ଶ୍ରୀଶ୍ରୀଠାକୁରଙ୍କ ବାଣୀ
ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର
ପଂକ୍ତି-ଭୋଜନ ନ କରିବା ହିଁ ଭଲ,
ଯଦି ବି କେଉଁଠି କରିବାକୁ ହୁଏ—
ଏତେଟା ଦୂରତ୍ୱ ଅବଲମ୍ବନ କରିବା ଉଚିତ
ଯାହାଦ୍ୱାରା ଅନ୍ୟର ଛିଙ୍କ, କାଶ, ଛେପ
ତୁମ ଭିତରେ ପରିବେଷିତ ନ ହୁଏ;
ସବୁ ସମୟରେ ହିଁ
ସଦାଚାରର ସାର୍ଥକ ବ୍ୟବହାରରେ
ଯେତେ ହିଁ ଦକ୍ଷ ହୋଇ ଉଠିବ—
ଦୁଷ୍ଟ ଆକ୍ରମଣର ହାତ ମଧ୍ୟ
ସେତେହିଁ ଏଡ଼ାଇ ଚାଲି ପାରିବ,
ଭାତ ହିଁ ହେଉ, ଲୁଚି ହିଁ ହେଉ–
ଡାଲି-ତରକାରୀ ଯାହାବି ହେଉ–
ନାକରେ, ମୁହଁରେ, ଗୁହ୍ୟ ଦେଶରେ
ବା ଶରୀରରେ ହାତ ଦେଇ
କାହାରିକୁ କିଛି ଜିନିଷ ଦେବାକୁ ଯାଅ ନାହିଁ;
ସେଥିରେ ହୁଏତ ଅନ୍ୟର କ୍ଷତି ହୋଇପାରେ,
ଆଉ, ସେ କ୍ଷତି
ତୁମଠାରେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା
ଢ଼େର୍ ବେଶୀ;
ନିଜର ବିଛଣା, ଲୁଗା, ତକିଆ ଇତ୍ୟାଦି
ନିଜେହିଁ ବ୍ୟବହାର କର,
ଅନ୍ୟ କେହି ବ୍ୟବହାର କରିବାକୁ ହେଲେ
ତୁମର ଅବ୍ୟବହୃତ ଜିନିଷ ହିଁ ଦିଅ,
ଏବଂ ପରେ ତାହା ଉପଯୁକ୍ତ ଭାବରେ
ପରିଷ୍କାର-ପରିଚ୍ଛନ୍ନ କରି ରଖ,
ଅନ୍ୟର ବାସନ ବ୍ୟବହାର ନ କରିବା ହିଁ ଭଲ—
କରିଲେ ମଧ୍ୟ ଉପଯୁକ୍ତ ଭାବରେ ପରିଶୁଦ୍ଧ କରି,
ବ୍ୟାଧିମୁକ୍ତ ନିକଟ-ଗୁରୁଜନଙ୍କ ଛଡ଼ା
କାହାରି ଅଇଁଠା ପାତ୍ରରେ ଖାଇବା ଠିକ୍ ନୁହେଁ,
ଏଗୁଡ଼ିକ ଛୋଟ ଜିନିଷ ହେଲେ ମଧ୍ୟ
ଅସତର୍କ ଚଳନରେ ଚାଲିଲେ
ଅନେକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା;
ଖାଇବା ସମୟରେ ଏଭଳି ଶବ୍ଦ, ଭଙ୍ଗୀ
ବା ରକମ କର ନାହିଁ—
ଯେଉଁଥିରେ ଅନ୍ୟର ବିରକ୍ତି ବା ଘୃଣା
ଉତ୍ପାଦିତ ହୋଇପାରେ,
ଗୋଟିଏ ହାତରେ ଖାଉଛ, ଅନ୍ୟ ହାତରେ ଶିଙ୍ଘାଣି ପୋଛୁଚ–
ତାହା କିନ୍ତୁ ଭଲ ନୁହେଁ,
ସେଥିରେ ଅନ୍ୟର ଘୃଣା ତ ହୋଇପାରେ
ନିଜର ମଧ୍ୟ ଖରାପ ହୋଇପାରେ,
ଶିଙ୍ଘାଣି ଯଦି ପୋଛିବାକୁ ହୁଏ—
ନିକଟରେ ଏପରି
ବ୍ୟବହାରୋପଯୋଗୀ ପରିଷ୍କାର କପଡ଼ା ବା କିଛି ରଖ,
ଯେଉଁଥିରେ ଶିଙ୍ଘାଣି ପୋଛି
ହାତ ଧୋଇ
ତୁମେ ଖାଦ୍ୟବସ୍ତୁ ଗ୍ରହଣ କରିପାର,—
ଏହା ମନ୍ଦର ଭଲ,
ଆଉ ଅଭ୍ୟାସ ଥିଲେ
ନିଜେ ନିଜେ ଏକା-ଏକା ଖାଇବାହିଁ ଉଚିତ;
ଛୋଟ କଥା ହେଲେ ମଧ୍ୟ,
ମାନି ଯଦି ଚଳିପାର,
ଅନେକ ସ୍ୱସ୍ତି ଲାଭ କରି ପାରିବ ଆଶା କରେ,
ପୁଣି ସବୁ ସମୟରେ ହିଁ ଲକ୍ଷ୍ୟ ରଖ—
ଶରୀରର ପ୍ରତିଷେଧୀ ଶକ୍ତି
ଯେଉଁଥିରେ ସମ୍ବର୍ଦ୍ଧିତ ହୋଇଉଠେ,
ଏବଂ ତାହା ବେଶୀ ହେଲେ
ଟିକେ-ଅଧେ ଗୋଳମାଳ ହେଲେବି
ରକ୍ଷା ପାଇ ପାର।
(ସ୍ୱାସ୍ଥ୍ୟ ଓ ସଦାଚାର-ସୂତ୍ର ବାଣୀସଂଖ୍ୟା-୮୮)