ବିଜ୍ଞାନ-ବିଭୂତି
ଶ୍ରୀଶ୍ରୀ ବଡ଼ଦାଙ୍କ ଶ୍ରୀହସ୍ତ ଲିଖିତ ‘ବିଜ୍ଞାନ-ବିଭୂତି’ ଗ୍ରନ୍ଥର ମୁଖବନ୍ଧ
ଜୀବନ-ତୃଷ୍ଣା ମଣିଷକୁ ନିୟତ ହିଁ ଜୀବନର ବାଧା ଅପସାରଣ ଓ ସହାୟ-ସମ୍ପଦ ବୃଦ୍ଧିର ଚେଷ୍ଟାରେ ଉଦ୍ୟତ କରି ରଖେ । ଜୀବନର ପ୍ରଧାନ ଅନ୍ତରାୟ ହେଲା ଅଜ୍ଞତା-ଜନିତ ଅକ୍ଷମତା। ଜଗତରେ ପଦେ-ପଦେ ଦଶଦିଗରୁ ଜୀବନର ପରିପନ୍ଥୀ ଶକ୍ତି ଆସି ଅସ୍ତିତ୍ୱଉପରେ ଆକ୍ରମଣ କରି ତାହାକୁ ବିବ୍ରତ ଓ ବିଧ୍ୱସ୍ତ କରିବାକୁ ଚାହେଁ । ଅସ୍ତିତ୍ୱର ଆତ୍ମରକ୍ଷଣୀ ଆକୂତି ସେତେବେଳେ ହିଁ ଉଦ୍ଦାମ ହୋଇଉଠେ ସେହି ଶକ୍ତିର ସ୍ୱରୂପକୁ ଜାଣି ତାହାକୁ ଆୟତ୍ତରେ ଆଣିବାକୁ, ତାହା ଉପରେ ଜୟୀ ହେବାକୁ । ମାନବ-ଇତିହାସର ପ୍ରଥମ ପ୍ରଭାତରୁ ହିଁ ଆରମ୍ଭ ହୋଇଛି ପ୍ରକୃତି-ବିଜୟର ଏହି ଦୁରନ୍ତ ଓ ଅବିଶ୍ରାନ୍ତ ସଂଗ୍ରାମ । ବିଜ୍ଞାନହିଁ ଦେଇଛି ମଣିଷହାତରେ ସେହି ଗୋପନ ଚାବିକାଠି ଯାହାର ପ୍ରୟୋଗରେ ସେ ଦୁର୍ଦ୍ଧର୍ଷ ମୃତ୍ୟୁବାହୀ ପ୍ରାକୃତିକ ଶକ୍ତିକୁ ବଶରେ ଆଣି ତାହାକୁ ଜୀବନର ପ୍ରୟୋଜନ ପୂରଣୀ ପରିଚାରକରୂପେ ନିୟୋଗ କରି ତାହା ଉପରେ ପ୍ରଭୁତ୍ୱ ବିସ୍ତାର କରି ପାରୁଛି।
ବିଜ୍ଞାନର ଏହି ଅସାଧ୍ୟ-ସାଧନ ସମ୍ଭବ ହେଲା କିପରି ? ତାହାର ପଶ୍ଚାତରେ ମଧ୍ୟ ରହିଛି ପ୍ରକୃତିର ନିୟମତାନ୍ତ୍ରିକତା, ଜଗତରେ ଯେତେ ଅଘଟଣ ଘଟୁନା କାହିଁକି, ତାହାର ଅନ୍ତରାଳରେ ଗୋଟିଏ ବିଧି ରହିଛି । ଗୋଟିଏ ଅମୋଘ କାର୍ଯ୍ୟକାରଣ-ଶୃଙ୍ଖଳରେ ଗ୍ରଥିତ ହୋଇ ରହିଛି ଏହିପରି ଦୃଶ୍ୟମାନ ଜଗତ । ଅନୁଧାବନ, ସଂଶ୍ଳେଷଣ, ବିଶ୍ଳେଷଣ, ପରୀକ୍ଷା, ପର୍ଯ୍ୟବେକ୍ଷଣ ଇତ୍ୟାଦି ଭିତର-ଦେଇ ଆମେ ଯେତେବେଳେ କୌଣସି ଘଟଣା, ବିଷୟ ବା ବସ୍ତୁର ଅନ୍ତର୍ନିହିତ କାରଣ-କରଣ ଓ କ୍ରିୟା-ପ୍ରତିକ୍ରିୟାର ରୀତି-ପଦ୍ଧତି, ଆବର୍ତ୍ତନ, ବିବର୍ତ୍ତନ, ପରିକ୍ରମା, ପାରମ୍ପର୍ଯ୍ୟ ଓ ପରିଣତି ସମ୍ବନ୍ଧରେ ସମ୍ୟକ୍, ବିଶଦ ଓ ବିଶୁଦ୍ଧ ଜ୍ଞାନ ଅର୍ଜନ କରିପାରୁ, ସେତେବେଳେ ଆମେ ଆମର ପ୍ରୟୋଜନ ଅନୁଯାୟୀ ସେହି ଜ୍ଞାନର ବ୍ୟାବହାରିକ ପ୍ରୟୋଗ ଦ୍ୱାରା ଲାଭବାନ ହୋଇପାରୁ।
ସାଧାରଣ ଭାବରେ ଏହାହିଁ ହେଲା ବିଜ୍ଞାନର କାର୍ଯ୍ୟ । କିନ୍ତୁ ପରମପ୍ରେମମୟ ଶ୍ରୀଶ୍ରୀଠାକୁର ସ୍ୱୟଂ ବିଜ୍ଞାନ-ସ୍ୱରୂପ । ସେ ଯାହା କିଛି କହନ୍ତି, ତାହାହିଁ ବିଜ୍ଞାନ-ଦୃଷ୍ଟି ଓ ବିଜ୍ଞାନ-ଭୂମିରୁ କହନ୍ତି। ସେ ଖାଲି ଆଖିରେ ଦେଖିପାରନ୍ତି ବସ୍ତୁର ପଶ୍ଚାତରେ ଶକ୍ତିର ଲୀଳା ଚାଲିଛି କିପରି ଭାବରେ; ସ୍ଥୁଳରୁ ସୂକ୍ଷ୍ମ ଓ କାରଣ ଭୂମି ପର୍ଯ୍ୟନ୍ତ ସ୍ତର-ପାରମ୍ପର୍ଯ୍ୟରେ କେଉଁଠି କ’ଣ ଘଟେ, କିପରି କରି ଘଟେ- ସମସ୍ତ ସେ ନିଜର ଇନ୍ଦ୍ରିୟ ଦ୍ୱାରା ପ୍ରତ୍ୟକ୍ଷ କରନ୍ତି । ତେଣୁ, ତାଙ୍କର ପ୍ରତିଟି କଥାହିଁ ବାସ୍ତବ ବୋଧ-ସମନ୍ୱିତ ଓ ବିଜ୍ଞାନଭିତ୍ତିକ । ପ୍ରକୃତରେ, ବିଜ୍ଞାନ-ସମ୍ବନ୍ଧରେ ଏକ ନବୀନ ବୋଧନା ସଞ୍ଚାରିତ କରି ଦେଇଛନ୍ତି ସେ । ତାଙ୍କ ନିକଟରେ ପରାବିଜ୍ଞାନ ଏବଂ ଅପରାବିଜ୍ଞାନ ମଧ୍ୟରେ କୌଣସି ଭେଦରେଖା ନାହିଁ। ଭେଦ ନାହିଁ ବିଜ୍ଞାନ, ଦର୍ଶନ ଓ ଧର୍ମର । ଏକ ଅଖଣ୍ଡ, ଅଭିନ୍ନ ସତ୍ୟ ନେଇ ହିଁ ପ୍ରତ୍ୟେକଙ୍କର କାରବାର । ତେଣୁ ଏହି ‘ବିଜ୍ଞାନ-ବିଭୂତି’ ଗ୍ରନ୍ଥ ମଧ୍ୟରେ ସ୍ୱଳ୍ପ-ପରିସରରେ ବହୁ କଥାହିଁ ସ୍ଥାନ ପାଇଛି । ସୃଜନ-ପରିକ୍ରମା, ଶରୀର-ବୃତ୍ତ, ଅଭିବ୍ୟକ୍ତି-ବାଦ, ସମାଜବିଜ୍ଞାନ, ବର୍ଣ୍ଣଧର୍ମ, ବିବାହ, ବ୍ୟକ୍ତି-ବୈଶିଷ୍ଟ୍ୟ, ନୀତି-ବିଦ୍ୟା, ଚିକିତ୍ସା-ଶାସ୍ତ୍ର, ଜ୍ୟୋତିର୍ବିଜ୍ଞାନ, ମନୋବିଜ୍ଞାନ, ପ୍ରଜନନ-ବିଦ୍ୟା, ବଂଶଗତି, ପଦାର୍ଥବିଦ୍ୟା, ରସାୟନଶାସ୍ତ୍ର, ଶବ୍ଦତତ୍ତ୍ୱ, ଜୀବବିଦ୍ୟା ଇତ୍ୟାଦି ବିଜ୍ଞାନର ନାନା ବିଭାଗର ଅନନ୍ତ ସମ୍ଭାବନା ଓ ଇଙ୍ଗିତପୂର୍ଣ୍ଣ ନାନା ତଥ୍ୟ ଓ ତତ୍ତ୍ୱ ହରିହରାତ୍ମା-ମିଳନରେ ମିଳିତ ହୋଇ ପରମ ସଙ୍ଗତିର ଉଦାତ୍ତ ରାଗିଣୀରେ ଏହି ଗ୍ରନ୍ଥରେ ଆତ୍ମପ୍ରକାଶ କରିଛି । ବିଜ୍ଞାନର ଯାବତୀୟ ବିଭାଗ ମଧ୍ୟରେ ପାରସ୍ପରିକ ସାମଞ୍ଜସ୍ୟ, ଯୋଗାଯୋଗ ଓ ସମନ୍ୱୟର ସ୍ୱର୍ଣ୍ଣସୂତ୍ରର ସନ୍ଧାନ ଦେଇ ଶ୍ରୀଶ୍ରୀଠାକୁର ବୈଜ୍ଞାନିକ ଗବେଷଣାର ନବ-ନବ ସିଂହଦ୍ୱାର ଉନ୍ମୋଚନର ସମ୍ଭାବ୍ୟତା ସୂଚିତ କରିଛନ୍ତି।
ସେ ଏହି ଗ୍ରନ୍ଥରେ ବିଜ୍ଞାନର ପଶ୍ଚାଦଭୂମି ଓ ପୁରୋଭୂମି– ସମ୍ବନ୍ଧରେ ମଧ୍ୟ ଆଭାସ ଦେଇଛନ୍ତି। ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା, ତ୍ୱକ୍ ଏହି ପଞ୍ଚ ଜ୍ଞାନେନ୍ଦ୍ରିୟର ସୁଷ୍ଠୁ, ସମ୍ୟକ୍, ବ୍ୟାପକ, ଅନୁସନ୍ଧିତ୍ସୁ ବୋଧ-ବିଚାର ଓ ବିଶ୍ଳେଷଣ-ସମନ୍ୱିତ ବ୍ୟବହାର ଭିତରଦେଇ କିପରି କରି ମନୋରାଜ୍ୟରେ ବିଜ୍ଞାନ-ଅନୁଶୀଳନର ଭିତ୍ତି ସ୍ଥାପିତ ହୁଏ, ତାହାର ସୁନ୍ଦର ସଙ୍କେତ ଦେଖାଯାଏ ଏଠାରେ । ରଙ୍ଗିଳ ଦୃଷ୍ଟି ବା ଅଭିଭୂତ ଧାରଣା ଦେଇ ବୈଜ୍ଞାନିକ ଗବେଷଣା କାହିଁକି ହୁଏନା ଏବଂ ସେଥିରୁ ମୁକ୍ତ ହେବାକୁ ଗଲେ ନିର୍ମ୍ମୋହ, ନିରାସକ୍ତ, ସ୍ଥିତଧୀ, ବାସ୍ତବ-ସଚେତନ, ଜ୍ଞାନାଧୀଶ ଜୀବନ୍ତ ଆଦର୍ଶ ପ୍ରତି ନିଷ୍ଠାକୁ ନ୍ୟସ୍ତ କରି ମନର ସାମ୍ୟସଙ୍ଗତି ଅର୍ଜନ କରିବା କାହିଁକି ଯେ ଅପରିହାର୍ଯ୍ୟ ପ୍ରୟୋଜନ, ତାହା ମଧ୍ୟ ବିଶଦ ଭାବରେ ଆଲୋଚିତ ହୋଇଛି । ବିଜ୍ଞାନର ସାତ୍ୱତ ବିନିଯୋଗର ରୀତି-ପଦ୍ଧତି ସମ୍ବନ୍ଧରେ ମଧ୍ୟ ବହୁ ସୂତ୍ର ନିର୍ଦ୍ଦେଶ କରାହୋଇଛି । ଗୋଟିଏ ଜ୍ଞାନଘନ, ପ୍ରତ୍ୟୟଦୀପ୍ତ, ବିଜ୍ଞାନ-ସିଦ୍ଧ ଚିନ୍ତା, ଚଳନ ଓ ଦୃଷ୍ଟିଭଙ୍ଗୀ ଯେପରି ଜୀବନର ରନ୍ଧ୍ରେରନ୍ଧ୍ରେ ଅନୁପ୍ରବିଷ୍ଟ ହୋଇ ମଣିଷକୁ ଅଭ୍ରାନ୍ତ ଚଳନରେ ଅଭ୍ୟସ୍ତ କରି ତୋଳେ,ତାହାର ହିଁ ଦୁର୍ଜ୍ଜୟ-ପ୍ରେରଣା ବିକୀର୍ଣ୍ଣ ହୋଇ ରହିଛି ଏହି ପୁସ୍ତକର ଛତ୍ରେ ଛତ୍ରେ।
ଆସନ୍ତୁ, ଆମେ ଉତ୍ସମୁଖୀ ଅନୁଚଳନରେ ବିଜ୍ଞାନର ନବ ନବ ଦିଗନ୍ତ ଆବିଷ୍କାର କରି ପୃଥିବୀରୁ ଦୁଃଖ, ଦାରିଦ୍ର୍ୟ, ରୋଗ, ଶୋକ, ଅଜ୍ଞତା, ଅଭାବ, ଅଶାନ୍ତି, ଭ୍ରାନ୍ତି, ଦ୍ୱେଷ, ହିଂସା, ଯୁଦ୍ଧ-ବିଗ୍ରହ ଓ ଆସୁରିକତା ବିଦୂରିତ କରି ମଙ୍ଗଳ-ମଞ୍ଜୁଳ ଅମୃତର ତପସ୍ୟାରେ ନିରନ୍ତର ହେବା।
– ବନ୍ଦେ ପୁରୁଷୋତ୍ତମମ୍ –