ଦିବ୍ୟ ଆଶୀର୍ବାଣୀ : ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା

ଭର୍ଚ୍ଚୁଆଲ୍ ଋତ୍ବିକ ସମ୍ମିଳନୀରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଆଶୀର୍ବଚନ

ଜୟଗୁରୁ! ଆମ୍ଭେମାନେ କରୋନାରୁ ମୁକ୍ତି ପାଇଁ ବିଚ୍ଛିନ୍ନ ଜୀବନଯାପନ କରୁଛେ, ଆପଣମାନଙ୍କର ଏଠାକୁ ଆସିବା ସମ୍ଭବ ନୁହେଁ, ମୁଁ ଆପଣମାନଙ୍କୁ କାହାକୁ ଦେଖିପାରୁ ନାହିଁ। ଆପଣମାନେ ମଧ୍ୟ ଆମ୍ଭମାନଙ୍କୁ ଦେଖିପାରୁ ନାହାନ୍ତି, ଏହିଭଳି ଭାବେ ଦିନ କଟିଚାଲିଛି। ବୟସ ବଢ଼ିଯାଇଛି, ମଝିରେ ମଝିରେ ନ ଦେଖାହେବା ଯୋଗୁ ଖୁବ୍ ଖରାପ ଲାଗୁଛି, ମନେହୁଏ ଯଦି ଦେଖା ନ ହୁଏ। ଯାହାହେଉ, ସମସ୍ତେ ଭଲରେ ରହିବେ, ସୁଖରେ, ଆନନ୍ଦରେ ଭରପୂର ହୋଇ ଈଶ୍ୱରଙ୍କର ନାମ ସ୍ମରଣ କରି କରି, ପ୍ରଭୁର ସେବା କରି କରି, ସମସ୍ତଙ୍କୁ ନେଇ ଦିନ କାଟିବେ।

ଗୋଟିଏ ମହାମାରୀ ଚାଲିଛି। ବିଶେଷ ଭାବରେ ଯେଉଁମାନେ ଛୋଟ ପିଲା, ଯେଉଁମାନେ ବୃଦ୍ଧ, ସେମାନଙ୍କ ପକ୍ଷରେ ଏହି ରୋଗ ଅତ୍ୟନ୍ତ ଭୟାବହ, ଯେପରି କାହାର ସଂକ୍ରମଣ ନ ହୁଏ। ତେଣୁ ପରସ୍ପର ଦୂରତ୍ୱ ବଜାୟ ରଖି ବାସ କରିବେ, ସେ ଦିଗ ପ୍ରତି ସମସ୍ତେ ଖିଆଲ ରଖିବେ। ଏହା ଆମର ଆପଣମାନଙ୍କୁ ଅନୁରୋଧ। ଦିନ ସମାନଭାବରେ ଯାଏ ନାହିଁ। ଏ ମହାମାରୀ ନ ଥିଲା, ଏବେ ଆସିଛି, ପୁଣି ଏହି ମେଘ ଦିନେ ଚାଲିଯିବ, ସେତେବେଳେ ଯେଉଁସବୁ କାମ ଏତେଦିନ ଧରି ଆମ୍ଭମାନଙ୍କ ପକ୍ଷରେ କରିବା ସମ୍ଭବ ହୋଇନାହିଁ, ତାହା କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ। ଯାହାଦ୍ୱାରା ପ୍ରଭୁର ସେବା ଆମ୍ଭେମାନେ ଠିକ୍ ଭାବରେ କରିପାରୁ। କୌଣସି ଅଶୁଭ ଶକ୍ତି ଆମ୍ଭମାନଙ୍କୁ ବ୍ୟାହତ କରି ନ ପାରୁ।

ଦୟାଲ ଠାକୁରଙ୍କର କେତେଗୁଡିଏ ଉପଦେଶ ବାଣୀ ସ୍ୱାସ୍ଥ୍ୟ ଓ ସଦାଚାର ସୂତ୍ର ବୋଲି ଏକ ଛୋଟ ବହିଟିରେ ଅଛି। ସେଥିରେ ଇଙ୍ଗିତ ଅଛି କିପରି ଭାବରେ ଚଳିଲେ ସଂକ୍ରମଣ ହାତରୁ ରକ୍ଷା ପାଇଯାଇପାରିବା। ମୂଳକଥା ହେଉଛି– ଆମ୍ଭେ ଏବେକାର ଭାଷାରେ ଯାହାକୁ କହୁଛେ ସୋସିଆଲ୍ ଡିଷ୍ଟାନ୍ସିଂ। ରୋଗୀ ହିଁ ଆପଣଙ୍କର, ପରମ ଆପଣାର, ରୋଗ କିନ୍ତୁ ନୁହେଁ। ରୋଗଠାରୁ ନିଜକୁ ଦୂରରେ ରଖନ୍ତୁ, ଆଉ ରୋଗୀକୁ; ଯିଏ ରୋଗଗ୍ରସ୍ତ ତାକୁ ସୁସ୍ଥ କରିବାପାଇଁ ଆପ୍ରାଣ ଚେଷ୍ଟା କରନ୍ତୁ। ଏହି ଜୀବନକୁ ରକ୍ଷା କରିବା ହିଁ ଜୀବନସାଧନା।

ସମସ୍ତେ ଠାକୁରଙ୍କ ଚରଣରେ ବାସ କରନ୍ତୁ, ତାଙ୍କର ସେବା କରନ୍ତୁ, ତାଙ୍କର ଅନୁସରଣ କରନ୍ତୁ ଏବଂ ଜୀବନକୁ ସାର୍ଥକ କରି ତୋଳନ୍ତୁ। ଆଉ ମଣିଷକୁ ଉନ୍ନତତର ଜୀବନର ଅଧିକାରୀ କରି ତୋଳନ୍ତୁ। ଆପଣମାନେ ଭଲରେ ଥାଆନ୍ତୁ। ପୁଣି ସେହିଦିନ ଆସୁ ଯେଉଁଦିନ ଆମ୍ଭେମାନେ ଶ୍ରୀଶ୍ରୀଠାକୁରଙ୍କ ଚରଣତଳେ ଏକତ୍ର ହେବା, ସେହି ସୁଦିନର ଅପେକ୍ଷାରେ ମୁଁ ଅଛି ଏବଂ ପ୍ରାର୍ଥନା କରେ ସେଦିନ ଯେତେଶୀଘ୍ର ସମ୍ଭବ ଆସିବ ସେତେ ମଙ୍ଗଳ। ଆପଣମାନେ ମଧ୍ୟ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ମୁଁ ମଧ୍ୟ କରୁଛି ଯେ ସେହିଦିନ ଅଚିରେ ଫେରିଆସୁ। ପରମ ଶାନ୍ତି, ସ୍ୱସ୍ତି, ସ୍ୱାସ୍ଥ୍ୟ ଆପଣମାନଙ୍କର ଏହିପରି ରହିଥାଉ। ଏହାହିଁ ତାଙ୍କ ଚରଣରେ ମୋର ଏକାନ୍ତ ପ୍ରାର୍ଥନା।
ବନ୍ଦେ ପୁରୁଷୋତ୍ତମମ୍।

You might also like