ମଣିଷ ପୂର୍ବଜନ୍ମର ଅର୍ଜିତ ଅଭିଜ୍ଞତାର ବ୍ୟବହାର କରି ଇହଜନ୍ମରେ ତାହାର ବିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ; ସେତେବେଳେ ଜନ୍ମ-ମୃତ୍ୟୁ ଗୋଟିଏ ନିଦ୍ରା-ଜାଗରଣ ଭଳି କଥା ହୋଇଯିବ । ପ୍ରକୃତିର ବିସ୍ମୃତୀକରଣ ପ୍ରକ୍ରିୟାର ସୂଚନା ଦେଇ ସେ କହିଛନ୍ତି– ମୃତ୍ୟୁସମୟରେ ଗୋଟିଏ ସୁତୀବ୍ର ଆଲୋକ ଆସି ଜୀବର ସ୍ମୃତିକୁ ଝଲସାଇ ଦିଏ ଏବଂ ସେଥିସହିତ ସତ୍ତାକୁ ସ୍ତମ୍ଭିତ କଲାଭଳି ଗୋଟିଏ ପ୍ରବଳ ଘଣ୍ଟଧ୍ୱନି ଶୁଣାଯାଏ, ଯାହାକୁ ନୂର ଔର ଆୱାଜ କୁହାଯାଏ । ଏହା ଫଳରେ ଜୀବ ତାହାର ଅସ୍ତିତ୍ୱ ଚେତନା ହରାଇବସେ, ଅର୍ଥାତ୍ ତାହାର ସ୍ମୃତିର ସମସ୍ତ ସୂତ୍ରଗୁଡ଼ିକ ଛିନ୍ନ ହୋଇଯାଏ, ତାହାର ସମସ୍ତ ଭାବର ସୂତ୍ର ବିଲୁପ୍ତ ହୋଇ ଗୋଟିଏ ମୁଖ୍ୟଭାବ ଅର୍ଥାତ୍ ଯେଉଁଭାବ ନେଇ ସେ ତାହାର ଜୀବନକୁ ପରିଚାଳିତ କରି ଆସିଛି ତାହାହିଁ Prominent (ଶକ୍ତିଶାଳୀ) ହୋଇଉଠେ ଏବଂ ଜୀବାତ୍ମା ସେହି ଭାବରେ ନିମଜ୍ଜିତ ହୋଇ ବାୟୁଭୂତ ଅବସ୍ଥାରେ ବା ଇଥର ସ୍ତରରେ ରହିଥାଏ ପରବର୍ତ୍ତୀ ଦେହଧାରଣକୁ ଅପେକ୍ଷା କରି ଏବଂ ତାହା ମଧ୍ୟ ପ୍ରକୃତିର ଅମୋଘ ଇଙ୍ଗିତରେ ହିଁ ସମ୍ଭବ ହୁଏ । ତେଣୁ ଜୀବାତ୍ମା ବ୍ୟାକୁଳ ହୁଏ ବାରମ୍ବାର ଦେହଧାରଣ କରି ଆତ୍ମଚେତନାର ବିକାଶ ଘଟାଇବା ପାଇଁ, ସତ୍କର୍ମ ମାଧ୍ୟମରେ କ୍ରମାଗତ ଉନ୍ନତ ଜୀବନ ଲାଭ କରି ବିବର୍ତ୍ତନ ପଥରେ ଅଗ୍ରସର ହେବାପାଇଁ । ଅସତ୍ କର୍ମ, ଅସତ୍ ଚିନ୍ତା ଏବଂ ଇଷ୍ଟାନୁରକ୍ତି-ବିହୀନ ପାଶବିକ ପ୍ରବୃତ୍ତି ହେତୁ ଜୀବାତ୍ମାର ଅଧୋଗତି ମଧ୍ୟ ହୋଇଥାଏ । ଅର୍ଥାତ୍ ମନୁଷ୍ୟଯୋନିରୁ ପୁନର୍ବାର ପଶୁତ୍ୱ ମଧ୍ୟ ପ୍ରାପ୍ତ ହୋଇପାରେ । ଏହିପରି ବାରମ୍ବାର ଜନ୍ମ-ମୃତ୍ୟୁ ଚକ୍ରରେ ଆବର୍ତ୍ତିତ ହେଉଥିବା ପ୍ରତିଟି ଜୀବାତ୍ମାର ଆକୂତି ହୋଇଥାଏ ଅମରତ୍ୱ ଲାଭ କରିବା, ଅର୍ଥାତ୍ ଜନ୍ମ-ମୃତ୍ୟୁକୁ ଭେଦକରି ଅଖଣ୍ଡ ଜୀବନର ଚେତନା ଲାଭ କରିବା । ତେଣୁ ମଣିଷଜୀବନର ସବୁଠାରୁ ବଡ଼ ସାଧନା ହେଲା ପୂର୍ବଜନ୍ମର ସ୍ମୃତି ଲାଭ କରି ଇହଜନ୍ମର ସ୍ମୃତି ନେଇ ପୁନର୍ବାର ଜନ୍ମଗ୍ରହଣ କରିବା । ଏହାକୁ ହିଁ କହନ୍ତି ଜାତିସ୍ମରତ୍ୱ ଲାଭ କରିବା । ଏଥିନିମନ୍ତେ ମୁନି-ଋଷିଗଣ ମୁଖ୍ୟତଃ ଚାରିଟି ପନ୍ଥା ନିର୍ଦ୍ଦିଷ୍ଟ କରିଛନ୍ତି– ତାହାହେଲା ବେଦାଭ୍ୟାସ, ଶୁଚିତା, ତପସ୍ୟା ଏବଂ ଅଦ୍ରୋହ । ଭଗବାନ ମନୁ କହିଛନ୍ତି– “ବେଦାଭ୍ୟାସେନ ସତତଂ ଶୌଚେନ ତପସୈବ ଚ। ଅଦ୍ରୋହେଣ ଚ ଭୂତାନି ଜାତିଂ ସ୍ମରନ୍ତି ପୌର୍ବିକୀମ୍।।” ଶ୍ରୀଶ୍ରୀଠାକୁର କଥାଟିକୁ ସହଜ ଭାବରେ ବୁଝାଇ କହିଛନ୍ତି– “ଅତୁଟ ଇଷ୍ଟପ୍ରାଣତା ସହିତ ଜ୍ଞାନ ବା ଜାଣିବା ଆଡ଼କୁ ଝୁଙ୍କ ରଖି ଅର୍ଥାତ୍ ଜ୍ଞାନାଭ୍ୟାସ ଓ ବେଦାଭ୍ୟାସ-ତତ୍ପର ହୋଇ ତପସ୍ୟା ବା ଅଭୀଷ୍ଟଲାଭ ନିମନ୍ତେ ପ୍ରଚେଷ୍ଟାପରାୟଣ ହେବା ଏବଂ ମାନସିକ ଓ ଶାରୀରିକ ଶୁଚିତା ସହିତ ପ୍ରତି ପାରିପାର୍ଶ୍ବିକର ଉପକାର-ପ୍ରଚେଷ୍ଟା-ପ୍ରବଣ ରହି ଅନ୍ତରର ଦ୍ରୋହଭାବକୁ ଅର୍ଥାତ୍ ଅପକାର କରିବା ଭାବକୁ ତିରୋହିତ କରିଦିଅ– ଆଉ ତୁମର ବିଗତ ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଅର୍ଥାତ୍ ଏଯାବତ୍ ଯାହାକିଛି କରିଛ– ପର ପର ଦୈନିକ ହିସାବରେ ପ୍ରାତ୍ୟହିକ ପଶ୍ଚାଦପସରଣୀ ଚିନ୍ତାଦ୍ୱାରା ହିଁ ହେଉ ବା ଯଥାସମ୍ଭବ ସେହି କର୍ମ ବା ସଂସ୍କାରଗୁଡ଼ିକୁ ସ୍ମରଣରେ ଆଣି ବା ସାକ୍ଷାତ୍କାର କରି ସ୍ମୃତିକୁ ଉଜ୍ଜ୍ୱଳ ରଖିବାକୁ ଚେଷ୍ଟାକର, ଭଗବାନ ମନୁ ଏବଂ ମହର୍ଷି ପତଞ୍ଜଳିଙ୍କ ନିର୍ଦ୍ଦେଶାନୁପାତିକ ଏହା ହେଉଛି ଜାତିସ୍ମରତା ଲାଭ କରିବାର ସ୍ୱାଭାବିକ ଉପାୟ ।” (ପଥ କଉଡ଼ି-୬୩୨) । ଶ୍ରୀଶ୍ରୀଠାକୁର ‘ପୁଣ୍ୟପୋଥି’ର ୩୬ତମ ଦିବସର ୭ ଏବଂ ୮ ନମ୍ବର ବାଣୀରେ ମଧ୍ୟ କହିଛନ୍ତି– ଦ୍ୟାଖ୍, ନିଝୁମ ହୟେ ନାମ କର୍, ଡ଼ୁବେ ନାମ କର୍, ବେଶ ତାଲେ ତାଲେ ନାମ କର୍ ଆର ମନେର ଚୋଖଟି ଠିକ୍ ଜାୟଗାୟ ରାଖ୍ । + + + ଅନ୍ୟ ରକମ ସ୍ମୃତି କିଛି ଆସ୍ତେ ଦିସ୍ନେ, ଆସଲେଓ ତାଡ଼ିୟେ ଦିବି । ଦିନବେଲା ପ୍ରତ୍ୟେକବାର ଏକଘଣ୍ଟା ଥେକେ ଦେଢ଼ଘଣ୍ଟା (୭) ନାମ ଅନବରତ ମନେ-ମନେ ଜପ କରତେ ହବେ । ଚାର ଥେକେ ଛୟ ବଛରେର ଭିତର ପୂର୍ଣ୍ଣତ୍ୱ ଲାଭ।” (୮)
ଅତୀତରେ ଅନେକ ମହାପୁରୁଷ ଏବଂ ସିଦ୍ଧ ପୁରୁଷଗଣ ଜନ୍ମ-ଜନ୍ମାନ୍ତରର ଅଖଣ୍ଡ ସ୍ମୃତି ଲାଭ କରିବାର ଦୃଷ୍ଟାନ୍ତ ରହିଛି । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ— “ବହୂନି ମେ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ/ତାନ୍ୟହଂ ବେଦ ସର୍ବାଣି ନ ତ୍ୱଂ ବେତ୍ଥ ପରନ୍ତପ ।” (ଗୀତା-୪/୫)
ଅର୍ଥାତ୍ ତୁମେ ଏବଂ ମୁଁ ବହୁବାର ଜନ୍ମ ଗ୍ରହଣ କରିଛେ, ସେସବୁ ତୁମର ମନେ ନାହିଁ, କିନ୍ତୁ ମୁଁ ସମସ୍ତ ଜାଣିଛି । ଶୁଣାଯାଏ ମହର୍ଷି ଜୈଗୀଜବ୍ୟ ଦଶକଳ୍ପ ମଧ୍ୟରେ ଯେତେଥର ଜନ୍ମଗ୍ରହଣ କରିଥିଲେ ସେହି ସମସ୍ତ ଜନ୍ମର ବିବରଣୀ ତାଙ୍କ ସ୍ମୃତିରେ ଜାଗରୁକ ଥିଲା । ଭଗବାନ ବୁଦ୍ଧ ବୋଧିଦ୍ରୁମ ତଳେ ସିଦ୍ଧିଲାଭ କରିବା ସମୟରେ ତାଙ୍କର ସମସ୍ତ ପୂର୍ବଜନ୍ମର ସ୍ମୃତି ଜାଗି ଉଠିଥିଲା ଯାହାକି ‘ବୁଦ୍ଧଜାତକ’ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି । ଶ୍ରୀଶ୍ରୀଠାକୁର ମଧ୍ୟ କଥାଛଳରେ ତାଙ୍କର ଅନେକ ପୂର୍ବଜନ୍ମର ସ୍ମୃତିର କଥା ପ୍ରକାଶ କରିଛନ୍ତି । ଏକଦା ପାର୍ଲରରେ ବସି କହୁଥିଲେ– ଗୋଟିଏ ଜନ୍ମରେ ମୋର ଜଣେ ଅପୂର୍ବ ସୁନ୍ଦରୀ ସ୍ତ୍ରୀ ଥିଲା, ମୋତେ ବହୁତ ଭଲପାଉଥିଲା, ମୋତେ ଛାଡ଼ି ରହିପାରୁ ନ ଥିଲା । ସେ ସମୟରେ ଆମେ ଜଙ୍ଗଲରେ ଥିଲୁ । ଲଗାଲଗି ହୋଇ ଦୁଇଟି ପାହାଡ଼ ମଝିରେ ଗୋଟିଏ ସଂକୀର୍ଣ୍ଣ ରାସ୍ତା ଥିଲା, ଗୋଟିଏ ପାହାଡ଼ର ଲତା ଅନ୍ୟ ପାହାଡ଼କୁ ମାଡ଼ି ଯାଇ ଗୋଟିଏ ବିତାନ ଭଳି ସୃଷ୍ଟି ହୋଇଥିଲା । ଗୋଟିଏ ଶ୍ୱେତମର୍ମର ପଥରର ବେଦିଉପରେ ବସି ମୁଁ ପ୍ରକୃତିର ମନୋରମ ଶୋଭା ଉପଭୋଗ କରୁଥିଲି । ପାହାଡ଼କଡ଼ରେ ଗୋଟିଏ ଝରଣା କୁଳୁ କୁଳୁ ହୋଇ ବହି ଯାଉଥିଲା । ଜଙ୍ଗଲର ପଶୁମାନେ ସେଠାକୁ ପାଣି ପିଇବାକୁ ଆସୁଥିଲେ । ମୁଁ ଯେଉଁଠି ଥିଲି ସେଠାରେ ଚତୁର୍ଦ୍ଦିଗରେ କେବଳ ଧଳାଫୁଲର ଗଛସବୁ ଥିଲା, କେବଳ ଧଳାଫୁଲ… ଏତିକି କହିବା ସମୟରେ ନିକଟରେ ଉପସ୍ଥିତ ଥିବା ଡା. ପ୍ୟାରୀମୋହନ ନନ୍ଦୀ ହଠାତ୍ କହି ଉଠିଲେ– ଇଏତ ଶ୍ରୀରାମଚନ୍ଦ୍ରଙ୍କ କଥା ! ଶୁଣିବା ମାତ୍ରେ ଶ୍ରୀଶ୍ରୀଠାକୁର କଥା ବନ୍ଦ କରିଦେଇ ଅନ୍ୟ ପ୍ରସଙ୍ଗକୁ ଚାଲିଗଲେ; କାରଣ ସେ ନିଜକୁ ଧରାପକାଇବାକୁ ଚାହିଁଲେ ନାହିଁ । ଶ୍ରୀଶ୍ରୀବଡ଼ଦା ମଧ୍ୟ ଥରେ କହୁଥିଲେ– “ବ୍ରତୋପନୟନ ହେବା ପରେ ମୋର ସମସ୍ତ ପୂର୍ବଜନ୍ମର ସ୍ମୃତି ଜାଗି ଉଠିଥିଲା, ଗୋଟିଏ ଜନ୍ମରେ ମୁଁ ଥିଲି ଶଙ୍କରାଚାର୍ଯ୍ୟ…” ତା’ପରେ କଥା ବନ୍ଦ କରିଦେଲେ; ଆଉ ଯେତେ ପଚାରିଲେବି କିଛି କହିଲେ ନାହିଁ ।
ଇଏତ ଗଲା ମହାପୁରୁଷମାନଙ୍କ କଥା । ସାଧାରଣ ଜୀବନରେ ମଧ୍ୟ ଦେଖାଯାଏ ଅନେକ ଲୋକ ପୂର୍ବଜନ୍ମର ସ୍ମୃତି ନେଇ ଜନ୍ମ ଗ୍ରହଣ କରନ୍ତି, ଯଦିଓ କିଛିଦିନ ମଧ୍ୟରେ ସେମାନଙ୍କର ସେହି ସ୍ମୃତି ବିଲୁପ୍ତ ହୋଇଯାଏ; ପ୍ରକୃତି ଯେପରି ନିଜର ଅନ୍ତରାଳ ଲୀଳାକୁ ଘୋଡ଼ାଇ ପକାଏ । ଏଭଳି ଜାତିସ୍ମରମାନେ ପୃଥିବୀର ନାନାସ୍ଥାନରେ ବିଭିନ୍ନ ସଂପ୍ରଦାୟମଧ୍ୟରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କୁ ନେଇ ନାନା ଯୁକ୍ତିତର୍କ ବାଦାନୁବାଦ ହୋଇଛି, କେତେ ଅନୁସନ୍ଧାନ ହୋଇଛି, କେତେ ବହି ଲେଖା ହୋଇଛି । ମନୀଷୀ ପିଥାଗୋରାସ ତାଙ୍କ ଶିଷ୍ୟମାନଙ୍କ ନିକଟରେ ପ୍ରକାଶ କରିଥିଲେ ଯେ ଗୋଟିଏ ପୂର୍ବଜନ୍ମରେ ଟ୍ରୟ ଅବରୋଧ ସମୟରେ ସେ ଜଣେ ପ୍ରସିଦ୍ଧ ଯୋଦ୍ଧା ଥିଲେ ଏବଂ ଆଉ ଏକ ଜନ୍ମରେ ଦାର୍ଶନିକ ହାରମୋଟିମାସ୍ ରୂପେ ଜନ୍ମ ହୋଇଥିଲେ । ଶ୍ରୀଯୁକ୍ତ ସୁଶୀଲ ଚନ୍ଦ୍ର ବସୁ ପେଶୋୟାର ସହରରେ ଜଣେ ପାଞ୍ଚବର୍ଷର ମୁସଲମାନ ବାଳିକାର ସନ୍ଧାନ ପାଇଥିଲେ, ଯାହାର ସମଗ୍ର କୋରାନ କଣ୍ଠସ୍ଥ ଥିଲା ଏବଂ ସେ ପବିତ୍ର କୋରାନ୍ ଶରିଫର୍ ସୁରାଗୁଡ଼ିକର ନିର୍ଭୁଲ ବ୍ୟାଖ୍ୟା କରି ପାରୁଥିଲେ । ଏକଦା ଜନୈକ ଉଚ୍ଚଶିକ୍ଷିତ ଓଡ଼ିଆ ଭଦ୍ରଲୋକ ଆମେରିକାରେ ଏରୋପ୍ଲେନରେ ଯାତ୍ରା କରିବା ସମୟରେ ଜନୈକା ଆମେରିକୀୟ ଭଦ୍ରମହିଳାଙ୍କ ସହିତ ସାକ୍ଷାତ ହୋଇଥିଲା । ସେ ତାଙ୍କୁ କହିଥିଲେ ଯେ ପୂର୍ବଜନ୍ମରେ ସେ ପୁରୀଜିଲ୍ଲା ବୀରରାମଚନ୍ଦ୍ରପୁର ଗ୍ରାମର ବାସିନ୍ଦା ଥିଲେ ଏବଂ ତାଙ୍କ ନାମ ଥିଲା ସୁଧାଙ୍ଗିନୀ ନନ୍ଦ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବାରୁ ଆତ୍ମୀୟ ସ୍ୱଜନମାନେ ତାଙ୍କୁ ଜୋରପୂର୍ବକ ଜଳନ୍ତା ଚିତାରେ ପୋଡ଼ି ମାରିଦେଇଥିଲେ । ଏହି କଥାର ସତ୍ୟାସତ୍ୟ ପରୀକ୍ଷା କରିବାନିମନ୍ତେ ଉକ୍ତ ଭଦ୍ରଲୋକ ବୀରରାମଚନ୍ଦ୍ରପୁର ଯାଇ ଅନୁସନ୍ଧାନ କରିଥିଲେ ଏବଂ ସେଠାରୁ ସଂବାଦ ପାଇ ପୁରୀ କଲେକ୍ଟର ଅଫିସରେ ରେକର୍ଡ଼ରୁମରୁ ପୁରୁଣା ନଥି ବାହାର କରି ନିଶ୍ଚିତ ହୋଇଥିଲେ ଯେ ୧୮୨୦ ମସିହାରେ ପ୍ରକୃତରେ ସୁଧାଙ୍ଗିନୀ ନନ୍ଦ ନାମକ ଜନୈକା ସଦ୍ୟ ବିଧବାଙ୍କୁ ସତୀ-ଦାହ କରାଯାଇଥିଲା । ଏତଦ୍ବ୍ୟତୀତ ଅନେକ ସମୟରେ ଦେଖାଯାଏ ଅତ୍ୟାଶ୍ଚର୍ଯ୍ୟ ଭାବରେ କେତେକ ଜାତକ ଅତି ଶୈଶବାବସ୍ଥାରୁ ଉନ୍ନତ କଳା, ସଙ୍ଗୀତବିଦ୍ୟା, ଗଣିତଶାସ୍ତ୍ର, ଚିକିତ୍ସାଶାସ୍ତ୍ର, ଧର୍ମଶାସ୍ତ୍ର ଏବଂ କ୍ରୀଡ଼ାନୈପୁଣ୍ୟର ପରିଚୟ ଦେଇଥାନ୍ତି ଯାହାକି ସେମାନେ ଇହଜନ୍ମରେ ଶିକ୍ଷା କରିବାର ଦୃଷ୍ଟାନ୍ତ ନାହିଁ । ଏଭଳି ବିସ୍ମୟକର ତଥ୍ୟଗୁଡ଼ିକର କୌଣସି କାରଣ ଆମେ ଜାଣିନାହୁଁ । କେତେକଙ୍କ ମତରେ ଏହା ଏକପ୍ରକାର ପ୍ରକୃତିର ବ୍ୟତିକ୍ରମ ଯୋଗୁ ହୋଇଥାଏ । ଏପରି ଯୁକ୍ତି ଗ୍ରହଣୀୟ ନୁହେଁ, କାରଣ ବ୍ୟତିକ୍ରମର ପଶ୍ଚାତରେ ନିଶ୍ଚିତ ଭାବରେ କୌଣସି କାରଣ ନିହିତ ଥାଏ । ଏହାର ଉତ୍ତର ମିଳିଛି ପରମଜ୍ଞାନୀ ଶ୍ରୀଶ୍ରୀଠାକୁରଙ୍କଠାରୁ । ସେ କହିଛନ୍ତି — “କେହି ଯଦି ଜୀବନରେ ଇଷ୍ଟଙ୍କଠାର ନିତ୍ୟଯୁକ୍ତ ରହିବାକୁ ଅଭ୍ୟସ୍ତ ହୁଏ, ଭିତରର ବା ବାହାରର ଚାପରେ ଇଷ୍ଟଙ୍କ ସହିତ ଯୋଗ ଯଦି କୌଣସି ପ୍ରକାରେ କେବେ ବିଚ୍ଛିନ୍ନ ନହୁଏ– ମୋର ମନେହୁଏ ତାହାର ସ୍ମୃତିବାହୀ ଚେତନା ଲାଭର ସମ୍ଭାବନା ବେଶୀ ଥାଏ, କାରଣ ତାହାର ସ୍ମୃତି-ଚେତନା ଅନ୍ତରାୟକୁ ଅତିକ୍ରମ କରି ନିରନ୍ତର ଉତ୍ସମୁଖରେ ଧାବିତ ହେବାର ଯୋଗ୍ୟତା ଅର୍ଜନ କରେ । ସେହି ଅଭ୍ୟାସ ସୁଦୃଢ଼ ହେଲେ ମୃତ୍ୟୁକୁ ଭେଦ କରି ମଧ୍ୟ ତାହାର ଧାରା ଅବିଚ୍ଛିନ୍ନ ରହିବା ଅସମ୍ଭବ ନୁହେଁ । ତେଣୁ ଦରକାର Untottering sincere tenacious responsive adherence (ଅତୁଟ ଆନ୍ତରିକ ସଦୃଢ଼ ଚେତନଶୀଳ ଅନୁରାଗ)” (ଆ:ପ୍ର: ୭/୨୬୪)
ଏହାହିଁ ଆମପାଇଁ ଏକାନ୍ତ ଆଶା ଏବଂ ଭରସାର କଥା । କାରଣ ପ୍ରେମମୟ ପ୍ରଭୁଙ୍କ ଚୁମ୍ବକୀୟ ଆକର୍ଷଣରେ ସତ୍ସଙ୍ଗୀମାନେ ତାଙ୍କ ପ୍ରତି ଅସ୍ଖଳିତ ନିଷ୍ଠା ଏବଂ ଅନୁରାଗ-ସମ୍ପନ୍ନ ହୋଇ ଉଠୁଛନ୍ତି । ପ୍ରତ୍ୟେକଙ୍କର ବୃତ୍ତି-ପ୍ରବୃତ୍ତିର ଆକର୍ଷଣକୁ ଭେଦ କରି ସମସ୍ତ ସ୍ୱାର୍ଥକୁ ଅତିକ୍ରମ କରି ତାଙ୍କୁ ଜୀବନରେ ଏକାନ୍ତ ଆପଣାର କରି ନେଇ ପାରୁଛନ୍ତି । ଏହି ଏକମୁଖୀ ଆସକ୍ତିର ସୁଦୃଢ଼ ରଜ୍ଜୁହିଁ ଆମକୁ ଚରମ ମୁହୂର୍ତ୍ତରେ ମଧ୍ୟ ଇଷ୍ଟଚେତନାରେ ସୁଦୃଢ଼ କରି ଧରି ରଖିବାର ସମ୍ଭାବନା ସୃଷ୍ଟି କରିଛି । ମୃତ୍ୟୁକାଳରେ ଯାହାର ଶ୍ରୀଶ୍ରୀଠାକୁରଙ୍କ ପ୍ରତି ପ୍ରବଳ ଅନୁରାଗ ବଳବତ୍ତର ରହିପାରିବ– ନାମ ଏବଂ ନାମୀଙ୍କୁ ସ୍ମରଣ କରି ପାରିବ ସେ ଅବଶ୍ୟ ହିଁ ତାଙ୍କ ଦୟାରୁ ମୃତ୍ୟୁର ବିସ୍ମରଣ-ପ୍ରକ୍ରିୟାକୁ ଅତିକ୍ରମ କରି ଜାତିସ୍ମରତ୍ୱ ଲାଭ କରିପାରିବ । ଶ୍ରୀଶ୍ରୀଠାକୁର ନିଜେ ହିଁ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଅନେକେ ମୃତ୍ୟୁକାଳରେ ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ତେଣୁ ସେ କହିଛନ୍ତି– ସାଧନ-ଭଜନ ଯାହାବି କର ମରଣରେ କିନ୍ତୁ ସାବଧାନ– ଅର୍ଥାତ୍ ମୃତ୍ୟୁକାଳରେ ତାଙ୍କୁ ଚେତନାରେ ରଖିବା କଥା କହିଛନ୍ତି ।
ଶ୍ରୀଶ୍ରୀଠାକୁର ଜାତିସ୍ମରତା ସମ୍ବନ୍ଧରେ ତଥ୍ୟ ଅନୁସନ୍ଧାନ କରିବା ନିମନ୍ତେ ତାଙ୍କର ପ୍ରିୟ ଭକ୍ତଶିଷ୍ୟ ଶ୍ରୀସୁଶୀଲଦା ପ୍ର.ଋ.ଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପ୍ରେରଣ କରିଥିଲେ । ସୁଶୀଲଦା ପ୍ରତ୍ୟକ୍ଷ ଭାବରେ କେତେଗୁଡ଼ିଏ ଜାତିସ୍ମର ବ୍ୟକ୍ତିଙ୍କୁ ସାକ୍ଷାତ ଏବଂ ପରୀକ୍ଷା-ନିରୀକ୍ଷା କରି ତାଙ୍କର ବିବରଣୀ ‘ଜାତିସ୍ମର-କଥା’ ନାମକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ସେହି ସମସ୍ତ ବିବରଣୀରୁ ଜଣାଯାଏ ଅଧିକାଂଶ ଜାତିସ୍ମରଙ୍କ କ୍ଷେତ୍ରରେ ସବୁଠାରୁ ବଡ଼ କଥା ଥିଲା ପ୍ରବଳ ଇଷ୍ଟନିଷ୍ଠା ଏବଂ ଇଷ୍ଟାନୁରାଗ । ସେଥିମଧ୍ୟରୁ ଜନୈକ ଜାତିସ୍ମର ଶ୍ରୀମତୀ ଶାନ୍ତିଦେବୀଙ୍କ ସମ୍ବନ୍ଧରେ ସଂକ୍ଷେପରେ କିଛି ବିବରଣୀ ଏଠାରେ ଉଲ୍ଲେଖ କରୁଛି:-
ଦିଲ୍ଲୀର ଚିରାଖାନା ମହଲ୍ଲାରେ ବାସ କରୁଥିବା ବାବୁ ରଂବାହାଦୁର ମାଥୁରଙ୍କର ୧୯୨୬ ମସିହା ଡିସେମ୍ବର ୧୧ ତାରିଖରେ କନିଷ୍ଠା କନ୍ୟା ଶାନ୍ତିଦେବୀଙ୍କର ଜନ୍ମ ହୁଏ । ଶୈଶବ ଅବସ୍ଥାରୁ ସେ ତାଙ୍କର ପୂର୍ବଜନ୍ମର କଥା କହିବାକୁ ଆରମ୍ଭ କରନ୍ତି । ସେ କହନ୍ତି ପୂର୍ବଜନ୍ମରେ ତାଙ୍କର ଘର ମଥୁରାରେ ଥିଲା ଏବଂ ତାଙ୍କର ନାମ ଥିଲା ଲୁଗଦି ଦେବୀ ଏବଂ ସ୍ୱାମୀଙ୍କ ନାମ ପଣ୍ଡିତ କେଦାରନାଥ ଚୌବେ । ମଥୁରା ସହରରେ ସେମାନଙ୍କର ଗୋଟିଏ ହଳଦିଆ ରଙ୍ଗର କୋଠାଘର ଅଛି । ସେଠାରେ ଦ୍ୱାରକାଧୀଶଙ୍କ ମନ୍ଦିର ନିକଟରେ ଚୌବେଜୀଙ୍କର ଗୋଟିଏ ଲୁଗା ଦୋକାନ ଅଛି । ତାଙ୍କ ସ୍ୱାମୀଙ୍କର ଦେହର ରଙ୍ଗ ଗୌରବର୍ଣ୍ଣ ଏବଂ ତାଙ୍କର ବାମଗାଲରେ ଗୋଟିଏ ଆଞ୍ଚୁଡ଼ା ଚିହ୍ନ ଅଛି । ବାଳିକା ଶାନ୍ତିର କଥାଗୁଡ଼ିକ କ୍ରମେ ଚାରିଆଡ଼େ ପ୍ରଚାର ହେବାରୁ ଜନସମାଜରେ ପ୍ରବଳ ଔତ୍ସୁକ୍ୟ ସୃଷ୍ଟି ହେଲା । ସେତେବେଳେ ତାହାର ବୟସ ୯ ବର୍ଷ । ଜନୈକ ଅବସରପ୍ରାପ୍ତ ପ୍ରିନ୍ସପାଲ ଲାଲା କିଷନଚାନ୍ଦ ନାମକ ବିଶିଷ୍ଟ ବ୍ୟକ୍ତି ସାକ୍ଷାତ୍ କରିବାକୁ ଆସିବାରୁ ଶାନ୍ତି ତାଙ୍କୁ ସ୍ୱାମୀଙ୍କର ନାମ-ଠିକଣା ଲେଖିଦେଲା । କିଷନଚାନ୍ଦ ସେହି ଠିକଣାରେ କେଦାରନାଥ ଚୌବେଙ୍କୁ ସମସ୍ତ କଥା ଜଣାଇ ଖଣ୍ଡିଏ ପତ୍ର ଲେଖିଲେ, କେଦାରନାଥ ବିସ୍ମିତ ହୋଇ ଏହାର ସତ୍ୟାସତ୍ୟ ନିର୍ଦ୍ଧାରଣ ନିମନ୍ତେ ତାଙ୍କର ସମ୍ପର୍କୀୟ ଭାଇ କାଞ୍ଜିମଲଙ୍କୁ ମଥୁରାରୁ ଦିଲ୍ଲୀ ପଠାଇଲେ । କାଞ୍ଜିମଲଜୀ ଦିଲ୍ଲୀ ଆସି ବାଳିକା ଶାନ୍ତିକୁ ସାକ୍ଷାତ କରିବାରୁ ସେ ସଙ୍ଗେ ସଙ୍ଗେ ତାଙ୍କୁ ନିଜର ଦେବର ବୋଲି ଚିହ୍ନି ପାରିଲା ଏବଂ ତାଙ୍କର ପୁତ୍ର ଏବେ କିପରି ଅଛି ଜାଣିବାକୁ ଚାହିଁଲା । କାଞ୍ଜିମଲଜୀ ଶାନ୍ତିକୁ ସେମାନଙ୍କ ପରିବାର ସମ୍ପର୍କିତ କେତୋଟି ପ୍ରଶ୍ନ ପଚାରିଲେ ଏବଂ ତାହାର ଯଥାଯଥ ଉତ୍ତର ପାଇ ନିଶ୍ଚିତ ହେଲେ ଯେ ଏହି ବାଳିକା ତାଙ୍କର ପୂର୍ବଜନ୍ମର ଭାଉଜ ଲୁଗଦି ଦେବୀ । ଶାନ୍ତି ତାଙ୍କୁ ଜଣାଇଲା ଯେ ତା’ର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମଦେବାର ୯ ଦିନ ପରେ ଆଗ୍ରାର ଗୋଟିଏ ହସ୍ପିଟାଲରେ ତାହାର ମୃତ୍ୟୁ ହୁଏ । ସମସ୍ତ କଥା ଅବିକଳ ମିଶି ଯିବାରୁ କାଞ୍ଜିମଲଜୀ ଅଭିଭୂତ ହୋଇପଡ଼ିଲେ ଏବଂ କେଦାରନାଥଜୀଙ୍କୁ ସମସ୍ତ କଥା ଜଣାଇ ଦିଲ୍ଲୀ ଆସି ଶାନ୍ତିକୁ ସାକ୍ଷାତ୍ କରିବାକୁ ଅନୁରୋଧ କଲେ । ତଦନୁଯାୟୀ ଇଂରାଜୀ ୧୨ ନଭେମ୍ବର ୧୯୩୫ ତାରିଖରେ କେଦାରନାଥଜୀ ତାଙ୍କର ତୃତୀୟ ପତ୍ନୀ (ଲୁଗଦୀ ଦେବୀ ତାଙ୍କର ଦ୍ୱିତୀୟ ପତ୍ନୀ ଥିଲେ) ଏବଂ ଦ୍ୱିତୀୟା ପତ୍ନୀର ପୁତ୍ର ନବଲିତ ଲାଲକୁ ନେଇ ଦିଲ୍ଲୀ ଆସିଲେ । ତାଙ୍କୁ ଦେଖିବା ମାତ୍ରେ ଶାନ୍ତି ଲାଜରେ ମୁଣ୍ଡ ଅବନତ କରି ଗୋଟିଏ ପାଖରେ ଛିଡ଼ା ହେଲା । ତାକୁ ପରୀକ୍ଷା କରିବା ପାଇଁ ଜଣେ କହିଲା– ଇଏ ତୁମର ଦେଢ଼ଶୁର । ଶାନ୍ତି ସଙ୍ଗେ ସଙ୍ଗେ କହିଲା, ନା, ଏ ମୋର ସ୍ୱାମୀ । ତା’ପରେ ସେ ଭାବବିହ୍ୱଳ ହୋଇ ପୁତ୍ର ନବନୀତ ଲାଲକୁ (ଯିଏ ତାହାଠାରୁ ବୟସରେ ବଡ଼ ଥିଲା) ଆଲିଙ୍ଗନ କରି ଜଣେ ଜନନୀର ବାତ୍ସଲ୍ୟ ଭାବ ନେଇ କାନ୍ଦିବାକୁ ଲାଗିଲା । ତତ୍ପରେ ନିଜର ମା’ଙ୍କୁ କେଦାରନାଥଙ୍କ ପାଇଁ ଆଳୁର ତରକାରୀ (ଭରେ), କାଶୀଫଳର ଶାଗ ଏବଂ ପରଟା ବନେଇ ଦେବାକୁ କହିଲା, କାରଣ ସେ ସେହି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହା ସତ୍ୟ ଜାଣି କେଦାରନାଥ ବିସ୍ମିତ ହେଲେ । ତାଙ୍କର ତୃତୀୟ ପତ୍ନୀ ପିନ୍ଧିଥିବା ଅଳଙ୍କାରଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ତାହାର (ଲୁଗଦୀ ଦେବୀଙ୍କର) ତାହା ମଧ୍ୟ ସେ ଚିହ୍ନାଇ ଦେଲା । ସେହିଦିନ ରାତିରେ ଚୌବେଜୀଙ୍କ ସହିତ ଶାନ୍ତିର ଗୋପପୀୟ କଥାବାର୍ତ୍ତା ହେଲା । ତାହାପରେ ଚୌବେଜୀ ଅଭିମତ ପ୍ରକାଶ କଲେ ଯେ– ଶାନ୍ତି ମୋତେ ଯେଉଁସବୁ କଥା କହିଛି ତାହା ମୋର ପୂର୍ବ ସ୍ତ୍ରୀ ବ୍ୟତୀତ କାହାରି ପକ୍ଷରେ ଜାଣିବା ସମ୍ଭବ ନୁହେଁ, ସୁତରାଂ ଶାନ୍ତି ହିଁ ଯେ ମୋର ପୂର୍ବ ସ୍ତ୍ରୀ ଲୁଗଦୀ ଦେବୀ ସେଥିରେ ମୋର କୌଣସି ସନ୍ଦେହ ନାହିଁ ।
ଏହାପରେ ଶାନ୍ତି ମଥୁରା ଯାଇ ଦ୍ୱାରିକାଧୀଶଙ୍କୁ ପ୍ରଣାମ କରିବାକୁ ବ୍ୟାକୁଳ ହେଲା, ଏଣେ ଏହି ସମସ୍ତ ବିବରଣୀ ସମ୍ବାଦପତ୍ରରେ ପ୍ରକାଶ ପାଇବାରୁ ଦିଲ୍ଲୀରେ ପ୍ରବଳ ଜନମତ ସୃଷ୍ଟି ହେଲା ଏବଂ ଏହାର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ୧୫ ଜଣ ବିଶିଷ୍ଟ ଲୋକଙ୍କୁ ନେଇ ଗୋଟିଏ କମିଟି ଗଠନ କରାଗଲା । ଉକ୍ତ କମିଟି ନଭେମ୍ବର ୨୪, ୧୯୩୫ ଦିନ ଶାନ୍ତି, ତାହାର ଏ ଜନ୍ମର ପିତାମାତାଙ୍କୁ ନେଇ ମଥୁରା ଯାତ୍ରା କଲେ । ଟ୍ରେନ୍ ମଥୁରା ଷ୍ଟେସନର ନିକଟବର୍ତ୍ତୀ ହେବାରୁ ଶାନ୍ତି ପୂର୍ବରୁ ଚିହ୍ନିଲା ଭଳି ଆନନ୍ଦରେ ପାଟି କରି ଉଠିଲା– ମଥୁରା ଆଗୈ । ଟାଙ୍ଗାବାଲାକୁ କୁହାହେଲା– ଶାନ୍ତିର କହିବା ଅନୁସାରେ ସେ ଟାଙ୍ଗା ଚଲାଇବ– ସେ ରାସ୍ତା ଚିହ୍ନି ପାରୁଛି କି ନାହିଁ ଦେଖିବା, ଆଶ୍ଚର୍ଯ୍ୟ କଥା, ପୂର୍ବରୁ ରାସ୍ତା ଚିହ୍ନିଲା ପରି ସେ ରାସ୍ତା କଢ଼େଇ ଟାଙ୍ଗାବାଲାକୁ ତାହାର ପୂର୍ବ ସ୍ୱାମୀଙ୍କ ଘରକୁ ନେଇଗଲା । ପଥମଧ୍ୟରେ ଦ୍ୱାରକାଧୀଶଙ୍କ ମନ୍ଦିର, ହୋଲି ଦରୱାଜା ସବୁକିଛି ପୂର୍ବ ପରିଚିତ ଭଳି ଚିହ୍ନାଇ ଦେଲା । ଘର ଚିହ୍ନି ଘରଭିତରକୁ ପ୍ରବେଶ କଲାଏବଂ ଅଗଣାର ଗୋଟିଏ କୂଅରେ ସେ ପୂର୍ବଜନ୍ମରେ ସ୍ନାନ କରୁଥିଲା ବୋଲି କହିଲା । ସେଠାରେ କୂଅ ନ ଥିଲା, କିନ୍ତୁ ପଥର ଉଠାଇ ଦେଖାଗଲା ପ୍ରକୃତରେ କୂଅଟିକୁ ପୋତି ଦିଆଯାଇଛି । ପରେ ତାହାକୁ ଘରର ପାଇଖାନା କେଉଁଠି ଅଛି ବୋଲି ପ୍ରଶ୍ନ ହେବାରୁ ତାହା ମଧ୍ୟ ଦେଖାଇ ଦେଲା । ନିଜର ଶାଢ଼ୀ ଏବଂ ଲୁଗାପଟା କେଉଁଠି ଅଛି ତାହାବି ସେ ବାହାର କଲା । ନିଜର ଶୋଇବା ଘରେ ଖଟପାଖରେ ଗାତ ଖୋଳି ଗୋଟିଏ ଡ଼ବାରେ ଦ୍ୱାରକାଧୀଶଙ୍କୁ ନିବେଦନ କରିବା ପାଇଁ ଟଙ୍କା ପୋତି ରଖିଛି ବୋଲି କହିବାରୁ ସେ ସ୍ଥାନ ଖୋଳାହୋଇ ଡବାଟି ବାହାରିଲା, କିନ୍ତୁ ସେଥିରେ ଟଙ୍କା ନ ଥିଲା । ସ୍ୱାମୀ କେଦାରନାଥଜୀ କହିଲେ, ମୁଁ ସେ ଟଙ୍କାତକ ବାହାର କରିନେଇଛି । ସେତେବେଳକୁ ମଥୁରା ସହରରେ କେଦାରନାଥଙ୍କ ଘର ଚାରିପଟରେ ହଜାର ହଜାର ଲୋକଙ୍କ ଭିଡ଼ । ସେହି ଭିଡ଼ମଧ୍ୟରେ ଶାନ୍ତି ନିଜର ଦେଢ଼ଶୁର ପଗଡ଼ିପରିହିତ ବାବୁରାମ ଚୌବେ, ଶ୍ୱଶୁର ମହାଦେବ ଚୌବେ, ଖୁଡ଼ୁତାଶୁର ବନମାଳି ଚୌବେ ପ୍ରଭୃତିଙ୍କୁ ଚିହ୍ନି ପ୍ରଣାମ କଲା । ତାହାର ଇଚ୍ଛାକ୍ରମେ ତାକୁ ଯମୁନାନଦୀକୁ ସ୍ନାନ କରିବାକୁ ନିଆହେଲା । ହଠାତ୍ ଗୋଟିଏ ଘର ନିକଟରେ ଅଟକିଯାଇ କହିଲା, ଏହା ମୋର ବାପାମା’ଙ୍କର ଘର– ସେହି ଘର ଭିତରକୁ ପଶିଯାଇ ନିଜର ପୂର୍ବଜନ୍ମର ମା’ଙ୍କୁ ଦେଖି କୁଣ୍ଢାଇ ପକାଇଲା । ସେ ମଧ୍ୟ ଶାନ୍ତିକୁ କୋଳରେ ଧରି କାନ୍ଦିବାକୁ ଲାଗିଲେ। ବାପା-ଙ୍କ ଆଖିରୁ ଧାର ଧାର ଅଶ୍ରୁ ବୋହୁଛି । ସେଠାରେ ଶାନ୍ତି ନିଜର ପୂର୍ବ ପିତା ଚତୁର୍ଭୁଜ ଚୌବେ, ଭ୍ରାତା ମଥୁରାନାଥ, ବିଠଲନାଥ ଏବଂ ଅଯୋଧ୍ୟାନାଥଙ୍କୁ ମଧ୍ୟ ଚିହ୍ନିଲା । ସମଗ୍ର ପରିବେଶ ଦୁଃଖଭାରାକ୍ରାନ୍ତ ହୋଇ ଉଠିଲା । ଅନେକେ କହିଲେ– “ପୂର୍ବଜନ୍ମର କଥା ମନେ ନ ରହିବା ହିଁ ବୋଧହୁଏ ଭଲ ।” ଶାନ୍ତିର ଜାତିସ୍ମରତ୍ୱକୁ ନେଇ ଏତେ ଆଲୋଡ଼ନ ସୃଷ୍ଟିହୋଇଥିଲା ଯେ ଦେଶବରେଣ୍ୟ ନେତା ମହାତ୍ମା ଗାନ୍ଧୀ ମଧ୍ୟ ଏଥିରେ ଆକୃଷ୍ଟ ହୋଇ ଶାନ୍ତିକୁ ନାନା ପ୍ରଶ୍ନ ପଚାରିଥିଲେ ।
ଶାନ୍ତିର ଜାତିସ୍ମରତ୍ୱର ସତ୍ୟାସତ୍ୟ ପରୀକ୍ଷା କରିବା ଉଦ୍ଦେଶ୍ୟରେ ସୁଶୀଲଦା ଶାନ୍ତିକୁ ଅନେକ ପ୍ରଶ୍ନ ପଚାରିଥିଲେ । ସେଥିରୁ ମାନବାତ୍ମାର ମରଣୋତ୍ତର ଅବସ୍ଥା ସମ୍ବନ୍ଧରେ ଅନେକ ମୂଲ୍ୟବାନ ତତ୍ତ୍ୱର ସନ୍ଧାନ ମିଳିଛି । ସେହି ପ୍ରଶ୍ନୋତ୍ତରଗୁଡ଼ିକରୁ କିୟଦଂଶ ଏଠାରେ ଉଲ୍ଲେଖ କରୁଛି ।
ପ୍ର: ମୃତ୍ୟୁ ସମୟରେ ତୁମର କିପରି ବୋଧ ହୋଇଥିଲା ତାହା ମନେ ଅଛି କି?
ଉ: ହଁ, ଠିକ୍ ମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ଗଭୀର ଅନ୍ଧକାର ଅନୁଭବ କଲି, ତାହା ପରେ ଉଜ୍ଜ୍ୱଳ ଜ୍ୟୋତିଃ ଦେଖିବାକୁ ପାଇଲି ଏବଂ ସଙ୍ଗେ ସଙ୍ଗେ ମୁଁ ଅନୁଭବ କଲି ଯେ, ଧୂଆଁ ଭଳି ହୋଇ ମୁଁ ମୋର ଶରୀରରୁ ବାହାରି ଆସିଲି ଏବଂ ଊଦ୍ଧ୍ୱର୍କୁ ଉଠିବାକୁ ଲାଗିଲି ।
ପ୍ର: ତା’ ପରେ କ’ଣ ହେଲା?
ଉ: ତାହାପରେ ଦେଖିଲି ଯେ ଚାରିଜଣ ପିଲା, ଅର୍ଥାତ୍ ଗେରୁଆ ପରିଚ୍ଛଦର ଲୋକ ମୋତେ ନେବାକୁ ଆସିଲେ ।
ପ୍ର: ଯେଉଁ ଚାରିଜଣ ତୁମକୁ ନେଇ ଯାଇଥିଲେ କହୁଛ— ସେମାନେ କି ତୁମକୁ ଧରି ନେଇ ଯାଉଥିଲେ?
ଉ: ସେ ଚାରିଜଣ ଲୋକ ମୋତେ ଗୋଟିଏ କଟରା (ତାଟିଆ) ଭଳି ଜିନିଷ ଉପରେ ବସାଇ ନେଇଚାଲିଲେ ।
ପ୍ର: ସେମାନେ ତୁମକୁ ନେଇ କେଉଁଠାକୁ ଗଲେ?
ଉ: ସେମାନେ ମୋତେ ନେଇ ପ୍ରଥମ ପ୍ରକାଶ ଅର୍ଥାତ୍ ପ୍ରଥମ ସ୍ତରକୁ ଗଲେ ।
ପ୍ର: ତାହାପରେ କ’ଣ ହେଲା?
ଉ: ପ୍ରଥମ ସ୍ତରରେ ଯେଉଁମାନେ ଥିଲେ ସେମାନେ କହିଲେ– ଏହାଙ୍କ ସ୍ଥାନ ଆହୁରି ଊର୍ଦ୍ଧ୍ବରେ।
ପ୍ର: ତାହା ପରେ?
ଉ: ସେମାନେ ଏହିପରି ମୋତେ ପ୍ରଥମରୁ ଚତୁର୍ଥ ପ୍ରକାଶ ବା ସ୍ତରକୁ ନେଇଗଲେ ।
ପ୍ର: ଆଚ୍ଛା, ସେହିସବୁ ପ୍ରକାଶ ବା ସ୍ତରରେ ରହିବାପାଇଁ କୌଣସି ସ୍ଥାନ ଅଛି କି? ଯେପରି ଏଠାରେ ଅର୍ଥାତ୍ ଏଇ ପୃଥିବୀରେ ମନୁଷ୍ୟର ବାସୋପଯୋଗୀ ଗୃହାଦି ଅଛି– ଏପରି କିଛି ଅଛି କି?
ଉ: ନା, ପକ୍କାଘର ବା ଗୃହାଦି ବା ସେପରି କିଛି ସେଠାରେ ନାହିଁ । ସବୁ ବିସ୍ତୃତ ଫାଙ୍କା ମଇଦାନ– ଗୋଟିଏ ପଟ ପ୍ରବେଶ ନିମନ୍ତେ ଖୋଲା ଆଉ ତିନିଦିଗ ପାଚେରିଦ୍ୱାରା ଘେରା ।
ପ୍ର: ତୃତୀୟ ସ୍ତରରେ କ’ଣ ଦେଖିଲ?
ଉ: ତୃତୀୟ ସ୍ତରର ମଇଦାନରେ କୌଣସି ସିଂହାସନ ଦେଖିଲି ନାହିଁ, ଅନେକ ସାଧୁ ରହିଛନ୍ତି— ସ୍ତ୍ରୀ-ପୁରୁଷ ଉଭୟ- ସେମାନଙ୍କର ଆକୃତି ପୂର୍ବସ୍ତରର ଅର୍ଥାତ୍ ଦ୍ୱିତୀୟ ସ୍ତରର ଅଧିବାସୀ ଅପେକ୍ଷା ଆହୁରି ଜ୍ୟୋତିର୍ମୟ । ସେମାନେ ମଧ୍ୟ ମୋତେ ଆହୁରି ଊର୍ଦ୍ଧ୍ବ ସ୍ତରକୁ ନେଇଯିବାକୁ କହିଲେ । ତାହା ପରେ ଚତୁର୍ଥ ସ୍ତରରେ ପହଞ୍ଚି ଦେଖିଲି ଯେ, ଆହୁରି ଜ୍ୟୋତିଷ୍ମାନ ସାଧୁସନ୍ଥଗଣ ବସିଛନ୍ତି, ଆଉ ସେମାନଙ୍କ ମଧ୍ୟସ୍ଥଳରେ ଗୋଟିଏ ବିରାଟ ସିଂହାସନରେ ଦ୍ୱାରିକାଧୀଶ ଶ୍ରୀକୃଷ୍ଣ ମହାରାଜ ବିରାଜ କରୁଛନ୍ତି । ସେ ପ୍ରତ୍ୟେକଙ୍କୁ ତାହାର ପରଚା ଦେଖାଉଛନ୍ତି– ସେଥିରେ ସେମାନେ କ’ଣ କ’ଣ କରିଛନ୍ତି ଏବଂ ଭବିଷ୍ୟତରେ ସେମାନଙ୍କର ଅବସ୍ଥା କ’ଣ ହେବ ତାହା ବର୍ଣ୍ଣିତ ଅଛି ।
ପ୍ର: ଆଚ୍ଛା ଦ୍ୱାରିକାଧୀଶ ତୁମକୁ କିଛି କହିଲେ କି?
ଉ: ସେ ମୋତେ ପରଚା ଦେଖାଇ କହିଲେ ଯେ ମୋତେ ପୁନର୍ବାର ଦିଲ୍ଲୀରେ ଜନ୍ମ ଗ୍ରହଣ କରିବାକୁ ହେବ ଏବଂ ଏହାହିଁ ହେବ ମୋର ଶେଷ ଜନ୍ମ ।
ପ୍ର: ଦିଲ୍ଲୀରେ ତୁମକୁ କେଉଁଠାରେ ଜନ୍ମଗ୍ରହଣ କରିବାକୁ ହେବ ତାହା ଶ୍ରୀକୃଷ୍ଣ ମହାରାଜ କହିଥିଲେ କି?
ଉ: ହଁ, ସେ ମୋର ବର୍ତ୍ତମାନ ପିତାଜୀ ଶ୍ରୀ ରଂବାହାଦୁର ମାଥୁରଙ୍କ ନାମ ଉଲ୍ଲେଖ କରି କହିଲେ ଯେ ତୁମକୁ ତାଙ୍କର କନ୍ୟାରୂପେ ଜନ୍ମ ଗ୍ରହଣ କରିବାକୁ ହେବ ।
ପ୍ର: ତା’ପରେ କ’ଣ ହେଲା?
ଉ: ତା’ପରେ ସେହି ଚାରିଜଣ ବ୍ୟକ୍ତି ମୋତେ ଗୋଟିଏ ଉଜ୍ଜ୍ୱଳ ଚାକଚକ୍ୟମୟ ସିଡ଼ି ଭଳି ସ୍ଥାନକୁ ନେଇଯାଇ ସେଠାରେ ବସାଇଦେଲେ ।
ପ୍ର: ଆଚ୍ଛା, ଯେଉଁ ସ୍ତରରେ ତୁମେ ଥିଲ ସେଠାରେ ଚନ୍ଦ୍ର-ସୂର୍ଯ୍ୟ ଅଛି କି?
ଉ: ନା, ଚନ୍ଦ୍ର ବା ସୂର୍ଯ୍ୟ ବୋଲି କିଛି ନାହିଁ ।
ପ୍ର: ତା’ ହେଲେ ଆଲୋକ ବା ଅନ୍ଧକାର ବୋଲି ସେଠାରେ କିଛି ନାହିଁକି?
ଉ: ଅନ୍ଧକାର ବା ରାତ୍ରି ବୋଲି କିଛି ନାହିଁ । ସବୁକିଛି ଆଲୋକମୟ, ଅତି ସ୍ନିଗ୍ଧ– ପୂର୍ଣ୍ଣଚନ୍ଦ୍ରମାର ଆଲୋକ ସହିତ ତାହାର କିଛି ପରିମାଣ ତୁଳନା ହୋଇପାରେ, ସେଠାରେ all day and all night very mild, soothing enlivening light.
ପ୍ର: ଆଚ୍ଛା, ସେଠାରେ ତୁମେ କେତେକାଳ ବସିଥିଲ କହିପାରିବ କି? ସେଠାରେ ସମୟର କ’ଣ କିଛି ବୋଧ ନ ଥିଲା?
ଉ: ନା, ସେଠାରେ କେତେକାଳ ଥିଲି କହିପାରିବି ନାହିଁ, କାରଣ ସମୟର ବୋଧ ବୋଲି ସେଠାରେ କିଛି ଅନୁଭବ କରିପାରିନାହିଁ ।
ପ୍ର: ତୁମେ ଯେଉଁଠି ଥିଲ ତାହାର ଊର୍ଦ୍ଧ୍ବରେ ଆଉ କୌଣସି ସ୍ତର ଅଛିକି ନା ତାହା ତୁମର ଅନୁଭବ ବା ଲକ୍ଷ୍ୟରେ ଆସିଥିଲା କି?
ଉ: ହଁ, ମୁଁ ଲକ୍ଷ୍ୟ କରିଥିଲି ଏବଂ ଅନୁଭବ କଲି ଯେପରି ତାହାର ଊର୍ଦ୍ଧ୍ବରେ ଆହୁରି ସ୍ତର ଅଛି, ତେବେ ସେ ସମ୍ବନ୍ଧରେ ମୁଁ କିଛି କହିପାରିବି ନାହିଁ ।
ପ୍ର: ଆଚ୍ଛା, ଊର୍ଦ୍ଧ୍ବସ୍ତରରେ ତୁମେ ଯେଉଁସବୁ ସାଧୁଙ୍କ ଆତ୍ମା ଦେଖିଛ କହୁଛ, ତାହା ମଧ୍ୟରେ କୌଣସି ମୁସଲମାନ ବା ଖ୍ରୀଷ୍ଟାନ ସାଧୁଙ୍କ ଆତ୍ମା ଦେଖିଛ କି?
ଉ: ସେଠାର ତ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ ପ୍ରଭୃତି ଭେଦର କୌଣସି ଅବକାଶ ନାହିଁ, ସବୁ ହିଁ ଏକପ୍ରକାର ଶାନ୍ତ, ସମାହିତ ଭାବ, ତେବେ ମୁଁ ଚତୁର୍ଥ ସ୍ତରରେ ଦ୍ୱାରିକାନାଥଙ୍କ ସିଂହାସନ ପାଖରେ ଲମ୍ବା ଦାଢ଼ିବାଲା ଜଣକୁ ଦେଖିଛି ।
ପ୍ର: ତାହା ପରେ କ’ଣ ହେଲା?
ଉ: ସେହି ସିଡ଼ିରେ କିଛିକାଳ ଅବସ୍ଥାନ କରିବା ପରେ ମୋତେ ଗୋଟିଏ ଅନ୍ଧକାର ଘରକୁ ନିଆଗଲା । ତାହାର ଚାରିପଟରେ ନାନା ପୂତିଗନ୍ଧମୟ ଜିନିଷ, ସେଥିରୁ ଭୀଷଣ ଦୁର୍ଗନ୍ଧ ବାହାରୁଥିଲା; ତାହା ମଧ୍ୟରେ ଟିକେ ପରିଷ୍କାର ସ୍ଥାନରେ ମୋତେ ବସାଇ ଶୁଆଇ ଦିଆଗଲା।
(ମନେହୁଏ ଏହା ତାଙ୍କର ପୁନର୍ବାର ମାତୃଗର୍ଭରେ ସ୍ଥାନ ପାଇବାର ଅନୁଭୂତି)
ପ୍ର: ଆଚ୍ଛା ଚତୁର୍ଥ ସ୍ତରରେ ଯେତେବେଳେ ଥିଲ ସେତେବେଳେ ଅନ୍ୟାନ୍ୟ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଥିଲ କି? କ୍ଷୁଧାତୃଷ୍ଣା ଥିଲା କି? ନିଦ୍ରା ଥିଲା କି? ସୁଖ-ଦୁଃଖ ବୋଧ ବୋଲି କିଛି ଥିଲା କି?
ଉ: ସେହି ସ୍ତରରେ କେହି କାହା ସହିତ କଥାବାର୍ତ୍ତା କରନ୍ତି ନାହିଁ— ସମସ୍ତେ ଚୁପ୍ ହୋଇ ବସିଥାନ୍ତି । ସେଠାରେ କ୍ଷୁଧା-ତୃଷ୍ଣା-ନିଦ୍ରା କିଛି ବି ନାହିଁ । ସୁଖର ବୋଧ ବି ନାହିଁ, ଦୁଃଖର ବୋଧ ବି ନାହିଁ ।
ପ୍ର: ପୂର୍ବ ଜୀବନରେ ତୁମେ କାହାରି ପୂଜା କରୁଥିଲ କି?
ଉ: ହଁ, ଦ୍ୱାରିକାଧୀଶଙ୍କ ପୂଜା କରୁଥିଲି, ଏବେ ବି କରେ ।
ପ୍ର: ପୂର୍ବ ଜୀବନରେ ପଢ଼ାଶୁଣା କିଛି କରିଥିଲ କି?
ଉ: ହଁ, ଘରେ ଗୀତା, ରାମାୟଣ, ଉପନିଷଦ ପଢ଼ୁଥିଲି । ରାମାୟଣ ହିଁ ମୋତେ ସବୁଠାରୁ ଭଲ ଲାଗୁଥିଲା ।
ଏହାର ପରଦିନ ସୁଶୀଲଦା ଶାନ୍ତିଦେବୀଙ୍କୁ ଆହୁରି ଅନେକ ପ୍ରଶ୍ନ ପଚାରିଛନ୍ତି । ସେଥିରୁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା ।
ପ୍ର: ଗତ ଜୀବନରେ କାହାର ଚିନ୍ତା ତୁମର ମନକୁ ସର୍ବାପେକ୍ଷା ଅଧିକ ସମୟ ଅଧିକାର କରୁଥିଲା?
ଉ: ପ୍ରଥମେ ନିଜର ମାତାଙ୍କ ଚିନ୍ତା, ପରେ ଦ୍ୱାରିକାଧୀଶ ଶ୍ରୀକୃଷ୍ଣ-ମହାରାଜଙ୍କ ଚିନ୍ତା ହିଁ ମନକୁ ଅଧିକାଂଶ ସମୟରେ ଅଧିକାର କରି ରହୁଥିଲା ।
ପ୍ର: ମୃତ୍ୟୁ ସମୟରେ କ’ଣ ହେଲା? ସେ ସମୟରେ କାହାର ଚିନ୍ତା କରୁଥିଲ? ତୁମର ସ୍ୱାମୀଙ୍କ ନା ପୁତ୍ରର? ମୃତ୍ୟୁ ସମୟରେ ତୁମ ନିକଟରେ କେହି ଥିଲେ କି?
ଉ: ମୃତ୍ୟୁ ପୂର୍ବରୁ ମୁଁ ଜପ କରୁଥିଲି । ମୃତ୍ୟୁ ସମୟରେ ଦ୍ୱାରିକାଧୀଶଙ୍କ ଚିନ୍ତା ମୋ ମନ ମଧ୍ୟରେ ଉଦିତ ହୋଇଥିଲା, ମୃତ୍ୟୁ ସମୟରେ ମୋ ପାଖରେ କେହି ନ ଥିଲେ ।
ପ୍ର: ଆଚ୍ଛା, ତୁମେ କହିଛ ଯେ, ତୁମେ ଧୂଆଁ ପରି ହୋଇ ଉପରକୁ ଉଠିଗଲ । କିନ୍ତୁ ଆମେ ଯାହା ଦେଖୁ, ଶୁଣୁ, ଆଘ୍ରାଣ କରୁ, ତାହା ଇନ୍ଦ୍ରିୟଦ୍ୱାରାହିଁ କରୁ । ଆଜି ଯେଉଁ ଆଖିଦ୍ୱାରା ତୁମକୁ ଦେଖୁଛି, ଏଇ ମୁହୂର୍ତ୍ତରେ ଯଦି ମୋର ସେ ଆଖି ଅନ୍ଧ ହୋଇଯାଏ ତା’ ହେଲେ ତୁମକୁ ଆଦୌ ଦେଖିପାରିବି ନାହିଁ, ସେହିପରି ସବୁ ଇନ୍ଦ୍ରିୟ । ପୁଣି ଆମେ ଯେଉଁ ସବୁ ଚିନ୍ତା କରୁ ତାହା ସମ୍ଭବ ହୁଏ ଆମର ମସ୍ତିଷ୍କ ଅଛି ବୋଲି– ଯେଉଁ ଯେଉଁ ଛାପ ମୁଣ୍ଡରେ ପଡ଼େ, ସେହି ସମ୍ବନ୍ଧରେ ଚିନ୍ତା ଆମେ କରିପାରୁ– ତାହାଛଡ଼ା କୌଣସି ଚିନ୍ତା ହୋଇପାରେନା । ତୁମେ କହିଲ ଯେ ତୁମେ ଦେହ-ମସ୍ତିଷ୍କ-ଇନ୍ଦ୍ରିୟାଦି ବିରହିତ ହୋଇ ଧୂଆଁଭଳି ଚାଲିଗଲ, ଅଥଚ ତୁମର ଚିନ୍ତା କରିବାର ଶକ୍ତି ରହିଲା, ତୁମେ ଦେଖିପାରିଲ, ତୁମେ ଆଘ୍ରାଣ କରିପାରିଲ– ଏହା କିପରି କଥା?
ଉ: କି ପ୍ରକାରେ ଏହା ସମ୍ଭବ କହିପାରିବି ନାହିଁ, ତେବେ ଏତିକି କହିପାରେ ଯେ ସେଇ ଗ୍ୟାସିଅସ୍ ଲାଇଟ୍ ଫର୍ମରେ ଇନ୍ଦ୍ରିୟ-ମସ୍ତିଷ୍କ-ଦେହାଦି ବିରହିତ ହୋଇ ମଧ୍ୟ ଦେଖାଯାଏ, ଶୁଣାଯାଏ, ଆଘ୍ରାଣ କରାଯାଏ, ଚିନ୍ତା କରାଯାଏ। ମୁଁ ଯାହା ଅନୁଭବ କରିଛି ତାହାହିଁ କହୁଛି ।
ପ୍ର: ସେନସେସନ୍ ବିଷୟରେ ଦେହ-ଇନ୍ଦ୍ରିୟାଦି ଯୁକ୍ତ ଓ ଦେହାଦି ବିଯୁକ୍ତ ଅବସ୍ଥାରେ କୌଣସି ପାର୍ଥକ୍ୟ ଅନୁଭବ କରାଯାଏ କି?
ଉ: ହଁ, କରାଯାଏ । ସେନସେସନ୍ ଗୁଡ଼ିକ ଦେହ-ବିଯୁକ୍ତ ଅବସ୍ଥାରେ ଅନେକ Keen ହୁଏ । ଧରନ୍ତୁ, ଏହି ଘରର ଦେବାଲର ଅପର ପାର୍ଶ୍ବରେ କ’ଣ ଅଛି ମୁଁ ଏବେ ଦେଖିପାରେନା; କିନ୍ତୁ ଦେହ ଅଯୁକ୍ତ ଅବସ୍ଥାରେ ମୁଁ ଏହି ଦେବାଲର ଅପରପାର୍ଶ୍ବରେ କ’ଣ ଅଛି ତାହା ଦେଖିପାରେ, ଅର୍ଥାତ୍ ମୋର ଦୃଷ୍ଟିଶକ୍ତି ଏତେ ତୀକ୍ଷ୍ଣ ହୁଏ ଯେ, ଦେବାଲ ଭେଦକରି ମଧ୍ୟ ଅପରପାର୍ଶ୍ବରେ କ’ଣ ଅଛି ଦେଖିପାରେ— ଏହିପରି ପ୍ରତ୍ୟେକ ଇନ୍ଦ୍ରିୟ ସମ୍ପର୍କରେ ।
ଏହି ସମସ୍ତ କଥାରୁ ଗୋଟିଏ କଥା ସ୍ପଷ୍ଟ ଯେ ଶାନ୍ତିଦେବୀଙ୍କ ଜାତିସ୍ମରତ୍ୱ ଲାଭ କରିବାର ପଶ୍ଚାତ୍ପଟରେ ମୁଖ୍ୟ କାରଣ ଥିଲା– ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ଏବଂ ମୃତ୍ୟୁ ସମୟରେ ତାଙ୍କର ନାମଜପ ତଥା ତାଙ୍କର ଚିନ୍ତାର ଉଦ୍ରେକ । ଏହି ପୁଣ୍ୟବତୀ ନାରୀ ଶ୍ରଦ୍ଧେୟ ସୁଶୀଲଦାଙ୍କ ପରାମର୍ଶକ୍ରମେ ଦେଓଘର ଆସି ଶ୍ରୀଶ୍ରୀଠାକୁରଙ୍କୁ ଦର୍ଶନ-ପ୍ରଣାମ କରିଥିଲେ ଏବଂ ବାରମ୍ବାର ତାଙ୍କର ଅମିୟ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ । ଶ୍ରୀଶ୍ରୀଠାକୁର ଦୁମକା ମୁଖାର୍ଜୀ ପାର୍କରେ ଯେତେବେଳେ ସପରିବାର ଅବସ୍ଥାନ କରୁଥିଲେ ଶାନ୍ତିଦେବୀ ମଧ୍ୟ ତାଙ୍କ ସହିତ ସେଠାକୁ ଯାଇଥିଲେ । ସେହି ସମୟରେ ଗୋଟିଏ ସୁନ୍ଦର ଘଟଣା ଘଟିଲା। ଦିନେ ଶାନ୍ତିଦେବୀ ବୈଦ୍ୟନାଥଙ୍କୁ ପୂଜା ଦେବା ମାନସରେ ଉପବାସ କଲେ ଏବଂ ବିହାରର ବିଶିଷ୍ଟ କର୍ମୀ ବୈକୁଣ୍ଠପ୍ରସାଦ ସିହ୍ନାଙ୍କ ସହଧର୍ମିଣୀ ସୁଶୀଳା ମା’ଙ୍କୁ ତାଙ୍କ ସହିତ ଯିବାକୁ ଅନୁରୋଧ କଲେ । ସୁଶୀଳା ମା’ ମଧ୍ୟ ଶ୍ରୀଶ୍ରୀଠାକୁରଙ୍କ ଅନୁମତିକ୍ରମେ ଏହି ଉଦ୍ଦେଶ୍ୟରେ ଉପବାସ କରିଥାନ୍ତି । ସେମାନଙ୍କୁ ବୈଦ୍ୟନାଥ ଧାମ ପଠାଇବା ଉଦ୍ଦେଶ୍ୟରେ ଶ୍ରୀଶ୍ରୀଠାକୁର ଜଣେ କର୍ମୀଙ୍କ ମାଧ୍ୟମରେ ଫୋନ୍ କରି ଆଶ୍ରମରୁ ଗାଡ଼ି ମଗାଇଥିଲେ । କିନ୍ତୁ ଗାଡ଼ି ଆସିବାରେ ବହୁତ ବିଳମ୍ବ ହେଲା । ସାଢ଼େଦଶଟା ବାଜିଲା, ଗାଡ଼ି ଆସୁନାହିଁ। ଦୁଇଜଣ ମହିଳା ଉପବାସ ଅଛନ୍ତି; ଶ୍ରୀଶ୍ରୀଠାକୁର ବ୍ୟସ୍ତ ହୋଇ ଉଠିଲେ । ତାଙ୍କର ସ୍ନାନର ସମୟ ମଧ୍ୟ ହୋଇଆସୁଛି । ତାଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି ସୁଶୀଳା ମା’ ଏବଂ ଶାନ୍ତିଦେବୀ । ଶ୍ରୀଶ୍ରୀଠାକୁର ସହଜ କଣ୍ଠରେ କହିଲେ— “ଏଠାରେ ପୂଜା ହେବ ନାହିଁ?” ଶାନ୍ତିଦେବୀ କହିଲେ ଏଠାରେ ତ ବୈଦ୍ୟନାଥଙ୍କ ମନ୍ଦିର ନାହିଁ । ଶ୍ରୀଶ୍ରୀଠାକୁର ସହଜ ଭାବରେ ସ୍ନାନର ‘ଜଳଚୌକି’ ଉପରେ ଆସନ କରି ବସି ସ୍ନେହଳ କଣ୍ଠରେ କହିଲେ– ଫୁଲ-ଜଳ ନେଇଆସ । ସୁଶୀଳା ମା’ ଏବଂ ଶାନ୍ତିଦେବୀ ସଙ୍ଗେ ସଙ୍ଗେ ଧାଇଁଯାଇ ଫୁଲ-ବେଲପତ୍ର ଏବଂ ଘଡ଼ିରେ ପାଣି ନେଇ ଆସି ଶ୍ରୀଶ୍ରୀଠାକୁରଙ୍କ ସମ୍ମୁଖରେ ଛିଡ଼ା ହେଲେ । ଦୟାଲ ଅପରୂପ ଭଙ୍ଗିରେ ଦୁଇହାତ ପ୍ରସାରିତ ଏବଂ ଅଞ୍ଜଳିବଦ୍ଧ କରି କହିଲେ– ଦିଅ, ମୋ ହାତରେ ଢାଳିଦିଅ । ମା’ ଦୁଇଜଣ ଚମକି ଉଠିଲେ । ଭାବବିମୁଗ୍ଧ ଅନ୍ତରରେ ସେମାନେ ଶ୍ରୀଶ୍ରୀଠାକୁରଙ୍କ ହାତରେ ଫୁଲ ଓ ବେଲପତ୍ର ଅର୍ପଣ କଲେ । ଶ୍ରୀଶ୍ରୀଠାକୁର କହିଲେ– ପାଣି? ବାବା ବୈଦ୍ୟନାଥଙ୍କ ମୁଣ୍ଡରେ ଗରା ପାଣି ଢ଼ାଳିବାକୁ ହୁଏ । ସୁଶୀଳା ମା’ ଏବଂ ଶାନ୍ତିଦେବୀ ଯେପରି ଆତ୍ମବିସ୍ମୃତ ହୋଇଯାଇଛନ୍ତି । ସେମାନେ ଶ୍ରୀଶ୍ରୀଠାକୁରଙ୍କ ହାତରେ ହିଁ ପାଣି ଢ଼ାଳିଦେଲେ; ଅନୁଭବ କଲେ ଯେପରି ବୈଦ୍ୟନାଥଙ୍କ ମୁଣ୍ଡରେ ପାଣି ଢାଳୁଛନ୍ତି । ଦୟାଲ ସ୍ମିତହାସ୍ୟ କରି କହିଲେ– “ଯାଅ, ଏଥର ଖାଇନିଅ ।” ଅଶ୍ରୁବିଗଳିତ ନୟନରେ ଉଭୟେ ଦୟାଲଙ୍କ ଚରଣରେ ଆଭୂମି ପ୍ରଣାମ ଜଣାଇ ତୃପ୍ତିରେ ଉଠିଗଲେ, ସର୍ବଦେବମୟ ପ୍ରଭୁଙ୍କ କୃପାରୁ ସେହି ଦୁମକାରେ ହିଁ ସେମାନେ ବୈଦ୍ୟନାଥଙ୍କୁ ପୂଜା କରିବାର ତୃପ୍ତି ଏବଂ ସୌଭାଗ୍ୟ ଲାଭ କଲେ, “ତସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ । ପ୍ରୀତେ ପ୍ରୀତେ ଜଗତ୍ ।”
(ପୁରୁଷୋତ୍ତମ ପ୍ରସଙ୍ଗେ–ଶ୍ରୀ ଶୈଳେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ପୃଷ୍ଠା-୨୮୫/୨୮୬) ।
ସଂକଳକ– ଶ୍ରୀ ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ମୋ- ୯୪୩୭୨୮୭୯୬୪