ଶ୍ରୀଶ୍ରୀଠାକୁରଙ୍କ ବିଚରିତ କବିତା

ସରସ୍ୱତୀ ବନ୍ଦନା ଓ ହୃଦୟ-ଗଗନ ମଧ୍ୟେ ତୁମେ ମମ ଧ୍ରୁବତାରା

ସରସ୍ୱତୀ ବନ୍ଦନା

ଆସ ଶ୍ୱେତାଙ୍ଗିନୀ ସୁନ୍ଦରୀ ବାକ୍-ବାଦିନୀ ।

ଆସ ମଣିମାଳାଶୋଭିନୀ ବୀଣାପାଣି ।।

ଆସ କମଳଦଳବାସିନୀ ସରସ୍ୱତୀ ।

ଏ ସନ୍ତାନେ ଦିଅ ମାଗୋ ଶୁଭମତି ।।

ମୁଁ ଅଧମ ଜ୍ଞାନହୀନ ହୀନମତି ।

ଆସ ସ୍ନେହରେ କୃପା କରି ମା‘ ଭାରତୀ ।।

ନାହିଁ ସମ୍ବଳ ହୃଦବଳ ହୀନ ତନୟ ।

ମାନସ-ଆସନେ ପୂଜେ ତେଣୁ ହୁଅ ସଦୟ ।।

ଦିଅ ସ୍ନେହରେ ମମ ଶିରେ ପଦଧୂଳି ।

ଘୃଣା କରି ମାଗୋ ସନ୍ତାନେ ନ ଯିବ ଭୁଲି ।।

 

(ସଙ୍ଗୀତଗ୍ରନ୍ଥ; କବିତା ସଂଖ୍ୟା -୫୨)

ହୃଦୟ-ଗଗନ ମଧ୍ୟେ ତୁମେ ମମ ଧ୍ରୁବତାରା 

ହୃଦୟ-ଗଗନ ମଧ୍ୟେ ତୁମେ ମମ ଧ୍ରୁବତାରା ।

ତୁମକୁ ମୁଁ କରିଅଛି ଜୀବନର ଶାନ୍ତିଧାରା ।।

ଏ ଜୀବନେ ତୁମେ ମମ

ଅମିୟ ନିର୍ଝର ସମ

ହୃଦୟ-ମଧ୍ୟରେ ତୁମେ ମମ ବାରିଧାରା ।।

ଅଶାନ୍ତ ହୃଦୟ ମାଝେ

ତୁମ ପ୍ରେମ ସଦା ରାଜେ

ଚାରିଦିଗେ ଦେଖେ ସଦା ତୁମରି ସୁହାଗ-ଭରା ।।

ତୁମେ ମମ ଆଶା-ତୃଷା

ତୁମେ ମମ ପ୍ରେମ-ଦିଶା

ଜନମେ ଜନମେ ହେବ ତୁମେ ମୋର ସୁଖ-ଧାରା ।।

 

(ସଙ୍ଗୀତଗ୍ରନ୍ଥ; କବିତା ସଂଖ୍ୟା -୬୨)

You might also like