ଚିନ୍ତା ଓ ଚେତନାଠାରୁ ଊର୍ଦ୍ଧ୍ବରେ ସେ, କେବଳ ଭକ୍ତି ଓ ବିଶ୍ୱାସ ଭିତରଦେଇ ତାଙ୍କୁ ବୁଝିହୁଏ
ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା ସେତେବେଳେ ଗୌହାଟୀ ସତସଙ୍ଗ ବିହାରରେ ଅବସ୍ଥାନ କରୁଥାନ୍ତି ତାଙ୍କରି ନିର୍ଦ୍ଦେଶରେ ଶିଲଂ ମନ୍ଦିରର କେତେକ ନୂତନ କାର୍ଯ୍ୟ ଚାଲୁଥାଏ। ଅର୍ଥ ସଂକଟରେ ପଡି କର୍ମକର୍ତ୍ତାମାନେ ମନ୍ଦିର କାର୍ଯ୍ୟ ଦ୍ରୁତଗତିରେ କରିପାରୁ ନ ଥାନ୍ତି। ସେମାନଙ୍କର ଅର୍ଥ ସଙ୍କଟ ଦୂର କରିବା ପାଇଁ ଶ୍ରୀଶ୍ରୀଦାଦା ନିଜେ କିଛି ଅର୍ଥ ସଂଗ୍ରହ କରିବା କଥା ଭାବିଥାନ୍ତି। ଏହି ଉଦ୍ଦେଶ୍ୟରେ କେତେବେଳେ କାମିନୀ ଦା (ଡେକା) ତ କେତେବେଳେ ପ୍ରଦୀପଦାଙ୍କୁ ସଙ୍ଗରେ ନେଇ ଆଉ କେତେବେଳେ ଗାଡି ନେଇ ଏକାକୀ ଗୌହାଟି ସହର ପରିକ୍ରମା କରନ୍ତି। କାଳେ କେତେବେଳେ କାହା ସହିତ ଦେଖାହୋଇଯିବ? ଦିନେ ରତ୍ନେଶ୍ୱର ଚୈରଣଦା ସନ୍ଧ୍ୟା ପରେ ବାଇକ୍ ଯୋଗେ ଜୁ-ନାରୋଙ୍ଗୀ ରୋଡ ଦେଇ ସିନେମା ଦେଖିବାକୁ ଯାଉଥାନ୍ତି, ଅପରପାଶ୍ୱର୍ରୁ ଶ୍ରୀଶ୍ରୀଦାଦା ଆସୁଥାନ୍ତି। ଗାଡି ଆଲୋକରେ ରତ୍ନେଶ୍ୱରଦାଙ୍କୁ ଦେଖି ଗାଡି ବନ୍ଦ କରି ପଚାରିଲେ- ରତ୍ନେଶ୍ୱରଦା! କୁଆଡେ ଯାଉଛନ୍ତି? ରତ୍ନେଶ୍ୱରଦା କହିଲେ ଏମିତି ବୁଲୁଛି। ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଦାଦା ପୁଣି କହିଲେ- ଆପଣଙ୍କ ପାଖରେ ଟଙ୍କା ଅଛି? ରତ୍ନେଶ୍ୱରଦା କହିଲେ- ଆଜ୍ଞା, ୩୦ଟଙ୍କା ଅଛି। ଶ୍ରୀଶ୍ରୀ ଦାଦା କହିଲେ ୩୦ ଟଙ୍କା ନେଇ କ’ଣ ହେବ? ଆପଣ ଏଇନେ ଏକ ହଜାର ଟଙ୍କା ନେଇ ଆସନ୍ତୁ। ରତ୍ନେଶ୍ୱରଦା କହିଲେ ବର୍ତ୍ତମାନ ମୁଁ ଏକହଜାର ଟଙ୍କା କେଉଁଠୁ ପାଇବି? ଆସନ୍ତାକାଲି ଘରୁ ନେଇ ଆସିବି। ଶ୍ରୀଶ୍ରୀ ଦାଦା କହିଲେ- କାଲି ହେବନି? ଆଜି ରାତ୍ରି ମଧ୍ୟରେ ମୋର ଦରକାରରେ ଲାଗିବ, ଯେଉଁଠୁ ପାରିବେ ନେଇ ଆସନ୍ତୁ। ରତ୍ନେଶ୍ୱରଦା ନିରୁପାୟ ହୋଇ ପୂଜ୍ୟପାଦ ଦାଦାଙ୍କ ମୁହଁ ଚାହିଁ କହିଲେ- ଆଜ୍ଞା! ଆପଣ ବତାଇ ଦିଅନ୍ତୁ କେଉଁଠିକି ଗଲେ ଟଙ୍କା ପାଇବି? ତେଣୁ ଶ୍ରୀଶ୍ରୀଦାଦା କହିଲେ ଆପଣ, ଯୋଗେନ୍ କଲିତାଦାର ଘରକୁ ଯାଆନ୍ତୁ, ପ୍ରଥମେ ଯୋଗେନ୍ ଦାଙ୍କ ପାଖରୁ ଚାହିଁବେ। ଯଦି ଯୋଗେନଦାଙ୍କ ପାଖରେ ନଥାଏ, ତା ହେଲେ ତାଙ୍କ ସ୍ତ୍ରୀଙ୍କୁ ମାଗିବେ ଏବଂ କହିବେ ମୁଁ କହିଛି। ତାଙ୍କ ଟ୍ରଙ୍କ ମଧ୍ୟରେ ଗୋଟିଏ କପଡା ମଧ୍ୟରେ ଏକହଜାର ଟଙ୍କା ଅଛି। ସେଇ ଟଙ୍କା ମୁଁ ଚାହିଁଛି।
ରତ୍ନେଶ୍ୱରଦା ସଙ୍ଗେ ସଙ୍ଗେ ବାଇକ୍ ଯୋଗେ ଯୋଗେନଦାଙ୍କ ଘରକୁ ଗଲେ, ଯୋଗେନ୍ଦା ବେଶ୍ କିଛିଦିନ ଧରି ଅସୁସ୍ଥ ଥିଲେ। ଏଇନେ ଟିକେ ସୁସ୍ଥ ହୋଇ ଉଠିଛନ୍ତି। କଥା ପ୍ରସଙ୍ଗରେ ରତ୍ନେଶ୍ୱରଦା ଦାଦାଙ୍କ ଆଶୀର୍ବାଦର କଥାଟି କହିଲେ, ଯୋଗେନଦାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଯାଇଛି, ତାଙ୍କ ପାଖରେ ସାମାନ୍ୟ କିଛି ଟଙ୍କା ଅଛି ବୋଲି କହିଲେ- ପୁଣି ଏଇ ରାତିରେ ଅନ୍ୟ କୌଣସି ଗୁରୁଭାଇଙ୍କ ଘରକୁ ଯାଇ ଟଙ୍କା ସଂଗ୍ରହ କରି ଆଣିଦେବେ, ସେପରି ଶାରୀରିକ କ୍ଷମତା ମଧ୍ୟ ନାହିଁ। ତେଣୁ ରତ୍ନେଶ୍ୱରଦା ଯୋଗେନ୍ଦାଙ୍କ ସ୍ତ୍ରୀଙ୍କୁ ଡାକିଦେବାକୁ କହିଲେ। ଯୋଗେନଦାଙ୍କ ସ୍ତ୍ରୀ ରୋଷେଇ ଘରୁ ବାହାରି ଆସନ୍ତେ ରତ୍ନେଶ୍ୱର ଶ୍ରୀଶ୍ରୀଦାଦା କହିଥିବା କଥା କହିଲେ, କଥାଟା ଶୁଣିବାମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ- ଟ୍ରଙ୍କ ଭିତରେ ଅନେକ ଦିନ ଆଗରୁ ଏକ ହଜାର ଟଙ୍କା ମୁଁ ରଖିଛି ହେଲେ, ଏକଥା ମୋ ସ୍ୱାମୀ ମଧ୍ୟ ଜାଣିନାହାନ୍ତି। ଅଥଚ ଶ୍ରୀଶ୍ରୀଦାଦା କିପରି ଜାଣିଲେ? ପରମ ବିସ୍ମୟର ସହିତ ଟ୍ରଙ୍କ ମଧ୍ୟରୁ ଏକ ହଜାର ଟଙ୍କା ବାହାର କରି ରତ୍ନେଶ୍ୱରଦାଙ୍କ ହାତରେ ଦେଲେ।
ମନ ମଧ୍ୟରେ ଅନୁରଣିତ ହେଉଥିଲା ଗୋଟିଏ କଥା, ଏକ୍ସରେ ମେସିନ୍ କେବଳ ମଣିଷ ଶରୀର ଭିତରର ଛବି ତୋଳିପାରେ। କଥା ପ୍ରସଙ୍ଗରେ ସେଦିନ ଗୌହାଟି ମନ୍ଦିରରେ ଭକ୍ତଜନ ପରିବେଷ୍ଟିତ ହୋଇ ବସିଥିବା ବେଳେ ଶ୍ରୀଶ୍ରୀଦାଦାଙ୍କ ମୁଖରୁ ଝରିପଡିଥିଲା ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ “ଶ୍ରୀଶ୍ରୀଠାକୁର ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଗୋଟିଏ ଯାଗାରେ ବସି ଦେଖିପାରନ୍ତି, ବାବା ଗ୍ରହଗ୍ରହାନ୍ତର ସବୁକିଛି ଦେଖିପାରନ୍ତି, ଆଉ ମୁଁ ଅନ୍ତତଃ ପଚିଶି ହଜାର ମାଇଲ ପର୍ଯ୍ୟନ୍ତ (ଅର୍ଥାତ୍ ପୃଥିବୀଟାକୁ) ଦେଖିପାରେ।
XXXXXX XXXXXXX XXXXXXX
ଆଉ ଦିନକର ଘଟଣା। ଦେବବ୍ରତ ଶର୍ମା ଭାଇ ଧୂବଡୀରେ ଚାକିରି କରୁଥିଲା ବେଳେ ଗୁରୁଭାଇ ଭଦ୍ରେଶ୍ୱର ଦାସ ଭାଇଙ୍କ ସହ ପରିଚୟ ହୁଏ। ଭଦ୍ରେଶ୍ୱର ଭାଇ ବହୁ ଇଷ୍ଟପ୍ରାଣ, ସବୁବେଳେ ଶ୍ରୀଶ୍ରୀଠାକୁରଙ୍କ କାମରେ ଲାଗି ରହିଥାନ୍ତି। ମନରେ ତାଙ୍କର ଗୋଟିଏ ଦୁଃଖ, ଶ୍ରୀଶ୍ରୀଦାଦାଙ୍କ ସହ ଆନୁଷ୍ଠାନିକ ଭାବେ ପରିଚୟ ହୋଇନି, ଆଉ ସେ ତାଙ୍କୁ ଚିହ୍ନିନାହାନ୍ତି।
ସେତେବେଳେ ପରମ ପୂଜ୍ୟପାଦ ଶ୍ରୀଶ୍ରୀବଡଦା, ଶ୍ରୀଶ୍ରୀଦାଦା ଓ ଶ୍ରୀଶ୍ରୀଠାକୁରଙ୍କ ପରିବାରର ଅନ୍ୟମାନେ ପୁରୀରେ ଅବସ୍ଥାନ କରୁଥାନ୍ତି। ସେହି ସମୟରେ ଦେବବ୍ରତ ଶର୍ମା ଭାବିଲେ- ପୁରୀରେ ଶ୍ରୀଶ୍ରୀଠାକୁର ପରିବାରଙ୍କୁ ଦର୍ଶନ କରିବା ସହିତ ଭଦ୍ରେଶ୍ୱରଙ୍କୁ ପୂଜ୍ୟପାଦ ଦାଦାଙ୍କ ସହ ପରିଚୟ କରାଇଦେବେ। ଏହି ସିଦ୍ଧାନ୍ତ ନେଇ ଭଦ୍ରେଶ୍ୱରଦାଙ୍କ ସହ ପ୍ରାୟ ଦଶଜଣ ନେଇ ପୁରୀ ଅଭିମୁଖେ ବାହାରିଲେ।
ପୁରୀ ପହଞ୍ଚିବା ପରଦିନ ସକାଳେ ଶ୍ରୀଶ୍ରୀଦାଦା ବାରଣ୍ଡା ସଂଲଗ୍ନ ଛୋଟ ଘରଟିରେ ବସିଥାନ୍ତି। ଦେବବ୍ରତ ଶର୍ମା ଭାଇ ଭଦ୍ରେଶ୍ୱର ଭାଇଙ୍କୁ ସଙ୍ଗରେ ନେଇ ପରିଚୟ କରାଇବା ଉଦ୍ଦେଶ୍ୟରେ ଘର ଭିତରକୁ ଯାଇ ପ୍ରଣାମ କରନ୍ତେ ଶ୍ରୀଶ୍ରୀଦାଦା କହିଲେ- ରହ, ରହ। ତୋତେ ଆଉ ପରିଚୟ କରାଇଦେବାକୁ ହେବନି। କୁହନ୍ତୁ ତ ଦାସଦା! ଆପଣଙ୍କ ସାଥେ କେଉଁଠି ଦେଖା ହୋଇଥିଲା? ଦାସଦା ଏଭଳି କଥାପାଇଁ ମୋଟେ ପ୍ରସ୍ତୁତ ନ ଥିଲେ। ଦ୍ୱିଧାରେ ପଡ଼ିଲେ ! ଭାବୁଛନ୍ତି ମୋତେ ଚିହ୍ନନ୍ତି ନାହିଁ। ପୁଣି ପଚାରୁଛନ୍ତି କେଉଁଠି ଦେଖା ହୋଇଥିଲା? ଅନେକ ଭାବିଚିନ୍ତି କହିଲେ- ଆଜ୍ଞା, ଡିଫୁତରେ ହେବ। ଶ୍ରୀଶ୍ରୀଦାଦା କହିଲେ- ନା, ନା ଭଲ କରି ମନେ କରନ୍ତୁ। ଦାସ ଦା ପୁଣି ଭାବି କହିଲେ— ଆଜ୍ଞା! ତା ହେଲେ ଦେଓଘରରେ ହେବ। ପୁଣି ଶ୍ରୀଶ୍ରୀଦାଦା କହିଲେ- ଭଲ କରି ଭାବି ଦେଖନ୍ତୁ। ଦାସ ଭାଇ କୌଣସି ପ୍ରକାର ମନେପକାଇ ପାରିଲେ ନାହିଁ। ଶେଷରେ ଶ୍ରୀଶ୍ରୀଦାଦା କହିଲେ— ମୁଁ ଯେତେବେଳେ ନଳବାଡିରେ ପ୍ରଣବ କର ଭାଇଙ୍କ ଘରକୁ ଯାଇଥିଲି, ସେତେବେଳେ ଆପଣ ହାଫପ୍ୟାଣ୍ଟ ପିନ୍ଧି ଦୌଡି ଦୌଡି ଘରକୁ ଆସିଥିଲେ, ସେତେବେଳେ ବୋଧହୁଏ, ଆପଣ ସ୍କୁଲରେ ପଢୁଥିଲେ। ଦାସ ଭାଇ ହତବାକ୍ ହୋଇଗଲେ! ମନରେ ବିସ୍ମୟ। କି ଆଶ୍ଚର୍ଯ୍ୟ କଥା, ୧୯୬୭ ମସିହାର କଥା ଶ୍ରୀଶ୍ରୀଦାଦା ଗୋଟି ଗୋଟି କରି ସମସ୍ତ ଚିତ୍ର ତୋଳି ଧରିଲେ। ଦାସଦା ପୂର୍ବରୁ ଭାବୁଥିଲେ— ପରମ ପୂଜ୍ୟପାଦ ଦାଦା ହୁଏତ ତାଙ୍କୁ ଚିହ୍ନିନାହାନ୍ତି।
ପ୍ରକୃତପକ୍ଷେ ବ୍ୟାପାରଟି ଅନ୍ୟପ୍ରକାର ହୋଇଗଲା। ପ୍ରକୃତରେ ଦାସଦା ଚିହ୍ନନ୍ତି ନାହିଁ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କୁ, ବାସ୍ତବରେ ସେ ଆମକୁ ଜନ୍ମଜନ୍ମାନ୍ତର ଧରି ଚିହ୍ନନ୍ତି, ଯାହାଙ୍କ ନଖଦର୍ପଣରେ ବିଶ୍ୱଦୁନିଆର ସମସ୍ତ ଚିତ୍ର ପ୍ରତିଫଳିତ ହୁଏ, ତାଙ୍କୁ କୌଣସି ଜ୍ଞାନ, ବିଜ୍ଞାନ, ଦର୍ଶନ, ଯୁକ୍ତି ଭିତର ଦେଇ ବୁଝିହୁଏ ନାହିଁ। ସେ ସାଧାରଣ ମଣିଷର ଚିନ୍ତା ଓ ଚେତନାଠାରୁ ଊଦ୍ଧ୍ୱର୍ରେ କେବଳ ଭକ୍ତି ଓ ବିଶ୍ୱାସ ଭିତର ଦେଇ ତାଙ୍କୁ ବୁଝିହୁଏ।
( ‘ଅନୁବର୍ତ୍ତକ’ ଗ୍ରନ୍ଥରୁ ଅନୂଦିତ)